Unknown

 

 

 

 

 

 

 

 

 

 

ପ୍ରିୟମ୍ବଦାର ପ୍ରଶ୍ନ

ଶ୍ରୀ ଭାଗୀରଥି ନେପାକ

 

ପଦେ ଶୁଣନ୍ତୁ

 

ସ୍ଵାଧୀନତା ପ୍ରାପ୍ତି ପରର ସାହିତ୍ୟକୁ ବିଶ୍ଳେଷଣ କଲେ ଜଣାଯାଏ ପ୍ରତ୍ୟେକ ପ୍ରାନ୍ତୀୟ ସାହିତ୍ୟ ବିଭିନ୍ନ ଦିଗରେ ବହୁବିଧଭାବରେ ସମୃଦ୍ଧ ହୋଇପାରିଛି । ଏ ସମ୍ବାଦ ଯେ କୌଣସି ଦେଶର ସାହିତ୍ୟ ଓ ସାହିତ୍ୟିକ ପକ୍ଷରେ ପରମଗୌରବର ବିଷୟ । ଓଡ଼ିଶାର ସାହିତ୍ୟ କ୍ଷେତ୍ରରେ ମଧ୍ୟ ତା’ର ବ୍ୟତିକ୍ରମ ହୋଇନାହିଁ । ସୁଖର କଥା, କ୍ରମବର୍ଦ୍ଧନଶୀଳ ଓଡ଼ିଆ ଲେଖକ ତଥା ପ୍ରକାଶନ ସଂସ୍ଥା ସେମାନଙ୍କ କର୍ତ୍ତବ୍ୟ ପ୍ରତି ସଚେତନ ଅଛନ୍ତି । କିନ୍ତୁ ଏଥିରେ ଆତ୍ମତୁଷ୍ଟି ପ୍ରକାଶ କରିବାର କିଛି ନାହିଁ । ଦିନକୁ ଦିନ ଓଡ଼ିଶାରେ ଆନୁପାତିକହାରରେ ଶିକ୍ଷିତ ସଂଖ୍ୟା ବଢ଼ୁଛି । ପାଠକ ଓ ଲେଖକ ସଂଖ୍ୟା ବଢ଼ୁଛନ୍ତି । ତଥାପି ପଡ଼ୋଶୀ ବଙ୍ଗ ବା ଆନ୍ଧ୍ରଦେଶ ସଙ୍ଗରେ ଆମେ ସମାନ ତାଳ ଦେଇ ଚାଲିପାରୁ ନାହୁଁ । ଆମକୁ ଆହୁରି ଅନେକ କିଛି କରିବାକୁ ପଡ଼ିବ ।

ଓଡ଼ିଆ ପୁସ୍ତକ ପ୍ରକାଶନ ସଂସ୍ଥା ପ୍ରତି ନଜର ଦେଲେ ଯେ କେହି ଉପଲବ୍ଧି କରିବାକୁ ସକ୍ଷମ ହେବ ଯେ, ଗଳ୍ପ ଓ କାବ୍ୟ-କବିତା ପୁସ୍ତକ ସଂଖ୍ୟା ଅତି ନଗଣ୍ୟ । ଏଥିରୁ ପାଠକ ପାଠିକା ତଥା ପ୍ରକାଶନ ସଂସ୍ଥାମାନଙ୍କର ଅଧୁନା ଗଳ୍ପ ଓ କାବ୍ୟ-କବିତା ପ୍ରତି ଦେଖା ଦେଇଥିବା ଅସନ୍ତୋଷ ମନୋଭାବ ପ୍ରକାଶ ପାଉଛି ।

ମୋର ଏହି ଗଳ୍ପ ପୁସ୍ତକଟିକୁ ପ୍ରକାଶ କରିବାକୁ ଆଗ୍ରହ ଜଣାଇଥିବା ବନ୍ଧୁ ପ୍ରକାଶକଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି । ଏହି ଅବସରରେ କହି ରଖୁଛି ଯେ, ସନ୍ନିବେଶିତ ଗଳ୍ପମାନଙ୍କ ମଧ୍ୟରୁ ଅନେକ ସାମ୍ମୁଖ୍ୟ, ସାହିତ୍ୟ ସମାଚାର, ଜନସାହିତ୍ୟ, କଳନା, ସାଗର, କଳିଙ୍ଗ ଓ ସାହିତ୍ୟ ସନ୍ଧାନ ପ୍ରଭୃତି ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଇ ପାଠକ ମହଲରେ ବିଶେଷ ପ୍ରଶଂସାଲାଭ କରିଥିଲା । ସଂପୃକ୍ତ ପତ୍ରିକାର ସମ୍ପାଦକମାନଙ୍କୁ ସେମାନଙ୍କ ସଦୟ ସହଯୋଗ ପାଇଁ ସାଧୁବାଦ ଅର୍ପଣ କରୁଛି ।

ସନ୍ନିବେଶିତ ଗଳ୍ପମାନଙ୍କୁ ମୁଁ ନିମ୍ନଲିଖିତ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରୁଛି–

ସମାଜ ଦର୍ପଣରେ–ନିମକ୍‍ ହାରାମ୍‍; ଦୁର୍ନୀତି, ବ୍ୟତିକ୍ରମ ।

ଭ୍ରମଣ ଡାଇରୀ–କ୍ଷୁଧାର ମୃତ୍ୟୁ, ଭୁଲିନାହଁ, ରେଡ୍‍ହିଲ୍‍ସର କାହାଣୀ

ଯୁଦ୍ଧକାଳୀନ–କଲ୍ୟାଣୀ ।

ଆଭାସମୂଳକ—ସାୟାହ୍ନ, ମୃତ୍ୟୁ ।

ଚରିତ୍ର ଚିତ୍ରଣ–ଅଭୟ ମହାନ୍ତି, ଦୁଇଟି ନାରୀ ଚରିତ୍ର ।

ପ୍ରେମ ଓ ରହସ୍ୟବାଦ—ଦୁଃସ୍ଵପ୍ନ, ଲୋହିତ ପ୍ରତୀକ୍ଷା, ପ୍ରିୟମ୍ବଦାର ପ୍ରଶ୍ନ ପ୍ରାପ୍ୟ ଓ ପ୍ରାପ୍ତ, ଆଦିମ ମନ ।

ମୋର ଏ ଗଳ୍ପ ସଙ୍କଳନଟି ପାଠକ-ପାଠିକାବର୍ଗଙ୍କର ସାମାନ୍ୟ ମନୋରଞ୍ଜନ କରିବାରେ ସମର୍ଥ ହେଲେ ନିଜକୁ କୃତାର୍ଥ ମନେ କରିବି ।

ଭୁବନେଶ୍ଵର

ବିନୀତ

ଲେଖକ

 

 

 

 

 

 

 

 

ଉତ୍ସର୍ଗ

 

ସାହିତ୍ୟିକ ବନ୍ଧୁ

ଶ୍ରୀ ରାମନାଥ ପଣ୍ଡାଙ୍କ

ହାତରେ–

 

ବିନୀତ

ଲେଖକ

 

ଏ ପୁସ୍ତକରେ ପାଇବେ

 

୧.

ଅଭୟ ମହାନ୍ତି

୨.

କ୍ଷୁଧାର ମୃତ୍ୟୁ

୩.

ଦୁଃସ୍ଵପ୍ନ

୪.

ନିମକ୍ ହାରାମ୍ ।

୫.

ଲୋହିତ ପ୍ରତୀକ୍ଷା

୭.

ଦୁର୍ନୀତି

୭.

ପ୍ରିୟମ୍ବଦାର ପ୍ରଶ୍ନ

୮.

ସାୟାହ୍ନ

୯.

ଦୁଇଟି ନାରୀର ଚରିତ୍ର

୧୦.

କଲ୍ୟାଣୀ

୧୧.

ପ୍ରାପ୍ୟ ଓ ପ୍ରାପ୍ତି

୧୨.

ଭୁଲିନାହଁ

୧୧.

ଆଦିମ ମନ

୧୪.

ବ୍ୟତିକ୍ରମ

୧୫.

ମୃତ୍ୟୁ

୧୬.

ରେଡ୍ ହିଲ୍‍ସ୍‍ର କାହାଣୀ

Image

 

ଏଇ ଲେଖକଙ୍କର ପ୍ରକାଶିତ ଉପନ୍ୟାସ

 

ମଉଳାମନର ମୁକୁଳା କଥା—ବିଭ୍ରାନ୍ତ—ତରୁଣୀର ମନ

ସନ୍ତାନର ମାୟା—ସୁଜାତାର ସ୍ଵପ୍ନ–ଶୁଭବିବାହ

ସବିତାର ଆତ୍ମଲିପି—ଲୁଚକାଳି—ନବ ଦିଗନ୍ତ

କଳା କଳଙ୍କ —ତରୁଣୀ ମନର ଇତିବୃତ୍ତି—ପୁନରାବୃତ୍ତି

ରାଉରକେଲାର ରାତ୍ରି—ଫୁଲଶର—ବନ୍ଧୁପତ୍ନୀ

ଉପସଂହାର—ଅପ୍‍ସରାର ଇତିକଥା—ସୂଚନା

ଦେହ ଓ ଦେହାତୀତ—ସୀମାନ୍ତ ଆହ୍ଵାନ—ବୀଣ।ର ଦୁଇ ତା’ର

ମଧୁ ମଦିରା—ଜୁନ୍ ତେଇଶି—ଅବଶିଷ୍ଟାଂଶ

ଦୁଇ ନାୟିକା—କାମିନୀର କାମନା—ମନ ମାନେନା

 

କାବ୍ୟ କବିତା

ଗଳ୍ପ ସଂକଳନ

ଜୀବନ ତୃଷ୍ଣା

ପାହାଚ, ପ୍ରିୟମ୍ବଦାର ପ୍ରଶ୍ନ

 

ଶିଶୁ ସାହିତ୍ୟ

ସାହସୀ ସୈନିକ

ସାତ ପାଖୁଡ଼ା ।

Image

 

ଅଭୟ ମହାନ୍ତି

 

ବେଶି ଡେଙ୍ଗା ନୁହେଁ କି ବାଙ୍ଗରା ନୁହେଁ, ମଧ୍ୟଭଳିଆ ମଣିଷଟିଏ, ବେଶି ଗୋରା ନୁହେଁ କି କଳା ନୁହେଁ, ସାବନା ରଙ୍ଗର ଦେହ, ମୁହଁ, କାହାରିର ପରମଆତ୍ମୀୟ ନୁହେଁ କି ଶତ୍ରୁ ନୁହେଁ ଅଥଚ ସମସ୍ତଙ୍କର ବନ୍ଧୁ, ସେହି ଛବିଶ ବର୍ଷ ବୟସର ସୁଠାମ, ମିଷ୍ଟଭାଷୀ ଓ ମେଳାପୀ ଯୁବକର ଶୁଭନାମ ଅଭୟ ମହାନ୍ତି ।

 

ଅଭୟକୁ ମୁଁ ଦେଖିଛି ସରକାରୀ ଦପ୍ତର ଭିତରେ ମନଯୋଗୀ କର୍ମଚାରୀ ଭାବରେ, ଫୁଟବଲ ପଡ଼ିଆରେ କୁଶଳୀ ଖେଳାଳି ରୂପରେ, ସହରର ରଙ୍ଗମଞ୍ଚରେ ଦକ୍ଷ ଅଭିନେତା ପର୍ଯ୍ୟାୟରେ । ତାକୁ ପୁଣି ଆବିଷ୍କାର କରିଛି, ତା’ ନିଜର ବନ୍ଧୁବର୍ଗଙ୍କୁ କଥୋପକଥନରେ ଅଭିଭୂତ କଲାବେଳେ । ରାଜନୈତିକ ସଭାର ଆୟୋଜନ ବାହାରେ ଛିଡ଼ାହୋଇ, ନିମ୍ନକଣ୍ଠରେ ଦେଶବିଦେଶ ତଥା ଆନ୍ତର୍ଜାତିକ ପରସ୍ଥିତି ସମ୍ପର୍କରେ ତାତ୍ପର୍ଯ୍ୟପୂର୍ଣ୍ଣ ଆଲେଚନା କଲାବେଳେ ତା’ ଯୁକ୍ତିର ପ୍ରଖରତା ଦେଖି ମୁଗ୍ଧ ହୋଇଛି ।

 

କିନ୍ତୁ ଅଭୟ ମହାନ୍ତି ଯେତେବେଳେ ନିଜ ଅଙ୍ଗଲିଭା ଘଟଣାରୁ କିଞ୍ଚିତ ପରିବେଷଣ କରୁଥାଏ, ସେତେବେଳେ ତା’ର ବନ୍ଧୁବର୍ଗ ବିଶେଷ ମନଯୋଗ ଦେଇ ତାକୁ ଶ୍ରବଣ କରନ୍ତି ।

 

ଅଭୟ ମହାନ୍ତିର ବନ୍ଧୁମାନେ କହନ୍ତି, ଯେକୌଣସି ଆଲୋଚନା କିମ୍ବା ତର୍କ ଅପେକ୍ଷା ସେ ପ୍ରେମ କାହାଣୀକୁ ସୁନ୍ଦର ଭାବରେ କହିପାରେ । ପ୍ରେମ କାହାଣୀ କହିଲାବେଳେ ଯେଉଁ ପ୍ରସ୍ତୁତି ଓ ପରିବେଶ ଆବଶ୍ୟକ, ତାକୁ ସେ ନିର୍ଭୁଲ ଭାବରେ ସୃଷ୍ଟି କରିପାରେ । ପ୍ରତି ଶବ୍ଦକୁ ମାପିଚୁପି ବ୍ୟବହାର କରିବାରେ ସେ ସିଦ୍ଧହସ୍ତ । ପୁଣି କେଉଁ ଶବ୍ଦ ବା ବାକ୍ୟକୁ କେତେ ଗଭୀରତା ଆନ୍ତରିକତା ଦେଇ ପ୍ରକାଶ କରିବାକୁ ହେବ, ତା’ର ମାନ ନିର୍ଦ୍ଧାରଣ କରିବାରେ ଅଭୟ ମହାନ୍ତି ଅନନ୍ୟ ସାଧାରଣ ।

 

ଅଭୟ ମହାନ୍ତିର ବିଶେଷ ଯୋଗ୍ୟତା ହେଲା ବିଜ ଅଙ୍ଗଲିଭା ଛୋଟବଡ଼ ଘଟଣାକୁ ସାଜିମାଜି ଖୁବ୍ ସୁନ୍ଦର ଓ ଆକର୍ଷଣୀୟରେ ପରିବେଷଣ କରିବା । (ସେ କାହାଣୀର ଯେମିତ ନିଜ ବ୍ୟକ୍ତିଗତ ଜୀବନର ସୁଖଦୁଃଖ ବା ଭଲମନ୍ଦର ଛାଇ ବାଜିବ ନାହିଁ, ସେଥିପାଇଁ ସେ ସର୍ବଦା ସଜାଗଥାଏ ।)

 

ଦିନେ ଏକ ଶନିବାର ସନ୍ଧ୍ୟାରେ ଆମେ ଦି’ଜଣ ବନ୍ଧୁ, ଅଭୟ ମହାନ୍ତି ପାଖରେ ପହଞ୍ଚି କୌଣସି ଏକ କାହାଣୀ ଶୁଣାଇବାକୁ ଦାବିକଲୁ ।

 

ଅଭୟ ମହାନ୍ତି ନିଜେ ପ୍ରସ୍ତାବ ଦେଲା ଯେ, ସେ ନିଜ ଅଙ୍ଗଲିଭା ଘଟଣାରୁ କିଛି ଶୁଣାଇବ । ସେଥିପାଇଁ ସେ ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇଗଲା ।

 

ଅଭୟ ମହାନ୍ତି ନିଜମୁହଁରେ ଯାହା ଶୁଣାଇଥିଲା, ତାକୁ ଅବିକଳ ଭାବରେ ଉଦ୍ଧୃତ କରୁଛି ।

 

ସେ ଦିନ ରବିବାର —

 

ରବିବାର ସକାଳଟା ଆମପରି ପରାଧୀନ ସରକାରୀ ଚାକିରିଆଙ୍କ ସକାଶେ ଶୁଭଦିନଟିଏ ନୁହେଁ କି ? ନିଜ ସମ୍ବନ୍ଧରେ କିଛି ଭାବିବାକୁ, ନିଜ ସମ୍ପର୍କରେ କିଛି କରିବାକୁ ଏଇ ଦିନଟାରେହିଁ କିଛି ସମୟ ମିଳେ । ଦପ୍ତର କଥାକୁ ପୂରାପୂରିଭାବରେ ନିଜ ଚିନ୍ତାରୁ ଏଡ଼ାଇ ଦିଆଯାଇପାରେ ।

 

ସେଦନ ସକାଳ ସାତଟାରେ ଦେଖିଲି, ସୌଦାମିନୀ ଆସି ମୋ ବସାରେ ହାଜର ।

 

ସୌଦାମିନୀ ଝିଅଟି ମୋର ଜଣେ ଘନିଷ୍ଠ ବନ୍ଧୁର ଭଉଣୀ । ଦ୍ଵିତୀୟ ବାର୍ଷିକ କଳାଛାତ୍ରୀ ଭାବରେ କଲେଜରେ ତା’ର ଅନେକ ସୁନାମ । ତା’ର ଆଚାର ବ୍ୟବହାର ନେଇ ମୁଁ ଖୁବ୍‍ ସନ୍ତୁଷ୍ଟ । ବେଳେବେଳେ ମୋ ବସାକୁ ଆସି ଅବସର ଦେଖି ପଢ଼ା ବୁଝିଯାଏ ଅଥବା ଖାଲି ଗପସପ କରି ସମୟ କଟାଇଦିଏ । ତା’ର କଥାବାର୍ତ୍ତାକୁ ମୁଁ ଉପଭୋଗ କରେ ବୋଲି ପ୍ରଶ୍ରୟ ଦେଇଥାଏ ।

 

ସେଦିନ ମଧ୍ୟ ସେଇଆ ଭାବି ତାକୁ ସମ୍ଭାଷଣ ଜଣାଇଲି ।

 

କିନ୍ତୁ ସୌଦାମିନୀ ମୋତେ ତା’ ସଙ୍ଗରେ ଯିବାକୁ ଅନୁରଧ କଲା ।

 

ଏଇମିତି ଦିନେ ଦିନେ ସୌଦାମିନୀ ଆସି ମୋତେ ତାଙ୍କ ଘରକୁ ଡାକି ନିଏ । ସୌଦାମିନୀର ମାଆ ମୋତେ ଦେଖିଲେ ଖୁବ୍ ଖୁସି ହୁଅନ୍ତି । ମୋ’ ସଙ୍ଗରେ ବ୍ୟକ୍ତିଗତ ଜୀବନର ସୁଖଦୁଃଖ ଯୋଡ଼ି ଦିଅନ୍ତି । ପୁଣି ପର୍ବପର୍ବାଣୀ ପାଇଁ ପ୍ରସ୍ତୁତ ହୋଇଥିବା ଅନେକ କିଛି ଖାଇବ। ଜିନିଷ ବାଢ଼ି ଖାଇନେବାକୁ ବାଧ୍ୟ କରାନ୍ତି ।

 

ସେଦିନ କିନ୍ତୁ ସୌଦାମିନୀ ଘରେ ପୁଷ୍ପା ଓ ଲିଲୀ ବ୍ୟତୀତ ଅନ୍ୟ କେହି ନ ଥିଲେ ।

 

ସେ ତିନିଜଣଯାକ ମୋତେ ମଝିରେ ବସାଇ ଏଣୁ ତେଣୁ ଗୁଡ଼ିଏ ଗପ ଆରମ୍ଭ କଲେ ।

 

ପୁଷ୍ପା ସ୍କୁଲ ଫାଇନାଲ୍ ଶ୍ରେଣୀର ଛାତ୍ରୀ । ସେ ଡାକ୍ତରୀ ପଢ଼ିବ ବୋଲି ସ୍ଥିର କରିଥିଲା । ସେଇ ଅନୁସାରେ ପ୍ରସ୍ତୁତ ବି ହେଉଥିଲା । ପୁଷ୍ପାର କଥାବାର୍ତ୍ତାରେ ଏମିତ କିଛି ଆକର୍ଷଣ ଥିଲା ଯାହା ଦେଖି ତା’ର ସହଧ୍ୟାୟୀ ବନ୍ଧୁବାନ୍ଧବୀମାନେ ମୋହିତ ହୋଇ ଉଠୁଥିଲେ । ବନ୍ଧୁବର୍ଗ ତା’ର ସୁନ୍ଦର ମୁହଁର ଗଢ଼ଣ ଦେଖି ମୁଗ୍ଧ ହେଉଥିଲେ । ସମଗ୍ର ଶିକ୍ଷାୟତନରେ ସେ ସର୍ବଶ୍ରେଷ୍ଠ ସୁନ୍ଦରୀ ଭାବରେ ସ୍ଵୀକୃତି ଲାଭ କରିଥିଲା ।

 

ଲିଲୀର କିନ୍ତୁ ସୁନ୍ଦର କେଶଗୋଛାକ ଛାଡ଼ିଦେଲେ ତା’ ପାଖରେ ସହଧ୍ୟାୟୀମାନଙ୍କୁ ମୋହିତ କରିବାର ଅନ୍ୟ କିଛି ଆକର୍ଷଣ ନ ଥିଲା । କିନ୍ତୁ ତା’ର ଭଦ୍ରୋଚିତ ବ୍ୟବହାର ଓ ସୁମିଷ୍ଟ କଥାଭାଷା ଯୋଗୁଁ ଦଶମ ଶ୍ରେଣୀର ସମସ୍ତ ବନ୍ଧୁ ଓ ବାନ୍ଧବୀମାନଙ୍କର ପ୍ରିୟପାତ୍ରୀ ହୋଇ ପାରିଥିଲା-

 

ମୁଁ ମାତ୍ର ଏକବର୍ଷ ପୂର୍ବେ ଏଇ ସୌଦାମିନୀ, ପୁଷ୍ପା ଓ ଲିଲୀକୁ ହୋରିଖେଳର ଉତ୍ସବ ଭିତରେ ଅତି ଆକସ୍ମିକ ଭାବରେ ମୋର ବସାଘରେ ଆବିଷ୍କାର କରିଥିଲି । ସେଦିନ ସେମାନଙ୍କୁ କେବଳ ମୋରି ମୁହଁରେ ରଙ୍ଗ ଲଗାଇବାକୁ ଅନୁମତି ଦେଇନି, ମୋସଙ୍ଗରେ ଆତ୍ମୀୟତା କରିବାର ସୁଯୋଗ ମଧ୍ୟ ଦାନ କରିଥିଲି ।

 

ପରିଚୟର ପ୍ରଥମ ପର୍ବ ନାନା ସଙ୍କୋଚ, ନାନା ଦ୍ଵନ୍ଦ୍ୱ, ଭିତରେ ଅତିବାହିତ ହେଲା । ପ୍ରଥମ ପର୍ଯ୍ୟାୟ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆମ ମନର ସମସ୍ତ ସଙ୍କୋଚ ଓ ଅସ୍ଵାଭାବିକତା କଟିଗଲା । ତା’ପରେ ଆମେ ପରସ୍ପରକୁ ବନ୍ଧୁ ରୂପରେ ଗ୍ରହଣ କରିଥିଲୁ ।

 

ବିଶ୍ୱାସ କରନ୍ତୁ; ସେ ବନ୍ଧୁତାରେ ଆବିଳତା ନ ଥିଲା । ଆମେ ଏକାଠି ହେଲେ ପରସ୍ପରକୁ ଅତି ଖୋଲାଖୋଲି ଭାବରେ ପ୍ରକାଶ କରି, ଯେ କୌଣସି ବିଷୟରେ ନିଃସଙ୍କୋଚ ମନ୍ତବ୍ୟ ପ୍ରଦାନ କରି ପାରୁଥିଲୁ ।

 

ସେଦିନ ସେହି ଝିଅ ତିନୋଟିଙ୍କ ମଝିରେ ଏକମାତ୍ର ଯୁବକ ମୁଁ ଅନେକ ପ୍ରଶ୍ନର ଶରବ୍ୟ ହେଲି ।

 

ଶୁଣି ଆଶ୍ଚର୍ଯ୍ୟ ହେବେ; ସେଦିନ ବିଭିନ୍ନ ଆଲେଚନାର ପ୍ରସଙ୍ଗ ବଦଳି ଯାଇ ପୁଅ ଝିଅଙ୍କର ପ୍ରେମ ଓ ଭଲପାଇବା ପ୍ରଶ୍ନରେ କେନ୍ଦ୍ରୀଭୂତ ହେଲା ।

 

ମୁଁ ସେମାନଙ୍କ ଅସଂଖ୍ୟପ୍ରଶ୍ନର ଉତ୍ତର ଦେବା ପରେ ସେମାନଙ୍କ ମୁହଁରୁ ନିମ୍ନଲିଖିତ କେତୋଟି ଉତ୍ତର ସଂଗ୍ରହ କରିଥିଲି ।

 

ଦ୍ଵିତୀୟ ବାର୍ଷିକ କଳାଛାତ୍ରୀ ସୌଦାମିନୀ କୌଣସି ଦ୍ଵିଧା ପ୍ରକାଶ ନ କରି ଉତ୍ତର ଦେଲା ଯେ, ସେ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଡିଗ୍ରୀ ପ୍ରାପ୍ତ ଯେକୌଣସି ଯୁବକକୁ ସାଥୀରୂପେ ଲାଭ କଲେ ସେ ସୁଖୀ ହେବ । ଯୁବକଟି ସୁନ୍ଦର କି ଅସୁନ୍ଦର କିମ୍ବା ପଦମର୍ଯ୍ୟାଦାର କେଉଁ ସୋପାନରେ ଆରୋହଣ କରିଛି, କେତେ ଟଙ୍କା ରୋଜଗାର କରୁଛି, ସେ ସମସ୍ତ ପ୍ରଶ୍ନ ତା’ ପକ୍ଷରେ ଅବାନ୍ତର । ସ୍ଵାମୀର ସର୍ବୋଚ୍ଚ ଶିକ୍ଷା ଯୋଗ୍ୟତା କଥା ପାଞ୍ଚ ଜଣକ ଆଗରେ ପ୍ରକାଶ କଲାବେଳେ ସେ ଯେଉଁ ଆନନ୍ଦ ଆହରଣ କରିବ, ତାହାହିଁ ତା’ ଜୀବନର ସର୍ବଶ୍ରେଷ୍ଠ ଆକର୍ଷଣ ।

 

ସ୍କୁଲ ଫାଇନାଲ୍ ଶ୍ରେଣୀର ଛାତ୍ରୀ ପୁଷ୍ପା ପ୍ରକାଶ କଲା ଯେ, ସେ ଯଦି କୌଣସି ଉଚ୍ଚପଦାସୀନ ସରକାରୀ କର୍ମଚାରୀଙ୍କୁ ପତି ରୂପେ ଲାଭ କରିବାରେ ସକ୍ଷମା ହୁଏ, ତାହାହେଲେ ନିଜ ଜୀବନର ସାର୍ଥକତା ଲାଭକରିଛି ବୋଲି ମନେ କରିବ । ନିଜ ସ୍ଵାମୀର ପଦମର୍ଯ୍ୟାଦା କଥା ବୟାନ କଲାବେଳେ, ଯେଉଁ ଆନନ୍ଦ ଆହରଣ କରିହେବ, ତାହାହଁ ତା’ ଜୀବନର ସର୍ବଶ୍ରେଷ୍ଠ ପ୍ରାପ୍ତି-। ସେ ଆହୁରି ମଧ୍ୟ ପ୍ରକାଶ କଲା ଯେ, ପୁରୁଷର ଶିକ୍ଷା ଯୋଗ୍ୟତା ଅପେକ୍ଷା ସାମାଜିକ ପ୍ରତିଷ୍ଠାହିଁ ଅଧିକ କାମ୍ୟ ।

 

ଆଉ ସେହି ସ୍ୱଳ୍ପ ସୁନ୍ଦରୀ ଲିଲୀ ମତରେ ରୂପବାନ ପୁରୁଷର ମୂଲ୍ୟ ସର୍ବଥା ସର୍ବାଧିକ । ସେ ପ୍ରକାଶ କଲା ଯେ, ସୁସ୍ଥ, ସୁନ୍ଦର ପୁରୁଷଟିଏ ଯଦି ସ୍ଵାମୀଭାବରେ ଲାଭକରିବା ସମ୍ଭବପର ହୁଏ, ତାହାହେଲେ ସେ ସର୍ବାଧିକ ସୁଖୀ ହେବ । ଶିକ୍ଷାଗତ ଯୋଗ୍ୟତା ଅଥବା ପଦମର୍ଯ୍ୟାଦା ଅପେକ୍ଷା ପୁରୁଷର ଶାରୀରିକ ସୌନ୍ଦର୍ଯ୍ୟ ତା’ ପକ୍ଷରେ ଅଧିକ ଲୋଭନୀୟ ।

 

ଏଇ ତିନୋଟି ଝିଅଙ୍କର ମତାମତରେ କୌଣସି ପ୍ରକାରର ସାମ୍ୟ ନ ଥିଲା ।

 

(ଉଲ୍ଲେଖ କରାଯାଇପାରେ ଯେ, ସୌଦାମିନୀ, ପୁଷ୍ପା ଓ ଲିଲୀ ଯଥାକ୍ରମେ ସହରର ଜଣେ ମସ୍ତବଡ଼ ବ୍ୟବସାୟୀ, ଜଣେ କଣ୍ଟ୍ରାକ୍ଟର ଓ ଜଣେ ସ୍ୱଳ୍ପବେତନ ଭୋଗୀ ସରକାରୀ କର୍ମଚାରୀଙ୍କ ଦୁହିତା ଥିଲେ ।)

 

ଏଥରୁ ବୁଝିଲି, ସ୍ତ୍ରୀଜାତିଟା ପୁରୁଷର କୌଣସି ବିଶେଷ ଧରଣର ନିର୍ଦ୍ଦିଷ୍ଟ ଗୁଣ ଦେଖି ଆକୃଷ୍ଟ ହୋଇ ନ ଥାଏ । ବିଭିନ୍ନ ନାରୀଙ୍କର ଭିନ୍ନ ଭିନ୍ନ ରୁଚିବୋଧ ରହିଛି । ସେହି ବ୍ୟକ୍ତିଗତ ରୁଚିବୋଧକୁ ପରିମାପକ ରୂପେ ବ୍ୟବହାର କରି, ସେମାନେ ଭବିଷ୍ୟତ ସାଥି ପୁରୁଷର ସମ୍ମାନ ଓ ପ୍ରତିଷ୍ଠା ସ୍ଥିର କରନ୍ତି ।

 

ଏଇସବୁ ଉତ୍ତର ଦେବା ପରେ ସେଇ ଝିଅମାନେ ମୋରି ମତାମତ ଚାହିଁଲେ । ସେମାନେ ଏକସଙ୍ଗରେ ପ୍ରଶ୍ନ କରିଥିଲେ, ମୁଁ କେଉଁ ଧରଣର ବାଳିକାକୁ ପସନ୍ଦ କରିବି ବୋଲି ।

 

ମୋ ମତ ନ ଶୁଣିବାଇଁ ଭଲ, ମୁଁ ଉତ୍ତର ଦେଲି ।

 

ତଥାପି.....ସେମାନେ ଅଡ଼ି ବସିଲେ ।

 

ମୁଁ ନୀରବ ରହିବା ଉଚିତ ମନେକଲି ।

 

ଉଚ୍ଚ ଶିକ୍ଷିତା ନିଶ୍ଚୟ । ସୌଦାମିନୀ ସଂଯୋଗ କଲା ।

 

ନା, ମୁଁ ଉତ୍ତର ଦେଲି ।

 

ସୁନ୍ଦରୀ ନିଶ୍ଚୟ, ପୁଷ୍ପା ମନ୍ତବ୍ୟ ଦେଲା ।

 

ନାଁ, ମୁଁ ପୁନରାବୃତ୍ତି କଲି ।

 

ତାହାହେଲେ, ମିଷ୍ଟଭାଷିଣୀ ନିଶ୍ଚୟ ! ଲିଲୀ ପ୍ରକାଶ କଲା ।

 

ତା ବି ନୁହେଁ, ମୁଁ ଉତ୍ତର ଦେଲି ।

 

ତିନି ଜଣଯାକ ଆଶ୍ଚର୍ଯ୍ୟ ଅଭିଭୂତ ହୋଇ ପ୍ରଶ୍ନ କଲେ, ତୁମର ପସନ୍ଦଟା କ’ଣ ତାହାହେଲେ ?

 

କେବଳ ମାତ୍ର ଲେଖାପଢ଼ା ଶିଖିଥିବା, ସୁନ୍ଦର ନୁହେଁ କି ଅସୁନ୍ଦର ନୁହେଁ, ମଧ୍ୟମ ପ୍ରକାରର ଝିଅଟିଏ । ଶିକ୍ଷାଗତ ଯୋଗ୍ୟତା ନେଇ ଗର୍ବ କରୁ ନ ଥିବ କି ସୌନ୍ଦର୍ଯ୍ୟ ନେଇ ଆତ୍ମବଡ଼ିମା ପ୍ରକାଶ କରୁ ନ ଥିବ । ସ୍ଵାମୀର ସୁବିଧା ଓ ନିରାପତ୍ତା ପ୍ରତି ସର୍ବଦା ସଚେତନ ଥିବ । ସ୍ଵାମୀର ସନ୍ତୋଷ ପାଇଁ ଯେ କୌଣସି ଆତ୍ମତ୍ୟାଗ କରିବାରେ ପଛଘୁଞ୍ଚା ଦେବ ନାହଁ ।

 

ମୋ’ ଉତ୍ତର ଶୁଣି ସୌଦାମିନୀ, ପୁଷ୍ପା ଓ ଲିଲୀ ଏକସଙ୍ଗରେ ସମାନ ତାଳରେ ହୋ ହୋ ହୋଇ ହସିଉଠିଲେ । ସେ ହସରେ ମୋ ପ୍ରତି ବ୍ୟଙ୍ଗ, ତାଚ୍ଛଲ୍ୟ ଓ ପରିହାସ ମିଶିଥିଲା ।

 

ଯଦି ସେମିତି ଏକ ଝିଅର ତଲାସ ମିଳେ.....ହସ ବନ୍ଦ ହେବା ପରେ ସୌଦାମିନୀ ପ୍ରକାଶ କଲା ।

 

ଆଉ ଧରିନିଅ, ସେମିତ ଝିଅଟିଏ ମିଳିଗଲା......ପୁଷ୍ପା ସଂଯୋଗ କଲା ।

 

ତୁମେ କ’ଣ ସତରେ ତାକୁ ବିବାହ କରନ୍ତ ଅଭୟ ଭାଇ । ଲିଲୀ ଉତ୍ତର ଦାବି କଲା ।

 

ମୁଁ ଗୋଟିଏ ଛୋଟିଆ ବାକ୍ୟରେହିଁ ସେ ସବୁ ପ୍ରଶ୍ନର ଉତ୍ତର ଦେଇଥିଲି ।

 

ଅଭୟ ମହାନ୍ତି ଆମକୁ ଏକ ଉତ୍କଣ୍ଠାଭରା ପରିସ୍ଥିତି ଭିତରେ ଛାଡ଼ିଦେଇ ଟିକିଏ ନୀରବ ରହିଗଲେ ।

 

କଣ ଉତ୍ତର ଦେଲ ? ଆମେ ଆମ ମନର ଉତ୍କଣ୍ଠାକୁ ଲାଘବ କରି ନେବା ସକାଶେ ପ୍ରଶ୍ନ କଲୁ ।

 

ଅଭୟ ମହାନ୍ତି ଆମ ସମସ୍ତଙ୍କ ମୁହଁରୁ ଥରେ ଥରେ ଆଖି ବୁଲାଇ ନେଇ ପ୍ରକାଶ କଲା, ମୁଁ ସେମାନଙ୍କୁ ସ୍ପଷ୍ଟଭାବରେ ଶୁଣାଇଦେଲି ଯେ, “ସେମିତ ଏକ ଝିଅକୁ ମୁଁ ଦି’ ବର୍ଷ ହେଲା ବିବାହ କରିସାରିଛି ।’’

 

ତାର ସେ ଉତ୍ତର ଶୁଣି ସତରେ ଆମେ ଆଶ୍ଚର୍ଯ୍ୟ ହୋଇ ଉଠିଥିଲୁ । କାରଣ ଆମର ଧାରଣା ଥିଲା ଯେ ସଦା ଚପଳ, ସଦା ପ୍ରଫୁଲ୍ଲ ଅଭୟ ମହାନ୍ତି ଏବେ ମଧ୍ୟ ଅବିବାହିତ । ସେହି ଧାରଣାର ବଶବର୍ତ୍ତୀ ହୋଇ ଆମେ କେବେହେଲେ ତା’ର ବ୍ୟକ୍ତିଗତ ବୈବାହିକ ଜୀବନ ସମ୍ବନ୍ଧରେ କୌଣସି ପ୍ରଶ୍ନ ପଚାରି ନ ଥିଲୁ ।

 

ସେହି ଝିଅ ତିନି ଜଣ ବି ତୁମ ପରି ଆଶ୍ଚର୍ଯ୍ୟ ଚକିତ ହୋଇଉଠିଥିଲେ । ଅଭୟ ପ୍ରକାଶ କଲା ।

 

ଆମେ ଖାଲି ତା’ ମୁହଁକୁ ମନ୍ତ୍ର କଲାପରି ଚାହିଁ ରହିଥାଉ ।

 

ଅଭୟ ମହାନ୍ତି ଖୁବ୍ ଜୋରରେ ହୋ ହୋ ହୋଇ ହସୁଥିଲା ।

 

ସେ ହସର ପ୍ରତିଧ୍ୱନି ଆମ ସମସ୍ତଙ୍କୁ ଆତ୍ମସଚେତନ କରିଦେଲା । ଆମେ ଅନୁଭବ କଲୁ, ଅଭୟ ମହାନ୍ତି ଏତେଦିନ ପରେ ତା’ର ବ୍ୟକ୍ତିଗତ ଜୀବନର ସତ୍ୟ ଘଟଣାହିଁ ଶୁଣାଇଛି ।

 

ପରିସ୍ଥିତି ବଦଳି ଯିବାପରେ, ଅଭୟ ମହାନ୍ତି ତାରି ବକ୍ତବ୍ୟର ଶେଷାଂଶ ବ୍ୟକ୍ତ କରିବାକୁ ଯାଇ କହିଲା, ସେ ଦିନଠୁ ସୌଦାମିନୀ, ପୁଷ୍ପା ଓ ଲିଲୀର ଦର୍ଶନ ନାହିଁ । ସେମାନେ ମୋରି ସାନ୍ନିଧ୍ୟ ଲାଭ ପାଇଁ ଆଉ ଆଗ୍ରହୀ ନୁହନ୍ତି । ମୁଁ ମଧ୍ୟ ସେମାନଙ୍କ ସଙ୍ଗ ଛାଡ଼ି ଦେଇଛି ।

Image

 

କ୍ଷୁଧାର ମୃତ୍ୟୁ

 

ମାଡ୍ରାସ୍‍ ସହରର ମ୍ୟୁଜିଅମ୍‍ ଗୃହଟି ପର୍ଯ୍ୟଟକ ପକ୍ଷରେ ଏକ ଅପରିହାର୍ଯ୍ୟ ଆକର୍ଷଣ !

 

ବନ୍ଧୁ ନାରାୟଣ ସଙ୍ଗରେ ଗତଥର ମାଡ୍ରାସରେ ପହୁଞ୍ଚି ଆମେ ବି ତା’ର ମଧୁର ଆହ୍ଵାନକୁ ଆଡ଼େଇ ଦେଇପାରିଲୁ ନାହିଁ । ସ୍ୱଳ୍ପ ରହଣି ଭିତରେ ବି’ ସମୟକରି ଟାଉନ ବସ୍ ଧରିଲୁଁ-। ମାଡ୍ରାସ୍‍ ସହରର ଜନକୋଳାହଳ ଭିତରେ ରାସ୍ତା ବାଛି ଟାଉନ ବସ୍ ଆଗେଇ ଯାଉଥଲା ଅତି କ୍ଷିପ୍ରଗତିରେ; କିନ୍ତୁ ଏହି ଟାଉନ ବସ୍ ଅପେକ୍ଷା ଅଧିକ କ୍ଷିପ୍ର ହୋଇଉଠିଥାଏ ଆମର ମନର ବେଗ-। ଅନେକ ଦୂରରେ ଥାଇ ବି ମ୍ୟୁଜିଅମ୍‍ର ମାଧୁର୍ଯ୍ୟକୁ ଆମେ ଆମର ମନ ଓ ଦେହ ଭିତରେ ଉପଭୋଗ କରୁଥାଉଁ ।

 

ଜେନେରାଲ ହସ୍‍ପିଟାଲ ସାମନାରେ ଆମକୁ ସତର୍କ କରିଦିଆଗଲା । “ମାଡ୍ରାସ୍‍ ମ୍ୟୁଜିଅମ୍‍ ପାଖେଇ ଆସିଛି ।’’ ସମସ୍ତେ ଆଗ୍ରହ ସହକାରେ ରାସ୍ତ। କଡ଼କୁ ଅନାଇଲେ ।

 

“ମ୍ୟୁଜିଅମ୍‍ ଷ୍ଟପ୍” ପାଖରେ ସମଗ୍ର ଟାଉନ ବସ୍ ଖାଲି ହୋଇଗଲା । ସମସ୍ତ ସହଯାତ୍ରୀଙ୍କର ନିର୍ଦ୍ଦିଷ୍ଟ ଲକ୍ଷ୍ୟଥିଲା ମାଡ୍ରାସ୍‍ ମ୍ୟୁଜିଅମ୍‍ । ଅଥଚ କିଏ କେଉଁଠୁ ଆସିଥିଲା ତା’ର ଠିକଣା ନାହିଁ ।

 

କେତେ ଦେଶର, କେତେ ଜାତିର ଲୋକଙ୍କ ମନଭିତରେ ଦର୍ଶନପିପାସା ଜାଗରିତ କରେ ମାଡ୍ରାସ୍‍ ମ୍ୟୁଜିଅମ୍‍ ।

 

ମ୍ୟୁଜିଅମ୍‍ ପଡ଼ିଆରେ ଛୋଟ ଧରଣର ହାଟଟିଏ ବସିଛି । ଆଇସ୍‍କ୍ରିମଠାରୁ ଚିନାବାଦାମ ପର୍ଯ୍ୟନ୍ତ ପସରା । ଫୁଲ ଓ ବେଲୁନ ପସରା ପାଖରେ ଅନେକ ଗହଳି ।

 

ତାମିଲ ତରୁଣୀ ଲମ୍ବାବେଣୀରେ କେତକୀଫୁଲ ଲଗାଇଛି । ତା’ର ରଙ୍ଗ ବେରଙ୍ଗ ଶାଢ଼ି ଓ ବର୍ତ୍ତୁଳ ନିତମ୍ବ ଉପରେ ସାପୁଆବେଣୀର ସ୍ଵାଧୀନ ଦୋଳନ ଦର୍ଶକ ମନଭିତରେ ସିତ୍କାର ବାଢ଼ି ଯାଉଛି । ତା’ର ବଡ଼ ବଡ଼ ଆଖିର ଗହୀର କଜ୍ଵଳରେ ରୋମାଞ୍ଚର କାହାଣୀ ଲେଖାହୋଇଛି । ବିଦେଶାଗତ ଅତିଥି ଆଗରେ ସିଏ ବି’ ଏକ ଏକକ ପ୍ରଦର୍ଶନୀ ।

 

ମ୍ୟୁଜିଅମ୍‍ ପ୍ରକୋଷ୍ଠକୁ ଲମ୍ବିଯାଇଥିବା ପ୍ରଶସ୍ତ ସଡ଼କର ଦୁଇକଡ଼େ ଦେଶୀ ବିଦେଶୀ ଫୁଲଗଛର ବିପୁଳ ସମାରୋହ । କ୍ରୋଟନ ଗଛରେ ଗଛେ ଫୁଲ । ଲିଲୀ ଫୁଲ ଡେମ୍ଫ ହଲାଇ ପରିଦର୍ଶକଙ୍କୁ ଡାକୁଛି । ସଜ ଗୋଲାପର ରକ୍ତପାଖୁଡ଼ାରେ ସୁନେଲୀକିରଣ ଝଲସି ଉଠୁଛି । କାନ୍ଥ କଡ଼େ କଡ଼େ ନଡ଼ିଆ ଓ ଗୁଆଗଛର ଲମ୍ବା ଲମ୍ବା। ଛାଇ । ଖ୍ରୀଷ୍ଟ।ନ ଧର୍ମରେ ଦୀକ୍ଷିତ ସୁନ୍ଦର ସୁସ୍ଥତରୁଣୀମାନେ ରଙ୍ଗ ବେରଙ୍ଗର ଦାମୀ ଫ୍ରକ ପିନ୍ଧିଛନ୍ତି । ନବବିବାହିତ ତରୁଣ ତରୁଣୀ ଆଖିରେ ସ୍ଵପ୍ନର ଅଞ୍ଜନ ବୋଳି ହୋଇ ପରସ୍ପରକୁ ବିମୁଗ୍ଧ ହୋଇ ଅନାଇ ରହିଛନ୍ତି । ସମସ୍ତେ ହସ ହସ ହରଷ । ସେ ଏକ ଅପୂର୍ବ ଦୃଶ୍ୟ । ମାଡ୍ରାସ୍‍ ମ୍ୟୁଜିଅମ୍‍ର ରୂପ ବୈଭବହିଁ ସେହି ଅପୂର୍ବ ଦୃଶ୍ୟର ଭାଷା ।

 

ମ୍ୟୁଜିଅମ୍‍ ହତାଭିତରେ ପାଞ୍ଚଟି ବଡ଼ ବଡ଼ ପ୍ରାସାଦ । ପ୍ରତ୍ୟେକ ପ୍ରାସାଦ ପ୍ରତ୍ୟେକଠାରୁ ବିଛିନ୍ନ । ପ୍ରଶସ୍ତ, ପରିଷ୍କାର ସଡ଼କହିଁ ସେମାନଙ୍କ ମଧ୍ୟରେ ସଂଯୋଗ ସୂତ୍ର ।

 

ମ୍ୟୁଜିଅମ୍‍ ହତାଭିତରେ ଏହି ବିପୁଳ ଜନସମାଗମ ଓ ଲୋଭନୀୟ ସାଜସଜ୍ଜାକୁ ଆମେ ମନ୍ତ୍ରମୁଗ୍ଧ ନୟନରେ ଅନାଇଥିଲାବେଳେ ସ୍ଥାନୀୟ ଜଣେ ତେଲୁଗୁ ବନ୍ଧୁ ସାଙ୍ଗରେ ଦେଖାହେଲା । ମ୍ୟୁଜିଅମ୍‍କୁ ସେ ଏହା ଆଗରୁ ଅନେକଥର ଦେଖି ନେଇଛନ୍ତି; କିନ୍ତୁ ଆମଆଗରେ ସେ ପ୍ରକାଶ କଲେ, ଟିକିଏ ସୁବିଧାସୁଯୋଗ ପାଇଲେ, ସେ ସୁବିଧାକୁ ମନଭରି ଉପଭୋଗ କରିବାକୁ ମ୍ୟୁଜିଅମ୍‍କୁ ଚାଲିଆସନ୍ତି । ଏହାରି ଭିତରେ ପଶିଲେ ସମୟ ଜ୍ଞାନ ପାଖେଇଯାଏ । ମ୍ୟୁଜିଅମ୍‍ର ପ୍ରତିଟି ସଂରକ୍ଷିତ ଜିନିଷ ଭିତରେ ନିଜକୁ ଗୋଟାପଣେ ହଜିଯିବାରେହିଁ ଜୀବନ ଅଛି; ସାର୍ଥକତା ଅଛି । ପ୍ରତ୍ୟେକ ଥର ପ୍ରତିଟି ଜିନିଷ ନୂଆ ନୂଆ ଲାଗେ ।

 

ଗେଟ୍‍ ସମ୍ମୁଖରେ ଦଣ୍ଡାୟମାନ ହୋଇଥିବା ଚିତ୍ରଭାସ୍କର୍ଯ୍ୟ ବିଭାଗର ବୁଢ଼ା ଦରୱାନ୍‍ ଆମକୁ ଅଭିବାଦନ ଜଣାଇଲା । ମୁଁ ଓ ବନ୍ଧୁ ନାରାୟଣ ସେଇଠି ଅଟକିଗଲୁ ।

 

ତେଲଗୁ ବନ୍ଧୁ ଜଣକ ଆମେ ଏ ବିଭାଗରେ ପଶି ଦେଖିବା ପ୍ରସ୍ତାବକୁ ଅନୁମୋଦନ କରୁ ନଥିଲେ । ସେ କହିଲେ, ମ୍ୟୁଜିଅମ୍‍ ଭିତରେ ପ୍ରତ୍ନତତ୍ତ୍ଵ, ଚିତ୍ରାଙ୍କନ, ଭୂତତ୍ତ୍ଵ, କଙ୍କାଳ ଓ ଆଲୋକ ଚିତ୍ର ପରି ଅନେକ ଚିତ୍ତାକର୍ଷକ ବିଭାଗ ରହିଛି । ସମୟର ସ୍ୱଳ୍ପତାଦୃଷ୍ଟିରୁ ଏହି ଚିତ୍ରଭାସ୍କର୍ଯ୍ୟ ବିଭାଗକୁ ବାଦ ଦିଆଯାଇପାରେ । କାରଣ ତା’ ଭିତରେ ଆଶ୍ଚର୍ଯ୍ୟ ହେବାଭଳି ଜିନିଷ କିଛି ନାହିଁ ।

 

ଅନ୍ୟାନ୍ୟ ପରିଦର୍ଶକମାନଙ୍କର ପରି ଆମେ ମଧ୍ୟ ବାଟକାଟି ଅଦୂରବର୍ତ୍ତୀ ଭୂତତ୍ତ୍ଵ ବିଭାଗକୁ ଗୋଡ଼ ବଢ଼ାଇବାକୁ ଉପକ୍ରମ କଲୁଁ । ଯିବା ପୂର୍ବରୁ ବୁଢ଼ା ଦରୱାନ୍‍ ଆଖିରେ ଅଭିଯୋଗ ମିଶା ଚାହାଣି ଦେଖି ଆଗକୁ ଯିବାକୁ ଇଚ୍ଛା ହେଲାନାହିଁ । ଦୁଇ ବନ୍ଧୁଙ୍କୁ କ୍ଷମା ମାଗି ଏକୁଟିଆ ସେହି ଦରୱାନ୍ ପାଖକୁ ଫେରିଯାଇ ହିନ୍ଦୀରେ ପଚାରିଲି, “କଣ ଅଛି ୟା’ ଭିତରେ ?”

 

ଦରୱାନ୍‍ ଜଣକ ମୁଁ ବିଦେଶୀ ଓ ହିନ୍ଦୀ ଭାଷୀ ବୋଲି ଧରିନେଇ ଖଣ୍ଡଖଣ୍ଡିଆ ହିନ୍ଦୀରେ ପ୍ରକାଶ କଲା, ଏଇଠି ସବୁ ଅଛି ସାହେବ ! ଏଇଠି ଯାହାଅଛି ଅନ୍ୟ କୌଣସି ବିଭାଗରେ ତା’ ନାହିଁ-। ଅନ୍ୟ ବିଭାଗରେ ଏଇ ସୃଷ୍ଟିର ବାସ୍ତବ ଜିନିଷ ସବୁ ରଖାହୋଇଛି । ଅନୁସନ୍ଧାନ କଲେ ସବୁ ପାଇବେ; କିନ୍ତୁ ଏଇଠି ଯାହା ଅଛି, ସୃଷ୍ଟିରେ ସେସବୁ ମିଳିବ ନାହିଁ । ଇଏ କଳ୍ପନାର ବିରାଟ ପ୍ରାସାଦ ସାହାବ ! ଖାଲି କଳ୍ପନା ! ବାସ୍ତବତାର ସମ୍ପର୍କ ନାହିଁ । ଶିଳ୍ପୀ ସାଧନାବଳରେ ନିଜ କଳ୍ପନାକୁ ରୂପ ଦେଇଛି । ଶିଳ୍ପୀ ହିଁ ତା’ର ସ୍ରଷ୍ଟା । ଏ ପୃଥିବୀ, ପୃଥିବୀର ପ୍ରକୃତି କୋଳରେ କେବେହେଲେ ତା’ର ଜନ୍ମ ହୋଇନଥିଲା । ଧୂଳି ଧୂସରିତ ଧରଣୀର ସଂସ୍ପର୍ଶରେ ସେ ଆସିନି । ଶିଳ୍ପୀର ସିଏ ଏକକ ସୃଷ୍ଟି-। ସ୍ଵୟଂ ସମ୍ପୂର୍ଣ୍ଣ ଏକାବେଳକେ ।

 

ମୁଁ ବିମୁଗ୍ଧ ହୋଇ ଦରୱାନ୍‍ର ପଶ୍ଚାତ୍‍ଗମନ କଲି ।

 

ଏଇଟି ମୋର ସଂସାର ଅଜ୍ଞ। ! ବିଗତ ପନ୍ଦର ବର୍ଷ ହେଲା ଏହାରି ଭିତରେ ମୁଁ ଜୀବନ ବିତାଇ ଦେଇଛି । ସୂର୍ଯ୍ୟର ଆଲୋକରେ, ରାତ୍ରିର ଅନ୍ଧକାରରେ ଏମାନଙ୍କ ସାଙ୍ଗରେ ଚଳପ୍ରଚଳ ହୋଇଛି । ବିଜୁଳିର ରଙ୍ଗ-ବେରଙ୍ଗ ତରଙ୍ଗରେ ଏଇ ମୂର୍ତ୍ତିଗୁଡ଼ିକ ଅପୂର୍ବ ଦେଖାଯାନ୍ତି । ସେମାନେ ଆଖି ଠରାଠରି ହୋଇ ପରସ୍ପର ଭିତରେ କଥାବାର୍ତ୍ତା କରନ୍ତି । ସେମାନଙ୍କ ନୀରବ ଭାଷା ମୁଁ ବୁଝେଁ-। ସେମାନଙ୍କ ହାସ୍ୟ ଓ କ୍ରନ୍ଦନ ସଙ୍ଗେ ମୁଁ ବି ମୋର ହାସ୍ୟ ଓ କ୍ରନ୍ଦନର ସ୍ଵର ମିଶାଇଦିଏ । ମୋତେ ଅମାବାସ୍ୟାର ନୀଳ ନିର୍ଜନ ରାତ୍ରି ଭୟଙ୍କର ଲାଗେ ନାହିଁ । କାରଣ ମୋର ମନେହୁଏ, ଏହି ଚିତ୍ରଭାସ୍କର୍ଯ୍ୟ ସବୁ ରାତ୍ରିର ଘନଅନ୍ଧକାର ଭିତରେ ରକ୍ତମାଂସର ପ୍ରତିକୃତି ହୋଇଉଠନ୍ତି । ନିଶ୍ଚିନ୍ତ ହୁଏ, ଏହି ନିଶୂନ ପ୍ରାସାଦ ଭିତରେ ମୁଁ ଏକୁଟିଆ ନୁହେଁ । ମୋର ସାଥୀ, ପ୍ରାସ।ଦର ଏହି ସୁସଜ୍ଜିତ ସହସ୍ର ସହସ୍ର ପ୍ରତିମା ! ଚିତ୍ରଭାସ୍କର୍ଯ୍ୟର ଚିରନ୍ତନ ହସ ଆଉ ଅଶ୍ରୁ !

 

ମୋର ମନେହେଲା ମୁଁ ଏକ ପବିତ୍ର ମନ୍ଦିରରେ ପାଦ ପକାଇଛି । ଶିରାପ୍ରଶିରାରେ ଅହେତୁକ ତଡ଼ିତ ପ୍ରବାହ ଖେଳୁଥିଲା । ମୁଁ ନୀରବ ପ୍ରଣାମ କରିଥିବା ଅବସ୍ଥାରେ ଦରୱାନ୍‍ର ଶେଷ ଶବ୍ଦ କେଇଟି ଶୁଣିପାରି ପଚାରିଲି, ‘‘ଏହି ପ୍ରତିକୃତିମାନଙ୍କର ହସ ଆଉ ଅଶ୍ରୁକୁ ବି ତୁମେ ଶୁଣିଛ ? ସେମାନେ ହସନ୍ତି ପୁଣି କାନ୍ଦନ୍ତି ?’’

 

ଆମେ ସେତିକିବେଳେ ପ୍ରାସାଦର ପ୍ରଥମ କୋଠରି ପାରିହୋଇ ବଡ଼ ହଲଭିତରେ ପ୍ରବେଶ କରିଥାଉଁ । କାଠ ଆଉ ପଥରରେ ଖୋଳା ହୋଇଥିବା ଅସଂଖ୍ୟ ପ୍ରତିମୂର୍ତ୍ତି ମୋରିପରି ବିଦେଶୀ ଅତିଥିଙ୍କୁ ଦେଖି ବେକ ଭାଙ୍ଗି ସତେ ଅବା ଏକସଙ୍ଗରେ ଅନାଇବାକୁ ଲାଗିଲେ । ସେମାନେ ମୋର ପରିଚୟ ମାଗୁଥିଲେ ।

 

ମୋର ଦୃଷ୍ଟିଭଙ୍ଗୀକୁ ଲକ୍ଷ୍ୟକରି ଦରୱାନ୍‍ ହର୍ଷଉଚ୍ଛଳ କଣ୍ଠରେ କହିବାକୁ ଲାଗିଲା, ଏ ପ୍ରତିଛବିଗୁଡ଼ିକ ଏଇନେ ହସିଉଠୁଛନ୍ତି ବାବୁ ! ସେମାନଙ୍କ ହସନ୍ତ ଓଠରେ ଅସ୍ତମୁଖୀ ସୂର୍ଯ୍ୟର ରଙ୍ଗୀନ ରଶ୍ମୀ ମେଞ୍ଚାକ ପ୍ରହେଳିକା ସୃଷ୍ଟି କରିଛି । ଆପଣଙ୍କ ପରି ଜଣେ ଶିଳ୍ପୀକୁ ଦେଖି ସେମାନେ ହସି ଉଠୁଛନ୍ତି । ଶିଳ୍ପୀହିଁ ଶିଳ୍ପକୁ ଅନୁଧ୍ୟାନ କରିପାରେ ! ଆପଣଙ୍କ ବିମୁଗ୍ଧ ଚାହାଣିରେ ପ୍ରଶଂସାର ଭାଷା ଲେଖି ହୋଇଛି । ଆପଣ ଏ ଶିଳ୍ପର ମୁଲ୍ୟବୋଧ କରିପାରିଛନ୍ତି । ମନେ ମନେ ଶିଳ୍ପୀକୁ ବି ଅବଶ୍ୟ ପ୍ରଶଂସା କରିବେ । ଆପଣଙ୍କ ମନର ଭାଷାକୁ ଅଧ୍ୟୟନ କରିବାର ଶକ୍ତି ଏମାନଙ୍କର ରହିଛି-। ପିତାମାତାଙ୍କର ପ୍ରଶଂସା କଲେ ସନ୍ତାନସନ୍ତତି ଯେମିତ ଖୁସି ହୁଅନ୍ତି, ଶିଳ୍ପୀକୁ ପ୍ରଶଂସା କଲେ ଶିଳ୍ପୀର ପ୍ରତିକୃତିମାନେ ବି ସେମିତି ଖୁସି ହେବେ । ନିଜ ଶିଳ୍ପର ମାଧ୍ୟମରେ ଶିଳ୍ପୀ ବଞ୍ଚିରହେ-। ଶିଳ୍ପୀର ମୃତ୍ୟୁପରେ ତା’ର ପ୍ରତିନିଧିତ୍ୱ କରନ୍ତି ତା’ର ଶିଳ୍ପଭାସ୍କର୍ଯ୍ୟ । ଶିଳ୍ପୀ ତା’ର ପ୍ରତିନିଧି ଭିତରେ ଚିରଦିନ ପାଇଁ ବଞ୍ଚିରହେ । ଆପଣଙ୍କ ପ୍ରଶଂସାହିଁ ସେମାନଙ୍କ ନୀରବ ହସର ଉତ୍ସ । ଆଉ ହୃଦୟହୀନ ଦର୍ଶକ ଯେତେବେଳେ ଏହି ପ୍ରକୋଷ୍ଠ ଭିତରେ ପହୁଞ୍ଚି, ଚିତ୍ରଭାସ୍କର୍ଯ୍ୟରସ୍ୱରୂପ ଚିହ୍ନି ନ ପାରି ନିର୍ବୋଧ ମନ୍ତବ୍ୟ ପ୍ରକାଶ କରନ୍ତି । ସେତେବେଳେ ଏହି ପ୍ରତିକୃତିମାନେ କାନ୍ଦି ଉଠନ୍ତି । ସେମାନଙ୍କ ନିରର୍ଥକ ମନ୍ତବ୍ୟର ପ୍ରତିବାଦ କରନ୍ତି ନୀରବ ଅଶ୍ରୁମୋଚନ କରି ।

 

ସେହି ବିରାଟ ହଲଟିରେ କୌଣସି ପରିଦର୍ଶକ ନ ଥିଲେ । ମୋତେ ପ୍ରତିଟି ପ୍ରତିକୃତି ସଙ୍ଗେ ବୃଦ୍ଧ ଦରୱାନ୍‍ଟି ପରିଚୟ କରାଇ ଦେଉଥାଏ । ପ୍ରତିକୃତିର ପାଦଦେଶରେ ଇଂରାଜୀ ବିବରଣୀମାନ ଥିବାରୁ ସେ ସବୁ ସଙ୍ଗେ ପରିଚୟ ହେବାକୁ. ବିଶେଷ କିଛି ଅସୁବିଧା ହେଲାନାହିଁ ।

 

ହଲ୍‍ର ଗୋଟିଏ କୋଣକୁ ଅବହେଳିତ ଭାବରେ ରହିଛି ଏକ ସାର୍ଥକ ପ୍ରତିକୃତି । ସେ ପ୍ରତିକୃତିଟିକୁ ଦେଖିବାମାତ୍ରେହିଁ ମୁଁ ସ୍ତବ୍ଧ ହୋଇଗଲି ।

 

ଦରୱାନ୍‍ଟି ସେ ପ୍ରତିକୃତିର କୌଣସି ପରିଚୟ ନ ଦେଇ ମୋରି ମୁହଁର ଭାବଭଙ୍ଗୀକୁ ଲକ୍ଷ୍ୟ ରଖିଥାଏ ।

 

ଚିକ୍କଣ ପଥର ଦେହରେ ସୁନ୍ଦର ଖୋଦାଇ ହୋଇଛି । ଅସ୍ଥିକଙ୍କାଳ ସାର ଯୁବକ ବାହୁରେ ଏକ କ୍ଷୁଧାର୍ତ୍ତ ରମଣୀର ଆଲୁଳାୟିତ ମସ୍ତକ ନିଶ୍ଚିନ୍ତ ବିଶ୍ରାମ ନେଇଛି । ମନେହେଉଛି ରମଣୀର ଏଇ ବିଶ୍ରାମ ସତେ ଯେମିତି ଅନନ୍ତ ବିଶ୍ରାମ । ଚକ୍ଷୁତାରକା ସ୍ଥିର ହୋଇଯାଇଛି । ପଞ୍ଜରା ଗଣା ଛାତି ଉପରେ ଉକୁଟି ଉଠୁଛି କ୍ଳାନ୍ତ, ଶ୍ରାନ୍ତ, ସମୁନ୍ନତ ବକ୍ଷୋଜ ! ତହିଁରେ ମାଂସ ନାହିଁ କି ଚାଞ୍ଚଲ୍ୟ ନାହିଁ । ପେଟ ଯାଇ ପଶିଛି ପଞ୍ଜରା ହାଡ଼ ପାଖକୁ । ଅନେକଦିନ ଭୋକିଲା ରହି ନିଜ ଅନିଚ୍ଛାରେ ସେ ମୃତ୍ୟୁବରଣ କରିଛି । ଯୁବକ ଆଖିରେ ଜ୍ୟୋତି ନ ଥିଲେ ବି ଆକର୍ଷଣରେ ଭାଷା ଅଛି । ସେ ଅନେକ ଆଶା, ଅନେକ ଉତ୍କଣ୍ଠା ନେଇ ତା’ର ପ୍ରିୟ ସଙ୍ଗିନୀର ନିଷ୍ପ୍ରଭ ନୟନକୁ ଅନାଇଛି; କିନ୍ତୁ ହାୟ, ସେ ଆଖି ତାରି ପାଇଁ ଖୋଲୁନାହିଁ । ସେ ଚିରଦିନ ପାଇଁ ବନ୍ଦ ହୋଇଯାଇଛି-। ତାରି ତଳେ ଇଂରାଜୀରେ ଲେଖାହୋଇଛି ‘କ୍ଷୁଧାର ମୃତ୍ୟୁ’ !

 

ସାର୍ଥକ ଛବିଟିଏ; ମୁଁ ମନ୍ତବ୍ୟ କଲି ।

 

ଭଲ ଲାଗିଲା ? ବୃଦ୍ଧ ଦରୱାନ୍‍ ପ୍ରଶ୍ନକଲା ।

 

ପଛକୁ ଫେରି ଚାହିଁଲି, ଦରୱାନ୍‍ ଆଖିରେ ଲୁହ ! ତଥାପି ସେ ଲୁହପୋଛି ହସିବାକୁ ଚେଷ୍ଟା କରୁଛି ।

 

ତୁମେ କାନ୍ଦୁଛ ?

 

ନାହିଁ ବାବୁ ଇଏ ଖୁସିର ଲୁହ ! ଭାଗ୍ୟରେ ଥିଲେ ମାସକ ଭିତରେ ଥରେ ଦି’ଥର ଏମିତ ଖୁସି ହେବାର ସୁଯୋଗ ମିଳେ । ମୁଁ କାନ୍ଦୁନାହିଁ ବାବୁ, ହସୁଛି ।

 

କାହିଁକି ? ପ୍ରଶ୍ନକଲି ।

 

ପ୍ରତିକୃତିଟି ଆପଣଙ୍କୁ ଭଲ ଲାଗିଲା ନା ? ସେ ଓଲଟା ପ୍ରଶ୍ନ କଲା ।

 

ପ୍ରତିକୃତିର ସପକ୍ଷରେ ମୁଁ ଗୁଡ଼ାଏ ଯୁକ୍ତିକଲି । ତା’ର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ମୁଁ ଅନେକଗୁଡ଼ିଏ ଯୁକ୍ତି ବାଢ଼ିଲି । ମୁଁ ପ୍ରଗଳ୍‍ଭ ହୋଇଉଠିଥିଲି ।

 

ଏହି ମୃତ ରମଣୀଟି ମୋର ସ୍ତ୍ରୀର ଅବିକଳ ପ୍ରତିକୃତି ବାବୁ । ଆଉ ଏ ପ୍ରତିକୃତିର ହତଭାଗା ଶିଳ୍ପୀ ମୁଁ ନିଜେ । ମୋ ଜୀବନର ସୁଦୀର୍ଘ ପାଞ୍ଚଟି ବର୍ଷ ଏହାକୁ ତିଆରି କରିବାରେ ବିତାଇ ଦେଇଛି । ମୋ ଯୌବନର ଏକ କାଳ୍ପନିକ ସ୍ଵପ୍ନକୁ ରାତିଦିନ ଉଜାଗର ହୋଇ ରୂପ ଦେଇଥିଲି । ସାଧନା ଭିତରେ ନିଜକୁ ମିଶାଇଦେଇ ସଂସାରର ପ୍ରତ୍ୟେକଟି ଆକର୍ଷଣ ଭୁଲିଗଲି । ବାସ୍ତବରେ ଆହ୍ଵାନ ଯେ କେଡ଼େ କଠୋର ସେ ପ୍ରତି ମୋର ଖିଆଲ ନ ଥିଲା । ସ୍ତ୍ରୀ ମୋର ସାଧନାରେ ବ୍ୟାଘାତ ନ ଦେବାକୁ ପଣ କରିଥିଲା । ଦେହରୁ ସବୁତକ ସଜଅଳଙ୍କାର କାଢ଼ି ବିକ୍ରି କରି ମୋପାଇଁ ଅଧାର ପ୍ରସ୍ତୁତ କଲା । ମୁଁ ମୋର ସ୍ତ୍ରୀ କଥା ସମ୍ପୂର୍ଣ୍ଣ ଭୁଲି ଯାଇଥିଲି ବାବୁ ! ସେହି ହତଭାଗିନୀ ଭୋକଉପାସରେ ରହି ମୋର ସୃଷ୍ଟିକୁ ଉପଭୋଗ କରୁଥିଲା ।

 

ମୁଁ ଜାଣିପାରୁଥିଲି, ମୋ ସ୍ତ୍ରୀ ଶ୍ରୀହୀନା ହୋଇପଡ଼ୁଛି ।

 

ମୋ ମନର ଭାବନା କ୍ରମେ ଏଇ ଚିତ୍ରଭାସ୍କର୍ଯ୍ୟ ଦେହରେ ମୋରି ଅଜାଣତରେ ରୁପ ନେଲା । ଯେତେ ଇଚ୍ଛାକଲି, ମୁର୍ତ୍ତିଟିକୁ ସ୍ଵାସ୍ଥ୍ୟ ଓ ଲାବଣ୍ୟମୟ କରିବାକୁ, ମୋ ହାତ, ମୋ ମନର କଥା ମାନିଲା ନାହିଁ । ସେ ଏକ ଅନାଗତ ମହାନ ସତ୍ୟକୁ ରୂପ ଦେଲା ।

 

ମୋ ସ୍ତ୍ରୀର ମୁହଁ ଏହି ପଥର ମୂର୍ତ୍ତି ପରି ସୁନ୍ଦର ଥିଲା ବାବୁ ! କିନ୍ତୁ ପେଟରେ ତା’ର ଆଧାର ନ ଥିଲା । ଯୌବନ, ଅଭାବ ଅନାଟନର ହାହାକାର ଭିତରେ ମୃତ୍ୟୁବରଣ କରିଥିଲା । ଦିନେ ଏ ପ୍ରତିକୃତିକୁ ସମାପ୍ତ କରି ସ୍ତ୍ରୀକୁ ଡାକିବାକୁ ଯାଇ ଦେଖେଁ, ସେ ମୃତ୍ୟୁଲାଭ କରିଛି । ଘରେ କାଣିକାଏ ବି ଖୁଦ ନାହିଁ କି ଆଧାର ନାହିଁ । ଭୋକଉପାସରେ ଠୋ ଠୋ ହୋଇ ସେ ମରିଗଲା । ଦରୱାନ୍‍ ତା’ପରେ ଆଖି ପୋଛି କହିଲା, ‘ଭୋକର ମୃତ୍ୟୁହେଲା ବାବୁ ! ମୋ ସ୍ତ୍ରୀର ନୁହେଁ । କାରଣ ତା’ର ଅବିକୃତ ମୁହଁଟାକୁ ଏ ପ୍ରତିକୃତି ଭିତରେ ବନ୍ଦୀ କରିଦେଇଛି । ତା’ର ଶୁଖିଲା ଦେହଟି ବି ଏ ପଥର ପ୍ରତିମା ଉପରେ ଆବଦ୍ଧ ହୋଇରହିଗଲା । ସେ ମରିପାରେନା ବାବୁ ! ତା’ର ମୃତ୍ୟୁ ନାହିଁ । ମୃତ୍ୟୁ ହୋଇଛି କ୍ଷୁଧାର । ଅନ୍ୟ କିଛି ଉପାୟ ନ ଦେଖି ଏ ଶିଳ୍ପ ଭାସ୍କର୍ଯ୍ୟକୁ ମ୍ୟୁଜିଅମ୍‍ କର୍ତ୍ତୁପକ୍ଷଙ୍କଠାରେ ବିକ୍ରି କରି ଦରୱାନ୍‍ ଚାକିରି କରୁଛି ।’ ସୁଦୀର୍ଘ ପନ୍ଦର ବର୍ଷ ହେଲା ଏଇଠି ରହିଲିଣି । ବଳଥିବାଯାଏ ଏ ମ୍ୟୁଜିଅମ୍‍ର ଦରୱାନ୍‍ ଚାକିରି ଛାଡ଼ିବି ନାହିଁ । ମୋ ସ୍ତ୍ରୀକୁ, ମୋ ଶିଳ୍ପକୁ ଆଉ ତା’ ସଙ୍ଗେ ଶତ ଶତ ଶିଳ୍ପୀର ବିରାଟ କୃତିତ୍ଵକୁ ଜଗି ରହିଥିବ । କାରଣ ଏହାର ଆକର୍ଷଣ ମୋ ଜୀବନର ସର୍ବପ୍ରଧାନ ଓ ସର୍ବଶେଷ ଆକର୍ଷଣ !

 

ଦରୱାନ୍‍ ନୀରବ ରହିଲା ।

 

ମୋର ବନ୍ଧୁମାନେ ଫାଟକରେ ଛିଡ଼ାହୋଇ ପୁନର୍ବାର ଡାକିଲେ । ସେମାନଙ୍କ ଡାକ ଶୁଣି ମ୍ୟୁଜିଅମ୍‍ର ଅନ୍ୟାନ୍ୟ ବିଭାଗ ଦେଖିନେଲି ସିନା, ମନଟା ମୋର ସେହି ‘କ୍ଷୁଧାର ମୃତ୍ୟୁ’ ପାଖରେ ଅଟକି ଯାଇଥିଲା ।

 

ଫେରିଲାବେଳେ ପୁଣି ଥରେ ସେହି ପ୍ରତିକୃତିଟି ଦେଖିବାକୁ ବନ୍ଧୁ ଦ୍ଵୟଙ୍କୁ ଅନୁରୋଧ କଲି ।

 

ତେଲୁଗୁ ବନ୍ଧୁ କହିଲେ, “ସେହି ପାଗଳ ଦରୱାନ୍‍ଟାର ଏତକ କରାମତି ! ପ୍ରକାଶ୍ୟରେ କିଛି ମାଗିପାରୁନି’ ବୋଲି, ନିଜକୁ ଶିଳ୍ପୀ ବୋଲି ପରିଚୟ ଦେଇ ପ୍ରକାରାନ୍ତରେ ବକ୍‍ସିସ୍‍ ଦାବି କରୁଛି; କିନ୍ତୁ ତାଙ୍କର ମନ୍ତବ୍ୟଟା ଯେ କେତେ ବଡ଼ ପ୍ରମାଦପୂର୍ଣ୍ଣ, ସେ କଥା ମୁଁ ମର୍ମେ ମର୍ମେ ଅନୁଭବ କରିପାରୁଥିଲି ।

 

ମାଡ୍ରାସ୍‍ ମ୍ୟୁଜିଅମ୍‍ର ଅନ୍ୟ ସମସ୍ତ କଥା ପାଶୋର ହୋଇଯାଇଥିଲେ ବି ସେହି ‘କ୍ଷୁଧାର ମୃତ୍ୟୁ’ ପ୍ରତିକୃତିଟି ଓ ଶିଳ୍ପୀ ଦରୱାନ୍‍ର ଅଶ୍ରୁପୂର୍ଣ୍ଣ କାହାଣୀ ପାଶୋରି ପାରିନାହିଁ ।

Image

 

ଦୁଃସ୍ଵପ୍ନ

 

ନିଶିକାନ୍ତ ୟୁନିଭର୍‍ସିଟିର ସଦ୍ୟ ପ୍ରକାଶିତ ପରୀକ୍ଷାଫଳ ଉପରେ ଆଗ୍ରହୀ ଆଖି ବୁଲାଉଥିଲେ । ମନ ଭିତରେ ସୀମାହୀନ ଉଦବେଗ । ଈପ୍‍ସିତ ନାଁଟିକୁ ଅତି ସତର୍କରେ ଖୋଜି ଯାଉଥିଲେ । ଶେଷକୁ ଖବର କାଗଜର ଗୋଟିଏ ସ୍ଥାନରେ ଅଟକି ଗଲେ । ସମୁଦାୟ ମୁହଁଟି ଫୁଟିଲା ପଦ୍ମଫୁଲ ପରି ହସିଉଠିଲା । ଆଖି ଡୋଳା ଦୁଇଟି କ୍ଷଣକ ସକାଶେ ସ୍ଥିର ହୋଇଗଲା । ଓଠକଡ଼ରେ ସ୍ପନ୍ଦନର କ୍ଷୀଣପ୍ରଭା ଉକୁଟି ଉଠିଲା ।

 

ଅଧ୍ୟାପକ ନିଶିକାନ୍ତ ଟେବୁଲ ଉପରୁ କଲମ ବାହାର କରି ଗୋଟିଏ ନିର୍ଦ୍ଦିଷ୍ଟ ନାଁ ତଳେ ଗହୀର ଗାରଟିଏ ଟାଣି ଦେଲେ । ଏଥର ସେ ନିଶ୍ଚିନ୍ତ ହେଲେ ଯେମିତି । ନିଜ ମନ ଭିତରୁ ଝରି ଆସୁଥିବା ଆନନ୍ଦକୁ ନୀରବରେ କିଛିକ୍ଷଣପାଇଁ ଉପଭୋଗ କଲେ ।

 

ନିଶିକାନ୍ତଙ୍କର ପ୍ରିୟଛାତ୍ରୀ ‘କସ୍ତୁରୀ ସିଂହ’ ପାସ୍ କରିଛି । ଆଜିକାର ସବୁଠୁ ଶୁଭ ଖବର ଏଇଟି । କସ୍ତୁରୀର ପାସ୍ ଖବରଟି ତାଙ୍କର ଅତି ଆବଶ୍ୟକ ଥିଲା । ଅଧ୍ୟାପକ ନିଶିକାନ୍ତ ଯେତିକି ଖୁସିଥିଲେ, ନିଜେ କସ୍ତୁରୀ ସିଂହ ବି ସେତିକି ଖୁସି ହୋଇଥିବ କି ନାହିଁ ସନ୍ଦେହ ।

 

କିନ୍ତୁ ଏସବୁ କାହିଁକି ? କଲେଜରେ ଅନେକ ଛାତ୍ର ଛାତ୍ରୀ । କସ୍ତୁରୀ ସିଂହ ପରି ଆହୁରି ପାଞ୍ଚ ଜଣ ଛାତ୍ରୀ ପାସ୍ କରିଛନ୍ତି । କସ୍ତୁରୀ କ୍ଲାସ୍‍ରୁ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀମାନଙ୍କ ସଂଖ୍ୟା ଶହେରୁ ଊଣା ନୁହେଁ । କିନ୍ତୁ ଅନ୍ୟ କାହାରି ପାଇଁ ସେ ତ’ ଖୁସି ହୋଇପାରିଲେ ନାହିଁ । କସ୍ତୁରୀ ପାସ୍ କରି ନ ଥିଲେ ଏ ବର୍ଷର ପରୀକ୍ଷାଫଳ ଅକାରଣ ହୋଇଯାଇଥାନ୍ତା ଯେମିତି !

 

କସ୍ତୁରୀ ସିଂହ ପ୍ରତି ତାଙ୍କର ଏ ଅସ୍ଵାଭାବିକ ଦୁର୍ବଳତା କଥା ମନେପଡ଼ିଲେ ସେ ଲାଜରେ ନଇଁ ପଡ଼ନ୍ତି । କସ୍ତୁରୀ କଲେଜର ଛାତ୍ରୀ । ସେ କୌଣସି ପ୍ରେମିକା ନୁହେଁ କି ବଧୂ ନୁହେଁ । ଅଧ୍ୟାପକ ହୋଇ ତରୁଣୀ ଛାତ୍ରୀ ପ୍ରତି ଏ ପ୍ରକାର ଦୁର୍ବଳତା ଶୋଭା ପାଏନା । ସେ କଠୋର ହେବାକୁ ଚେଷ୍ଟା କରନ୍ତି । ବିନାକାରଣରେ ଆଖିଟେକି, କସ୍ତୁରୀକୁ ଚାହାନ୍ତି ନାହିଁ କି ପଚାରନ୍ତି ନାହିଁ-। ବାଟରେ ଦେଖାହେଲେ ବାଟଭାଙ୍ଗି ଚାଲିଯାଆନ୍ତି । କିନ୍ତୁ ଏସବୁ ସତ୍ତ୍ୱେ କସ୍ତୁରୀର ଭାବନା ତାଙ୍କୁ ବେଳେବେଳେ ବ୍ୟତିବ୍ୟସ୍ତ କରେ । ତା’ ପାଖରୁ ଯେତେ ଛଡ଼ାଇ ହେବାକୁ ଚେଷ୍ଟାକଲେ ବି, ସେ ସେତେ ପାଖକୁ ଲାଗି ଲାଗି ଆସେ ।

 

କସ୍ତୁରୀ ସିଂହ ଅଧ୍ୟାପକ ନିଶିକାନ୍ତ ଆଖିରେ ମାୟା ଲଗାଏ । ତା’ର ଚହଲାରୂପରେ ମନ ଦୋହଲା ରଙ୍ଗ ମିଶିଛି । ତା’ର ଚାହିଁବା ଭଙ୍ଗୀରେ ପାରିଜାତର ସୁଗନ୍ଧ ମିଶିଛି । କସ୍ତୁରୀ ସିଂହ ସାଥିରେ ବସନ୍ତର ମୋହ ନେଇ ଗତାଗତ କରେ ।

 

ବର୍ଷକର ତଳର କଥା.... । କସ୍ତୁରୀ ସିଂହ ନୂଆକରି ସେଦିନ କଲେଜରେ ନାଁ ଲେଖାଇବାକୁ ଆସିଥିଲା । ତା’ର ବେଶଭୂଷଣରେ ଏମିତି ଏକ ସ୍ଵ।ତନ୍ତ୍ର ଥିଲା, ଯଦ୍ଦ୍ୱାରା ସେ ସାଥି ଝିଅମାନଙ୍କ ଗହଣରେ ବି ବାରି ହୋଇପଡ଼ୁଥିଲା । ତା’ର ଅଧାବୁଣା ବେଣୀର କାନ୍ତି, କପାଳ ଉପରର ସରୁ ସରୁ ଚନ୍ଦନ ଟିପ, ବେକକଟା ବ୍ଲାଉସ୍‍ର ରଙ୍ଗୀନ୍ ସୂତାକାମ ସବୁଗୁଡ଼ିକରେ ଯେମିତି ଏକ ବୈଶିଷ୍ଟ୍ୟ ଫୁଟି ବାହାରୁଥାଏ ।

 

ନିଶିକାନ୍ତ ପ୍ରଥମ ଦର୍ଶନରୁହିଁ ତାରି ପ୍ରତି ଆସକ୍ତ ହୋଇ ପଡ଼ିଥିଲେ ! ତା’ପରେ କଲେଜର ବିଭିନ୍ନ ସାଂସ୍କୃତିକ ଉତ୍ସବରେ ସେ ଯୋଗ ଦେଇଛି । ଅନ୍ୟ ଝିଅମାନଙ୍କ ପରି ଲାଜରେ ଝାଉଁଳି ପଡ଼ିବାର ବଦଅଭ୍ୟାସ ତା’ର ନାହିଁ । ଡାକିଲେ ହସି ହସି ପାଖକୁ ଆସି କଥାବାର୍ତ୍ତା କରେ । ସବୁ କଥା ମନ ଦେଇ ଶୁଣେ ।

 

କସ୍ତୁରୀ ସିଂହ ପ୍ରଥମ ବାର୍ଷିକ ଛାତ୍ରୀ ହୋଇଥିଲେ ବି ସବୁ ଛାତ୍ର ଓ ଅଧ୍ୟାପକଙ୍କ ନିକଟରେ ଅତି ଅଳ୍ପଦିନ ଭିତରେ ସୁପରିଚିତା ହୋଇଉଠିଲା । ଅବିବାହିତ ତରୁଣ ଛାତ୍ରମାନେ ତା’ର ଉଚ୍ଚ ପ୍ରଶଂସା କରିବାକୁ ଶତମୁଖ ହୋଇଉଠିଲେ । ଛାତ୍ରୀମାନଙ୍କର ବେଶଭୂଷଣରେ କସ୍ତୁରୀର ପ୍ରଭାବ ସୁସ୍ପଷ୍ଟଭାବରେ ଫୁଟି ଉଠିଲା । ସମସ୍ତଙ୍କ ମୁହଁରେ ସେଇ ଏକାକଥା, ‘କସ୍ତୁରୀ ସବୁ ଦିଗରୁ ସୁନ୍ଦର ! ସବୁକ୍ଷେତ୍ରରେ ପାରଙ୍ଗମ !!’

 

ଏମିତି ପ୍ରଶଂସା ଅତି ଅଳ୍ପ ଲୋକଙ୍କ ଭାଗ୍ୟରେ ଜୁଟିଥାଏ । ଭାଗ୍ୟ ଟାଣ ନ ଥିଲେ ଜଣେ ସବୁ ଲୋକଙ୍କର ପ୍ରଶଂସାଭାଜନ ହୋଇପାରେ ନାହିଁ ।

 

ଅବିବାହିତ ନିଶିକାନ୍ତ ଏହି ସୁନ୍ଦରୀ ଝିଅଟି ପ୍ରତି ଆସକ୍ତ ହୋଇଉଠିଲେ । ସେ କସ୍ତୁରୀକୁ ସମସ୍ତଙ୍କ ଅଲକ୍ଷରେ ଭଲ ପାଇବାକୁ ଲାଗିଲେ ।

 

କସ୍ତୁରୀ ସିଂହର ପରିଚୟ ଅତି ବ୍ୟାପକ । ସେ କେବଳ ଗୋଟିଏ ତରୁଣୀ ନୁହେଁ, କଲେଜ ଜୀବନରେ ମତାଣିଆ ଜୁଆରଟିଏ । ସେ କଥା କହେ ନାହିଁ ଯେ, ଗୀତ ଗାଏ, ଚାଲେ ନାହିଁ ଯେ ନାଚୁଥାଏ । ତା’ର ଚକିତ ଚାହାଣିରେ ପ୍ରଣୟର ସରସକାହାଣୀ ମିଶିଛି । ରୂପଦେବତା ତାରି ରକ୍ତଲୋହିତ ଅଧରରେ କଥା କହେ । କସ୍ତୁରୀ ଅସମ୍ଭବଭାବରେ ସୁନ୍ଦର ଦେଖାଯାଏ ।

 

ଅଧ୍ୟାପକ ନିଶିକାନ୍ତଙ୍କର ସେଦିନ କଥା ସ୍ପଷ୍ଟ ମନେ ଅଛି । କସ୍ତୁରୀ ସିଂହ ମନେପଡ଼ିଲେ, ଏତେଦିନ ପରେ ବି ସେ ବର୍ଷର ସାଂସ୍କୃତିକ ଦିବସର କଲେଜ ଡ୍ରାମା କଥା ମନେପଡ଼ିଯାଏ । ଶିରା ପ୍ରଶିରାରେ ଶିହରଣ ଖେଳିଯାଏ...କସ୍ତୁରୀ ସିଂହ ଉପେନ୍ଦ୍ର ଭଞ୍ଜ ନାଟକରେ କବିପତ୍ନୀ ଅଂଶ ଗ୍ରହଣ କରିଥାଏ । ତା’ର ରୂପସଜ୍ଜା କଲେଜ ପେଣ୍ଡାଲରେ ‘ତୃଷ୍ଣାର ଫୁଲ’ ଫୁଟାଉଥାଏ । ଛାତ୍ର, ଅଧ୍ୟାପକ ନିର୍ବିଶେଷରେ ସମସ୍ତଙ୍କ ହୃଦୟ-କାବ୍ୟରେ ନିଜ ରୂପର ଲିପିକା ଲେଖିବାରେ ସକ୍ଷମ ହୋଇଥାଏ । ତା’ଦେହରୁ କସ୍ତୁରୀମୃଗର ମତାଣିଆ ସୁଗନ୍ଧ ଛୁଟୁଥାଏ-। ସମସ୍ତଙ୍କ ଆଗରେ କୁହୁକ ବୋଲି ସେ ଅଭିନୟ କଲା । ଘନ ଘନ କରତାଳିରେ କଲେଜର ଜଡ଼ କାନ୍ଥ ବି ଚମକି ଉଠିଲା । ଅଧ୍ୟାପକ ନିଶିକାନ୍ତଙ୍କ ମନ ଭିତରେ ବିଦ୍ୟୁତ୍ ଖେଳିଗଲା ।

 

ସେହିଦିନରୁ ସୁବିଧା ଖୋଜି ସେ କସ୍ତୁରୀ ସଙ୍ଗେ ଆଳାପ କରିଛନ୍ତି । ତାଙ୍କର ଏକାନ୍ତ ଜୀବନର କ୍ଳାନ୍ତି ଭିତରେ କଳ୍ପନାର ଇନ୍ଦ୍ରପୁରୀ ରଚନା କରି ରୂପସୀ କସ୍ତୁରୀର ପ୍ରତୀକ୍ଷା କରିଛନ୍ତି । ସହସ୍ରଯୁଗର ତୃଷ୍ଣା ନେଇ ସୁନେଲୀ ଭବିଷ୍ୟତକୁ ନିଜହାତରେ ରଙ୍ଗ ଦେଇଛନ୍ତି ।

 

କସ୍ତୁରୀ ସତରେ କ’ଣ ତାଙ୍କ ହୃଦୟର କବିତାକୁ ପଢ଼ି ପାରି ନାହିଁ ?

 

ନିଶିକାନ୍ତ ଦେଖନ୍ତି, କସ୍ତୁରୀ ସବୁବେଳେ ତାଙ୍କ ସାମନାରେ ମାପିଚୁପି କଥା କୁହେ । ତା’ର ସୁନାପାଣି ଧୂଆ ସରସ ମୁହଁରେ ହସର ଅସ୍ପଷ୍ଟ ସ୍ପର୍ଶ ମିଶିଥାଏ । ଅଧ୍ୟାପକ ହିସାବରେ ତାଙ୍କୁ ଭକ୍ତି କରେ କି ଭଲପାଏ, ଜାଣି ହୁଏ ନାହିଁ ।

 

କିନ୍ତୁ ଅଧ୍ୟାପକ ହିସାବରେ ନଶିକାନ୍ତ ନୀରବ ହୁଅନ୍ତି ନାହିଁ । ସେ ଅନ୍ତରର ସହିତ ଚେଷ୍ଟା କରନ୍ତି । କସ୍ତୁରୀ ଆଗରେ ପ୍ରମାଣ କରିଦେବାକୁ ଚାହାନ୍ତି ଯେ, ‘ନିଶିକାନ୍ତ କେବଳ ଅଧ୍ୟାପକ ନୁହନ୍ତି, ଅବିବାହିତ ପ୍ରେମିକ ବି । ଦାର୍ଘଦିନ ଧରି ମନର ନାୟିକାକୁ ଅପେକ୍ଷା କରିଛନ୍ତି, ସେ ଅପେକ୍ଷାର କ’ଣ ମୁଲ୍ୟ ନାହିଁ ?’

 

କସ୍ତୁରୀ ସିଂହର ତରୁଣୀ ମନ ସବୁ ଜାଣେ । ନିଶିକାନ୍ତଙ୍କର ଚପଳ ଚାହାଣିରୁ ତାଙ୍କର ଚଞ୍ଚଳ ମନକୁ ପଢ଼ିନିଏ । ତା’ର ଦୟାହୁଏ ଏହି ଅବିବାହିତ ନିଶିକାନ୍ତ ପ୍ରତି ।

 

କସ୍ତୁରୀ ସିଂହ ନିଶିକାନ୍ତକୁ ଦୟା ଦେଖାଇ ବେଳେବେଳେ ତାଙ୍କଠାରୁ ସାହିତ୍ୟ ବୁଝେ । “କି’-ବହିରୁ ସମାଲୋଚନାଗୁଡ଼ିକ କପି କରି ନିଶିକାନ୍ତକୁ ସଂଶୋଧନ କରି ଦେବାକୁ କହେ । ନିଶିକାନ୍ତ ପରମଆନନ୍ଦରେ କସ୍ତୁରୀକୁ ଆପ୍ୟାୟିତ କରନ୍ତି । ପରିଶ୍ରମ କରି ପାଠର ସାରାଂଶ ଲେଖି ଦିଅନ୍ତି । ପୁଣି ଅଭିଭାବକ ପରି ନାନାପ୍ରକାର ଉପଦେଶ ଦିଅନ୍ତି । କଥା କହିଲାବେଳେ ତାଙ୍କର ଭୋଖିଲା ଆଖି ଦିଟା କସ୍ତୁରୀର ସର୍ବାଙ୍ଗଉପରେ ଚକର କାଟୁଥାଏ ।

 

କସ୍ତୁରୀର ଇଚ୍ଛା ନ ଥିଲେ ବି ସେ ନିଶିକାନ୍ତଙ୍କର ଉପଦେଶ ଶୁଣେ । କିନ୍ତୁ ତା’ ଚାହାଣିରୁ ଏମିତି ଅର୍ଥବାହାରେ, ଯଦ୍ଦ୍ୱାରା ଜଣାପଡ଼େ ଯେ ସେ ନିଶିକାନ୍ତଙ୍କୁ ଅନୁଗୃହୀତ କରୁଛି ।

 

ଦିନେ ନିଶିକାନ୍ତ ଓ କସ୍ତୁରୀ ସିଂହକୁ କେନ୍ଦ୍ରକରି ଗୋଟିଏ ରୋମାଞ୍ଚକର ଗଳ୍ପ ସୃଷ୍ଟି ହେଲା । ଆଗ୍ରହୀ ତରୁଣ ଛାତ୍ର କେଇଟି ମନମୁତାବକ ରଙ୍ଗ ଦେଇ ସେ ଗଳ୍ପକୁ ମଧୁର କରି ତୋଳିଲେ । କାନରୁ କାନ କଥା ଡେଇଁ କଲେଜ ସାରା ରାଷ୍ଟ୍ର ହେଲା । ସମସ୍ତେ ଆଶ୍ଚର୍ଯ୍ୟ ଆଖିରେ କସ୍ତୁରୀ ସିଂହ ଓ ଅଧ୍ୟାପକ ନିଶିକାନ୍ତଙ୍କୁ ଅନାଇଲେ । ସେମାନଙ୍କ ଚାହାଣିରେ ଅନେକ ପ୍ରଶ୍ନ ଥିଲା-

 

ନିଶିକାନ୍ତ ଜାଣି ଶୁଣି କସ୍ତୁରୀ ସିଂହକୁ ଏହି ଅପବାଦ କଥା ପଚାରିଲେ । ପଚାରିଲାବେଳେ କଣ୍ଠସ୍ୱର ଥରି ଥରି ଉଠୁଥିଲା ।

 

କସ୍ତୁରୀ ସିଂହ ଅବିଚଳିତଭାବେ ଉତ୍ତର ଦେଉଥିଲା । କହିଗଲା, ଅପବାଦ କି କେବେ ସତ ହୁଏ ? ଆପଣଙ୍କ ଚିନ୍ତା କରିବାର ଦରକାର ନାହିଁ ।

 

ମୁଁ କ’ଣ କହୁଥିଲି କି...ନିଶିକାନ୍ତ ଅଟକି ଗଲେ ।

 

କଣ କହୁଥଲେ ? କସ୍ତୁରୀର ସେହି ନିର୍ଭୀକ ପ୍ରଶ୍ନ ।

 

କହୁଥିଲି—ଆମେ ଇଚ୍ଛାକଲେ କ’ଣ ଏ ଅପବାଦକୁ ସତ କରି ପାରନ୍ତେ ନି’ ?

 

କସ୍ତୁରୀ ହସିଲା । କହିଲା, ମୋ’ ବାପା ମା ଅଛନ୍ତି । ପୁଣି ମୋର ପରୀକ୍ଷାଟା ବି ତ ମୁଣ୍ଡ ଉପରେ ।

 

ନିଶିକାନ୍ତ ଶୁଣାଇ ଦେଲେ ଯେ ସେ ପରୀକ୍ଷା ପର୍ଯ୍ୟନ୍ତ ଅପେକ୍ଷା କରିଥିବେ ।

 

କସ୍ତୁରୀ ସିଂହ ସଙ୍ଗରେ ଅନେକ ଦିନରୁ ଦେଖା ହୋଇ ନାହିଁ ।

 

ଅଧ୍ୟାପକ ନିଶିକାନ୍ତ ଟେବୁଲ ଘଣ୍ଟାର ସରୁସରୁ କଣ୍ଟା ଆଉ ସୁବିସ୍ତୃତ ରାଜମାର୍ଗର ସୁପରିଚିତ ପରିବେଶକୁ ବାରମ୍ବାର ଚାହୁଁଥିଲେ ।

 

ଟେବୁଲ ଘଣ୍ଟାରେ ପାଞ୍ଚଟା ବାଜି ସାରିଥିଲା ।

 

କଟକର ଜନାକୀର୍ଣ୍ଣ ରାଜମାର୍ଗରେ ଜୁଆର ଉଠିଛି । ଅସଂଖ୍ୟ ଯନ୍ତ୍ରମଣିଷ ଅଗଣିତ ଆଶା ଆକାଂକ୍ଷାର ଅଦମନୀୟ ଉତ୍କଣ୍ଠା ନେଇ ଆଗକୁ ବଢ଼ି ଚାଲିଛନ୍ତି । କିଏ ଆଗକୁ ମାଡ଼ିଚାଲିଛି ତ କିଏ ପଛକୁ ଧାଉଁଛି । ଗୋଟିଏ ରାସ୍ତାର ଦୁଇଟି ବିପରୀତ ଦିଗ । କିନ୍ତୁ ଉଦ୍ଦେଶ୍ୟ ଏକ, ଉତ୍କଣ୍ଠା ଏକ । ବିରୋଧାତ୍ମକ ଚରିତ୍ରର ବିଚିତ୍ର ସମାବେଶ । ଟିକିଏ ଛିଡ଼ାହୋଇ ଅନାଇବାକୁ ସମୟ ନାହିଁ । ରାସ୍ତାପାଖରେ କିଏ କ’ଣ ପଚାରିଲା କି କହିଗଲା, ସେତକ ବି ଅଶୁଣା ରହିଗଲା । ଏ ଦୁନିଆର ସବୁ ଜିନିଷ ଯେମିତି ବେଗ ଓ ବ୍ୟଗ୍ରତାରେ ସୀମାବଦ୍ଧ ।

 

ଅଧ୍ୟାପକ ନିଶିକାନ୍ତ ଅଣନିଃଶ୍ୱାସୀ ହୋଇଗଲେ ଯେମିତ । କାନରେ ହାତ ଦେଇ ବେକ ନୁଆଁଇ ତଳକୁ ଦେଖିବାକୁ ଚେଷ୍ଟା କଲେ ।

 

ଟେବୁଲ ତଳେ କସ୍ତୁରୀର ସାହିତ୍ୟ ଖାତା ପଡ଼ିଛି । ଧଳା କାଗଜର ଖାତା ଉପରେ କସ୍ତୁରୀ ଗୋଲପୀ କାଗଜର କଭର ପକାଇଛି । କଭର ଉପରେ ଗୋଲଗୋଲ ଅକ୍ଷରରେ ଛାଡ଼ି ଛାଡ଼ି ନିଜର ସୁନ୍ଦର ନାଁ ଟିକି ରଖି ଦେଇଛି ।

 

କସ୍ତୁରୀ ନିଜ ହାତରେ ନିଜ ନାଁ ଲେଖିଛି !

 

ଅଧ୍ୟାପକ ନିଶିକାନ୍ତ ଚଞ୍ଚଳ ହୋଇଉଠିଲେ । ଥରିଲା ହାତରେ ସେ ଖାତାଟିକୁ ପାଖକୁ ନେଇ ଆସି ଆଗ୍ରହ ଆଖିରେ ଅନାଇଲେ । ବେଶ୍ ସରୁ ସରୁ ଗୋଲଗାଲିଆ ଅକ୍ଷର । ପ୍ରତ୍ୟେକଟି ଅକ୍ଷର କସ୍ତୁରୀର ଉନ୍ନତ ରୁଚିର ପରିଚୟ ନେଇ ଆତ୍ମପ୍ରକାଶ କରିଛି ।

 

କସ୍ତୁରୀ ସୁନ୍ଦର ଲେଖେ...କସ୍ତୁରୀର ହସ୍ତାକ୍ଷର ବାସ୍ତବିକ ଚମତ୍କାର...କସ୍ତୁରୀର ରୁଚିଜ୍ଞାନ ଅଛି । ଆଃ କସ୍ତୁରୀଟା କେତେ ସୁନ୍ଦର ସତରେ !!

 

କସ୍ତୁରୀ ଲେଖିଥିବା ନିଜ ନାଁଟାକୁ ଅଧ୍ୟାପକ ନିଶିକାନ୍ତ ବିମୁଗ୍ଧ ଚାହାଣିରେ ନିରୀକ୍ଷଣ କଲେ । ସତେ ଯେମିତ ସେ ଆଜି ନୂଆକରି ତା’ ଅକ୍ଷରକୁ ଦେଖୁଛନ୍ତି । ପ୍ରଥମକରି ଗୋଟିଏ ତରୁଣୀ କନ୍ୟାର ହସ୍ତଲିପି ସମ୍ବନ୍ଧରେ ଜ୍ଞାନ ଅର୍ଜନ କରୁଛନ୍ତି ।

 

ପରିଷ୍କାର ହସ୍ତାକ୍ଷର ଲେଖକ ବା ଲେଖିକାର ଉନ୍ନତ ରୁଚିର ପରିଚାୟକ । ହସ୍ତାକ୍ଷରରୁ କଳାକୁଶଳୀ ମନର ସନ୍ଧାନ ମିଳେ । ଏଇ ହସ୍ତାକ୍ଷର ଦେଖି ଆଜିକାଲି ଅନେକ କଥା ଆବିଷ୍କାର କରାଯାଇପାରୁଛି । ସେ ଯଦି ସେହି ସ୍ୱତନ୍ତ୍ର ଜ୍ଞାନ ପାଇଥାନ୍ତେ, ତାହାହେଲେ କସ୍ତୁରୀର ମନର କଥା ବୁଝିବାକୁ ଅସୁବିଧା ହୋଇ ନ ଥାନ୍ତା ! ସେ କେତେ ଶୀଘ୍ର ଏକ କାର୍ଯ୍ୟକାରୀ ନିଷ୍ପତ୍ତିରେ ଉପନୀତ ହୋଇପାରିଥାନ୍ତେ !! ନିଶିକାନ୍ତ ନିଜର ଅପାରଗପଣିଆ ଯୋଗୁଁ ବ୍ୟସ୍ତ ହେଲେ ।

 

କୋଠରୀ ବାହାରେ ସୁନ୍ଦର ପବନ ବହୁଛି । ଅସ୍ତମୁଖୀ ସୂର୍ଯ୍ୟର ରକ୍ତିମ କିରଣ କଟକର ରାଜମାର୍ଗରେ କୁଢ଼ କୁଢ଼ ସ୍ୱପ୍ନ ବୁଣିଯାଉଛି । ସେ କିରଣ ଓ ସ୍ୱପ୍ନର ପ୍ରତିବିମ୍ବ, ପଡ଼ିଛି ଅଜଣା ଯାତ୍ରୀର ମୁହଁ ଉପରେ ।

 

ଦଳେ କଲେଜ ପିଲା ହୁ ହା ହୋଇ ଚାଲିଗଲେ । ସଦ୍ୟ ପ୍ରକାଶିତ ପରୀକ୍ଷାଫଳ ସେମାନଙ୍କ ହସ-ପଖଳା ମୁହଁରେ ସୁଖ ଓ ସନ୍ତୋଷର ଫୁଲ ଫୁଟାଇଛି । ସେମାନେ ପାସ୍ କରିଛନ୍ତି-। ଜୀବନର ପରୀକ୍ଷାବହୁଳ ରାସ୍ତା ଉପରେ ଗୋଟିଏ ମାଇଲ ଖୁଣ୍ଠ ଅତିକ୍ରମ କରିଥିବାରୁ କ୍ଷଣକ ତୃପ୍ତିରେ ଫାଟି ପଡ଼ୁଛନ୍ତି । ସର୍ବାଙ୍ଗରେ ଆତ୍ମପ୍ରସାଦର ଲାଭର ପରିପୂର୍ଣ୍ଣତା ବିକଶି ଉଠିଛି । ସେମାନେ ବର୍ତ୍ତମାନ-ସର୍ବସ୍ଵ । ଭବିଷ୍ୟତ ସକାଶେ କୌଣସି ଚିନ୍ତା ନାହିଁ । ସକାଳପାହିଲେ ଯେତେବେଳେ ଆଉ ଗୋଟିଏ ପରୀକ୍ଷା ହାବୁଡ଼ି ଯିବ, ସେତେବେଳେ ସେମାନଙ୍କ ମୁହଁରେ ଆଜିର ଏ ହସ ଆନନ୍ଦ ଆଉ ନ ଥିବ !

 

ନିଶିକାନ୍ତଙ୍କ ମାନସଚକ୍ଷୁରେ ବହିଯାଇଥିବା ଅତୀତ ଆଖି ମେଲି ଚାହିଁଲା ।

 

ସେ ଅତୀତ ପ୍ରତି ଆଗ୍ରହୀ ହୋଇଉଠିଲେ । ଅନେକ ଦିନର କଥା ନୁହେଁ । ହେଇ କାଲି ପରି ଲାଗୁଛି । ଏମ୍.ଏ. ପରୀକ୍ଷାରେ ପାସ୍ କରିବା ପରେ ତାଙ୍କୁ ଲଗୁଥିଲା ସତେ ଯେମିତି ଜୀବନର ଏକ ମସ୍ତବଡ଼ ପ୍ରାପ୍ତି ହାତ ମୁଠାରେ ରହିଛି । ସମ୍ଭବ, ଅସମ୍ଭବ ଅନେକଗୁଡ଼ିଏ ଅନନୁଭୂତି କଳ୍ପନା ଆଖି ଆଗରେ ଚକର କାଟୁଥାନ୍ତି । ଗୋଟାକୁ ହାତ ବଢ଼ାଇଲା ବେଳେ ଆଉ ଗୋଟିଏ ଅପେକ୍ଷାକୃତ ସୁନ୍ଦର କଳ୍ପନା ହାତ ବଢ଼ାଇ ଡାକେ । ସୁନ୍ଦରତର କଳ୍ପନାରେ ସେ ଚକିତ ହୋଇଯାଆନ୍ତି । କେଉଁଟିକୁ ଡାକି କାହାକୁ ଫେରାଇ ଦେବେ କଳ୍ପନା କରିପାରନ୍ତି ନାହିଁ । ସେ ଅପେକ୍ଷା କରିଥାନ୍ତି ସୁନ୍ଦରତମ କଳ୍ପନାକୁ । ଆଶା ଥାଏ ସୃଷ୍ଟିର ସେହି ଅଦୃଶ୍ୟ କଳ୍ପନା ସତ ହୋଇ ଫେରି ଆସିବ ।
 

କିନ୍ତୁ ମଣିଷର ସବୁ ଭାବନା ସତ ହୁଏ ନାହିଁ । ସବୁ କଳ୍ପନା ମୂର୍ତ୍ତିମନ୍ତ ହୁଏ ନାହିଁ । ଆଶା ଖାଲି ଆଶାଟିଏ ହୋଇ ରହିଯାଏ ।

 

ନିଶିକାନ୍ତ ଏମ୍.ଏ. ପାସ୍ କରିବାପରେ ପୁଣି ନୂଆ ସମସ୍ୟା ଦେଖାଗଲା । ପରିବାରର କର୍ତ୍ତବ୍ୟବୋଧ ତାଙ୍କୁ ବ୍ୟତିବ୍ୟସ୍ତ କରି ପକାଇଲା । ବେଳେବେଳେ ସେ ଏକ ଅବବ୍ୟସ୍ଥିତ ମୁହୂର୍ତ୍ତରେ ବିଦ୍ରୋହୀ ହୋଇ ଭାବନ୍ତି; ସେ ଯାହା କରୁଛନ୍ତି ସବୁ ଭୁଲ୍‍ । ନିଜ ପାଇଁ କିଛି ନ କରି ସତେ ଯେମିତି ପର ପାଇଁ ପଳପଳ ହୋଇ ଚଷି ହେଉଛନ୍ତି । ନା, ଏହାଠୁ ବରଂ.... ।

Image

 

ନିମକ୍ ହାରାମ୍

 

ପୌଷର ଏକ ପାଣ୍ଡୁର ସନ୍ଧ୍ୟାରେ ଗ୍ରାମର ମୁଖିଆ ଗୃହସ୍ଥମାନେ ନିମନ୍ତ୍ରିତହେଲେ ଦେବରାଜବାବୁଙ୍କ ବଡ଼ଭାଇର ଶ୍ରାଦ୍ଧ ଉତ୍ସବରେ ଯୋଗଦାନ କରିବାକୁ ।

 

ପୌଷ ଶେଷ ହୋଇ ଆସୁଥାଏ । ସେଇ ଦିନଟି ବୋଧହୁଏ ମାସର ଶେଷ ସପ୍ତାହର ରବିବାରଟିଏ । ଶ୍ରାଦ୍ଧ ଉତ୍ସବଟି ଗ୍ରାମ୍ୟ ଜୀବନରେ ଆଲୋଡ଼ନ ସୃଷ୍ଟି କରିଥାଏ । ବାଳକ ବାଳିକାମାନେ ମନ ଆନନ୍ଦରେ ଦେବରାଜ ବାବୁଙ୍କ ଘର ସାମନାରେ ପଡ଼ିଥିବା ସ୍ୱଚ୍ଛ, ଶୁଭ୍ର ପେଟ୍ରୋମାକ୍‍ସ ଲାଇଟ୍‍ ତଳେ ଏକତ୍ରିତ ହୋଇଥାନ୍ତି । ଏମାନଙ୍କୁ ଜବତ କରି ଆଧିପତ୍ୟ ବିସ୍ତାର କରିଥାନ୍ତା ଯିଏ, ସେହି ବାଳକ ନେତା ତୁଷାର ନାହିଁ । ଦି’ ବର୍ଷ ତଳେ ଏମିତି ଆନନ୍ଦକୋଳହଳର ମୁଖ୍ୟ ଅଂଶ ଗ୍ରହଣ କରୁଥିଲା । କାହା ଘରେ ବିବାହ ବାଜାଟିଏ ବାଜିଲେ ବା ଲାଇଟ୍‍ଟିଏ ଜଲିଲେ ଘର ଘର ବୁଲି ସାଥି ପିଲମାନଙ୍କୁ ଏକତ୍ରିତ କରୁଥିଲା । ନିଜ ଘର ଭିତରୁ ମିଶ୍ରି, ଗୁଡ଼ ଓ ଆଚାର ଚୋରି କରି ନେଇଆସି, ପିଲାମାନଙ୍କ ଭିତରେ ବାଣ୍ଟି, ସାବାସୀ ଓ ସ୍ନେହ ସଂଗ୍ରହ କରୁଥିଲା । ତା’ର ନିକଟତମ ବନ୍ଧୁ ହେବାକୁ ଗାଁର ପ୍ରାୟ ପ୍ରତ୍ୟେକ ବାଳକ ଲାଳାୟିତ ଥିଲେ । ସେ ପାଖରେ ଥିଲେ ଗାଁର ଅନ୍ୟାନ୍ୟ ପିଲାଛୁଆ କାହାକୁ ଖାତିର କରୁ ନ ଥିଲେ । ସମୟ ସମୟରେ ବାପା ମା’ଙ୍କର ଡାକରାକୁ ବି ଆଡ଼େଇ ଦେଇ ପାରୁଥିଲେ ।

 

ତୁଷାର ଥିଲା ଗାଁର ଧନୀ, ମାନୀ ମନୋଜ ବାବୁଙ୍କର ଏକମାତ୍ର ଅଲିଅଳି ସନ୍ତାନ ! ମନୋଜ ବାବୁଙ୍କର ପ୍ରତିଷ୍ଠା ବଳରେ ତୁଷାର ସେ ଗାଁର ସାଥିସାଙ୍ଗ ମେଳରେ ଉଲ୍ଲେଖଯୋଗ୍ୟ ଆସନ ପାଇ ପାରିଥିଲା ।

 

ତୁଷାର ସମବୟସ୍କ ବାଳକ ବାଳିକାମାନଙ୍କର କେବେ ହେଲେ କିଛି ଅନିଷ୍ଟ କରି ନ ଥିଲା । ତେଣୁ ସକାଳ ପାହିଲେ ତାଙ୍କ ଘର ସାମନାରେ ଅନେକ ପିଲା ରୁଣ୍ଡ ହେଉଥିଲେ । ଗାଁ ମୁଣ୍ଡର ବରଗଛ ଛାଇ ତଳେ ବା ବାଡ଼ି ଅଗଣାର ପ୍ରଶସ୍ତକ୍ଷେତ୍ରରେ ସେମାନେ ବତ୍ରିଶ ସିଂହାସନ ଖେଳ ଖେଳୁଥିଲେ । ତୁଷାର ରାଜା ହୋଇ ନିଜର ପାରିଷଦ ବାଛୁ ଥିଲା । ସେ ନିଜର ଆଦେଶମତେ କାର୍ଯ୍ୟହାସଲ କରି ପାରୁଥିଲା । କାରଣ ସମସ୍ତେ ତୁଷାରର ଏକାନ୍ତ ଅନୁଗତ ଥିଲେ-। ତୁଷାର ପରି ବଡ଼ଲୋକର ପୁଅ ସଙ୍ଗେ ଖେଳାବୁଲା କରିବାକୁ କୌଣସି ବାପ ମାଆ ବାରଣ କରୁ ନ ଥିଲେ । ତୁଷାର ଗାଆଁର ପ୍ରିୟପାତ୍ର ଥିଲା ।

 

ତୁଷାରର ପ୍ରିୟ ସାଥୀ ଥିଲା ମାଧବୀ ! ତୁଷାର ରାଜା ହେଲେ ମାଧବୀକୁ ନିଜର ରାଣୀରୂପେ ମନୋନୀତ କରୁଥିଲା । ଲୁଚାଇ ଚୋରାଇ ନେଇ ଆସି ଜଳଖିଆରୁ ଅଧେ ମାଧବୀ ହାତକୁ ବଢ଼ାଇ ଦିଏ, ଆଉ କହେ, ତୁ ସବୁଦିନେ ମୋର ରାଣୀ ହେବୁ ନା ?

 

ମାଧବୀ ମୁଣ୍ଡ ହଲେଇ କହେ, ହଁ । ବେଶି ଦେଲେ ବହୁତ ରାଣୀ ହେବି ।

 

ତୁଷାର ଆନନ୍ଦରେ ହସେ ।

 

ତୁଷାର ଆଜି ନାହିଁ । ତା’ର ବତ୍ରିଶ ସିଂହାସନର ରାଜା ଆଉ ନାହିଁ । ସେ କ’ଣ କେବେହେଲେ ଏ ଗାଁକୁ ଫେରିବ ନାହିଁ ।

 

ମାଧବୀ ମୁହଁଶୁଖାଇ କଣକିଆ ହୋଇ ଛିଡ଼ା ହୋଇଛି । କେହି ତାକୁ ଶରଧାରେ ପାଖକୁ ଡାକୁ ନାହାନ୍ତି । ଦେବରାଜ ବାବୁଙ୍କ ଘର ଭିତରକୁ ଜୁଳୁଜୁଳୁ ହୋଇ ଅନାଇଛି । ଏତେବଡ଼ ଉତ୍ସବ ଲାଗିଛି । ଅଥଚ ତୁଷାରକୁ ତା’ ଦାଦା ଡାକିଲେ ନାହିଁ । ତୁଷାରର ମା’କୁ ମନେ ମନେ ଖୋଜି ହେଉଛି । ସେ ଟିକିଏ କାନ୍ଦନ୍ତେ ସିନା, କୁହନ୍ତେ ତୁଷାର ନିଶ୍ଚୟ ଫେରି ଆସିବ ମାଧ ! ଖେଳିବାକୁ ଯାଇଛି । ଭୋକ ହେଲେ କ’ଣ ଲେଉଟି ଆସିବ ନାହିଁ ?

 

ତୁଷାରକୁ କ’ଣ ଘରକଥା ମନେପଡ଼ୁ ନାହିଁ । ତା’ର ଖେଳଟା ଏମିତ ବଡ଼ ହେଲା । ତାକୁ କ’ଣ ଏତେଦିନ ଯାଏ ଭୋକ ଲାଗୁ ନାହିଁ ?

 

ଦେବରାଜ ବାବୁଙ୍କ ଘରେ ଅତିଥି ସଂଖ୍ୟା ବଢ଼ୁଛି । ପଉଷର କାକରଝରା ରାତିଟାବି’ ବଢ଼ି ବଢ଼ି ଆସୁଛି । ଲେକେ ଶୀତଚାଦର ଘୋଡ଼ି ହୋଇ ଆସୁଛନ୍ତି । ଛୁଟି ନେଇ ସହରରୁ ଫେରିଥିବା ଗାଁର ଚାକିରିଆ ବାବୁମାନେ ବେଶ ପୋଷାକ ହୋଇ ଗଡ଼ି ଆସୁଛନ୍ତି । ଦେହରେ ମୂଲ୍ୟବାନ୍‍ କୋଟ୍‍ ପେଣ୍ଟ୍‍ । କଚଟି ଉପରେ ଦାମୀ ଘଣ୍ଟା ସରୁ ଚିକ୍ ଚିକ୍ ମାରୁଛି । ସେମାନଙ୍କ ଦେହରୁ ସହରୀ ଗନ୍ଧ ବାହାରୁଛି ।

 

ମାଧବୀ ମା’ ଡାକରେ ନିରାଶ ହୋଇ ଘରକୁ ଫେରିଗଲା । ଗଲାବେଳେ ତା’ର ଅତି ଆପଣାର ତୁଷାର ମୁହଁକୁ ଦେଖିବ ବୋଲି ବାରମ୍ବାର ପଛକୁ ଅନାଉଥିଲା ।

 

ତୁଷାର ଆଉ ନାହଁ । ବାପାଙ୍କ ମୃତ୍ୟୁର ଗୋଟିଏ ବର୍ଷ ପରେ କୂଅରେ ପଡ଼ି ପ୍ରାଣ ଦେଲା ।

 

ଦେବରାଜବାବୁ ତୁଷାରର ସମ୍ପର୍କୀୟ ଦାଦା ଜଣେ । ତୁଷାରର ପିତାର ଦେହାନ୍ତ ଖବର ଶୁଣି ଘର ସମ୍ଭାଳିବାକୁ ଧାଇଁ ଆସିଥିଲେ । ଆପଣାର ହୋଇ ଲୋକଟିଏ ନ ଥିଲେ ଏତେଗୁଡ଼ିଏ ଜମିବାଡ଼ି, ଚାକର-ନୌକର କଥା ଦେଖାଶୁଣା କରନ୍ତ। କିଏ ?

 

ଦେବରାଜ ବାବୁ ବେକାର ଥିଲେ । ତାଙ୍କର ଗୁଡ଼ାଏ ବଦଖର୍ଚ୍ଚ ଥିଲା । ଦେବରାଜବାବୁଙ୍କୁ ତୁଷାର ଘରକୁ ମୁରବୀ କରି ପଠାଇ ଦେଲାପରେ, ତାଙ୍କ ବାପା ମାଆ ସ୍ଵସ୍ତିର ନିଶ୍ୱାସ ମାରିଲେ । ସତେ ଯେମିତି ମୁଣ୍ଡ ଉପରୁ ପାହାଡ଼ ଓହ୍ଲାଇ ଗଲା ।

 

କନ୍ତୁ ତୁଷାର ଘରେ ବିପଦ ଘନେଇ ଆସୁଥିଲା । ତାଙ୍କ ଘରର ଜଞ୍ଜାଳ ବି କ୍ରମେ ବଢ଼ିବାରେ ଲାଗିଥିଲା ।

 

ଦେବରାଜ ପର ପାଇଁ ଗୁଡ଼ାଏ ଖର୍ଚ୍ଚକରି ସମସ୍ତଙ୍କୁ ଆପଣାର କରି ପକାଇଲା । ତା’ର ହାତଖୋଲାପଣିଆକୁ ସମସ୍ତେ ତାରିଫ୍ କରୁଥିଲେ । ଦିନ କେଇଟା ଭିତରେ ଗାଁର ସବୁ ଶ୍ରେଣୀର ଲୋକଙ୍କୁ ବଶ କରି ନେଲା ।

 

ମନୋଜ ବାବୁ ପରିଶ୍ରମ କରି ବାହାର ଧନ ଘର ଭିତରକୁ ଆଣୁଥିଲେ ।

 

ଦେବରାଜବାବୁ ଗୃହର ଗଚ୍ଛିତ ସମ୍ପତ୍ତିକୁ ନେଇ ବାହାରେ ଅୟସ କରି କରି ବିଞ୍ଚି ଦେଉଥିଲେ ।

 

ବରଷକ ଭିତରେ ତୁଷାର କୂଅରେ ପଡ଼ି ପ୍ରାଣ ଦେଲା । ସମସ୍ତେ ସନ୍ଦେହ କଲେ । କିନ୍ତୁ ବରଷିକିଆ ଶ୍ରାଦ୍ଧର ଭୋଜିଭାତ ଖାଇ ସମସ୍ତେ ପୁଣି ଦେବରାଜକୁ ବାହା ବା’ କଲେ ।

 

ମନୋଜବାବୁଙ୍କର ଆଜି ଦ୍ଵିତୀୟ ବାର୍ଷିକ ଶ୍ରାଦ୍ଧୋତ୍ସବ ।

 

ଘିଅ ଭଜା ମାଲପୁଆର ମନୋହର ସୁବାସ ଗାଆଁ ପବନରେ ଚକାଭଉଁରୀ ଖେଳୁଛି । ବିଭିନ୍ନପ୍ରକାର ମିଠା ଜିନିଷ ତିଆରି କରିବାକୁ ସହରରୁ ଗୁଡ଼ିଆ ଆସିଛନ୍ତି । ଗ୍ରାମବାସୀଙ୍କ ପକ୍ଷେ ଶ୍ରାଦ୍ଧ ନିମନ୍ତ୍ରଣଟା ଏକ ଆକର୍ଷଣୀୟ ଆହ୍ଵାନ ।

 

ପ୍ରାୟ ସମସ୍ତ ଅତିଥି ଆସି ଠାଆରେ ବସି ସାରିଲେଣି । ସୁପ୍ରଶସ୍ତ ଅଗଣଟା କଦଳୀପତ୍ରରେ ଛାଇ ହୋଇଯାଇଛି । ପୁରୀ, ମାଲପୁଆ, ମିଠେଇ ପ୍ରଭୃତି ସୁସ୍ଵାଦୁ ସାମଗ୍ରୀରେ ପତ୍ର ଭର୍ତ୍ତି ହୋଇ ସାରିଲାଣି ।

 

ଦେବରାଜବାବୁ ମଝିରେ ଛିଡ଼ା ହୋଇ ହାତଯୋଡ଼ି କହିଲେ, ଏଥର ହାତ ଲାଗୁ ଆଜ୍ଞା ! ଗରିବ ଶକ୍ତିରେ ଯାହା ଥିଲା, ଆପଣମାନଙ୍କ ସେବାରେ ଲଗାଇଛି । ଆପଣଙ୍କ ଆନନ୍ଦ ହଁ ମୋର ଆନନ୍ଦ । ମୋର ବଡ଼ଭାଇଙ୍କ ଆତ୍ମାସନ୍ତୋଷ ହେବ । ଖିଆପିଆରେ ତ୍ରୁଟି ଥିଲେ କ୍ଷମା ଦେବେ ।

 

ଏଥର ହାତ ଲାଗିଲା । ଅତିଥିମାନଙ୍କ ମୁହଁରେ ଦେବରାଜବାବୁଙ୍କ ପାଇଁ ଅଜସ୍ର ପ୍ରଶଂସା ! ଯାହାହେଉ ବଡ଼ଭାଇର ମୃତ ଆତ୍ମା ପ୍ରତି ଦେବରାଜବାବୁଙ୍କର ଅଶେଷ ସମ୍ମାନ ! ଏ ଘରର ଯୋଗ୍ୟ ମୁରବୀଟାଏ !

 

ଉପର ଘରେ ଖୁବ୍ ପାଟିତୁଣ୍ଡ ହେଉଛି । ନିଃସହାୟା ନାରୀକଣ୍ଡର ବିକଳ କ୍ରନ୍ଦନ ଶୁଭୁଛି-। ଅବରୁଦ୍ଧ ପ୍ରକୋଷ୍ଠରୁ ମୁକ୍ତି ମାଗୁଛି ସେ । କବାଟରେ ବାରମ୍ବାର ଆଘାତ କରି ଚିତ୍କାର କରୁଛି ।

 

କିଏ ସେ ଏହି ବନ୍ଦିନୀ ?

 

ସେ କିଛି ନୁହେଁ ଆଜ୍ଞ। ! ପାଗଳିନୀଟାଏ ! ବଡ଼ଭାଇଙ୍କର ଶ୍ରାଦ୍ଧ-ଉତ୍ସବକୁ ନିମନ୍ତ୍ରିତା ହୋଇଆସିଥିଲା । କିନ୍ତୁ ତା’ର କାର୍ଯ୍ୟକଳାପ ଦେଖି ଉପର ଘରେ ଆମେ ବନ୍ଦ କରି ଦେଇଛୁଁ । ଏତେବଡ଼ ଭୋଜିରେ ସେ ବ୍ୟୁତ୍ପାତ ସୃଷ୍ଟି କରିଥାନ୍ତା ! ଆପଣ କିଛି ମନେ କରନ୍ତୁ ନାହିଁ । ହାତ ଲଗାନ୍ତୁ ! ଦେବରାଜବାବୁ ବିନୀତ ଅନୁରଧ ଜଣାଇଲେ ।

 

ଏତେକ୍ଷଣଯାଏ ନୀରବ ରହିବା ପରେ ପାଗଳିନୀଟା ହଠାତ୍ କାହିଁକି ଏମିତ ହୋଇ ଉଠିଛି । ଅତିଥିମାନଙ୍କ ମନ ଭିତରେ ଅନେକ କୌତୂହଳ । କିନ୍ତୁ ସେଥିରୁ ଏବେ କ’ଣ ମିଳିବ ? ଅତିଥିମାନେ ନୀରବରେ ହାତ ଲଗାଇଲେ । ପାୟସରୁ ଏକ ସୁମିଷ୍ଟ ଗନ୍ଧ ବାହାରୁଛି । ଥଣ୍ଡା ହେଲେ ହୁଏତ ସ୍ଵାଦ ମରିଯାଇପାରେ ।

 

ନାରୀମୂର୍ତ୍ତିଟି ଆକସ୍ମିକ ଭାବରେ ସେହି ଉପର ଘରର କବାଟ ଖୋଲି ଆସ୍ତେ ଆସ୍ତେ ପାହଚ ଓହ୍ଲାଇଲା । ପାଟି ନାହିଁ କି ବ୍ୟୁତ୍ପାତ ନାହିଁ ।

 

ଭୋଜନରେ ବ୍ୟସ୍ତଥିବା କେଇଜଣ ନିମନ୍ତ୍ରିତ ଅତିଥି ଏହି ନାରୀମୂର୍ତ୍ତିଟାକୁ ଦେଖି ଚମକି ପଡ଼ିଲେ । ସେମାନଙ୍କ ଆଖିରେ ଆଶଙ୍କା ବୋଳା ଆତଙ୍କ ।

 

ପରିଚିତ କେଇଜଣ ପାଟି କଲେ, “ଇଏ ସେ ତୁଷାରର ମାଆ !'

 

ସମସ୍ତେ ବିସ୍ମୟରେ ସେହ ନାରୀମୂର୍ତ୍ତିଟିକୁ ଅନେଇ ରହିଲେ ।

 

କିଛିକ୍ଷଣ ପୂର୍ବରୁ ଦେବରାଜବାବୁ ପ୍ରକାଶ କରିଥିଲେ ଯେ, ଏକ ଅବାଞ୍ଛିତ ଅତିଥିକୁ ଉପର ଘରେ ବନ୍ଦକରି ରଖାଯାଇଛି । ତାହାହେଲେ ଭୁଲରେ କ’ଣ ମୃତ ମନୋଜର ପତ୍ନୀଙ୍କୁ ସେ ଘରେ ବନ୍ଦକରି ରଖାଯାଇଥିଲା ? ମନୋଜ ଓ ତୁଷାରର ମୃତ୍ୟୁ ପରେ ଏ ଘର ଆଉ ସମ୍ପତ୍ତିର ଏକମାତ୍ର ଅଧିକାରିଣୀ ଏହି ବିଧବା । ଘରର କର୍ତ୍ତୀଙ୍କୁ କେହି କ’ଣ ଚିହ୍ନି ପାରିଲେ ନାହିଁ ? ସ୍ଵାମୀଙ୍କର ଶ୍ରାଦ୍ଧ ଦିବସ ପରି ଏକ ଗୁରୁତ୍ୱପୂର୍ଣ୍ଣ ଦିବସରେ ତା’ ଉପରେ ଏତେବଡ଼ ଅତ୍ୟାଚାର କରଯାଇଥିଲା ।

 

ଦେବଗଜବାବୁ ଅନ୍ୟାନ୍ୟ କେତେକ ଅନୁପସ୍ଥିତ ଭଦ୍ରବ୍ୟକ୍ତିଙ୍କୁ ଡାକି ଅଣିବାକୁ ବାହାରକୁ ଯାଇଥିଲେ । ସେ ଫେରିଆସିବା ପରେ ଏତେବଡ଼ ଅଘଟନ ଦେଖି ମୁଣ୍ଡ ତାଙ୍କର ଗରମ ହୋଇଉଠିଲା । ପରିଣତି ପ୍ରତି ସେ ସଜାଗ ହୋଇ ଉଠୁଥଲେ । କିନ୍ତୁ ହୃଦୟ ତାଙ୍କର ଅବ୍ୟକ୍ତ ଆଘାତରେ କମ୍ପି ଉଠୁଥିଲା । ତଥାପି ଆତ୍ମରକ୍ଷା ପାଇଁ ସଚେଷ୍ଟ ଥିଲେ । ନାରୀମୂର୍ତ୍ତି ଅଗଣାର ମଝି ଅଂଶକୁ ଆସି ଛିଡ଼ାହୋଇ ଅସଂଖ୍ୟ ଅତିଥିଙ୍କ ଆଗରେ ନୀରବରେ କାନ୍ଦୁଥିଲେ । ଆଖିରୁ ତାଙ୍କର ଲୁହ ପରପରିବର୍ତ୍ତେ ଲହୁଧାର ବହୁଥିଲା ।

 

ଦେବରାଜବାବୁ ବ୍ୟସ୍ତ ହୋଇ କହି ଉଠିଲେ, “ଭାଉଜ ମୋର ପାଗଳିନୀ ହୋଇ ଯାଇଛନ୍ତି । ଆପଣମାନେ କିଛି ମନେ କରନ୍ତୁ ନାହିଁ । ମୁଁ ତାଙ୍କୁ ବୁଝାଇ ଶୁଝାଇ ନେଇ ଯାଉଛି ।”

 

‘‘ଖବରଦାର ଦେବରାଜ ! ମୋତେ ଛୁଇଁଲେ କିଛି ଭଲ ହେବ ନାହିଁ କହୁଛି । ଆଡ଼େଇ ଯାଅ !” ବିଧବା ଚିତ୍କାର କଲେ ।

 

ମନୋଜର ପତ୍ନୀକୁ ସେ ଜାଣିଥିଲା, ତାଙ୍କର କର୍କଶ କଣ୍ଠସ୍ଵର ଶୁଣି ତାଜୁବ ହୋଇଗଲା-। ତାଙ୍କ ପାଟିରୁ ଏଡ଼େବଡ଼ କଥା କେହି କେବେ ଶୁଣି ନାହାନ୍ତି । ସମସ୍ତେ ବ୍ୟଗ୍ର ହୋଇ ତାଙ୍କ ମୁହଁକୁ ଅନାଇଲେ । ଯେଉଁ କେତେଜଣ ଦେବରାଜ ବାବୁଙ୍କ ଆଶ୍ୱାସନା ଶୁଣି ପୁଣି ଥରେ ଖାଇବାକୁ ହାତ ଉଠାଇଥିଲେ, ସେମାନେ ଦି ଖାଇବା ଛାଡ଼ି ଦେଲେ ।

 

ନାରୀକଣ୍ଠରୁ ପୁଣି ଥରେ ଶୁଭିଲା, ମୁଁ ଏ କଥା ସାବ୍ୟସ୍ତ କରିବାକୁ ଚାହେଁ ଯେ, ମୁଁ ପାଗଳୀ ନୁହେଁ । ମୋ ଉପରେ ଅକଥନୀୟ ଅତ୍ୟାଚାର କରି, ଦିନରାତି କନ୍ଦାଇ, ଦେବରାଜ ମୋତେ ପାଗଳ ସାବ୍ୟସ୍ତ କରିବାକୁ ଚାହେଁ । କୁଚକ୍ରୀ ଦେବରାଜ ଚାହେଁ, ମୋ ସ୍ୱାମୀ ଅର୍ଜିତ ସମ୍ପତ୍ତିର ନିଷ୍କଳଙ୍କ ଉପଭୋଗ । ମୋର ଏ କଥା ଆଜି ସ୍ପଷ୍ଟଧାରଣା ହୋଇଛି ଯେ, ମୋ ସ୍ୱାମୀଙ୍କର ପ୍ରଥମବାର୍ଷିକ ଶ୍ରାଦ୍ଧ ଦିବସର କିଛିଦିନ ପୂର୍ବରୁ ସେହି ମୋର ନାବାଳକ ପୁଅକୁ ହତ୍ୟା କରିଥିଲା । ତାକୁ ଜାଣିଶୁଣି କୂଅରେ ଠେଲି ଦେଇଥିଲା । ଆଜି ମୋ ସ୍ୱାମୀଙ୍କର ଦ୍ଵିତୀୟବାର୍ଷିକ ଶ୍ରାଦ୍ଧ ଦିବସରେ, ସମସ୍ତଙ୍କ ଆଗରେ ସାବ୍ୟସ୍ତ କରିବାକୁ ଚାହେଁ ଯେ, ମୁଁ ପାଗଳିନୀଟାଏ ! ତା’ ଫଳରେ ସମ୍ପତ୍ତିର ହସ୍ତାନ୍ତର ସକାଶେ ଗ୍ରାମବାସୀଙ୍କର ଅକୁଣ୍ଠ ସହାନୁଭୂତି ଲାଭ କରିପାରିବ । ସେଇଥିପାଇଁ ସେ ଏ ଭୋଜିରେ ପ୍ରଚୁର ଖର୍ଚ୍ଚ କରିଛି ।

 

ଦି’ବର୍ଷ ପୂର୍ବେ ସହାନୁଭୂତି ଦେଖାଇ ତାକୁ ମୋ ଘରେ ଆଶ୍ରୟ ଦେଇଥିଲି । ଘରେ ମୁରବୀ କରି ସବୁ ଦାୟିତ୍ଵ ସମର୍ପି ଦେଇଥିଲି । କିନ୍ତୁ ଆଜି ବୁଝୁଛି, ରକ୍ତର ସମ୍ପର୍କ ନ ଥିଲେ ବାହାରର ଲୋକ ଆପଣାର ହୁଏ ନାହିଁ । ନିମକ୍‍ହାରାମ୍‍ ଦେବରାଜ ମୋ ବଂଶର ଉନ୍ନତି ଚାହେଁନା-। ସେ ଚାହେଁ ଆମର ସମୂଳ ନିପାତ ! ସେଇଥିପାଇଁ ମୋ ଉପରେ ଆଜକୁ ପ୍ରାୟ ସପ୍ତାହେ ହେବ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଛି । ମୋର ମୃତ୍ୟୁ ତା’ର ଏକାନ୍ତ କାମ୍ୟ । ସ୍ଵାମୀ ଓ ପୁତ୍ରର ବିୟୋଗ ପରେ ମୋର ଏ ପୃଥିବୀରେ ବଞ୍ଚିବାର କୌଣସି ଆକର୍ଷଣ ନାହିଁ । କିନ୍ତୁ ଏହା ବୋଲି ଦେବରାଜର ବର୍ବରୋଚିତ ପଶୁ ପ୍ରବୃତ୍ତିକୁ ସମର୍ଥନ କରିପାରୁ ନାହିଁ । ମୁଁ ଏହାର ପ୍ରତିବାଦ କରୁଛି । ଉପସ୍ଥିତ ଜନତା ଏହାର ମୀମାଂସା କରନ୍ତୁ ।

 

ଦେବରାଜ କ୍ଷୀଣକଣ୍ଠରେ ପ୍ରତିବାଦ କଲା, “ମିଛ, ନିରାଟ ମିଛ । ସବୁତକ କପୋଳକଳ୍ପିତ । ମୋ ବିରୁଦ୍ଧରେ ଏହା ଏକ ସୁପ୍ରସ୍ତୁତ ଯୋଜନା । ଯଦି ମୋ ଉପସ୍ଥିତ ଗ୍ରାମବାସୀଙ୍କ ପକ୍ଷରେ ଶୁଭକାରକ ନୁହେଁ, ତେବେ ଏ ଗାଁ ଛାଡ଼ି ଚାଲିଯିବାକୁ ମୋର ଟିକିଏ ହେଲେ ଆପତ୍ତି ନାହିଁ । କିନ୍ତୁ ଏ ମିଥ୍ୟା ଅଭିଯୋଗର ପ୍ରତିବାଦ କରୁଛି । ବିଚାର ହେଉ ।’’

 

ମିଥ୍ୟା ଅଭିଯୋଗ ! ନୁହେଁ ? ଆଉ ଏ ସବୁ ଚିହ୍ନ ! ବିଧବା ନିଜ ପିଠି ଓ ଛାତିର କପଡ଼ା ଖୋଲି ଉପସ୍ଥିତ ଜନତାକୁ ଦେଖାଇ ଦେଲେ ।

 

ବିଧବାଙ୍କ ପିଠିରେ ଚାବୁକର ଚିହ୍ନ ସୁସ୍ପଷ୍ଟ । ରାତିସାରା ଫୁଲି ନାଲ ପଡ଼ିଯାଇଛି । ବେକ ମୂଳରୁ ଏବେବି ରକ୍ତ ବହୁଛି ।

 

ବିଧବା ପୁଣି ଥରେ ନିଜକୁ ସଜାଡ଼ି ନେଲେ । କହିଲେ, ମୋତେ ଅସହାୟ ଦେଖି ନିର୍ମମ ଅତ୍ୟାଚାର କରୁଛି । ପ୍ରଥମେ ପ୍ରଥମେ ମୋର ନାରୀତ୍ଵ ଅପହରଣ କରିବାକୁ ଅନୁରୋଧ ଜଣାଉଥିଲା । କିନ୍ତୁ ତା’ର ପଶୁପ୍ରବୃତ୍ତିକୁ ପ୍ରଶ୍ରୟ ନ ଦେବାରୁ ମୋତେ ପ୍ରାଣରେ ମାରି ଦେବକୁ ପଣକରିଛି । ଦୁନିଆରେ ମୋର କେହି ନାହିଁ । ସ୍ୱାମୀଙ୍କର ମୃତ୍ୟୁ ପରେ ଏକ ମାତ୍ର ତୁଷାରର ମୁହଁ ଚାହିଁ ବଞ୍ଚିଥିଲି । ତା’ର ଅକାଳ ମୃତ୍ୟୁ ହେଲା । ମୃତ୍ୟୁ ହୋଇନି ତ, ମାରି ଦିଆଗଲା । ଏଇନେ ମୋର ବି ଜୀବନ ନେବ । ନିଦ ଔଷଧ ଖାଇବାକୁ ବାଧ୍ୟ କରି, ଶିକୁଳା ଦେଇ ମୋତେ ଉପର ଘରେ ବନ୍ଦୀ କରି ରଖିଥିଲା । ସୌଭଗ୍ୟବଶତଃ ନିଦ ଭାଙ୍ଗିଗଲା । କିନ୍ତୁ ଉଚିତ ସମୟରେ ନିଦ ଭାଙ୍ଗି ଯାଇଛି । ଏତେଦିନ ପରେ ଗାଆଁଲୋକଙ୍କ ଆଗରେ ଗୁହାରି ଜଣାଇବାକୁ ସୁଯୋଗ ମିଳିଲା-। ଆପଣମାନେ ଦେବରାଜଠୁ ଏଥର ସତ୍ୟାସତ୍ୟ ବୁଝି ରାୟ ଦିଅନ୍ତୁ ।

 

ଆଗନ୍ତୁକ ଅତିଥିବୃନ୍ଦ ନିଃସହାୟ ବିଧବାର କଥା ଶୁଣୁଥିଲେ । ସେମାନେ ତା’ର କରୁଣାତ୍ମକ ବର୍ଣ୍ଣନା ଶୁଣିଲାବେଳେ ଏତେ ତନ୍ମୟ ହୋଇଯାଇଥିଲେ ଯେ, ଦେବରାଜକୁ ନଜର ରଖିବାକୁ ମନେ ପଡ଼ି ନ ଥିଲା ।

 

ସମସ୍ତେ ବିଧବା ମୁହଁରୁ ଆଖି ନେଇ ଦେବରାଜକୁ ଦେଖିଲାବେଳକୁ ସେ ଆଉ ଘର ଭତରେ ନ ଥିଲା । ଗାଁରେ ବି’ ସେ ଆଉ ମିଳିଲା ନାହିଁ ।

 

ହୁଏତ ଦେବରାଜ ଜୀବନରେ ଆଉ ଥରେ ସେ ଘର ଆଉ ଗାଁକୁ ଫେରିବାକୁ ସାହସ କରିବ ନାହିଁ । ମୁଣ୍ଡ ଉପରେ ସମସ୍ତଙ୍କର ନିନ୍ଦା, ଅପବାଦର ବୋଝ ନେଇ ଗାଁଛାଡ଼ି ଚାଲିଗଲା ।

 

ମନୋଜବାବୁଙ୍କର ଦ୍ଵିତୀୟବାର୍ଷିକ ଶ୍ରାଦ୍ଧଦିବସ ସାଙ୍ଗ ହେବାକୁ ଅନେକ ରାତି ହେଲା । ନିମନ୍ତ୍ରିତ ଅତିଥିବର୍ଗ ବିଧବାଙ୍କୁ ସହାନୁଭୂତି ମିଶା ଅଭୟ ଦେଇ ଜଣ ଜଣ ହୋଇ ବିଦାୟ ନେଲେ ।

Image

 

ଲୋହିତ ପ୍ରତୀକ୍ଷା

 

ବିଶ୍ୱାସ ଛୋଟରାୟ ହଠାତ୍ ତାଳଚେର ପାସେଞ୍ଜରରୁ ଓହ୍ଲାଇ ବିଶ୍ରାମକକ୍ଷରେ ପ୍ରବେଶ କଲେ ।

 

ମନ ଭିତରେ ସେ ବ୍ୟସ୍ତତା ଉପଲବ୍‍ଧି କରୁଥାନ୍ତି । କୌଣସି ସଂଘର୍ଷମୟ ସମସ୍ୟାର ସ୍ଥିର ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ବାରମ୍ବାର ତାକୁ ବିଶ୍ଳେଷଣ କରୁ କରୁ, ସେହି ସମସ୍ୟା ଭିତରେ ନିଜକୁ ସତେ ଅବା ହଜାଇ ଦେଇଥାନ୍ତି ।

 

କଲିକତା ପାସେଞ୍ଜର ଆହୁରି ବିଳମ୍ବ ଅଛି । ପ୍ରତୀକ୍ଷାମଗ୍ନ ମନ ତାଙ୍କର କରୁଣ କ୍ରନ୍ଦନରେ ଉଦବେଳିତ ହେବାକୁ ଲାଗିଲା ।

 

ବିଶ୍ଵାସ ଛୋଟରାୟ ! ଲମ୍ବା ହୋଇ ପତଳା ମଣିଷଟିଏ । ଆଖି ଦୁଇଟି କିନ୍ତୁ ଖୁବ୍ ଉଜ୍ଜ୍ୱଳ । ଖୋଜି ବସିଲେ ତା’ଭିତରେ ତାରୁଣ୍ୟର ଅନେକ ତରଳ ଭାଷା ବାହାରିବ । ତାଙ୍କର ଅବିନ୍ୟସ୍ତ କେଶ ବିଧି ଆଲୁଳାୟିତ ବେଶବାସ ଦେଖିଲେ ଅନୁମାନ କରିହେବ, ସେ ଖୁବ୍ ଚିନ୍ତିତ, ଖୁବ୍ ବ୍ୟସ୍ତ । ଦେଖିଲେ ମନେ ହେବ, ବିଶ୍ଵାସ ଛୋଟରାୟ କେବେହେଲେ ଯୁବକ ନ ଥିଲେ । ତାଙ୍କ ମନ ଉପବନରେ କେବେହେଲେ ଯୁବକ ସୁଲଭ ବାଚାଳ-ମଳୟ ବୋହି ନ ଥିଲା ।

 

ବିଶ୍ୱାସ ଛୋଟରାୟ ଶାନ୍ତ, କ୍ଳାନ୍ତ । ସେ ଆରାମ ଚୌକିଟି ଉପରେ ଆଖିମୁଦି ପଡ଼ି ରହିଲେ ।

 

ବିଶ୍ରାମଗାର କ୍ରମେ ଲୋକାରଣ୍ୟ ହେଲା ।

 

ଆଜିକାଲି ଏହି କର୍ମ-ତତ୍ପର, ଚଞ୍ଚଳ ପ୍ରକୃତିର ଦୁନିଆରେ ବିଶ୍ଵାସ ଛୋଟରାୟଙ୍କ ପରି ଜଣେ ଅଜ୍ଞାତ, ଅପରିଚିତ ଲୋକର କଥା ବା କିଏ କାହିଁକି ଭବନ୍ତା ?

 

ବିଶ୍ୱାସ ଛୋଟରାୟଙ୍କ ସୁଦୂର ସମ୍ବଲପୁରର ଭୁମିକାକୁ କଟକ ନଗରୀରେ ପରିକଳ୍ପନା କରାଯାଇ ପାରେନା । କେତେ ପରିବାର ତାଙ୍କରି ନିର୍ଦ୍ଦେଶକୁ ଅପେକ୍ଷା କରେ । କେତେ ମଣିଷ ତାଙ୍କରି ଆଦେଶକୁ ଶିରପାତି ବହନ କରି ନିଅନ୍ତି ।

 

ବିଶ୍ୱାସ ଛୋଟରାୟ ସମ୍ବଲପୁରର ଉଚ୍ଚ ଶ୍ରେଣୀୟ କଣ୍ଟ୍ରାକ୍ଟର । ଜିଲ୍ଲା ଭିତରେ ତାଙ୍କର ଅଶେଷ ସୁଖ୍ୟାତି ।

 

ସମ୍ବଲପୁରରେ ବସବାସ କରି ରହିବା ଅନେକ ଦିନ ହୋଇଗଲାଣି । ୟା’ରି ଭିତରେ ଜନ୍ମଭୂମି କଲିକତା କଥା ପ୍ରାୟ ଭୁଲିଗଲେଣି । ସରଳ, ଅମାୟିକ ସମ୍ବଲପୁରବାସିନ୍ଦା ତାଙ୍କ ମନ ଭିତରେ ନୂତନ ଆଲେକପାତ କରିଛନ୍ତି ।

 

କଲିକତା ସଙ୍ଗେ ଯେ ତାଙ୍କର ସମ୍ପର୍କ ପୂରାପୂରି ବିଚ୍ଛିନ୍ନ ହୋଇଯାଇଛି ସେପରି ଭାବିବା ଅନ୍ୟାୟ ହେବ । ସମ୍ପର୍କ ତିଷ୍ଠି ରହିଛି ବିଭିନ୍ନ ଚିଠିପତ୍ରର ମାଧ୍ୟମରେ । ଆତ୍ମୀୟମାନେ କଲିକତା ଫେରି ଆସିବାକୁ ବାରମ୍ବାର ଲେଖିଲେ ସେକଥାର ଉତ୍ତର ନ ଦେଇ, ଆଉ ଗୋଟିଏ କଥାର ଖିଅ ଯୋଡ଼ି ଦିଅନ୍ତି ।

 

ପିତୃମାତୃହୀନ କଲିକତା ନଗରୀରେ ହୁଏତ ବିଶ୍ୱାସ ଛୋଟରାୟଙ୍କର ଆଉ କୌଣସି ଆକର୍ଷଣ ନ ଥିଲା ।

 

କିନ୍ତୁ ଦିନେ ଦିନେ, ତାଙ୍କ ସ୍ଵଭାବ ସୁଲଭ ଚରିତ୍ରରେ ବ୍ୟତିକ୍ରମ ପରିଲକ୍ଷିତ ହୁଏ । ଘନିଷ୍ଠ ସମ୍ପର୍କରେ ଆସିଥିବା ସମ୍ବଲପୁରର କେତେକ ଦରଦୀ ବନ୍ଧୁ ସେ ବ୍ୟତିକ୍ରମକୁ ସହଜରେ ଉପଲବ୍‍ଧି କରିପାରନ୍ତି । ସେ ଦିନ ତମାମ ବିଶ୍ଵାସ ଛୋଟରାୟ କବାଟ କିଳି ଘରେ ବସନ୍ତି । ଯେତେ ବଡ଼ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଥାଉନା କାହିଁକି, ଘର ଛାଡ଼ି ସେ କୁଆଡ଼ିକି ଯାଆନ୍ତି ନାହିଁ ।

 

ସେ ଦିନ ମମତା ତାଙ୍କ ପାଖକୁ ଚିଠି ଲେଖିଥାଏ ।

 

ସୁଶ୍ରୀ, ସୁନ୍ଦରୀ ମମତା ! ବିଶ୍ୱାସ ଛୋଟରାୟଙ୍କ ମାନସଚକ୍ଷୁରେ ମମତାର ମୋହମୁଗ୍ଧ ମୁଖମଣ୍ଡଳ ଝଲସି ଉଠେ । ତା’ର ସଦାନମ୍ର ଭ୍ରୂଯୁଗଳରେ କେତେ ମାୟା ! ତା’ର ନୀଳଆଖିର କମନୀୟ କଟାକ୍ଷକୁ ବହୁଦୂରରେ ଥାଇ ବି ସେ ଉପଲବ୍‍ଧି କରିପାରନ୍ତି ।

 

ତୁମେ ବ୍ୟସ୍ତ ହେବନି ବିଶ୍ୱାସ ! ତୁମକୁ ଏ ଜୀବନରେ କେବେହେଲେ ଭୁଲିପାରିବି ନି । ନା, କେବେ ନୁହେଁ । ମୋ ଶରୀରର ପ୍ରତ୍ୟେକ ଶିରା ପ୍ରଶିରାରେ ତୁମର ଉପସ୍ଥିତିକୁ ମୁଁ ଉପଲବ୍‍ଧି କରୁଛି । ତୁମରି ଭାବନା, ତୁମରି ଚିନ୍ତା ନ କରି ମୁଁ ନିମିଷେ ମାତ୍ର ଚଳିପାରେ ନାହିଁ ?”

 

ଆଃ ମମତା ଚିଠି ଲେଖିଛି । ନୀରସ କାଗଜ ପୃଷ୍ଠାରେ ସେ ରସର ପ୍ଳାବନ ଛୁଟାଇ ଦେଇଛି । କେତେ ସୁନ୍ଦର ଟିକି ଟିକି ଅକ୍ଷର ! କେତେ ପରିଷ୍କାର ହାତଲେଖା !

 

ମମତାର ହସ୍ତଲିପିକାକୁ ସେ ଚୁମ୍ବନ କରୁ କରୁ ଭବୋଚ୍ଛ୍ୱାସରେ କହି ପକାନ୍ତି, ମୁଁ ଅପେକ୍ଷା କରିବି ମମତା, ନିଶ୍ଚୟ ଅପେକ୍ଷା କରିବି । ଏ ଅପେକ୍ଷା ଯେତେ ସୁଦୀର୍ଘ ହେଉ ନା କାହିଁକି, ସେଥିପାଇଁ ଧୈର୍ଯ୍ୟହରା ହେବି ନି । ତମେ ନିଶ୍ଚିନ୍ତ ରୁହ ।

 

ମମତା ପାଖରୁ ବେଳେବେଳେ ଉତ୍ତର ପାଇବାରେ ଅନେକ ବିଳମ୍ବ ହୁଏ । ସେ ବିଳମ୍ବ ବିଶ୍ଵାସ ଛୋଟରାୟଙ୍କ ପକ୍ଷରେ ଅସହ୍ୟ ହୋଇଉଠେ । ସେ ନାନାପ୍ରକାର ଦୁର୍ଭାବନା ଓ ଦୁଶ୍ଚିନ୍ତାରେ ପଡ଼ନ୍ତି । ତାଙ୍କର ସମସ୍ତ ଦୁଶ୍ଚିନ୍ତାକୁ ଉପହାସ କରି ଅନେକ ବ୍ୟବଧାନ ପରେ ପୁଣି ଥରେ ପତ୍ର ଆସେ ।

 

ପତ୍ର ନୁହେଁ ଯେ ଜୀବନ । ତାଙ୍କ ସ୍ଵପ୍ନ ଓ କଳ୍ପନାର ସଜୀବବାର୍ତ୍ତା । ବିଶ୍ଵାସ ଛୋଟରାୟ ମମତାକୁ ଅସ୍ଵୀକାର କରିପାରନ୍ତି ନାହିଁ । ଦିବସର ପ୍ରତିଟି ମୁହୂର୍ତ୍ତ ମମତାର ସ୍ମୃତିରେ ସାର୍ଥକ ହୋଇଉଠେ ।

 

ସେ ଏକ ଅଭିନବ ଆତ୍ମବୋଧ ।

 

ମମତା ସର୍ବଶେଷ ଚିଠିରେ ଲେଖେ, କ୍ଷମା ଦେବ ବିଶ୍ଵାସ, ଅସୁବିଧାରେ ପଡ଼ି ଉତ୍ତର ଦେଇ ନ ଥିଲି । ଏଥର ମାଙ୍କ କଥାରେ ରାଜି ହୋଇ, ମାମୁଁ ସଙ୍ଗରେ ତାଙ୍କ ଗାଁକୁ ଚାଲି ଯାଇଥିଲି । ସେଇଠି ରବୀନ୍ଦ୍ର, ସଙ୍ଗରେ ଦେଖାହେଲା । ମାଇଁ ଉପରେପଡ଼ି ଆମ ସାକ୍ଷାତକୁ ଦୃଢ଼ ଓ ଘନିଷ୍ଠ କରିବାପାଇଁ ମୋତେ ଅନୁରୋଧ, ଭଙ୍ଗୀରେ କହିଲେ, ‘ରବୀନ୍‍ ବାବୁ ନମସ୍କାର କର ମମତା ! ସେ ଖୁବ୍‍ ଭଲ ପିଲା ।’

 

ରବିନ୍ଦ୍ରକୁ ମୁଁ ସର୍ବପ୍ରଥମେ ଏକ ଶିଷ୍ଟ, ସଂଯତ ଯୁବକଭାବରେ ଆବିଷ୍କାର କରିଥିଲି ।

 

ରବୀନ୍ଦ୍ର, ସଙ୍ଗରେ କଥାବାର୍ତ୍ତା କଲାବେଳେ ତୁମର ପରିଚୟ ଓ ପ୍ରଶଂସା ଶୁଣି ମୁଁ ବିମୁଗ୍ଧା ହେଲି । କିନ୍ତୁ ତା’ପରେ କ’ଣ ହେଲା । ଶୁଣିବ ? ସେ ହଠାତ୍ ବିବାହ ପ୍ରସଙ୍ଗ ପକାଇଲା । ସେଥିରେ କୁଆଡ଼େ ମୋ ବାପା ମା ଓ ମାମୁଁ ମାଇଁଙ୍କର ପୂର୍ଣ୍ଣ ସମ୍ମତ ଥିଲା ।

 

କଥାଟା ମୋତେ ବଜ୍ରପାତ ପରି ମନେହେଲା ।

 

ସତ କହୁଛି ବଶ୍ୱାସ, ରବୀନ୍ଦ୍ର ଚାହେଁ ମୋ ସାଙ୍ଗେ ବିବାହ ପ୍ରସଙ୍ଗ ପକାଇ, ବାପ ମାଙ୍କର କଲିକତା ଘର ଓ ତାଙ୍କର ଅଗାଧ ସମ୍ପତ୍ତିର ମାଲିକ ହେବାକୁ । ସେହିଦିନଠୁ ମୁଁ ତାଠୁ ଦୂରେଇ ରହିବା ପାଇଁ ଚେଷ୍ଟା କଲି ।

 

କଲିକତା ଅସିବା ପରେ ମଧ୍ୟ ରବୀନ୍ଦ୍ର ସମ୍ପର୍କରେ ମୋତେ ଅନେକ କିଛି ଶୁଣିବାକୁ ପଡ଼ିଲା । ଆମ ଘରେ ସମସ୍ତେ ତା’ର ଶିକ୍ଷା ଦୀକ୍ଷା, ବାଣିଜ୍ୟ ବ୍ୟବସାୟ ସମ୍ପର୍କରେ ଆଲୋଚନା କରୁଥିଲେ ।

 

କିନ୍ତୁ କହି ରଖୁଛି, ସମସ୍ତ ପ୍ରତିରୋଧସତ୍ତ୍ୱେ ମୁଁ ଏ ପ୍ରସ୍ତାବକୁ ଅନ୍ୟ ଥର ପରି ପ୍ରତ୍ୟାଖ୍ୟାନ କରିବି ।

 

ବୋଧହୁଏ ଏହାହିଁ ମୋର ଶେଷ ପରୀକ୍ଷା । ପାରିଉଠିଲେ ଆମ ଦିହିଙ୍କର ବିବାହ ହେବ ବିଶ୍ଵାସ ! ତୁମେ ଅପେକ୍ଷା କରିବ ।

 

ବିଶ୍ୱାସ ଛୋଟରାୟ ସୁଦୀର୍ଘ ଦୁଇ ବର୍ଷ ହେଲା ପ୍ରତୀକ୍ଷାମଗ୍ନ ।

 

ସେହି ଦିନଠୁ ମମତାର ଉତ୍ତର ଆସି ନାହିଁ ।

 

ଏହାର ମଧ୍ୟରେ ସୁଦୀର୍ଘ ଦୁଇଟି ବର୍ଷ ଅତିବାହିତ ହୋଇଯାଇଛି । ଜୀବନର ଦୀର୍ଘ ଦୁଇଟି ବର୍ଷ ମମତାର ପ୍ରତୀକ୍ଷାରେ କଟିଗଲା ।

 

ମମତା ପାଖରୁ ବହୁ ବାଞ୍ଛିତ ଉତ୍ତର ଆସିନାହିଁ ।

 

ଏଥର ସେ କଲିକତା ଯାଇ ମମତା ସମ୍ବନ୍ଧୀୟ କିଛି ଏକ ସମାଧାନ କରିବେ ।

 

କଲିକତା ଗାଡ଼ି ପ୍ଲାଟଫର୍ମରେ ଆସି ଲାଗିଲା ।

 

ପୁଣି ଥରେ ସେଇ ହଇଚଇ, ପାଟିତୁଣ୍ଡ, ଲୋକାରଣ୍ୟ !

 

ବିଶ୍ରାମଗାରର ପ୍ରବେଶ ଦ୍ଵାର ପାଖରେ ଏକ ସୁନ୍ଦରୀ ତରୁଣୀ ସହ ଦେଖାହେଲା ।

 

ବିଶ୍ୱାସ ଛୋଟରାୟଙ୍କ ମନେହେଲା, ସେ ଝିଅଟି ସଙ୍ଗରେ କେବଳ କେଉଁଠି କେବେ ସାକ୍ଷାତ ହୋଇନାହିଁ, ନିବିଡ଼ ଆନ୍ତରିକତା ବି ଅଛି । ସେ ବିସ୍ମୟ, ବିସ୍ଫାରୀତଚକ୍ଷୁରେ ତରୁଣୀ ପାଖକୁ ଚାଲି ଆସୁଥିଲେ ।

 

ମୁଁ ବିବାହିତା ! ତରୁଣୀଟି ରହି, ରହି କାନ୍ଦିଲା କଣ୍ଠରେ କହିବାକୁ ଲାଗିଲା ।

 

ସୀମନ୍ତର ସିନ୍ଦୂର ବିନ୍ଦୁ ଦେଖି ତାହାହିଁ ତ ମନେହେଉଛି, କିନ୍ତୁ….କିନ୍ତୁ ତୁମେ ମମତା ନୁହଁ ତ ?

 

ପରିଚାରିକା କାଖରେ ଛୋଟ ପିଲାଟିଏ ନେଇ ବିଶ୍ରାମାଗାର ଭିତରେ ପ୍ରବେଶ କଲା ।

 

ଏ ପୁଅଟି ମୋର । ତରୁଣୀ ଉତ୍ତର ଦେଲା । ତା’ପରେ ପରିଚାରିକାକୁ ନିର୍ଦ୍ଦେଶ ଦେବା ଭଙ୍ଗୀରେ କହିଲା, ତାକୁ ବିଶ୍ୱାସ ବାବୁଙ୍କ ପାଦଧୂଳି ଦେ ।

 

ବିଶ୍ଵାସ ସ୍ତବ୍ଧ ହୋଇ ସେହି ତରୁଣୀକଣ୍ଠରେ ନିଜ ନାଆଁଟାକୁ ଅଦ୍ଭୁତ ଭାବରେ ଆବିଷ୍କାର କଲେ । ସେ ନାମ ଉଚ୍ଚାରଣ ସକାଶେ ତରୁଣୀଟିକୁ କୌଣସି ଚେଷ୍ଟା କରିବାକୁ ପଡ଼ିନି । ସତେ ଯେମିତ ସେ ନା’ଟା ତା’ର ମୁଖସ୍ଥ ହୋଇ ଯାଇଥିଲା ।

 

ଅଳ୍ପ ସମୟ ପରେ ସେହି ବିଶ୍ରାମ ଗୃହକୁ ହସ ହସ ମୁହଁରେ ପ୍ରବେଶ କଲେ ଜଣେ ସୁଶ୍ରୀ, ସ୍ୱାସ୍ଥ୍ୟବାନ ଯୁବକ । ତାଙ୍କ ଚକ୍ଷୁରେ ପରିପୂର୍ଣ୍ଣତାର ଦୀପ୍ତି ଥିଲା ।

 

ବୁଝିଲ ବିଶ୍ଵାସ ଦା’, ଏଇ ହେଲେ ରବୀନ୍ଦ୍ର ମଜୁମ୍‍ଦାର । ମୋର ସ୍ଵାମୀ ! ମୁଁ ୟାଙ୍କରି କଥାହିଁ ଲେଖିଥିଲି । ତରୁଣୀଟି ବିଶ୍ଵାସ ଛୋଟରାୟଙ୍କ ଉଦ୍ଦେଶ୍ୟରେ ପ୍ରକାଶ କଲା । ତା’ପରେ ସ୍ୱାମୀ ରବୀନ୍ଦ୍ରଙ୍କୁ ଚିହ୍ନାଇ ଦେବା ଉଦ୍ଦେଶ୍ୟରେ କହିଲା, ଏଇ ତ ଆମର ପୁରାତନ ବନ୍ଧୁ ବିଶ୍ଵାସ ଛୋଟରାୟ ! ଚିହ୍ନିପାରୁ ନାଁ ଯେ ! ସମ୍ବଲପୁରରେ କଣ୍ଟ୍ରାକ୍ଟରୀ କରନ୍ତି ।

 

କଲିକତା ଗାଡ଼ି ଛାଡ଼ିବାର ସଙ୍କେତ ଦେଲା ।

 

‘ସମୟ ଅତି ସ୍ଵଳ୍ପ’, ବିଶ୍ୱାସ ଛୋଟରାୟ ପ୍ରକାଶ କଲେ ‘ଦୁଃସମୟରେ ସାକ୍ଷାତ ହେଲା-।’

 

କଣ ସେ କହିଥାନ୍ତା ?

 

କିନ୍ତୁ ମମତାର କଥା ଶୁଣିବାକୁ ବିଶ୍ୱାସ ଛୋଟରାୟଙ୍କ ପାଖରେ ସମୟ କାହିଁ ? ଅତୀତକୁ, ଅତୀତର ସ୍ମୃତି ବିଜଡ଼ିତ ଘଣାବଳୀକୁ ବୁଜୁଳା ବାନ୍ଧି ସେ ରେଳ ଚକ ତଳେ ଗଡ଼ାଇ ଦେଲେ ।

 

କଲିକତା ନଗରୀରେ ନୂଆ ମମତାଟିଏ ଯୋଗାଡ଼ କରିବା ବିଶ୍ଵାସ ଛୋଟରାୟଙ୍କ ପକ୍ଷରେ କ’ଣ ସମ୍ଭବ ହୋଇ ପାରିବନି ?

Image

 

ଦୁର୍ନୀତି

 

ଗ୍ରାମର ନାଁ ସୁନ୍ଦରପୁର–

 

ସୁନ୍ଦରପୁର ଗ୍ରାମର ନବ ନିର୍ବାଚିତ ସଭାପତି ରଙ୍ଗନାଥ ।

 

ଗ୍ରାମ ସଭା ଉପରେ ତାଙ୍କର ସାର୍ବଭୌମ କର୍ତ୍ତୃତ୍ଵ । ରଙ୍ଗନାଥଙ୍କୁ ବିରୋଧ କରି କିଛି କରିବା ବା କହିବା ସକାଶେ କାହାରି ସାହସ ନାହିଁ । ଭାରତର ନବ ପ୍ରଚଳିଚ ପଞ୍ଚାୟତରାଜ ସତେ ଅବା ରଙ୍ଗନାଥଙ୍କ ପାଇଁ ଜନ୍ମଲାଭ କରିଛି ।

 

ରଙ୍ଗନାଥ ବାବୁଙ୍କର ପୈତୃକ ସମ୍ପତ୍ତି ଓ ବଂଶ ଆଭିଜାତ୍ୟ ତାଙ୍କୁ ଏହି ସମ୍ମାନଜନକ ଆସନରେ ଅଧିଷ୍ଠିତ କରିପାରିଛି । ସଭାପତି ହେବାପରେ ସେ ଏକପ୍ରକାର ଅଞ୍ଚଳର ନେତା ପାଲଟି ଯାଇଛନ୍ତି ।

 

କିନ୍ତୁ ତାଙ୍କର ଅତୀତର କାହାଣୀ ଶୁଣିବେ ?

 

ବାପା ଥିଲାବେଳେ ଗାଁର ପ୍ରାଇମେରୀ ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ ସହରରେ ଜଣେ ବନ୍ଧୁଙ୍କ ଘରେ ରହି ପ୍ରଥମେ ପାଠ ପଢ଼ୁଥିଲେ ।

 

ସହର ଜୀବନ କଥା । ଗାଁ ପରି ମୁଣ୍ଡଉପରେ ପାରିବାରିକ ଦାୟୀତ୍ଵ ନାହିଁ । ସ୍କୁଲ ସମୟ ଗଡ଼ିଗଲେ ତେଣିକ ଆଉ ପଚାରେ କିଏ ? ସହର ଭିତରେ ବୁଲାଚଲା କରିବାକୁ ଅନେକ ସ୍ଥାନ । ଦେଖିବାକୁ ଅନେକ ବିଷୟ । ରଙ୍ଗନାଥ ଜାଣିଶୁଣି ମଉଜିଆ ବନ୍ଧୁଙ୍କ ସଙ୍ଗେ ସଙ୍ଗ ହେଲେ । ବୁଲାବୁଲି କରିବାରେ ଅଧିକାଂଶ ସମୟ ଚାଲିଗଲା ।

 

ଗାଁର କୌଣସି ପିଲା ଇତିପୂର୍ବରୁ ସହରକୁ ଯାଇ ଇଂରାଜୀ ସ୍କୁଲରେ ନାଁ ଲେଖାଇ ନ ଥିଲେ । ସେହି ଦୃଷ୍ଟିରୁ ରଙ୍ଗନାଥଙ୍କର ଅନେକ ଗର୍ବ ।

 

ରଙ୍ଗନାଥଙ୍କର ବାପା କହୁଥଲେ, ସେ କେବଳ ତାଙ୍କରି ଘରର ଗର୍ବ ନୁହେଁ, ଗାଁର ଗର୍ବ–ଅଞ୍ଚଳର ଗର୍ବ । ତା’ ପାଇଁ ସିନା ସହରରେ ଏହି ଅଜ୍ଞାତ ଗାଁର ନାଁ ପଡ଼ୁଛି !

 

ଗ୍ରାମବାସୀମାନେ ଏ କଥା ଶୁଣି ସମ୍ମତିସୂଚକ ମୁଣ୍ଡ ଟୁଙ୍ଗାରନ୍ତି । ରଙ୍ଗନାଥ ଗାଁର ଗର୍ବ ନୁହେଁ ତ ଆଉ କ’ଣ ? କାଲି ତା’ର ପାଠପଢ଼ା ଶେଷ ହେବ । ଏତେ ପାଠପଢ଼ି ସେ କଅଣ ଅଫିସରଟିଏ ହେବ ନାହିଁ ? ଯେଉଁସ୍ଥାନକୁ ଯିବ, ଲୋକେ କହିବେ, ଅମୁକ ଗାଁର ପିଲା ଅଫିସର ହୋଇଛି ।

 

ରଙ୍ଗନାଥ କିନ୍ତୁ ଅନ୍ୟ ପ୍ରକାର ସମୟ କଟାଉଥିଲେ । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ବନ୍ଧୁବାନ୍ଧବଙ୍କ ସଂଖ୍ୟା ମଧ୍ୟ ବଢ଼ିଲା । ଚାଉଳ ବିଞ୍ଚିଲେ ସହସ୍ର କାକ । ଖର୍ଚ୍ଚ କଲେ ଅନେକ ବନ୍ଧୁ । ରଙ୍ଗନାଥଙ୍କର ବନ୍ଧୁମହଲରେ ଛାଏଁ ସୁନାମ ହୋଇଗଲା । ପିଲାଏ ତାଙ୍କ ସଙ୍ଗେ କଥାବାର୍ତ୍ତା କରି ଘଣ୍ଟାଘଣ୍ଟା ବିତେଇ ଦେଲେ ।

 

ରଙ୍ଗନାଥଙ୍କର ଏ ହାବଭାବକୁ ଅଭିଭାବକ ସହ୍ୟ କରି ପାରିଲେ ନାହିଁ । ମନ କଷ୍ଟ କରିବ ବୋଲି ତାଙ୍କ ଆଗରେ ସିନା କିଛି କହିପାରିଲେ ନାହିଁ । ଭିତିରିଆ ଚିଠି ଖଣ୍ଡେ ଲେଖି ବନ୍ଧୁଙ୍କ ପାଖକୁ ପଠାଇ ଦେଲେ । କିନ୍ତୁ ଫଳ ଫଳିଲା ଓଲଟା । ରଙ୍ଗନାଥଙ୍କ ବାପା ରଙ୍ଗନାଥଙ୍କୁ ସତର୍କ କରି ଚିଠି ଲେଖିବା ପରିବର୍ତ୍ତେ ସହରକୁ ଆସି ପୁଅକୁ ହଷ୍ଟେଲରେ ରହିବାପାଇଁ ବନ୍ଦୋବସ୍ତ କରିଦେଲେ ।

 

ହଷ୍ଟେଲ୍‍ ଜୀବନ ବିଚିତ୍ର ଜୀବନଟିଏ ନିଶ୍ଚୟ । ପିତାମାତାଙ୍କ ସତର୍କ ଦୃଷ୍ଟି ନାହିଁ କି ଅଭିଭାବକଙ୍କ କର୍ତ୍ତୃତ୍ଵ ନାହିଁ । ନିଜକୁ ନିଜେ ଜଗି ନ ପାରିଲେ, ଅନ୍ୟ କେହି ଆସି ସଜାଡ଼ି ଦେବେ ନାହିଁ । ଦାୟିତ୍ତ୍ଵହୀନ ଛାତ୍ର ସକାଶେ ଲଗାମ କାହିଁ ?

 

ରଙ୍ଗନାଥଙ୍କ ଜୀବନରେ ବିଚିତ୍ର ପରିବର୍ତ୍ତନ ହେଲା । ସେ ପରିବର୍ତ୍ତନ ମନ୍ଦଦିଗକୁ ଗତି କରୁଛି କି ଭଲ ଦିଗକୁ ଗତି କରୁଛି, ସେ କଥା ବିଚାର କରି ଦେଖିବାର ଯୋଗ୍ୟତା ତାଙ୍କର ନ ଥିଲା । ଯେଉଁ ବୟସରେ ଶୃଙ୍ଖଳା ଆବଶ୍ୟକ ସେ ବୟସରେ ସେ ଅଶୃଙ୍ଖଳ ହୋଇପଡ଼ିଲେ ।

 

ଅବିବାହିତ ଜୀବନର ସ୍ଵପ୍ନ ଅନେକ, କଳ୍ପନା ଅନେକ । ଯୌବନ ପାହାଚରେ ପାଦଦେବା ମାତ୍ରେହିଁ ଅଦ୍ଭୁତ ଖିଆଲ ସବୁ ଆସି ମନ ଭିତରେ ବସାବାନ୍ଧେ ନବଯୁବକ ଭାବିବାକୁ ଭଲପାଏ ଯେ ସେ ଅନେକ ବଡ଼ ହୋଇଯାଇଛି । ତାରି କଥାକୁ ଯିଏ ସମର୍ଥନ କଲା ସେ ହୁଏ ଆପଣାର ବନ୍ଧୁ ଯିଏ ବରୋଧ କଲା ସେ ପରମ ଶତ୍ରୁ ।

 

ଏଇ ନିୟମରେ ରଙ୍ଗନାଥଙ୍କର ଅନେନ ବନ୍ଧୁ ଶତ୍ରୁ ହୋଇ ଉଠିଲେ ଓ ଅନେକ ଶତ୍ରୁ, ବନ୍ଧୁ, ହେଲେ । ପାଠପଢ଼ାରେ ମନରହିଲା ନାହିଁ । ସ୍କୁଲ ପାଠକୁ ପଚାରେ କିଏ ? କହିବାକୁ ବା କିଏ ଅଛି ? ହଷ୍ଟେଲ୍ କର୍ତ୍ତୁପକ୍ଷଙ୍କର ଏତେ କଥା ବୁଝିବାକୁ ବେଳ କାହିଁ ? ସେ ତାଙ୍କର ଲଗାମହୀନ ମନଦ୍ଵାରା ପରିଚାଳିତ । ବିବେକର ପ୍ରଶ୍ନ ଉଠୁନି ।

 

ରଙ୍ଗନାଥ ଲାଗ ଲାଗ ଦି ଥର ଫେଲ୍ ହେଲେ । କିନ୍ତୁ ଫେଲ୍ ଖବର ବାପା ଜାଣିପାରିଲେ ନାହିଁ । ପୁଅର ଉନ୍ନତି ପାଇଁ ସେ ଖର୍ଚ୍ଚ ଉପରେ ଖର୍ଚ୍ଚ କରୁଥାନ୍ତି । ବେଶ ପୋଷାକ, ମଉଜମଜଲିସ୍ ପାଇଁ କୌଣସି ଚିନ୍ତା କରିବାକୁ ପଡ଼ିଲା ନାହିଁ ।

 

ରଙ୍ଗନାଥଙ୍କୁ ଯେତେବେଳେ ମାତ୍ର ସତର ବର୍ଷ ବୟସ, ବାପା ମା ତାଙ୍କ ପାଇଁ ଅଞ୍ଚଳ ସାରା ଛାଣିଆଣି, ଶୁଆନାକୀ-ସୁନ୍ଦରୀ-ଝିଅଟିଏ ଯୋଗାଡ଼ କଲେ । ନିର୍ବନ୍ଧ ବି ସରିଗଲା । ରଙ୍ଗନାଥଙ୍କ ପାଖକୁ ଡାକରା ଗଲା ।

 

କିନ୍ତୁ ରଙ୍ଗନାଥଙ୍କ ଇଚ୍ଛାଥିଲା, ସେ ସହରୀ ଝିଅଟିଏ ବାଛି ବିବାହ କରନ୍ତେ । ତା’ର ବେଶଭୂଷଣରେ ଯଥେଷ୍ଟ ଜ୍ଞାନ ଥାଆନ୍ତା । ପାଖରେ ବସି ଗୀତ ଗାଇ ପାରନ୍ତା । ରଙ୍ଗମଞ୍ଚର ଅଭିନେତ୍ରୀ ପରି ତବଲା ସଙ୍ଗରେ ତାଳ ଦେଇ ନାଚି ପାରନ୍ତା । ତା’ ଚାହାଣିରେ ରୂପସୀ ଉର୍ବଶୀର ରୂପକଥା ଲେଖି ହୋଇଥାନ୍ତା । ସେକଥା ହେଲା ନାହିଁ । ବାପା ମା ଯୋଗାଡ଼ କଲେ ପଲ୍ଲୀମାଳର ଅଶିକ୍ଷିତା ଝିଅଟିଏ । ଯିଏ ସହରର ସଡ଼କ ଦେଖିନାହିଁ, ସେ କି କେବେ ସହରୀ ଝିଅପରି ସୁନ୍ଦରୀ ହୋଇପାରେ ? ତଥାପି ବାପ ମା’ଙ୍କ କଥା ନ ମାନିବାର ଉପାୟ ନାହିଁ ।

 

ରଙ୍ଗନାଥ ନିଜ ଅନିଚ୍ଛାରେ ବାଧ୍ୟ ହୋଇ ନିର୍ଦ୍ଦିଷ୍ଟ ତାରିଖରେ ଗାଁରେ ପହଞ୍ଚିଲେ ।

 

ଦାଣ୍ଡପିଣ୍ଡାରେ ଶଙ୍ଖ ମହୁରି ବାଜୁଥାଏ । ଘରେ ଅତିଥି ଅଭ୍ୟାଗତ ଜମା ହୋଇ ସାରିଥାନ୍ତି । ପ୍ରତିବାଦ କରିବାର ଯୁ ନାହିଁ । ରଙ୍ଗନାଥ ବରବେଶ ହୋଇ ବାହା ବେଦିରେ ବସିଲେ-

 

ତାଙ୍କର ବିବାହକାଳୀନ ଅବସ୍ଥା ବର୍ଣ୍ଣନାତୀତ । ପାଖରେ ବସିଥିବା ଓଢ଼ଣା-ଘୋଡ଼ା ପତ୍ନୀକୁ ଦେଖି ରାଗ ଆଉ ଘୃଣାରେ ହୋମକାଠର ଅଗ୍ନିପରି ସେ ଜଳି ଜଳି ଯାଉଥାନ୍ତି, ମନେମନେ ଭାବୁଥାନ୍ତି, ବେଦି କାମ ସରିବା ପରେ ପରେ ସହରକୁ ଫେରିଯିବେ ।

 

କିନ୍ତୁ ମିଳନର ମଧୁରାତିରେ ସେ ସିଦ୍ଧାନ୍ତ ମଉଳିଗଲା । ଅଜ୍ଞାତ, ଅପରିଚିତ ପଲ୍ଲୀକନ୍ୟା ସୀତାକୁ ଦେଖି ସେ ମୋହିତ ହେଲେ ।

 

କଅଁଳ ଛନଛନ ସୁନ୍ଦରୀ ଝିଅଟିଏ । ଟଣ। ଟଣା ଭୂରୁ ! ଫୁଟିଲା ମନ୍ଦାର ପରି ଲାଲ ଟହ ଟହ ଓଠ । ପୁନେଇ ଜହ୍ନ ପରି ମୁହଁ । ଶୁକପକ୍ଷୀର ଚଞ୍ଚୁପରି ସରୁ ଆଉ ଧାରୁଆ ନାକ । ଗାଲରେ ଫୁଟିଲା ଗୋଲାପର ଲାବଣ୍ୟ । ଆଉ ତା’ର ଦେହ ? ସେଇଠି ପଲ୍ଲୀ ପ୍ରକୃତିର ସବୁ ଶୋଭା ସମ୍ପଦ ଠୁଳ ହୋଇଛି । ଅକ୍ଷତ ଅବିକୃତ ସୀତା ରୂପ କନ୍ୟାର ପ୍ରତୀକରୂପେ ଦେଖାଦେଲା ତା’ର ସ୍ନିଗ୍ଧ ସଲ୍ଲଜ ଚାହାଁଣି, ନମ୍ର କମ୍ର କଥାଭାଷା ରଙ୍ଗନାଥଙ୍କୁ ଅଶେଷ ଆନନ୍ଦ ଦେଲ ।

 

ତା’ପରେ ?

 

ରଙ୍ଗନାଥ ସ୍କୁଲଘରକୁ ପାଶୋରି ଦେଲେ । ପିତା ମଧ୍ୟ ତାଙ୍କୁ ଫେରିଯିବାକୁ ବଳାଇଲେ ନାହିଁ । ଘରେ ଛୋଟ ବଡ଼ ଦାୟୀତ୍ଵ ନେଇ ପଡ଼ି ରହିଲେ । ପିତାଙ୍କର ମୃତ୍ୟୁ ପରେ ସେ ହେଲେ ପରିବାରର ସର୍ବମୟ କର୍ତ୍ତା ।

 

ପାଞ୍ଚଟି ବର୍ଷ ପାଣିଧାର ପରି ବୋହିଗଲା ।

 

ଏଇନେ ରଙ୍ଗନାଥ ଗ୍ରାମ ସଭାର ସଭାପତି । ଏଇ ପଦବିଟା ସତେ ଯେମିତି ତାଙ୍କ ପାଇଁ ଆପେ ଆପେ ସୃଷ୍ଟି ହୋଇଥିଲା । ସେ ଏଇ ପଦବିର ସମସ୍ତ ସୁବିଧା ସୁଯୋଗ ନେଲେ । ଗାଁରେ ଦି ଦଳ ସୃଷ୍ଟି କରି ପ୍ରତ୍ୟେକ ଦଳକୁ ହଇରାଣ ହରକତ କରିବା ବି ସେ ପଦବିର ମାହାତ୍ମ୍ୟ ଥିଲା । ଏଇ ପ୍ରଣାଳୀରେ ସେ ବେଶ୍ ଦି ପଇସା ‘ଉପୁରି’ ଉପାର୍ଜନ କଲେ । ତାଙ୍କ ପାଖକୁ କେହି ପରମର୍ଶ ମାଗିବାକୁ ବା ଉପଦେଶ ନେବାକୁ ଆସିଲେ ପନିପରିବା ଗୁଡ଼ ଘିଅର ଭାର ନେଇ ଆସୁଥିଲେ । ତା’ପରେ ଟଙ୍କା ପଇସାର ଅଲଗା ହିସାବ ରହିଛି । ଗାଁରେ କନ୍ଦଳ ବା ଗଣ୍ଡଗୋଳ ନ ହେଲେ ଏ ଉପାର୍ଜନଟା ମାନ୍ଦା ପଡ଼ି ଆସେ । ତେଣୁ ଦଳ ସୃଷ୍ଟି କରିବା ସେ ବ୍ୟବସାୟର ଏକ ଲାଭବାନ ଦିଗ । ରଙ୍ଗନାଥ ଅବସ୍ଥା ଦେଖି ଆଗରୁ ଆହୁଲା ମାରି ଘଟଣାକୁ ସଜାଡ଼ି ରଖୁଥିଲେ । ବ୍ୟବସାୟଟା ମନ୍ଦ ଚଳୁ ନ ଥିଲା ।

 

ଦୁର୍ନୀତିର ଅନେକ ଗୋଡ଼, ଅସଂଖ୍ୟ ହାତ । ବହୁଦୂରକୁ ସେ ଚାଲିଯାଇ ପାରେ, ଅନେକ ଆଡ଼କୁ ହାତ ପତାଇ ପାରେ । ଭଲ ମନ୍ଦର ହିସାବ ନ ରଖି ହାତରେ ଯାହାପଡ଼େ ପଇଠ କରେ । ରାସ୍ତାରେ ନ ଚାଲି ଅରାସ୍ତାରେ ଚାଲେ । ପାଦରେ ପଙ୍କ ଲାଗିବା ଜାଣିଲେ, ପାଣିରେ ଧୋଇଦେଇ ଭାବେ, ଏଥର ସେ ପରିଷ୍କାର ହୋଇଯାଇଛି ।

 

ବୟସ ବଢ଼ିବା ସଙ୍ଗେ ସଙ୍ଗେ ବୟସର ମୋହ ମଧ୍ୟ ବଢ଼ି ଯାଉଥଲା । ଦୁର୍ନୀତିର ସେ ଆଉ ଏକ ପାହାଚ । ସୀତାର ସୁନ୍ଦର ମୁହଁ ମଳିନ ପଡ଼ି ଆସୁଥିଲା । ସ୍ଵାର୍ଥପର, ଦୁର୍ନୀତିପରାୟଣ ରଙ୍ଗନାଥ ବିବାହିତା ପତ୍ନୀର କୌଣସି ଯତ୍ନ ନେଲେ ନାହିଁ । ପାଞ୍ଚଟି ବର୍ଷ ଯେଉଁ ରୂପ, ଯେଉଁ ଦେହ ସଙ୍ଗରେ ଲତା ପରି ରୁନ୍ଦୁରି ହୋଇଯାଇଥିଲେ, ସେ ଦେହର ସ୍ପର୍ଶ ତାଙ୍କୁ କଣ୍ଟକିତ ମନେ ହେଲା । ନୂତନ ରୂପ, ନୂତନ ଗନ୍ଧ ଖୋଜି ବସିଲେ ।

 

ସଭାପତି ରଙ୍ଗନାଥଙ୍କ ସମସ୍ତ ଅତ୍ୟାଚାରକୁ ଲୋକେ ଅନନ୍ୟୋପାୟ ହୋଇ ବରଦାସ୍ତ କରି ନେଲେ । ଏତେ ବଡ଼ ନେତାଙ୍କ ବିରୋଧରେ ପୁଣି ମୁହଁ ଖୋଲିବେ ? ତାଙ୍କରି ନାଁ ତ ବଡ଼ ବଡ଼ ଖବରକାଗଜରେ ବାହାରେ । ଯେତେକ ଯାକ ଅଫିସର ଅମଲା ଆସନ୍ତି ତାଙ୍କରି ଆତିଥ୍ୟ ଗ୍ରହଣ କରନ୍ତି । ଯୋଜନା କର୍ମଚାରୀମାନେ ତାଙ୍କର କଥାକୁ ପ୍ରଥମେ ବିଚାର କରନ୍ତି । ସମସ୍ତଙ୍କ ମୁହଁରେ ପ୍ରଶଂସା ଭରିଯାଏ । ଏଭଳି ସ୍ଥଳେ ତାଙ୍କ ସାମନାରେ ଛିଡ଼ା ହେବା କ’ଣ ସହଜ କଥା ?

 

ଦିନେ ସୁନ୍ଦରପୁରରେ ଗ୍ରାମଗୋଷ୍ଠୀ ବିଭଗରୁ ସଭା ହେବାର ବନ୍ଦୋବସ୍ତ ହେଲା ।

 

ରଙ୍ଗନାଥ ଗାଁର ଲମ୍ବା ଲିଷ୍ଟ ଧରି ପ୍ରତି ପରିବାର ପିଛା ଚାନ୍ଦା ପରିମାଣ ଅଙ୍କିତ କଲେ । ଗାଁକୁ ନୂତନ କରି ମୋଟର ଆସୁଥିବାରୁ ଅସ୍ଥାୟୀ ରାସ୍ତାଟିଏ ବି ପ୍ରସ୍ତୁତ କରାଗଲା ।

 

ରଙ୍ଗନାଥଙ୍କ ମନ ଭିତରେ ଅସଂଖ୍ୟ ଯୋଜନା । ବ୍ଲକ୍‍ ଅଫିସରଙ୍କୁ ସନ୍ତୁଷ୍ଟ କରିପାରିଲେ ବ୍ଲକ୍‍ର ସବୁ କଣ୍ଟ୍ରାକ୍ଟରୀ କାମ ହାତକୁ ଆସିବ । ତେଣିକି ନେଇ ଆଣି ଥୋଇପାରିବା କଥା । ଭବିଷ୍ୟତର ଅନେକ ସୁନେଲୀ କଳ୍ପନା ଆଖିଆଗରେ ଝଲସି ଉଠିଲା ।

 

ସଭା ଦିନ ପାଖେଇ ଆସିଲା । ସମସ୍ତ ପ୍ରସ୍ତୁତି ଶେଷ ହେଲା । ବ୍ଲକ୍ ଅଫିସର ଗାଁଦାଣ୍ଡରେ ଧୂଳି ଉଡ଼ାଇ ମୋଟରରେ ଯେତେବେଳେ ଚାଲିଆସିଲେ, ରଙ୍ଗନାଥ ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ ।

 

ପିଲଦନର ପାଠପଢ଼ା ସାଥି ବିଶ୍ଵନାଥ ବ୍ଲକ୍‍ ଅଫିସର ରୂପେ ସୁନ୍ଦରପୁରକୁ ଆସିଥିଲେ ।

 

ଉଭୟେ ଉଭୟଙ୍କର ପରିଚୟ ପାଇ ମୋହିତ ହେଲେ ।

 

ବିଶ୍ଵନାଥଙ୍କ ସଙ୍ଗରେ ଆସିଥିବା ମହିଳା କର୍ମୀ ଦି ଜଣ ଆଖି ଠରାଠରି ହୋଇ ହସୁଥାନ୍ତି-। ତାଙ୍କ ଅଖିରେ ବିଜୁଳି ଥିଲା ନାଁ କ’ଣ ? କେଡ଼େ ଟାଣୁଆ ସେ କଟାକ୍ଷର ଧାର । ରଙ୍ଗନାଥ ବାବୁଙ୍କ ଛାତିରେ ସେ କଟାକ୍ଷର ଧାର ଗାର ପକାଇ ଦେଉଥାଏ । ମନ ଭିତରଟା ଖଣ୍ଡ ଖଣ୍ଡ ହୋଇ ଯାଉଥାଏ । ସେ ସେମାନଙ୍କୁ ତରାଟି ତରାଟି ଚାହୁଁଥାନ୍ତି । ଭାବୁଥାନ୍ତି, କେତେ ସୁନ୍ଦର ସେ ଝିଅଗୁଡ଼ିକ ସତରେ !

 

ମହଳାକର୍ମୀ ଦି ଜଣ ବୁଝିଲେ, ସେମାନେ ଅଫିସରଙ୍କ ବନ୍ଧୁ ରଙ୍ଗନାଥଙ୍କ ଛାତିରେ କେଉଁ ଅଂଶକୁ ସ୍ପର୍ଶ କରିଛନ୍ତି ।

 

ରଙ୍ଗନାଥ ଦିନେ ଚାହିଁଥିଲେ, ଏମିତ ସହରୀ ଶିକ୍ଷିତା ଝିଅ ବାଛି ବାଛି ବିବାହ ହେବେ । ଅନେକ ଦିନ ପରେ ସେ କଥା ମନେପଡ଼ିଲା । ସେ ଭାବିବାକୁ ଲାଗିଲେ, ସହରୀ ଝିଅମାନଙ୍କ ମୁହଁର ତେଜ ସହଜରେ ମହଲଣ ପଡ଼େ ନାହିଁ । ସେମାନଙ୍କ ଶରୀରର ସୁବର୍ଣ୍ଣ ରଙ୍ଗ ‘ସୀତା’ ପରି ଏଡ଼େ ଚଞ୍ଚଳ ପାଂଶୁଳ ହୋଇଯାଏନି । ସହରୀ ଝିଅ ରୂପଚର୍ଚ୍ଚା ଜାଣେ । ସେ ଯୌବନର ମୋହିନୀ ମନ୍ତ୍ର ଶିଖିଛି । ସେଇଥିପାଇଁ ସୀତା ଆଉ ଏ ସହରୀ ଶିକ୍ଷିତା ଝିଅଙ୍କ ମଧ୍ୟରେ ଏତେ ବ୍ୟବଧାନ ! ସେ ବ୍ୟବଧାନ ତିଳ ଆଉ ତାଳର । ଜଣକର ବ୍ୟକ୍ତିତ୍ୱ ଅନ୍ୟ ଜଣକୁ ଘୋଡ଼ାଇ ଦିଏ ।

 

ସଭାବେଳ ପାଖେଇ ଆସୁଥାଏ ।

 

ତରୁଣୀ କର୍ମଚାରୀ ଦି ଜଣ ସେକଥା ମନେପକାଇ ଦେବାରୁ ଦୁଇବନ୍ଧୁ ରଙ୍ଗନାଥ ଓ ବିଶ୍ୱନାଥ ସଭାମଣ୍ଡପକୁ ଆସିଲେ । ରଙ୍ଗନାଥ ସଭାପତି ହେଲେ ଓ ବ୍ଲକ୍‍ ଅଫିସର ମୁଖ୍ୟ ଅତିଥିଭାବରେ ବନ୍ଧୁଙ୍କର ଅନେକ ପ୍ରଶଂସା କଲେ । ପରିଶ୍ରମ ଓ ଚରିତ୍ର ଗଠନ ଉପରେ ଘୋଷାପାଠ ପର ଅନର୍ଗଳ ବକି ଗଲେ । ଲେକେ ତାଜୁବ ହୋଇ ସେକଥାକୁ ମନ ଦେଇ ଶୁଣୁଥାନ୍ତି-। ବାହାବା କରି ତାଳି ମାରୁଥାନ୍ତି । ନିମିଷକ ଭିତରେ ଅଫିସରଙ୍କ ପ୍ରଶଂସା ଚହଟି ଗଲା । ଅସଲ ଯୋଜନା କଥା ପଡ଼ିଲା ନାହିଁ ।

 

ସଭା ଶେଷ ହେବାପରେ ବ୍ଲକ୍ ଅଫିସର ବିଶ୍ୱନାଥ, ଅଧସ୍ତନ ମହିଳା କର୍ମଚାରୀମାନଙ୍କ ସଙ୍ଗରେ ବନ୍ଧୁ ରଙ୍ଗନାଥଙ୍କର ଆତିଥ୍ୟ ଗ୍ରହଣ କଲେ ।

 

ରଙ୍ଗନାଥଙ୍କର ଘରର ଚର୍ଚ୍ଚ। ବୁଝିବାକୁ ଅଶିକ୍ଷିତ ସୁନ୍ଦରପୁର ଗ୍ରାମର ଦୁଇଟି ନବବିକଶିତ ତରୁଣୀ କନ୍ୟା ନିୟୋଜିତ ହୋଇଥିଲେ । ସେମାନେ ଏତେବଡ଼ ଦାୟିତ୍ଵ ସମ୍ପନ୍ନ ବ୍ଲକ୍ ଅଫିସରଙ୍କ ଚର୍ଚ୍ଚା ବୁଝିବାକୁ ନିଜର ସୌଭଗ୍ୟ ବୋଲି ମନେ କରୁଥିଲେ । ତା’ପରେ ରଙ୍ଗନାଥଙ୍କ କଥାର ତ ମୁଲ୍ୟ ଅଛି ? ସକାଳ ପାହିଲେ ପ୍ରତ୍ୟହ ଦେଖା ସାକ୍ଷାତ । ସଭାପତି ହିସାବରେ ଗାଁର ଭଲ ମନ୍ଦ ବୁଝୁଛନ୍ତି । କଥାକୁ ଟାଳିଦେଲେ, ବେଳପଡ଼ିଲେ ଆଖି ଟେକି ଚାହିଁବେ ନାହିଁ । ସେଇଥି ପାଇଁ ତାଙ୍କ ଅନୁରୋଧକୁ ଟାଳି ଦେବାକୁ ଅଭିଭାବକମାନେ ମଧ୍ୟ ସାହସ କରି ପାରିଲେ ନାହିଁ ।

 

ସେ ଦିନ ସଭାର ବକ୍ତୃତା ଯିଏ ଶୁଣିଛୁ, ଅଫିସରଙ୍କ ଚରିତ୍ରରେ ସ୍ଖଳନ ଥିବା କଥା କ’ଣ ବିଶ୍ୱାସ କରି ପାରିବ ?

 

ବିଶ୍ୱନାଥ କିନ୍ତୁ ସେ ଦିନ ରାତ୍ରିରେ ନିଜ ମର୍ଯ୍ୟାଦା କଥା ସମ୍ପୂର୍ଣ୍ଣ ରୂପେ ଭୁଲିଗଲେ । ବନ୍ଧୁ ସଙ୍ଗରେ ବିଦେଶୀ ମଦ ବୋତଲ ଓ ଦିବ୍ୟଭୋଜନ ନିଃଶେଷ କରି ସାରିବା ପରେ ଦେହର ଭୋକ ବଢ଼ିଗଲା । ଅନଭିଜ୍ଞା ପଲ୍ଲୀବାଳାର ସୁସ୍ଥ ସୁନ୍ଦର ଯୌବନ ତାଙ୍କ ମନ ଭିତରେ ରୂପର ଅଶାନ୍ତ ତୃଷ୍ଣା ବାଢ଼ିଦେଲା । ସେ ସେହି ନୀରିବ ନିର୍ଜନ ରାତ୍ରିରେ ଅଶିକ୍ଷିତା ପଲ୍ଲୀବାଳା ଆଗରେ ପ୍ରେମ ନିବେଦନ ଜ୍ଞାପନ କଲେ ।

 

ଆଉ ରଙ୍ଗନାଥ ?

 

ମହିଳା କର୍ମଚାରୀମାନଙ୍କ ଅସଂଯତ ପଣତ ତଳେ ଶୋଇ ଶୋଇ ବିଗତ ଦିନର ସୁନେଲୀ କଳ୍ପନାକୁ ନୂତନ ରୂପ ଦେଉଥିଲେ । ତାଙ୍କ ଜୀବନକାଳଭିତରେ ସେଇ ରାତିଟା ସତେ ଯେମିତି ଏକ ସୁନ୍ଦର ସାର୍ଥକ ରାତି !

 

ସୀତା ହୁଏତ ମନ ଦୁଃଖରେ ଘରର କେଉଁ ଏକ ଅପନ୍ତରା ଚଟାଣରେ ଶୋଇ ଶୋଇ କରୁଣଭାବରେ କାନ୍ଦୁଥିଲା....

 

ବ୍ଲକ୍‍ ଅଫିସର ବିଶ୍ୱନାଥ ଭାବୁଥିବେ; ବ୍ଲକ୍‍ ଜୀବନର ଟୁରିଙ୍ଗ୍‍ଟା ସବୁବେଳେ ରଙ୍ଗହୀନ ନୁହେଁ । ରଙ୍ଗନାଥ ପରି ବନ୍ଧୁଥିଲେ, ସେ ଜୀବନଟା ବେଳେବେଳେ ଖୁବ୍ ଜମି ଉଠେ ।

 

ଦୁର୍ନୀତି...

 

ଦୁଇଟି ଦୁର୍ନୀତି ପରାୟଣ ବନ୍ଧୁଙ୍କର କାମନା ଯଜ୍ଞରେ ଯେଉଁ ଭୀରୁ ରମଣୀମାନେ ନିଜ ନିଜକୁ ଆହୁତି ଦେଇଥିଲେ, ସେମାନେ ଥିଲେ ଅବସ୍ଥାର ଦାସ । ସେମାନଙ୍କ ଆଖିରେ ନିର୍ଦ୍ଦିଷ୍ଟ ସ୍ୱପ୍ନ କିଛି ନ ଥିଲା । ଦାୟିତ୍ଵ ଓ କର୍ତ୍ତବ୍ୟବୋଧ ସଙ୍ଗେ ନିଜ ଜୀବନର ଦୁରାବସ୍ଥା ସେମାନଙ୍କୁ ଶୃଙ୍ଖଳିତ କରି ଦେଇଥିଲା । ଆପତ୍ତି କରିବାର ସମସ୍ତ ରାସ୍ତା ଅବରୋଧ ହୋଇ ଯାଇଥିଲା ।

 

ଏ ଦୁର୍ନୀତି ଦେଖି ଅସ୍ଥିର ରାତ୍ରି ରାଗରେ ଓଠକାମୁଡ଼ି ଦେଇଥିଲା । ସେ ରହି ରହି ଦୀର୍ଘ ନିଶ୍ଵାସ ନେଉଥିଲା ।

 

ସେ ରାତ୍ରିର ସେହି ନିଷିଦ୍ଧ କାହାଣୀ ଭିତରେ ଲୁଚିଗଲା, ରଙ୍ଗନାଥଙ୍କ ଜୀବନର ସବୁ ଦୁର୍ନୀତି ଅନାଚାର । ଗ୍ରାମ୍ୟଫଣ୍ଡର ହିସାବ ଗୋଳମାଳ ଲୋକଲୋଚନକୁ ଆସିପାରିଲା ନାହିଁ । କ୍ଷମତା ସମ୍ପନ୍ନ ବ୍ଲକ୍ ଅଫିସର ବଶ୍ୱନାଥ ଆଉ କ’ଣ ରଙ୍ଗନାଥଙ୍କ ପରି ପରମବନ୍ଧୁକୁ ହଇରାଣ କରନ୍ତେ ?

 

ସୁନ୍ଦରପୁର ଗ୍ରାମ ନିଘୋଡ଼ ନିଦରେ ଶୋଇଥିଲା ।

 

ସେ ନିଦ କେବେ ଭାଙ୍ଗୁଛି କିଏ ଜାଣେ ?

Image

 

ପ୍ରିୟମ୍ବଦାର ପ୍ରଶ୍ନ

 

ସୁନ୍ଦରୀ ପ୍ରିୟମ୍ବଦା ସ୍ଵାମୀର କାନ୍ଧ ଉପରେ ହାତ ରଖି ପଚାରିଲେ ‘ଶୁଣୁଛ’ ?

 

ରାତ୍ରିର ପ୍ରଥମ ପ୍ରହର ଅତିକ୍ରାନ୍ତ ହୋଇଯାଇଛି । ନିର୍ମେଘ ଆକାଶରେ ନିଷ୍ପ୍ରଭ ତାରକାମାନଙ୍କର ମହାସଭା ବସିଛି । ସମବେଗ ତାରକାମାନଙ୍କୁ ଦି’ଭାଗ କରି ଦେବାକୁ ଆକାଶର ଛାତି ଚିରି ସୁଦୀର୍ଘ ସମୁଜ୍ଜ୍ୱଳ ନୀହାର ରେଖାଟିଏ ଆତ୍ମପ୍ରକାଶ କରିଛି ।

 

ଗୃହସ୍ଥ ପ୍ରିୟନାଥବାବୁ ଗମ୍ଭୀରଭାବରେ ରୁଷିଆର ନବାବିଷ୍କୃତ ରକେଟ୍‍ ସମ୍ବନ୍ଧରେ ଚିନ୍ତାରତ ଥିଲେ । ସକାଳ ଖବର କାଗଜରେ ଏହି ଆଶ୍ଚର୍ଯ୍ୟତମ ରକେଟ୍‍ ସମ୍ବନ୍ଧରେ ସମ୍ବାଦ ପ୍ରକାଶ ପାଇଛି । ଦୁଇଜଣ ସ୍ତ୍ରୀ ପୁରୁଷ ଏକ ସଙ୍ଗରେ ମହାକାଶ ପଥରେ ପୃଥିବୀ ପ୍ରଦକ୍ଷିଣ କରିଛନ୍ତି । କେତେ ରୋମାଞ୍ଚକର ଘଟଣାଟିଏ ନୁହେଁ ସତରେ !

 

ମଣିଷ ଜାତିର ବହୁଦିନର କଳ୍ପନା । ବହୁଦିନର ସାଧନା ଅବଶେଷରେ ସାକ୍ଷତ ରୂପ ପାଇଲା । ମହାଶୂନ୍ୟର ଭୌଗୋଳିକ ତଥ୍ୟ ଆବିଷ୍କୃତ ହେଲା । ଏଥର ତା’ର ରହସ୍ୟମୟ ଇତିହାସ ବି ଲେଖା ହେବ । ବିଜ୍ଞାନୀର ବିଜୟ ହୋଇଛି ।

 

ପ୍ରିୟମ୍ବଦାଙ୍କର ରହସ୍ୟାବୃତ କଣ୍ଠସ୍ଵର ପ୍ରିୟନାଥଙ୍କର ଚିନ୍ତାଗାମ୍ଭୀର୍ଯ୍ୟକୁ କ୍ଷୁଣ୍ଣ କଲା ! ପ୍ରଶ୍ନକଲେ, କଅଣ କହୁଛ ? ‘ଗୋଟିଏ କଥା’ ପଚାରିବି ଭାବୁଛି ।’ ପ୍ରିୟମ୍ବଦାଙ୍କ ମୁହଁରେ ହାଲୁକା ହସରେଖାଟିଏ ଲାଖି ରହିଥିଲା । ସେ ହସ ପ୍ରିୟମ୍ବଦାଙ୍କ ଚିରାଚରିତ ମୌନତାକୁ ଉପହାସ କରୁଥିଲା ।

 

ପ୍ରିୟମ୍ବଦା କ’ଣ ମହାଶୂନ୍ୟ ବିଜୟିନୀ ଭଲେଣ୍ଟିନାଙ୍କ କଥା ପଚାରିବେ ? କିନ୍ତୁ ନିଜର ସରମିତ, ସଂକୁଚିତ ସଂସାରଟିକୁ ଛାଡ଼ିଦେଲେ ସେତ କେବେହେଲେ ବାହାର ଦୁନିଆର କୌଣସିଟି ଖବର ପ୍ରତି ଆଗ୍ରହୀ ହୋଇନାହାନ୍ତି ? ତେବେ ? ...ନା, ନା ଦୁନିଆ ବଦଳିଯାଇଛି । କୁମାରୀ ଭେଲେଣ୍ଟିନାଙ୍କ ମହାକାଶ ବିଜୟ ପରେ ଏ ପରିଚିତ ଦୁନିଆରେ ପରିବର୍ତ୍ତନ ଆସିଛି । ସେ ପରିବର୍ତ୍ତନର ଛିଟିକା ପଡ଼ିଛି ତାଙ୍କରି ସଂସାରରେ । ଏହି ଅବସରରେ ପ୍ରିୟମ୍ବଦାଙ୍କର ଆକସ୍ମିକ ପରିବର୍ତ୍ତନ ଅସମ୍ଭବ ନୁହେଁ ।

 

ପ୍ରିୟନାଥ ମନ ଭିତରେ ପୁଲକ ଓ ଆନନ୍ଦଲାଭ କଲେ ମଧ୍ୟ ଅଚଞ୍ଚଳ ଓ ଅପରିବର୍ତ୍ତିତ ହେବାକୁ ଚେଷ୍ଟା କରୁଥିଲେ । ତାଙ୍କର ଗାମ୍ଭୀର୍ଯ୍ୟଭରାକଣ୍ଠରେ କୌଣସିଟି ପ୍ରତିକ୍ରିୟା ପ୍ରଦର୍ଶନ ନ କରି ଆସ୍ତେ ଉତ୍ତର ଦେଲେ, ‘ପଚାର, ନୀରବ ରହିଛ ଯେ ?’

 

ନା, ସେମିତି କହିବି ନାହିଁ । ସତ୍ୟକର, ନିଶ୍ଚୟ ଉତ୍ତର ଦେବ । ପ୍ରିୟମ୍ବଦା ଚଟ୍‍କିନା ଅଡ଼ି ବସିଲେ ।

 

କି ଆଶ୍ଚର୍ଯ୍ୟ ଅନୁରୋଧ । ପ୍ରଶ୍ନ ନ ପଚାରି ଉତ୍ତର ଦାବି । ମନାକଲେ ମାନ ଅଭିମାନରେ ଏ ନିରୋଳା ରାତିଟା ଦୁଃସହ ହୋଇଉଠିବ । ଅଭିମାନ କରି କହିବେ, ଏତେ କଥା ଜାଣିଛ ବୋଲି କୁହ, ଅଥଚ ସାମାନ୍ୟ ପ୍ରଶ୍ନଟିଏ ପଚାରିବି କହିଲେ ମନାକରି ଦେଉଛ ? …ନା, ଆଜିକ ପାଇଁ ତାଙ୍କର ସ୍ଵାମୀ ପଣିଆରେ ଆଞ୍ଚ ଆଣିବେ ନାହିଁ ।

 

କଣ ପଚାର । ପ୍ରିୟନାଥ ଉତ୍ତର ଦେଲେ ।

 

ଆକାଶର ଜହ୍ନ କରିକରି ହୋଇ ହସି ଉଠିଲା ।

 

–କହିବ ତ ? ପ୍ରିୟମ୍ବଦାଙ୍କ ଆଖିରେ ଅବିଶ୍ଵାସ ଭରିଛି ଯେମିତି ।

 

–ପ୍ରଥମେ ପ୍ରଶ୍ନଟା ତ ଶୁଣିନିଏ !

 

–ତା’ପରେ କହିବ ନା, ଜାଣେନା, ନୁହେଁ ?

 

–ନା, ନା ....ସେମିତି କହିବି ନାହିଁ । ପ୍ରିୟନାଥ କଥା ଦେଲେ ।

 

–ବାସରରାତିକୁ ସବୁଦିନ ପାଇଁ କିଏ ମନେରଖେ କହିଲ ? ସ୍ତ୍ରୀ ନା ପୁରୁଷ ?

 

–ମାନେ ? ହଠାତ୍ ପଚାରିଦେଇ ପ୍ରିୟନାଥ ବାବୁ ହତବାକ୍ ହୋଇଗଲେ । ପ୍ରିୟମ୍ବଦାଙ୍କର ଆଜି ହୋଇଛି କ’ଣ ? ସତରେ କ’ଣ ତାଙ୍କ ନିରସ ମନ-ପାଦପରେ ନୂତନ କରି ମଳୟ ଦେଖାଦେଲା ? ତାଙ୍କର ଶୁଷ୍କ ପ୍ରାଣଉପବନରେ ଫାଲ୍‍ଗୁନ ଫୁଲର ପ୍ରଥମ ମହକ ବାଜିଲା-? ଜୀବନରେ ଏମିତ କଥା ପଦେ ଶୁଣିବେ ବୋଲି କେତେ ଅପେକ୍ଷା କରିନାହାନ୍ତି । ଯେତେଦୂର ମନେପଡ଼େ, ତାଙ୍କ ମୁହଁରୁ ରହସ୍ୟାବୃତ କଥା ବାହାରିବାର ଏଇ ପ୍ରଥମ । ଅଥଚ ୟାରି ଭିତରେ ସୁଦୀର୍ଘ ଦଶଟି ବର୍ଷ ବିତି ଯାଇଛି । ଦଶଟି ବସନ୍ତ ତା’ର ମୋହମୁଗ୍ଧ ସ୍ପର୍ଶ ଆଣି ଥରକୁ ଥର ଫେରିଯାଇଛି । ମାତାଲ ମଳୟର କୌଣସି ଡାକ ଶୁଣି ନାହାନ୍ତି କି ରସୋଚ୍ଛଳ ମୌସୁମୀର କୌଣସି ଜବାବ ଦେଇ ନାହାନ୍ତି । ଜୀବନ-ଯୌବନ ସେ ଜାଣିଶୁଣି ପାଶୋରି ପକାଇଛନ୍ତି । ସନ୍ତାନ ସନ୍ତତିଙ୍କର ଜଞ୍ଜାଳ ଓ ପୀଡ଼ନ ତାଙ୍କ ଜୀବନକୁ ନୀରସ ଓ ପାଷାଣ କରିଦେଇଛି । ଜୀବନରେ କୌଣସି ଦିନ ଏମିତି ଏକ ପ୍ରଶ୍ନ କରି ପ୍ରିୟମ୍ବଦା ପ୍ରଗଳ୍‍ଭା ହେବାକୁ ଚେଷ୍ଟା କରି ନାହାନ୍ତି । ଆଜି ଅନେକ ଦିନ ପରେ...

 

ମାନେ ଫାନେ ମୁଁ ଜାଣେନା । ଗୋଟାଏ କଥା ପଚାରିଲି । ତା’ର ଉତ୍ତର ଦିଅ, କୁହ ପୁରୁଷ ନା ସ୍ତ୍ରୀ ?

 

‘ଉଭୟେ ।’ ପ୍ରିୟନାଥବାବୁ ସଂକ୍ଷିପ୍ତ ଶବ୍ଦଟିଏ ଆବିଷ୍କାର କରିପାରିଥିବାରୁ ମନେ ମନେ ଖୁସି ହେଲେ ।

 

ନାଁ ନାଁ ତା’ କଦାପି ହୋଇପାରେ ନା । ସ୍ତ୍ରୀ ପରି ପୁରୁଷ ତା’ର ସ୍ଵପ୍ନିଳ ବାସରରାତ୍ରିକୁ ମନେ ରଖିବାରେ ସମ୍ପୂର୍ଣ୍ଣ ଅପାରଗ ।

 

କାରଣ ? ପ୍ରିୟନାଥ ପ୍ରଶ୍ନକଲେ ।

 

ପୁରୁଷର ତ ସେଇଟି ପ୍ରଥମ ବାସର ରାତି ନୁହେଁ ।

 

କିମିତି ଜାଣିଲ ?

 

ପୁରୁଷ ଭ୍ରମର ଜାତି । ଖୋଲାପବନରେ ସେ ବୁଲୁଛି । ତା’ର ଗମନାଗମନ ପାଇଁ କୌଣସି ପ୍ରତିବନ୍ଧକ ନାହିଁ । କେତେ ନାରୀ, କେତେ ରୂପ, କେତେ ଫୁଲର ସଂସ୍ପର୍ଶ.... ।

 

ଗୋଟିଏ ଭ୍ରମର, ଆଉ ଅନେକ ଫୁଲ......ନୁହେଁ ? ପ୍ରିୟନାଥ ପ୍ରିୟମ୍ବଦାଙ୍କ ମୁହଁରୁ କଥାଛଡ଼ାଇ କହିବାକୁ ଲାଗିଲେ, ରକ୍ଷା ହୋଇଛି, ଅନେକ ଭ୍ରମର ଆଉ ଗୋଟିଏ ଫୁଲ ବୋଲି କହିନ । ପ୍ରିୟନାଥବାବୁ ଅଷ୍ଟ୍ରେଲିଆର ଆଦିମ ଅଧିବାସୀର ସେହି ପରିଚିତ ପ୍ରିୟ ଅସ୍ତ୍ର ‘ବୁମରାଂ’ ପ୍ରୟୋଗ କଲେ ।

 

ନିଜ କଥାରେ ନିଜେ ବିକ୍ଷତ ହୋଇ ସୁନ୍ଦରୀ ପ୍ରିୟମ୍ବଦା ଇତଃସ୍ତତ ହୋଇଉଠିଲେ । ଆଃ, ଏ ପୁରୁଷ ଜାତିଟା କେଡ଼େ ଚାଲାକ ହୋଇଗଲେଣି ସତରେ । ପ୍ରିୟମ୍ବଦାଙ୍କର କଟାଚିବୁକ ଚମ୍ପକବର୍ଣ୍ଣ ଧାରଣ କଲା । କିନ୍ତୁ ସେ ହାର ମାନିବାକୁ ପ୍ରସ୍ତୁତ ନ ଥିଲେ । କୌଣସି କଥାରେ ସେ ଏତେ ସହଜରେ ହାର ମାନନ୍ତି ନାହିଁ । କହିଲେ—ସବୁ ଫୁଲ ତ ସବୁ ଭଅଁରର ବଶ୍ୟତା ସ୍ୱୀକାର କରନ୍ତି ନାହିଁ । ଯେଉଁ କେତୋଟି ଫୁଲ ଅନିୟମ କରିଥାନ୍ତି ସେମାନଙ୍କ ପକ୍ଷରେ ଈପ୍‍ସିତ ଭଅଁରର କଳଗୁଞ୍ଜନ ନୂତନ ହୋଇ ନ ପାରେ । କିନ୍ତୁ ପ୍ରତ୍ୟେକ ଭଅଁର ଫୁଟିଲା ଫୁଲର ସୁବାସ ସଙ୍ଗେ ସୁପରିଚିତ ।

 

ପ୍ରିୟନାଥ ଦେଖିଲେ, ଆଜି ମଧ୍ୟ ପ୍ରିୟମ୍ବଦା ନିଜ ମୀମାଂସାରେ ଅଟଳ ରହିବାକୁ ବୃଥା ଯୁକ୍ତି ବାଢ଼ି ବସୁଛନ୍ତି । କୌଣସି ଯୁକ୍ତି ତାଙ୍କରି ସିଦ୍ଧାନ୍ତକୁ ପରିବର୍ତ୍ତନ କରିପାରିବ ନାହିଁ ।

 

ସଭା ସାନ ପୁଅଟି କାନ୍ଦି ଉଠିଲା ।

 

ଅଜେୟ, ଅଭିମାନିନୀ ଖସିଯିବାର ସୁଗମ ମାର୍ଗ ପାଇଲେ । ପୁଅକୁ କୋଳକୁ ନେଇ କହିଲେ–ତମେ ବସ ମୁଁ ଆହୁରି ପଚାରିବି ।

 

କ’ଣ ଆଉ ସେ ପଚାରିବେ ? ପ୍ରିୟନାଥବାବୁ ପ୍ରିୟମ୍ବଦାଙ୍କ ଉତ୍ତରକୁ ମନେ ମନେ ଆଲେଚନା କରୁ କରୁ ଅନାଗତ ପ୍ରଶ୍ନକୁ ଅନୁମାନ କରୁଥିଲେ । ହୁଏତ ପ୍ରିୟମ୍ବଦା ପୁଣି ଥରେ ପଚାରିବେ, ତୁମର ବାସର ରାତି କଥା ମନେ ଅଛି ? ସେ ରାତି କଥା ମନେପଡ଼େ ?

 

ନିର୍ମେଘ ଆକାଶରେ ଏଇନେ ତାରକାମାନଙ୍କର ସଂଖ୍ୟାବୃଦ୍ଧି ହୋଇଛି । ନୀହାରର ସ୍ମୃତି ହଜି ଆସୁଥିଲେ ବି ସମ୍ପୂର୍ଣ୍ଣ ବିଲୀନ ହୋଇ ନାହିଁ । ତାରାମାନଙ୍କୁ ସେମିତି ସେ ଦୁଇଭାଗ କରି ରଖିଛି । ଆଉ ଚନ୍ଦ୍ର ? ସେ ଆଉ ହସୁ ନାହିଁ । ଡବ ଡବ ଅଖିରେ ଖାଲି ଚାହିଁଛି ।

 

ସେହି ତାରକା ଖଚିତ, ଆଲୋକିତ ଆକାଶକୁ ନିର୍ନିମେଷ ନୟନରେ ଅନାଉ ଅନାଉ ପ୍ରିୟନାଥବାବୁଙ୍କର ଅତୀତର ସେହି ସୁମଧୁର ବାସରରାତି କଥା ମନେପଡ଼ୁଥିଲା । ସୁଦୀର୍ଘ ଦଶ ବର୍ଷ ତଳର ପୁଲକ ଓ ଜୀବନଭରା ସ୍ମୃତି । ସେ ସ୍ମୃତିର ସୁବାସକୁ ଏତେଦିନର ବ୍ୟବଧାନ ପରେ ବି ସେ ଆଘ୍ରାଣ କରିପାରନ୍ତି; କିନ୍ତୁ...ଛୁଇଁବାକୁ ଚେଷ୍ଟାକଲେ ହାତ ପାଏନା । ପଦ୍ମବନର କଳ୍ପିତ ପଦ୍ମଫୁଲ ପରି ଅକାତକାତ ପାଣିକୁ ଘୁଞ୍ଚି ଘୁଞ୍ଚି ଯାଏ ।

 

ପ୍ରୟନାଥବାବୁ କ୍ଳାନ୍ତି ଅନୁଭବ କଲେ । ବୟସ ଚାଲିଯାଇଛି । ସେ କ୍ରମେ ବୃଦ୍ଧ ହୋଇ ଆସୁଛନ୍ତି । ସେହି ମନ, ସେହି ଶରୀର ରହିଛି । ଅଥଚ ତାରି ଭିତରେ ପରିବର୍ତ୍ତନ ଆସିଛି । ମନ ଅଛି, ମନର ଫୁଆରା ନାହିଁ । ଶରୀରର ଚାଞ୍ଚଲ୍ୟ ନାହିଁ । ସବୁ ଅଛି; ଅଥଚ କିଛି ନାହିଁ ।

 

ଏଇ ପ୍ରିୟମ୍ବଦା କ୍ରମେ ବଦଳି ଆସୁଛନ୍ତି । ସେ ସେହି ସୁମଧୁର ବାସରରାତିର ନିର୍ବାକ ଅଭିସାରିକା ହୋଇ ରହି ନାହାନ୍ତି । ସମୟ ଅସମୟରେ ଯେଉଁ ପ୍ରଶ୍ନ ପଚାରୁଛନ୍ତି , ସେ ଜାଣନ୍ତି ନାହିଁ, ତାହା କେତେ ରହସ୍ୟାବୃତ, ଆପେକ୍ଷିକ ।

 

ପୁରୁଷ ଓ ସ୍ତ୍ରୀ । ଏ ସୃଷ୍ଟିର ଚିରନ୍ତନ ଇତିହାସକୁ ସେମାନେ ଭାଷା ଦିଅନ୍ତି । ପତି ଓ ପତ୍ନୀଭାବରେ ଏକତ୍ରିତ ହୋଇ ସମବେତ କଣ୍ଠରେ ବିପୁଳ ଜଗତର ଜୟଗାନ କରନ୍ତି ।

 

କିନ୍ତୁ... । ସେମାନେ ପରସ୍ପରର ଏତେ ନିବିଡ଼ତମ ସମ୍ପର୍କରେ ଆସି ମଧ୍ୟ, ପରସ୍ପରର ଏତେ ପରିଚିତ ହୋଇ ମଧ୍ୟ ସେମାନଙ୍କ ମନ ଭିତରେ ବେଳେବେଳେ ଦେଖା ଦେଉଥିବା କେତୋଟି ଅଝଟ ପ୍ରଶ୍ନ ଉଭୟଙ୍କ ନିକଟରେ କେତେ ଅବୋଧ୍ୟ, କେତେ ଜଟିଳ !!

 

ମହାକାଶର ତାରକାପୁଞ୍ଜ ଆଖି ମିଟିକା ମାରି କୁହାକୁହି ହେଉଥିବେ, ‘ଦେଖିଲ ଏ ମଣିଷ ଜାତିଟାକୁ ? ନିଜେ ନିଜକୁ ବୁଝିପାରୁନି ଅଥଚ ଆମକୁ ଦେଖିବାକୁ ଆସୁଛି ।’ ଆଉ ଚନ୍ଦ୍ର ? ସେ ମୁଣ୍ଡ ହଲାଇ ହସି ହସି କହୁଥିବ, ‘ଠିକ୍ କହିଛି ।’

Image

 

Unknown

ଦୁଇଟି ନାରୀ ଚରିତ୍ର

 

ତାଙ୍କୁ ତରୁଣୀ କହିଲେ ଭୁଲ୍‍ ହେବ ନିଶ୍ଚୟ । କିନ୍ତୁ ତାଙ୍କର ଦେହରେ, ମୁହଁରେ ନବ-ତାରୁଣ୍ୟର ଲାବଣ୍ୟ ଅଛି । ଢଳଢଳ ଆଖିଡୋଳାରେ ସମ୍ମୋହନର ଭାଷା । ତଥାପି ତାଙ୍କରି ଅଲକ୍ଷରେ ତାଙ୍କ ମୁହଁରେ ଯେଉଁ ଭାବନାର ରଙ୍ଗ ନେସି ହୋଇଥିଲା, ସେହି ରଙ୍ଗ ଚିହ୍ନି ଅନୁମାନ କଲି, ବୟସ ତାଙ୍କର ପଚିଶି ସୀମା ଟପି ଯାଇଛି ।

 

ହେରାଗଉରୀ ସାହିରେ ହଠାତ୍ ଦେଖା ହେଲା ।

 

ପୁରୀ ସହରର ହେରାଗଉରୀ ସାହି ଯିଏ ଦେଖିଛି, ସେ ନିଶ୍ଚୟ ତା’ର ଭୌଗୋଳିକ ପରିସ୍ଥିତି କଥା ଅନୁମାନ କରିନେବ । ସେ ସାହି-ସଡ଼କରେ ଖାଲି ପାଦରେ କିମ୍ବା ସାଇକେଲରେ ଗଲାବେଳେ ଖୁବ୍ ସତର୍କତା ଅବଲମ୍ବନ କରିବାକୁ ପଡ଼େ । ସଂକୀର୍ଣ୍ଣ ରାସ୍ତାର ଅଧେରୁ ବେଶି ନର୍ଦ୍ଦମା । ସେଇ ଟିକକ ରାସ୍ତାରେ ପୁଣି ରିକ୍ସା ସାଇକେଲର ଗତାଗତ ସର୍ବାଧିକ । ସତର୍କ ନ ରହିଲେ ପଦେ ପଦେ ବିପଦ ।

 

ପଥିକ ଏଇ ରାସ୍ତାରେ ଖୁବ୍‍ ଯତ୍ନର ସହିତ ଚଳପ୍ରଚଳ ହୁଏ । କେତେବେଳେ ଯେ ମୁହଁ ଆଗରେ କ’ଣ ଆସି ହାବୁଡ଼ି ଯିବ, କିଏ ଜାଣେ ?

 

ଜଗନ୍ନାଥଧାମ ଶ୍ରୀକ୍ଷେତ୍ରକୁ ଯେଉଁ କେତୋଟି ରାସ୍ତା, ଉପରାସ୍ତା, ଗଳି, ଉପଗଳି ଅଳଂକୃତ କରିଛି ସେମାନଙ୍କ ମଧ୍ୟରୁ ହେରାଗଉରୀ ସାହିର ସମ୍ୟକ ପରିଚୟ ପାଇଲେ ।

 

ଅସଲ କାହାଣୀଟା ଏବେ ଶୁଣନ୍ତୁ–

 

ବନ୍ଧୁ ରାମଚନ୍ଦ୍ରଙ୍କର କେବେକେବେ ହଠାତ୍ ଇଚ୍ଛା ହୁଏ ସେହି ହେରାଗଉରୀ ସାହି ରାସ୍ତା ଦେଇ ଚାଲିବାକୁ । ଏ ପ୍ରକାରର ଇଚ୍ଛା ପୂରଣ କଲାବେଳେ ସେ ମୋତେହିଁ ସାଧାରଣତଃ ସଙ୍ଗୀ କରନ୍ତି । ମୁଁ ତାଙ୍କ ଇଚ୍ଛାକୁ ଆଗ୍ରହସହକାରେ ସମ୍ମାନ ପ୍ରଦର୍ଶନ କରେ ।

 

ବନ୍ଧୁ ରାମଚନ୍ଦ୍ର ସାହିତ୍ୟିକ । ଏ ସମ୍ମାନିତ ପଦବୀ ପଛରେ ତାଙ୍କର ବହୁଦିନର ସାଧନାର ଇତିହାସ ରହିଛି । ଗୋଟିଏ ଜିନିଷକୁ ବିଭିନ୍ନ ଦୃଷ୍ଟିରୁ ପର୍ଯ୍ୟାଲୋଚନା କରିବା ତାଙ୍କ ପ୍ରବୃତ୍ତିର ଚିରାଚରିତ ଅଭ୍ୟାସ । ପର୍ଯ୍ୟାଲେଚନା କଲାବେଳେ ତା’ରି ଭିତରୁ ସେ ଅନେକ ଦାର୍ଶନିକ ତଥ୍ୟର ସନ୍ଧାନ ପାଆନ୍ତି । ପୁଣି ସମ୍ୟକ ଅନୁଭୂତି ସଙ୍ଗରେ କଛିଟା ବାସ୍ତବତା, କିଛିଟା କଳ୍ପନା ମିଶାଇ ସାହିତ୍ୟକୃତିରେ ସୁନ୍ଦରଭାବରେ ପରିବେଷଣ କରନ୍ତି । ମଝିରେ ମଝିରେ ସେ ଯେଉଁ ମନ୍ତବ୍ୟ ପ୍ରଦାନ କରନ୍ତି, ତାହା ମୋତେ ମୋହିତ କରେ । ସେଥିପାଇଁ ତାଙ୍କରି ସାନ୍ନିଧ୍ୟ ଲାଭ ମୋ ସକାଶେ ଆକର୍ଷଣୀୟ ହୋଇଉଠେ ।

 

ପୁଣି ଥରେ ଫେରିଆସନ୍ତୁ ସେ ହେରାଗଉରୀ ସାହିକୁ–

 

ପୁରୀର ହେରାଗଉରୀ ସାହି ସହରର ସମ୍ଭ୍ରାନ୍ତ ଓ ଅଭିଜାତ ପରିବାରର ଆବାସ ସ୍ଥଳୀ । ସହରର ପରିଚିତ ବ୍ୟକ୍ତି ସେ ସାହିର ବାସିନ୍ଦାକୁ ସମ୍ମାନ ଓ ସମ୍ଭ୍ରମତା ପ୍ରଦର୍ଶନ କରେ । ଏପରି ସ୍ଥଳେ ଏଇ ସମ୍ଭ୍ରାନ୍ତବ୍ୟକ୍ତିମାନଙ୍କ ସକାଶେ ହେରାଗଉରୀ ସାହି ସୁଖ୍ୟାତ, କି ହେରାଗଉରୀ ସାହି ସକାଶେ ତା’ର ବାସିନ୍ଦାମାନେ ସମ୍ମାନିତ, ସେ କଥା ସହଜରେ ଜଣାପଡ଼େ ନାହିଁ ।

 

ସେ ଦିନ–

 

ହେରାଗଉରୀ ସାହିର ସେ ସୁନ୍ଦର ତଥା ସମ୍ଭ୍ରାନ୍ତ ମହିଳା ଜଣକ ହଠାତ୍ ରାମଚନ୍ଦ୍ରବାବୁଙ୍କ ସାମନାରେ ଦେଖା ଦେଲେ ।

 

ରାମଚନ୍ଦ୍ରବାବୁଙ୍କ ସାଇକେଲର ଗତି ମନ୍ଥର ହୋଇପଡ଼ିଲା । ସେ ରାସ୍ତାମଝିରେ ବ୍ରେକ୍ ଦେଇ ଛିଡ଼ା ହେଲେ । ତା’ପରେ ଭଦ୍ରମହିଳାଙ୍କ ସଙ୍ଗରେ ହସି ହସି କ’ଣ କଥାବାର୍ତ୍ତା କରୁଥିବାର ଦେଖିଲି ।

 

ଇତ୍ୟବସରରେ ମୁଁ ସାମାନ୍ୟ ଆଗକୁ ମାଡ଼ି ଯାଇଥାଏ । ସେମାନଙ୍କ କଥାବାର୍ତ୍ତାତକ ମୋ’ କାନରେ ନ ପଡ଼ିଲେ ବି, ଓଠର ଫିସ୍ ଫିସ୍ ହସ କେଇଧାଡ଼ି ମୋର ଦୃଷ୍ଟିଗୋଚର ହେଲା ।

 

ସେ ହସ ଦେଖି ବୁଝିଲି, ବନ୍ଧୁ ରାମଚନ୍ଦ୍ର, ଅପରିଚିତା ସୁନ୍ଦରୀ ମହିଳା ପରସ୍ପରର ପରିଚିତ ଓ ଉଭୟେ ଉଭୟଙ୍କୁ ସାକ୍ଷାତ କରିବା ପରେ ଖୁସି ଅଛନ୍ତି ।

 

ଅନେକ ଦିନର ରହଣୀ ଭିତରେ ପୁରୀ ସହରର ଅନେକ ମହିଳାଙ୍କୁ ଚିହ୍ନିବାର ସୌଭଗ୍ୟ ଲାଭ କରିଛି । କିନ୍ତୁ ଉକ୍ତ ମହିଳାଙ୍କୁ କେବେ, କୌଣସି ଅବସରରେ ଦେଖିଥିବା ପରି ମନେ ହେଲା ନାହିଁ । ମୁଁ ମନେ ମନେ ଜଗନ୍ନାଥ ମନ୍ଦିର, ସୁନାରଗୌରାଙ୍ଗ, ସ୍ଵର୍ଗଦ୍ଵାର ଇତ୍ୟାଦି ଜନକୋଳାହଳ ପରିବେଶକଥା ମନେ ପକାଇଲି; କିନ୍ତୁ ପରିଚୟର ସୂଚନା ମଧ୍ୟ ପାଇଲି ନାହିଁ । ସେ ମୋ ସମ୍ମୁଖରେ ବିରାଟ ଏକ ପ୍ରଶ୍ନବାଚୀ ହୋଇ ରହିଗଲେ ।

 

କହିବାକୁ ଭୁଲିଯାଇଛି ବୋଧହୁଏ, ମହିଳା ଜଣକ ବେଶ୍ ସ୍ଵାସ୍ଥ୍ୟବତୀ । ଦେହର ରଙ୍ଗ ସାମାନ୍ୟ ସାବନା ହେଲେବି, ତହିଁରେ ପୂର୍ଣ୍ଣାବୟବ ବନାନୀର ଛନ୍ଦ ଅଛି । ଦେହ ଭିତରେ ସବୁଠୁଁ ଆକର୍ଷଣୀୟ ମନେହେଲା, ରକ୍ତାଭ ମୁହଁର ସେହି ସଦାଚଞ୍ଚଳ, ସଦାବିହ୍ଵଳ ମାଳ ଆଖି ଦୁଇଟି । ଦୂରରୁ ଥାଇ ମୁଁ ସେ ଆଖିର ସୌନ୍ଦର୍ଯ୍ୟକୁ ହୃଦୟଙ୍ଗମ କରିଛି । ନୀରବ ଭାବରେ ଛିଡ଼ାହୋଇ, ସେହି ବିହ୍ୱଳ ଆଖି ଦୁଇଟିରେ ଏକ ସଙ୍ଗରେ ଅନେକଗୁଡ଼ିଏ କଥା କହିପାରିବାର ଚମତ୍କାର ଶକ୍ତି ସେ ପାଇଛନ୍ତି । ସେ ଆଖିରେ ମୁଗ୍ଧ-ପୁରୁଷ ପାଇଁ କିଛିଟା ପ୍ରଲୋଭନ, କିଛିଟା ପ୍ରଣିଧାନର ଅଧ୍ୟାୟ ମିଶିଛି ।

 

ସମ୍ମୁଖସ୍ଥ ଘର ବାରଣ୍ଡାରେ ଦୁଇ ତିନୋଟି ପିଲା ବାଗୁଡ଼ି ଖେଳ ଖେଳିବାରେ ବ୍ୟସ୍ତ ଥାଆନ୍ତି । ମହିଳାଙ୍କୁ ସାମନାରେ ଦେଖି ମାଆ, ମାଆ, ଡାକରେ ସେମାନ ଅଧିର ହେଲେ ।

 

ବନ୍ଧୁ, ରାମଚନ୍ଦ୍ର ଓ ଭଦ୍ର ମହିଳା ଆଗ ପଛ ହୋଇ ସାମନା ଘର ଭିତରରେ ପଶିଗଲେ-

 

ଅଫିସ ପେରନ୍ତାବେଳ । ପାଞ୍ଚୁଟା ପରେ ଘରକୁ ଫେରି ଆସିବାକୁ ମନ ଭିତରଟା କେମିତି ହାଇଁପାଇଁ ହୋଇଉଠେ, ଚାକିରିଆ ନ ହେଲେ ସେ କଥା ଅନୁମାନ କରିବା ସମ୍ଭବ ନୁହେଁ-

 

ବିରକ୍ତି ଆସୁଥିଲେ ବି ବନ୍ଧୁଙ୍କୁ ମୁଁ ରାସ୍ତାକଡ଼ରେ ଛିଡ଼ା ହୋଇ ଅପେକ୍ଷା କରିଥାଏ ।

 

ପୂର୍ବରୁ କହିଛି, ବନ୍ଧୁ ରାମଚନ୍ଦ୍ର ସାହିତ୍ୟିକ । କଥା ନହସରେ ସେ ନିଜର ଅସ୍ତିତ୍ଵକୁ ବି ପାଶୋରି ଦିଅନ୍ତି । ଅଲୋଚନା ଜମିଲେ, ଦୁନିଆକୁ ଦୂରେଇ ଦେଇ, ତର୍କ-ସମୁଦ୍ର ଭିତରେ ନିମଜ୍ଜିତ ହୋଇଯିବା ତାଙ୍କର ସ୍ଵଭାବଗତ ପ୍ରକୃତି ।

 

ସେଇଠି ଛିଡ଼ାହୋଇଛି, ବହୁଦିନ ତଳର ଘଟଣାଟିଏ ମନେପଡ଼ିଲା । ସେଦିନ ମଧ୍ୟ ମୋତେ ମଝି ରାସ୍ତାରେ ଛିଡ଼ା କରାଇଦେଇ, ଜଣକ ଘରଭିତରେ ସୁଦୀର୍ଘ ଅଧଘଣ୍ଟାକାଳ କଟାଇଦେବା ପରେ ବନ୍ଧୁ ଫେରିଆସି ଖବର ଦେଲେ, ଶୁଣିଛ ବନ୍ଧୁ, ‘ସାତ ପୁଅର ମା’ଟିଏ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରୁ କରୁ ଅଳ୍ପକେ ରକ୍ଷା ପାଇଗଲା । ସେ କଥା ଶୁଣୁ ଶୁଣୁ ଡେରି ହୋଇଗଲା ।’

 

ଆମେ ଦୁହେଁ ସେଦିନ ସାଇକେଲରେ ନ ବସି ସେହି ଅଦ୍ଭୁତ ନାରୀର ଆତ୍ମହତ୍ୟା ସମ୍ବନ୍ଧରେ ଆଲୋଚନା କରୁ କରୁ ପଦବ୍ରଜରେ ଆସୁଥିଲୁ । ଆଲୋଚନା ପ୍ରସଙ୍ଗରେ ଜଣାପଡ଼ିଲା ସାତ ପୁଅର-ମା’ ସହରର ବେଶ୍ ଏକ ନାମଜାଦା ପରିବାରର ଗୃହବଧୂ । ସ୍ଵାମୀ ତାଙ୍କର ପଦସ୍ଥ ଅଫିସର । ପୁଅ, ଝିଅମାନଙ୍କ ମଧ୍ୟରୁ ଅନେକ ନିଜ ନିଜ ଗୋଡ଼ରେ ଛିଡ଼ା ହେଲେଣି । ବିବାହର କୋଡ଼ିଏ ବର୍ଷ ଭିତରେ କୌଣସି ଅଭାବ ଅସୁବିଧାର ଛାଇ ସେ ଘରେ ପଶିନାହଁ । ଏମିତ ଅବସ୍ଥାରେ, ବିଶେଷତଃ ସେହି ବୟସରେ ଆତ୍ମହତ୍ୟା ସକାଶେ ଉଦ୍ୟମ କରୁଥିବା ଯେ କୌଣସି ନାରୀର ଜୀବନୀ କୌତୂହଳପ୍ରଦ । ମୁଁ ମୋର ବିସ୍ମୟ ଓ କୌତୂହଳକୁହିଁ ବ୍ୟକ୍ତ କରିଥିଲି ।

 

ବନ୍ଧୁ ରାମଚନ୍ଦ୍ର ମୋରି ମନର ସମସ୍ତ ବିସ୍ମୟାନୁଭୂତିକୁ ସୂକ୍ଷ୍ମ ମନ୍ତବ୍ୟଟିଏ ପ୍ରଦାନ କରି ଦୂରିଭୂତ କଲେ ।

 

ମହିଳା ଜଣକ ଯେତେ ବିତ୍ତଶାଳିନୀ ହେଲେ ମଧ୍ୟ, ପାରିବାରିକ ସୁଖସନ୍ତୋଷରୁ କୁଆଡ଼େ ବଞ୍ଚିତା ଥିଲେ । ନାରୀ ଜୀବନର ବହୁଇପ୍‍ସିତ ସ୍ଵାମୀସୌଖ୍ୟ ତାଙ୍କ ଜୀବନରେ ପୂରଣ ହୋଇ ନ ଥିଲା । ଅଫିସର-ସ୍ଵାମୀ ସର୍ବଦା ଅଫିସ୍‍ର କର୍ମରେ ଲିପ୍ତ ଥାଆନ୍ତି, ଅଧରାତିରେ ଘରକୁ ଫେରନ୍ତି । କର୍ମକ୍ଳାନ୍ତ ଶରୀର ଓ ବ୍ୟସ୍ତ ବିବ୍ରତ ମନ ନିରୋଳା ବିଶ୍ରାମ ଚାହୁଁଥାଏ । ସ୍ତ୍ରୀ ସଙ୍ଗରେ ସୁଖରେ ବସି ଦିପଦ ହସ ଖୁସି ହେବା କିମ୍ବା ସରସ ଆଳାପ ଆଲେଚନା ଭିତରେ ସ୍ତ୍ରୀକୁ ଆପ୍ୟାୟିତ କରିବାପାଇଁ ତାଙ୍କର ସମୟ ନ ଥାଏ । ରାତ୍ରି ଭୋଜନ ଶେଷ କରିବାପରେ ବିଛଣାରେ ଲମ୍ବ ହୋଇ ପଡ଼ିଯାନ୍ତି । ଚଉକାନ୍ଥ ବେଢ଼ା ଅଫିସ ଘରର ନୀରସ କର୍ତ୍ତବ୍ୟବୋଧ ପରି ସ୍ତ୍ରୀଙ୍କ ସଙ୍ଗରେ ରାତିର ଅନ୍ଧକାର ଭିତରେ ସାମାନ୍ୟ ଦି’ପଦ କଥାଭାଷା କରନ୍ତି । ଦେହର ଯାନ୍ତ୍ରିକ କ୍ଷୁଧା ମେଣ୍ଟାଇବା ସକାଶେ ଯେତିକି ସମୟ ଆବଶ୍ୟକ, ଠିକ୍ ସେତିକ ସମୟ ସେ ବିବାହିତା ପତ୍ନୀଙ୍କୁ ଦାନ କରନ୍ତି । ସେଥିପାଇଁ ବୟସ୍କା ମହିଳାଙ୍କର ଯେତକଯାକ ଗ୍ଳାନି ଓ ନିଜ ପ୍ରତି ଅବିଚାର । ସ୍ଵାମୀର ଯାନ୍ତ୍ରିକ ଜୀବନ ପ୍ରଣାଳୀ ପ୍ରତି ଅଭିଯୋଗ କରି ସେ ଆତ୍ମହତ୍ୟାର ଆୟୋଜନ କରିଥିଲେ-

କିନ୍ତୁ ସେ ଆୟୋଜନଟା କେତେ ଭୀଷଣ ଓ ନିଷ୍ଠୁର ନୁହେଁ ସତରେ !

ମୁଁ ଗତ କଥା ସବୁ ଗୋଟି ଗୋଟି କରି ମନେପକାଉଛି, ରାସ୍ତା ଉପରେ ସାହିତ୍ୟିକ ବନ୍ଧୁ ରାମଚନ୍ଦ୍ରଙ୍କ କଣ୍ଠ ଶୁଣାଗଲା ।

ରାମଚନ୍ଦ୍ର ପୂର୍ବାପେକ୍ଷା ଅଧିକ ପ୍ରଫୁଲ୍ଲ ଥିଲେ । ତାଙ୍କ ମୁହଁର ହସଧାରକ ସରସ ଓ ସତେଜ ମନର କାହାଣୀ କହୁଥିଲା । ମନେହେଲା, ସାହିତ୍ୟିକ ରାମଚନ୍ଦ୍ର ନବବସନ୍ତର ଆଲିଙ୍ଗନ ଅନୁଭବ କରୁଛନ୍ତି ।

ସେ ଫେରିଆସି ମୋତେ ଆଗେଇ ଚାଲିବାକୁ ଅନୁରୋଧ କଲେ ।

ଚଲାବାଟରେ ସେ ସେହି ଅପରିଚିତା ମହିଳାର ଗୋଟିଏ ଅଦ୍ଭୁତ କାହାଣୀ ଶୁଣାଇଲେ-

ମହିଳା ଜଣକ ସଙ୍ଗରେ ତାଙ୍କର ଅନେକ ଦିନରୁ ପରଚୟ ଥିଲା । ଏମିତିକି, ଯୌବନର ପ୍ରଥମାବସ୍ଥାରେ ଯେଉଁ କେତୋଟି ତରୁଣୀଙ୍କ ଭାବନା ତାଙ୍କ ହୃଦୟକୁ ଚକିତ ଓ ମନ୍ଥିତ କରି ରଖିଥିଲା, ସେହି ଭଦ୍ର ମହିଳାଟି ସେମାନଙ୍କ ମଧ୍ୟରେ ଅନ୍ୟତମ । କାରଣ, ରାମଚନ୍ଦ୍ରବାବୁଙ୍କ ବିବାହ ପ୍ରସ୍ତାବ ସର୍ବପ୍ରଥମେ ଏଇ ଭଦ୍ରମହିଳାଙ୍କ ସଙ୍ଗରେ ପଡ଼ିଥିଲା । କିନ୍ତୁ ରାମଚନ୍ଦ୍ରବାବୁଙ୍କ ସଙ୍କୋଚ ଓ ଲଜ୍ଜାଶୀଳ ମନୋଭାବ ଦେଖି ନିଜେ ମହିଳା କୁଆଡ଼େ ସେ ସମ୍ବନ୍ଧକୁ ପ୍ରତ୍ୟାଖ୍ୟାନ କରିଥିଲେ ।

(ମହିଳା ହୁଏତ ଭାବିଥାଇପାରନ୍ତି ଯେ ରାମଚନ୍ଦ୍ରଟା ମାଇଚିଆ ପ୍ରକୃତିର ଲୋକ ବୋଲି-!)

ମହିଳା ନିଜ ଇଚ୍ଛାରେ ସ୍ଵାମୀ ଗ୍ରହଣ କଲେ ।

ଭଦ୍ର ମହିଳାଙ୍କ ସ୍ଵାମୀ ପୋଲିସ ବିଭାଗର ଜଣେ ଦାୟିତ୍ଵପୂର୍ଣ୍ଣ ଅଫିସର ।

ମହିଳା ଜଣଙ୍କ ବଧୁବେଶରେ ନବଜନ୍ମ ଲାଭ କଲେ । ଅତୀତକୁ, ଅତୀତ ସହିତ ସଂଶ୍ଳିଷ୍ଟ ପ୍ରତ୍ୟେକଟି ଘଟଣାକୁ, ନିଜ ସ୍ମୃତି ସାମ୍ରାଜ୍ୟରୁ ଧୋଇ ପୋଛି ପରିଷ୍କାର କରିଦେଲେ ।

ଦିନ ଗଡ଼ି ଚାଲିଲା । ସମୟର ସ୍ରୋତରେ ସନ୍ତରଣ କରୁ କରୁ ରାମଚନ୍ଦ୍ରବାବୁ ଓ ମହିଳା ଜଣକ ଉଲ୍ଲେଖଯୋଗ୍ୟ ବ୍ୟବଧାନରେ ରହିଗଲେ ।

 

ତା’ପରେ–

 

ତା’ପରେ ହଠାତ୍ ଦିନେ ହେରାଗଉରୀ ସାହିରେ ରାମଚନ୍ଦ୍ରବାବୁଙ୍କ ସଙ୍ଗରେ ଉକ୍ତ ବିବାହିତା ମହିଳାଙ୍କର ସାକ୍ଷାତ ହେଲା । ମହିଳା ସେତିକିବେଳେ ସନ୍ତାନବତୀ । ମୁଣ୍ଡରୁ ଓଢ଼ଣାକାଢ଼ି ନିଧକରେ ରାସ୍ତା ଉପରେ ଚାଲିବାର ସମୟ ଆସିଯାଇଛି । ରାମଚନ୍ଦ୍ରବାକୁ ମଧ୍ୟ ବିବାହିତ । ବିବାହିତା ସ୍ତ୍ରୀ ଓ ସନ୍ତାନ ସନ୍ତତିଙ୍କ ମେଳରେ ଆନନ୍ଦରେ କଳାତିପାତ କରୁଛନ୍ତି ।

 

ଆଶ୍ଚର୍ଯ୍ୟର ବିଷୟ, ମହିଳା ଜଣଙ୍କ ରାମଚନ୍ଦ୍ରବାବୁଙ୍କର ସାହିତ୍ୟସୃଷ୍ଟି ସଙ୍ଗରେ ନିବିଡ଼ ସମ୍ପର୍କ ସ୍ଥାପନ ରଖିଥାନ୍ତି । ଜାଣି ଶୁଣି ହେଉ କିମ୍ବା ଅଜାଣତରେ ହେଉ, ରାମଚନ୍ଦ୍ରବାବୁଙ୍କ ଲେଖନୀରେ ଏହି ଭଦ୍ରମହିଳାଙ୍କ କୁମାରୀ ଜୀବନର କେଇଟି ସଂଗୃହୀତ ଘଟଣା ଜୀବନ୍ୟାସ ପାଏ-। ମହିଳାଜଣକ ନିଜ ନାଁ, ନିଜ ସମ୍ପର୍କୀୟ କାହାଣୀ ପଢ଼ି ପରମ ଆପ୍ୟାୟିତ ହୁଅନ୍ତି ।

 

ସାହିତ୍ୟିକ ରାମଚନ୍ଦ୍ରଙ୍କ ପ୍ରତି ବିବାହିତା ମହିଳାଙ୍କର ଅତୃପ୍ତ ମନଟା ତୃଷ୍ଣାର ଜିଭ ବଢ଼ାଏ-। ସେ ମନେ ମନେ ନିଜର ଉପସ୍ଥିତ ପୋଲିସ ବିଭାଗୀୟ ସ୍ଵାମୀ ଓ ଅତୀତର କୌଣସି ଅଶୁଭ ମୁହୂର୍ତ୍ତର ପ୍ରସ୍ତାବିତ, ପୁଣି ପ୍ରତ୍ୟାଖ୍ୟାତ ସମ୍ପର୍କ କଥା ମନେପକାନ୍ତି । ଉପସ୍ଥିତ ସ୍ଵାମୀଙ୍କ ସଙ୍ଗରେ ସାହିତ୍ୟିକ ରାମଚନ୍ଦ୍ରଙ୍କୁ ତୁଳନା କରନ୍ତି । ଜଣେ ଶାନ୍ତି ଶୃଙ୍ଖଳାର ଦାୟିତ୍ଵ ନେଇ ସର୍ବଦା ଅଶାନ୍ତ ଓ ବିଶୃଙ୍ଖଳ, ଆଉ ଜଣେ ସାହିତ୍ୟିକ ଜୀବନର ସରସତା ନେଇ, ଶତଅଭାବ ଅନାଟନ ଭିତରେ ସୁଦ୍ଧା, ସବୁଦିନେ ସବୁଜ ମୁଗ୍ଧ ଓ ସଜୀବ । ସେ ଉଭୟଙ୍କର ବିଚାରଧାରାର ବିପରୀତମୁଖୀ । ସେମାନଙ୍କର ତୁଳନା ହୋଇପାରେନା ।

 

ମହିଳା ଜଣକ ଅନେକ ଦିନରେ ନିଜ ଭୁଲ୍‍କୁ ଏକ ଅବାଞ୍ଛିତ ଅବ୍ୟବସ୍ଥିତ ଓ ନିଷିଦ୍ଧ ଅବସ୍ଥାରେ ଆବିଷ୍କାର କରିପାରିଛନ୍ତି । ସେହି ବୟସ, ସେହି ପରସ୍ଥିତି ଭିତରେ ତାଙ୍କ ମନର ନିଭୃତ ଭାବନାକୁ ଯଦି ଅନ୍ୟ କାହା ଆଗରେ ପ୍ରକାଶ କରିଦିଅନ୍ତି, ପରିଣତିଟା କେତେ ଭୟାବହ ଓ ବିଷମ ହୋଇଉଠିବ ନାଇଁ ସତରେ ! ସମାଜ ତାଙ୍କର ମନ୍ତବ୍ୟ ଶୁଣି ଉପହାସ କରିବ । ଅସାମାଜିକ ଚିନ୍ତାରେ ଲିପ୍ତଥିବା ହେତୁ ପ୍ରକାରାନ୍ତରେ ନର୍ମମ ଶାସ୍ତିବିଧାନ ପାଇଁ ଉପାୟ ଅବଲମ୍ବନ କରିବ । ଝିଅ ପୁଅ ଆଉ ବିବାହିତ ସ୍ଵାମୀଙ୍କ ମଝିରେ ଛିଡ଼ା ହୋଇ ସେଇ ବୟସରେ କ’ଣ ଏମିତି ଏକ ବିଷମ କଥା ପ୍ରକାଶ କରିହୁଏ ?

 

ରାମଚନ୍ଦ୍ରବାବୁ ଘଟଣାର ଶେଷାଂଶ ତକ ଶୁଣାଇଲାବେଳେ ଆହୁରି ସତେଜ ହୋଇ ଉଠିଲେ । କହିଲେ, ଶୁଣିଛ ବନ୍ଧୁ, ଲଜ୍ଜାଶୀଳା ନାରୀ ହୋଇ ମଧ୍ୟ ସେ ମୋ’ ଆଗରେ ଆଜି ତାରି ମନର ରହସ୍ୟକୁ ପରିବେଷଣ କରିପାରିଲା । କଥାଛଳରେ ଆହୁରି ମଧ୍ୟ ପ୍ରକାଶ କଲା ଯେ, ଯଦି ନିଜ ବୟସରୁ କିଛି କମାଇଦେବାର ବା ଅତୀତର ଘଟଣାବଳୀକୁ ଅକ୍ଷୁଣ୍ଣ ଦେହରେ ଫେରିଯିବାର ଶକ୍ତି ତା’ର ହାତପାହାନ୍ତାରେ ଥାଆନ୍ତା, ତେବେ ସେ ନିର୍ବିବାଦରେ ସେହି ଅବିବାହିତା କୁମାରୀ ବୟସକୁ ଲେଉଟିଯିବାର ପ୍ରାଣାନ୍ତକ ଚେଷ୍ଟା କରନ୍ତା । ପୁନର୍ବାର ଯଦି ସେ ଦିନର ଅଜ୍ଞାତ ସାହିତ୍ୟିକଙ୍କୁ ବିବାହ ପ୍ରସ୍ତାବ ଆସନ୍ତା....

 

କିନ୍ତୁ ଗଲା କଥା ଆଉ କେବେ କ’ଣ ଫେରିଆସିପାରେ ? ବନ୍ଧୁ ରାମଚନ୍ଦ୍ର ସଂଯୋଗ କଲେ । ପୁଣି କହିଲେ, ଜୀବନରେ ଏମିତ ଅନେକ ଘଟଣା ରହିଛି । ଯହିଁରେ ଥରେ ଭୁଲ୍‍ କରି ପକାଇଲେ ସମଗ୍ର ଜୀବନ ପାଇଁ ସଂଶୋଧନ କରିବାର ସୁବିଧା ଆଉ ରହେନା । ଥରକର ଭୁଲ୍‍, ସାରା ଜୀବନର ପାଇଁ ଅମାର୍ଜନୀୟ ରହିଯାଏ । ଭଦ୍ରମହିଳାର ଇଚ୍ଛା ଆଉ ଏ ଜନ୍ମରେ ପୂରଣ ହେବାର ନୁହେଁ । ସେ କଥା କ’ଣ ସେ ଜାଣେ ନାହିଁ ? ତଥାପି କାହିଁକି ସେ ମୋ ଆଗରେ ଗଲା ଅତୀତର ଭୁଲ୍‍ କଥା ସବୁ ବାଢ଼ିବସିଲା, ବୁଝି ହେଲାନାହିଁ ।

 

ତୁମର ସାହିତ୍ୟି-ସୃଷ୍ଟିରେ ସେ ଜଣେ ମୁଗ୍ଧ ପାଠିକା ! ତୁମ ସାର୍ଥକ-ସଜନୀର ସେ ଜଣେ ନୀରବ ସ୍ତାବକ । ତୁମ କଲମ ପ୍ରତି ତା’ର ସଦିଚ୍ଛା ଓ ସହାନୁଭୂତି ରହିଛି । ସାହିତ୍ୟିକ ରାମଚନ୍ଦ୍ରଙ୍କର ସେ ଜଣେ ବିଦଗ୍ଧ ପୂଜାରିଣୀ ମୁଁ ଉତ୍ତର ଦେଲି । ଅନେକ ଦିନ ପରେ ଏମିତି ଏକ ସମ୍ମାନିତ ଉତ୍ତର ଦେବାପାଇଁ ସୁଯୋଗ ପାଇଥିବାରୁ, ମୁଁ ନିଜ ଭିତରେ ପରମତୃପ୍ତି ଲାଭ କରୁଥିଲି ।

 

‘ହୋଇପାରେ !’ ରାମଚନ୍ଦ୍ରବାବୁ ନିରାଶକ୍ତଭାବରେ ଉତ୍ତର ଦେଲେ । କିଛିକ୍ଷଣ ନୀରବ ରହିବା ପରେ ପୁନର୍ବାର ପ୍ରକାଶ କଲେ ମୋରି ବିବାହ ପ୍ରସ୍ତାବକୁ ଭାଙ୍ଗିଦେଇ ଭୁଲ୍‍ କରିଛି ବୋଲି, ବହୁବିଳମ୍ବରେ ହେଲେ ମଧ୍ୟ ସେ ସ୍ୱୀକାର କରିଛି । ଏଥିପାଇଁ ମୁଁ ଅବଶ୍ୟ ସୁଖୀ, କାରଣ ୟା’ ପୂର୍ବରୁ ଗୋଟିଏ ସାମାନ୍ୟ ତରୁଣୀ ମୋର ପୌରୁଷକୁ ଯେମିତି ଭାବରେ ଅସମ୍ମାନ ପ୍ରଦାନ କରିଥିଲା, ମୋର ବ୍ୟକ୍ତିତ୍ଵକୁ ସର୍ବସମକ୍ଷରେ ବି କ୍ଷୁଣ୍ଣ କରି ଦେଇଥିଲା, ସେ ନେଇ ବ୍ୟସ୍ତ ଥିଲି । ଆଉ ଆଜି ମୁଁ ବ୍ୟସ୍ତ ହେବି ନାହିଁ । ମୁଁ ନିଜକୁ ହଜାଇଦେଇ ପୁଣି ଥରେ ଫେରିପାଇଛି । ମୁଁ ନିଜ ସଙ୍ଗେ ଆଜି ପରିଚିତ ହୋଇପାରିଛି । ବିଗତ ଦୁର୍ଘଟଣାକୁ ଭୁଲିଯିବି ।

 

ତାଙ୍କ ଉତ୍ତର ଶୁଣିବା ପରେ ମୋର ଆଉ କିଛିହେଲେ କହିବାର ନ ଥିଲା । ଆମେ ଉଭୟେ ନୀରବରେ ସ୍ୱନାମଧନ୍ୟ ହେରାଗଉରୀ ସାହି ଅତିକ୍ରମ କଲୁ ।

 

ହେରାଗଉରୀ ସାହି ପରେ କିଛିଦୂର ଅଗ୍ରସର ହେଲେ ବଡ଼ଦାଣ୍ଡର ପୋଲିସ ଛକ । ସେଇଠୁଁ ଆମେ ଉଭୟେ ପରସ୍ପରର ବିପରୀତମାର୍ଗରେ ପ୍ରତ୍ୟାବର୍ତ୍ତନ କରିବୁଁ । ଛକ ପାଖରେ ପହଞ୍ଚି ମୁଁ ସାଇକେଲ ଆରୋହଣ ପାଇଁ ଉପକ୍ରମ କରୁଛି, ବନ୍ଧୁ ରାମଚନ୍ଦ୍ର ମୋତେ ଅପେକ୍ଷା କରିବାକୁ କହି, ଚଲାବାଟରୁ ପୁନର୍ବାର ଲେଉଟି ଆସିଲେ । ତା’ପରେ କୌଣସି ଏକ ଗୁରୁତର ବିଷୟରେ ବିଚାରକ ତାଙ୍କର ରାୟ ଶୁଣାଇଲା ପରି, ଗଭୀର କଣ୍ଠରେ କହିବାକୁ ଲାଗିଲେ, ଶୁଣ ବନ୍ଧୁ, ମୁଁ ବର୍ତ୍ତମାନ ଖୁବ୍ ସୁଖରେ ଅଛି । ପତ୍ନୀ ପୁତ୍ରର କଳଗୁଞ୍ଜନରେ ମୁଖରିତ ମୋର ସ୍ଵପ୍ନ-ସୁନ୍ଦର-ନୀଡ଼ ଖଣ୍ଡକ ବେଶି ଶାନ୍ତିରେ ଅଛି । ମୁଁ ଭଦ୍ର ମହିଳାର ଅସୁନ୍ଦର କଥା ଆଉ କେବେ ହେଲେ ଭାବିବି ନାହିଁ । ତାରି ହାତ ଧରିଥିଲେ, କିଏ ଜାଣେ, ସେ ଆଜି ମୋର ପତ୍ନୀ ହୋଇ ମଧ୍ୟ, ବହୁଦିନତଳର ପରିଚିତ ଓ ଆଜିକାର ପୋଲିସ ବିଭାଗର ସମ୍ମାନାସ୍ପଦ ଅଫିସରଙ୍କୁ ମୋରି ଅନୁପସ୍ଥିତିରେ ଘରକୁ ଡାକିନେଇ କହି ନ ଥାଆନ୍ତା; ‘ହେ ବନ୍ଧୁ, ତୁମକୁ ପାଇଥିଲେ ମୁଁ ବିଶେଷ ସୁଖୀ ହୋଇପାରିଥାଆନ୍ତି । ସେ କଥା ଆଜି ଦୁଃଖର ସହିତ ଅନୁଭବ କରୁଛି’ ।

 

ତା’ବି ସମ୍ଭବ ହୋଇପାରେ । ଉତ୍ତର ଦେଲି ।

 

‘ଅସମ୍ଭବ ନୁହେଁ ବନ୍ଧୁ ! ସ୍ତ୍ରୀର ଆଚରଣ ସମ୍ବନ୍ଧରେ ସ୍ପଷ୍ଟ ଧାରଣା କରିବା କୌଣସି ପୁରୁଷ ପକ୍ଷରେ ଅଦ୍ୟାବଧି ସମ୍ଭବ ହୋଇପାରି ନାହିଁ । ସୃଷ୍ଟିରେ ସେମାନେ ହେଲେ ଏକ ମାୟାବୀ ଜୀବ । ଯାହା କହନ୍ତି ତାହା କରନ୍ତି ନାହିଁ । ପୁଣି ଯାହା କରନ୍ତି; ତାହା କହନ୍ତି ନାହିଁ’ । ବନ୍ଧୁ ରାମଚନ୍ଦ୍ର ଏତକ କହି ସାରିବାପରେ ମୋ’ ମତାମତକୁ ଅପେକ୍ଷା ନ କରି ତଡ଼ିତ ବେଗରେ ବଡ଼ଦାଣ୍ଡ ଭିତରେ ଅନ୍ତର୍ଦ୍ଧାନ ହୋଇଗଲେ ।

 

ବଡ଼ ଦେଉଳରୁ ଧୂପ ଝାଞ୍ଜର ଆବାଜ ଆସି ବଡ଼ଦାଣ୍ଡକୁ ଆଚ୍ଛନ୍ନ କରି ରଖିଥିଲା ସେତେବେଳେ ।

 

ମୁଁ ଭାବି ଦେଖୁଥିଲି, ଆତ୍ମହତ୍ୟା ସକାଶେ ଏକଦା ଆୟୋଜନ କରିଥିବା ‘ସେହି ସାତ ପୁଅର ମା’ ବୟସ୍କା ମହିଳାର ମାନସିକଦ୍ଵନ୍ଦ୍ୱ ସଙ୍ଗରେ ହେରାଗଉରୀ ସାହିର ବିବାହିତ ସୁନ୍ଦରୀ ମହିଳା ଦେଇଥିବା ଉତ୍ତରର କୌଣସି ସାମଞ୍ଜସ୍ୟ ଅଛି କି ନାହିଁ ।

 

ସାହିତ୍ୟିକ ବନ୍ଧୁ, ରାମଚନ୍ଦ୍ର ମୋତେ ଦୁଇଟି ବିଚିତ୍ର ନାରୀ ଚରିତ୍ର ସଙ୍ଗେ ଖାଲି ପରିଚୟ କରାଇଦେଇ ନ ଥିଲେ ଯେ ଚିନ୍ତାର ମାୟାଜାଲ ଭିତରେ ଛନ୍ଦି ଦେଇଗଲେ ।

Image

 

କଲ୍ୟାଣୀ

 

ସଞ୍ଜୟ ଘର ଛାଡ଼ିବାର ଅନେକ ଦିନ ହୋଇଗଲାଣି । ସୀମାନ୍ତ ରକ୍ଷାର ଗୁରୁଦାୟିତ୍ଵ ବହନ କରି କେଉଁ ଏକ ଆଗୁଆଘାଟୀରେ ଦାୟିତ୍ଵ ତୁଲାଉଥିବେ, କେଜାଣି !! ଏଇ କିଛିଦିନ ହେଲା ଚନ୍ଦ୍ରିକାର ବାରମ୍ବାର ସଞ୍ଜୟ କଥା ମନେପଡ଼ୁଛି ।

 

ସେଦିନ ଅନେକ ରାତି ପର୍ଯ୍ୟନ୍ତ ଚନ୍ଦ୍ରିକାକୁ ନିଦ ଲାଗିଲା ନାହିଁ । ଶୋଇଲା ଖଟରୁ ଉଠି ବସି ନିଷ୍ପ୍ରଭ ବିଜୁଳିଆଲୋକରେ ଘରର ଚଉଦିଗକୁ ଚାହିଁ ନେଲା ।

 

ସମସ୍ତେ ଶୋଇ ଯାଇଛନ୍ତି ଆରାମରେ । ଶାଶୁଙ୍କର ଘୁଙ୍ଗୁଡ଼ି ଶବ୍ଦ ଶୁଭୁଛି । ଚାରିବର୍ଷର ପୁଅ ପ୍ରବୀରଟା ଶୋଇ ଶୋଇ ହସୁଛି ।

 

ଖୋଲା ଝରକାର ଫାଙ୍କେ ଫାଙ୍କେ ମେଘମୁକ୍ତ ନିର୍ମଳ ଆକାଶରୁ ଚେକାଏ ପରିଷ୍କାର ଦେଖାଯାଉଛି । ତାରି ଦେହରେ ସଫେଦ୍‍ ଜହ୍ନଟା ପ୍ରଗଳ୍‍ଭା କିଶୋରୀ ପରି କିରି କିରି ହୋଇ ହସି ଉଠୁଛି ।

 

ମାର୍ଗଶୀରର ଶୀତୁଆ ରାତିଟା ଚନ୍ଦ୍ରିକାକୁ ଲମ୍ବାଳିଆ ଜଣାପଡ଼ିଲା । ଏଇ ରାତି ପୁଣି ସଂକ୍ଷିପ୍ତ ମନେ ହୁଅନ୍ତା, ଯଦି ‘ସେ’ ପାଖରେ ଥାଆନ୍ତେ !

 

ରାତି ଅଧରେ ସଞ୍ଜୟ ପୁନର୍ବାର ମନେ ପଡ଼ୁଛି ! ସଞ୍ଜୟ ଚନ୍ଦ୍ରିକାର ସ୍ଵାମୀ । ପାଖରେ ଥିଲେ ଶିଶୁପରି ଚପଳ ହୋଇ ଉଠନ୍ତି । ଆବଶ୍ୟକ, ଅନାବଶ୍ୟକ ଗୁଡ଼ାଏ ବକି ଯାଆନ୍ତି । ପାଟିରେ ବାଡ଼ବତା କିଛି ରହେନା । ସେଇ ପୁଣି ଦିନେ ଦିନେ ଜହ୍ନ ରାତିରେ ତାକୁ ତୁଳନା କରନ୍ତି ହସିଲା ଚନ୍ଦ୍ର ସଙ୍ଗରେ । କହନ୍ତି, ଆକାଶର ଚନ୍ଦ୍ର ଦେହରେ କଳଙ୍କ ଅଛି; କିନ୍ତୁ ହାତପାହାନ୍ତାର ଚନ୍ଦ୍ରିକା କଳଙ୍କହୀନା । ମୁହଁରେ ଗୋଟିଏ ନୁହେଁ, କୋଟିଏ ଚନ୍ଦ୍ରର ଦୀପ୍ତି । ଦେହରେ ସହସ୍ର ଜ୍ୟୋତ୍ସ୍ନାର ଲାବଣ୍ୟ । ମାସକରୁ ଗୋଟିଏ ଦିନ ଛାଡ଼ିଦେଲେ, ଆକାଶର ଚନ୍ଦ୍ର ସବୁଦିନ ବିକ୍ଷତ, ଅସମ୍ପୂର୍ଣ୍ଣ । କିନ୍ତୁ ରକ୍ତ ମାଂସର ଚନ୍ଦ୍ରିକା ସବୁ ଦିନ ଅକ୍ଷତ ସମ୍ପୂର୍ଣ୍ଣ । ସେ କଥା ଶୁଣି ଚନ୍ଦ୍ରିକାର ଚଟୁଳ ମୁହଁଟା ରଙ୍ଗ। ପଡ଼ିଯାଏ । ଭସାଣିଥା ଆଖି ଦି’ଟାକୁ ଆନତ କଲାବେଳେ, ଉଚ୍ଛ୍ୱାସ ଓ ବେପଥୁରେ ଭାଙ୍ଗ ପଡ଼ୁଥାଏ ଯେମିତି ! ଆବେଗ କଣ୍ଠରେ ଉତ୍ତର ଦିଏ, ଛିଃ, ତମେ କି ଦୁଷ୍ଟ !!

 

ରାତ୍ରି ଅବେଳରେ ପାହିଯାଏ । ସୁଦୀର୍ଘ ରାତ୍ରି ନିର୍ଜନ କିମ୍ବା ନିଃସଙ୍ଗ ଜଣାପଡ଼େ ନାହିଁ ।

 

ଚନ୍ଦ୍ରିକା ସଞ୍ଜୟ କଥା ମନେପକାଇ ବ୍ୟସ୍ତ ହୋଇ ଉଠିଲା । ଆଃ, ସେ ଯଦି ପାଖରେ ଥାନ୍ତେ, କୋଳ ଉପରେ ମୁଣ୍ଡ ରଖି ଆକାଶର ତାରା ଗଣିବାକୁ ଇଚ୍ଛା ହୁଅନ୍ତା । କଥା ଶୁଣୁଶୁଣୁ ଆଖି ଲଗିଯାଆନ୍ତା ଯେ ଡାକିଲେ ହାକିଲେ ବି ଜଣାପଡ଼ନ୍ତା ନାହିଁ । ଏମିତି ସୁଖରେ ସୁଖରେ ବିବାହର ପଞ୍ଚୋଟି ବର୍ଷ ସରିଗଲା ।

 

ପଞ୍ଚୋଟି ବର୍ଷ କେତେ ଶୀଘ୍ର ସରିଗଲା ସତରେ !! ଚନ୍ଦ୍ରିକା ମନେ ମନେ ଚମକି ଉଠିଲା । ପୁଅ ପ୍ରବୀର ପାଖକୁ ଘୁଞ୍ଚିଯାଇ ତା’ର ନିଦୁଆ ମଥାରେ ହାତ ଦେଲା ।

 

ସଞ୍ଜୟ ଓ ଚନ୍ଦ୍ରିକାର ବିବାହର ମିଳିତ ସ୍ଵାକ୍ଷର ପ୍ରବୀର ! ପ୍ରବୀର ମୁହଁରେ ସଞ୍ଜୟର ସେହି କମନୀୟ ମୁହଁ ଖଣ୍ଡକ ଝଲସି ଉଠୁଛି । ବାପର ଠାଣି ଆଣିଛି ସେ । ବଡ଼ ହେଲେ ସଞ୍ଜୟ ପରି ବଳବାନ ହେବ । ଭୟ କି ସଙ୍କୋଚର ଧାର ଧାରିବ ନାହିଁ । ଅନ୍ୟାୟ, ଅତ୍ୟାଚାରର ପ୍ରତିବାଦ କରିବାକୁ ସିଂହର ବଳ ନେଇ ଆଗେଇଯିବ ।

 

ଭଗବାନ ପ୍ରବୀରକୁ ଦୀର୍ଘାୟୁ କରନ୍ତୁ । ବାପ ପରି ସେ ବି ହେଉ ସୀମାନ୍ତ-ରକ୍ଷୀ । ତାରି ବଳ ବିକ୍ରମରେ ଜନ୍ମଭୂମି ଗର୍ବ ଅନୁଭବ କରୁ ।

 

ଚନ୍ଦ୍ରିକା ଥରେ ଚନ୍ଦ୍ର ଓ ଥରେ ପ୍ରବୀରକୁ ଚାହିଁନେଇ ଶୋଇବାକୁ ଚେଷ୍ଟା କଲା ।

 

କିନ୍ତୁ ନାଁ, ସହଜେ ନିଦ ହେବ ନାହିଁ । ବାରମ୍ବାର ମନେପଡ଼ୁଛି ସଞ୍ଜୟ । ସଞ୍ଜୟର ସବୁକଥା ଆଖି ଆଗରେ ଝଲସି ଉଠୁଛି ।

 

ସୀମାନ୍ତର କେଉଁ ଏକ ଆଗୁଆଘାଟୀରେ ଥାଇ ସେ ଶତ୍ରୁର ଆଗମନକୁ ଅପେକ୍ଷା କରିଥିବେ । ମାତୃଭୂମିର ସୁରକ୍ଷା ଦାୟିତ୍ଵ ତାଙ୍କରି ହାତରେ । ଭାରତର ଚଉରାଳିଶ କୋଟି ଜନତାର ଆଶା ଓ ଆକାଂକ୍ଷାର ପ୍ରତୀକ ।

 

ସଞ୍ଜୟର ବାହୁବଳ ଉପରେ ଚନ୍ଦ୍ରିକାର ଅଗାଧ ବିଶ୍ୱାସ । ଏମିତି ଲୋକ ଆଗରେ କୌଣସି ଶତ୍ରୁ ବର୍ତ୍ତିପାରିବା ଅସମ୍ଭବ । ସଞ୍ଜୟ ଯେଉଁଠି, ସଫଳତା ସେଇଠି । ଜୀବନରେ କେବେ କାହାରି ଆଗରେ ପରାଜୟ ସ୍ଵୀକାର କରି ନାହାନ୍ତି । ଏଥର ମଧ୍ୟ ବିଜୟରବାର୍ତ୍ତା ନେଇ ଫେରିବେ-। ହିଂସ୍ରୁକ ଚୀନାବାହିନୀକୁ ଉଚିତ ଶିକ୍ଷା ଦେଇ ଫେରିବେ । ସେ ଦିନଟା କି ଖୁସିର ଦିନଟିଏ ହବ ନାହିଁ !!

 

ଚନ୍ଦ୍ରିକାର ଦୃଢ଼ ବିଶ୍ୱାସ ହେଲା, ଭାରତର ବିଜୟ ସୁନଶ୍ଚିତ । ଏ ଧର୍ମଯୁଦ୍ଧରେ ଚୀନାବାହିନୀ ମହାଭାରତ ବର୍ଣ୍ଣିତ କୌରବ-ସେନାର ଦଶା ପାଇବେ ।

ଆଚ୍ଛା, ସଞ୍ଜୟକୁ ତା’ର ଉପସ୍ଥିତ ଦାୟିତ୍ଵରୁ ନବର୍ତ୍ତାଇବା କ’ଣ ଉଚିତ ହୋଇଥାନ୍ତା ? ଗୋଟିଏ ପୁରୁଷର ପୌରୁଷକୁ ଘରକୋଣରେ ଆବଦ୍ଧ କରି ରଖିବା କ’ଣ ପାପ ନୁହେଁ ? ନିଜର ସ୍ଵାର୍ଥପାଇଁ, ଜନ୍ମଭୁମିର ଆହ୍ଵାନକୁ ଏଡ଼ାଇଦେବା କୌଣସି ନାଗରିକ ପକ୍ଷରେ ଯୁକ୍ତିଯୁକ୍ତ ନୁହେଁ ।

ଏଇ ପୌରୁଷର ପରିଚୟ ପାଇ ସିନା ସେ ସଞ୍ଜୟର ସ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲା !

ସଞ୍ଜୟର ବାପା ଦ୍ଵିତୀୟ ମହାଯୁଦ୍ଧବେଳେ ବିଶେଷ ଅଂଶ ଗ୍ରହଣ କରିଥିଲେ । ତାଙ୍କରି ନିର୍ଦ୍ଦେଶରେ ସଞ୍ଜୟ କଲେଜ ପଢ଼ାବେଳୁ ଏନ୍.ସି.ସିରେ ଯୋଗଦାନ ଦେଇ ନିଜକୁ ସେ ଶିକ୍ଷାରେ ଯୋଗ୍ୟ ପ୍ରତିପାଦିତ କରାଇଥିଲେ । ସେ ଶିକ୍ଷା ବିଫଳ ହେଲା ନାହିଁ । ବର୍ବର ଚୀନା ସୈନ୍ୟ ଅତର୍କିତଭାବରେ ଯେତେବେଳେ ଭାରତ ଆକ୍ରମଣ କଲା, ଦେଶରକ୍ଷା ବିଭାଗରୁ ଡାକରା ଆସିଲା ପ୍ରତ୍ୟେକ ଯୁବକଙ୍କୁ ।

ଯୁଦ୍ଧପାଇଁ ଡାକରା ପାଇଲେ, ରଣାଙ୍ଗନର ଦୁନ୍ଦୁଭି ଶୁଣିଲେ ବୀର, ସୈନିକକୁ କ’ଣ ଅଟକାଇ ରଖିହୁଏ ? ଯୁଦ୍ଧ କୌଶଳ ଶିକ୍ଷା କରି, ଶତ୍ରୁର ମୁକାବିଲା କରିବାକୁ ଯିଏ ପଛାଏ, ସେ କ’ଣ ମଣିଷ ପଦବାଚ୍ୟ ?

ସଞ୍ଜୟ, ନିଜ ବଂଶ ପରମ୍ପରାକୁ ଅକ୍ଷୁଣ୍ଣ ରଖିଲେ । ଯେଉଁଦିନ ସେ ସୀମାନ୍ତରକ୍ଷାର ଦାୟିତ୍ଵ ନେଇ ଘର ଛାଡ଼ିଲେ, ସେଦିନ କେବଳ ପରିବାରଟା ନୁହେଁ, ପରିବାର ସଙ୍ଗେ ସଂପୃକ୍ତ ଆତ୍ମୀୟସ୍ଵଜନ, ଏପରିକି ସମଗ୍ର ଗାଁ, ଗୋଟିଏ ଅବଦମିତ ଉଚ୍ଛ୍ଵାସରେ ଲୋଟି ଯାଉଥିଲା । ସେ ଯେଉଁ ଆବେଗ ସେ ଯେଉଁ ଉଦ୍ଦୀପନା, ତାକୁ କଳ୍ପନା କଗଯାଇପାରେନା । ଗାଁଟି ଭିତରେ ଏତେ ଉତ୍ତେଜନା ଏହା ଆଗରୁ କେବେହେଲେ ପ୍ରକାଶ ପାଇ ନ ଥିଲା । ଚୀନର ନନ୍ଦାବାଦ କରି, ଭାରତର ବିଜୟକାମନା କରି ଯେଉଁ ସୁଦୀର୍ଘ ଶୋଭାଯାତ୍ରାଟିଏ ପରିକ୍ରମା ସକାଶେ ବାହାରିଲା, ଗାଁର ପୁରୁଷ ସ୍ତ୍ରୀ ନିର୍ବିଶେଷରେ ଆବାଳବୃଦ୍ଧବନିତା ତହିଁରେ ଯୋଗଦାନ କରିଥିଲେ । ସମଗ୍ର ଗାଁର ଆଶିର୍ବାଦ ନେଇ, ସେମାନଙ୍କ ନିଷ୍ଠାପର ସଂକଳ୍ପ ଓ ବଜ୍ର ଦୃଢ଼ ବିଶ୍ୱାସର ଏକମାତ୍ର ପ୍ରତିନିଧିଭାବରେ ସଞ୍ଜୟ ଆଗେଇ ଯାଇଥିଲା ରଣକ୍ଷେତ୍ରକୁ ।

ଶାଶୁ ସିନା ଏବେ ଦୁଃଖ ପ୍ରକାଶ କରୁଛନ୍ତି, ସେଦିନ କିନ୍ତୁ ଆନନ୍ଦ ସହକାରେ ଚୁମ୍ବନ ଦେଇ, ହସି ହସି ବିଦାୟ ଦେଇଥିଲେ ଏକମାତ୍ର ପୁତ୍ରକୁ ।

ଚନ୍ଦ୍ରିକାର ମନେପଡ଼ିଲା ସଞ୍ଜୟର ଶେଷକଥା ପଦକ । କହିଥିଲା, ମୁଁ ଗଲାପରେ କେବେହେଲେ କାନ୍ଦିବ ନାହିଁ ଚନ୍ଦ୍ରା ! ତୁମର ଭଗବାନଙ୍କୁ ଜନ୍ମଭୂମିର ମୁକ୍ତି ସକାଶେ ପ୍ରାର୍ଥନା କରୁଥିବ । ଅଳ୍ପଦିନ ଭିତରେ ଫେରି ଆସିବି । ବିଜୟ ଗୌରବ ନେଇ ତୁମରି ପାଖକୁ ଫେରି ଆସିବି । ସାମୟିକ ବିଚ୍ଛେଦ ପରେ ସେ ମିଳନ କେତେ ଚମତ୍କାର ହେବନାହିଁ କହିଲ ? ପ୍ରବୀର ପଚାରିଲେ କହିବ, ମୁଁ ଚୋର ଚୀନାସୈନ୍ୟଙ୍କୁ ଆମ ସୀମାନ୍ତରୁ ତଡ଼ିଦେବାକୁ ଯାଇଛି । ଯଦି ଫେରି ନ ଆସେ, ବଡ଼ ହେଲେ ସେ ନିଜେ ଯାଇ ଅଧା କାମ ଶେଷ କରିବ ।

ଚନ୍ଦ୍ରିକା ବ୍ୟସ୍ତହୋଇ ଥାକଉପରୁ ସଞ୍ଜୟର ମିଲିଟାରୀ ପୋଷାକ ପରିହିତ ଫଟୋଟି ନେଇ ଆସିଲା ।

ଆଃ, ଏ ପୋଷାକରେ ସଞ୍ଜୟ ଅପୂର୍ବ ଦେଖାଯାଉଛନ୍ତି । ଜହ୍ନ ଆଲୁଅରେ ଫଟୋଟିକୁ ସାମନା ସାମନି ରଖି, ତାକୁ ଏକଲୟରେ ଚାହୁଁ ଚାହୁଁ ଚନ୍ଦ୍ରିକା ଶୋଇ ପଡ଼ିଲା ।

ଚନ୍ଦ୍ରିକା ସ୍ୱପ୍ନ ଦେଖିଲା, ସ୍ଵାମୀ ତା’ର ବୀର ବିକ୍ରମରେ ସୀମାନ୍ତରେ କୌଣସି ଏକ ଯୁଦ୍ଧକ୍ଷେତ୍ରରେ ଲଢ଼େଇ କରୁଛନ୍ତି । ତାଙ୍କର ବଳ କୌଶଳ ଦେଖି ଚୀନାବାହିନୀ ପୃଷ୍ଠଭଙ୍ଗ ଦେଉଛନ୍ତି । ସେମାନଙ୍କର ଜୀବନ ବଞ୍ଚାଇବାର ବାଟ ନାହିଁ । ପ୍ରାଣବିକଳରେ ପଳାୟନ କରୁ କରୁ କିଏ ବରଫ ଖଣା ଭିତରେ କିଏ ବା ପାହାଡ଼ର କଙ୍କରିତ ମାର୍ଗରେ କ୍ଷତବିକ୍ଷତ ହୋଇ ଜୀବନ ହରାଉଛନ୍ତି । ଶତ୍ରୁ ରକ୍ତରେ ସୀମାନ୍ତ ରଣାଙ୍ଗନ ଲୋହିତ ହୋଇଉଠିଛି । ସେ ରକ୍ତର ଧାର ବୋହିଲାଗିଛି ଚୀନଦେଶକୁ । ସତେ ଅବା ଚୀନ ରାଜଧାନୀ ପେକିଂକୁ ରକ୍ତରେ ବୁଡ଼ାଇ ଦେବ !

ଚୀନ ଶାସକ ବିଶ୍ଵାସଘାତକତାର ପ୍ରତିଫଳ ଭୋଗୁଛି ।

ତହିଁ ଆରଦିନ ସକାଳ କଥା…

ପ୍ରବୀରର କଅଁଳ ଡାକରେ ଚନ୍ଦ୍ରିକା ଆଖି ଖୋଲି ଦେଖେ, ଅନେକ ବେଳ ହୋଇଯାଇଛି । ସେ ଲଜ୍ଜିତା ହେଲା ।

ପ୍ରବୀର ଚନ୍ଦ୍ରିକା ହାତକୁ ସୀମାନ୍ତର ମୋହର ବାଜିଥିବା ଚିଠି ଖଣ୍ଡେ ବଢ଼ାଇ ଦେଉ ଦେଉ କହିଲା, ବାପାଲ ଚିଠି !

ଚନ୍ଦ୍ରିକା ଅଧୁଆ ମୁହଁରେ ଚିଠି ଖୋଲିଲା ।

କଲ୍ୟାଣିୟାଷୁ,

 

ନେଫାର ଲୋହିତ ଡିଭିଜନର କୌଣସି ଏକ ଯୁଦ୍ଧ ଶିବିରରୁ ଏ ପତ୍ର ଲେଖୁଛି । ଦି’ଦିନ ହେଲା ଶତ୍ରୁପକ୍ଷର ଆକ୍ରମଣକୁ ଆମେ ପରାହତ କରି ନିଜ ଆସ୍ଥାନରେ ଦୃଢ଼ ରହିଛୁଁ । ଶତ୍ରୁପକ୍ଷ ପ୍ରତ୍ୟାବର୍ତ୍ତନର ସୁଯୋଗ ଉଣ୍ଡୁଛନ୍ତି । ଏହାଠୁ ବଳି ଆମପଷରେ ଖୁସିର କଥା ଆଉ କ’ଣ ଅଛି ?

 

ବ୍ୟସ୍ତ ହେବନି ଚନ୍ଦ୍ରା ! କହିବା ମୁତାବକ ବିଜୟର ସୁସମ୍ବାଦ ନେଇ ଅଳ୍ପଦିନ ଭିତରେ ଫେରିବି । ସୀମାନ୍ତ ସୈନିକର ଚୁମ୍ବନ ନେବ । ପ୍ରବୀରକୁ ମୋ ପକ୍ଷରୁ ସ୍ନେହ ଦେବ । ମାଆଙ୍କୁ କହିବ, ମୁଁ ଭଲରେ ଅଛି । ହଁ, ଆଉ ଗୋଟି କଥା ଚନ୍ଦ୍ରା ! ମୁଁ ଫେରିଲା ପରେ ଆମର ଯଦି ନୂଆ ଅତିଥିର ଆଗମନ ହୁଏ, ତା’ର କି ନାଁ ଦେବା ଭାବିଛ ? ମୁଁ ସ୍ଥିର କରିଛି ତାକୁ ‘ସୀମାନ୍ତ ସିଂହ’ ବୋଲି ଡାକିବି ରାଜି ତ ?

 

ସମୟ ନାହିଁ ଚନ୍ଦ୍ରା ! ପରେ କେବେ ଲେଖିବି ।

 

ତୁମର

ସଞ୍ଜୟ

 

ଚନ୍ଦ୍ରିକା ଶୁଭ ସମ୍ବାଦ ପଢ଼ି ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ ହେଲା । ତା’ପରେ ଚିଠିଟିକୁ ପୁନରାବୃତ୍ତି କଲାବେଳେ ଶେଷାଂଶ ଉପରେ ଅଟକିଯାଇ ମନେ ମନେ ହସିବାକୁ ଲଗିଲା-

 

ଅଧୁଆ ମୁହଁରେ ଅଧରର ଅସ୍ପଷ୍ଟ ହସଧାଡ଼ିକ ଅସମ୍ଭଭାବରେ ସୁନ୍ଦର ଦେଖାଯାଉଥାଏ-। ଗୁଣୁ ଗୁଣୁ ହେଲା, ‘ଯେତେ ହେଲେ ପୁରୁଣା ଖୋଇଗଲାନି । .......ଦୁଷ୍ଟ !’

 

ଗାଧୁଆ ବେଳର ଖରାଟା ଦେହକୁ ନରମ ନରମ ଲାଗୁଥାଏ–

Image

 

ପ୍ରାପ୍ୟ ଓ ପ୍ରାପ୍ତି

 

ସୁନ୍ଦରୀ ଚିତ୍ରଲେଖା ସଙ୍ଗରେ କୁଶଳୀ କଳାକାର ଚିତ୍ତରଞ୍ଜନର ପରିଚୟ ହେବା ଆଜି ପଞ୍ଚମ ଦିନ ।

 

ସେଦିନର କଥା—

 

ଚିତ୍ରଲେଖା ଚାଲି ଯାଇଥିଲା ।

 

ଚିତ୍ରଲେଖା ଆସିବା ଓ ଚାଲିଯିବା ଭିତରେ କିଛି ବ୍ୟବଧାନ ଥିଲା ପରି ମନେହୁଏନାଁ । ଲାଗେ, ସେ ଆସିବା ପରେ ସମୟ ତା’ର ଆପଣାର ସ୍ଥିତିକୁ ଭୁଲିଯାଇଛି । ଚିତ୍ରଲେଖାର କଥା ଓ ହସ ଭିତରେ ସମୟର କେତେକାଂଶ ଯେମିତି ଛନ୍ଦୁରି ହୋଇଯାଇଛି । ସେଥିପାଇଁ ତା’ର ସ୍ଵଭାବିକ ବ୍ୟବଧାନକୁ ସହଜରେ ମାପି ସ୍ଥିର କରଯାଇପାରେନା ।

 

ଚିତ୍ରଶିଳ୍ପୀ ଚିତ୍ତରଞ୍ଜନ ଅସମ୍ପୂର୍ଣ୍ଣ ଚିତ୍ରପଟ ଊପରେ ବିଚାରକର ଆଖି ବୁଲାଇ ଅଳ୍ପ ହସି ନେଲା ।

 

ସହରକୁ ରାତ୍ରି ଆସୁଥିଲା । ସହରର ପୂର୍ବାଂଶରେ ରାତ୍ରି ନାୟିକା ତା’ର ନୂପୁର ପିନ୍ଧା ପାଦ ପକାଇ ଅଳସେଇ ଅଳସେଇ ଚାଲୁଥିଲା ।

 

ଆକାଶର ଶିରାରେ ଶିରାରେ ରାତ୍ରି ନାୟିକାର କୃଷ୍ଣଶାଢ଼ିର କଳାରଙ୍ଗ ଚହଟି ଉଠୁଥିଲା-

 

ଚିତ୍ତରଞ୍ଜନ କ’ଣ ଭାବି କେଜାଣି, ପୁଣି ଥରେ ଚିତ୍ରଲେଖାର ଚିତ୍ରପଟକୁ ଚାହିଁବାକୁ ଲାଗିଲା ।

 

ଅଭିମାନିନୀ ଚିତ୍ରଲେଖା ସତେ ଅବା ସୁଗଭୀର ଭ୍ରୂଲତା ତଳୁ କଣେଇ କଣେଇ ଚାହିଁଛି । ସେହି ସୁମଧୁର ଚାହାଣିରେ ରସୋତ୍ତୀର୍ଣ୍ଣ କବିତାର ମୂର୍ଚ୍ଛନା ବୋଳି ହୋଇଛି-। ଏଇ ଆସନ୍ନ ରାତ୍ରିର କୃଷ୍ଣାୟିତ ରହସ୍ୟ ବୋଳି ହୋଇ ସେ ଅତି କମନୀୟ ହୋଇଉଠିଛି । ଚୁପ୍ ଚୁପ୍ ପଚାରୁଛି । ସତ କହିବ ଶିଳ୍ପୀ, ତୁମେ ମୋତେ ଭଲ ପାଅ ? ପ୍ରାଣଦେଇ ଭଲ ପାଅ ?

 

ଚିତ୍ରଲେଖାର ଏ ସୁମଧୁର ନିର୍ବାକ ପ୍ରଶ୍ନ ଚିତ୍ତରଞ୍ଜନ ସକାଶେ ପୁଷ୍ପିତା ପୃଥିବୀର ଉଚ୍ଛ୍ଵସିତ, ସୌରଭ ପରି ମନେହେଲା ।

 

ଆଃ ଚିତ୍ରା ! ତୁମେ ଦୀର୍ଘାୟୁ ହୁଅ । ତୁମର ରୂପ ଯୌବନ ଅନନ୍ତ ଯୌବନା ଉର୍ବଶୀ ପରି ଚିରସ୍ଥାୟୀ ହେଉ ! ଶିଳ୍ପୀ ଚିତ୍ତରଞ୍ଜନ ଚିତ୍ରଲେଖା ଉଦ୍ଦେଶ୍ୟରେ ମନେ ମନେ ଶୁଭେଚ୍ଛା ଜ୍ଞାପନ କଲା ।

 

ଶେଷଥର ପାଇଁ ସେ ଅସମ୍ପୂର୍ଣ୍ଣ ଚିତ୍ରପଟର କଣ୍ଠଲଗ୍ନା ହୋଇ ନିମୀଳିତ ପକ୍ଷ୍ମଲତାର ନୀଳବର୍ଣ୍ଣକୁ ଦେଖିନେଲା । ନିର୍ବାକ ଚିତ୍ରଟି ନିଶ୍ଚିତ ଭାବରେ ଅନୁପମ ହୋଇଉଠିଛି । ବିପୁଳ କବରୀର ସୁବିନ୍ୟସ୍ତ କେଶ ବିଥିକାରେ ଯଦି ନବ ଆଷାଢ଼ର ସଂଳାପ, ଅଥବା ଆଦ୍ୟ ମୌସୁମୀର ମଧୁର-ମାତାଲ-କବିତାକୁ ସତରେ ପୂରାଇ ଦେଇହୁଅନ୍ତା, ତାହାହେଲେ ଚିତ୍ରପଟଟି ଆଉ ନିର୍ବାକ ମନେହୁଅନ୍ତା ନାହିଁ ।

 

ଚିତ୍ରଲେଖା ଅପରୂପା ସୁନ୍ଦରୀ । ତା’ରି ପୁଷ୍ପିତ ତନୁଲତାରେ କେତେ ମାଂସ, କେତେ ରଙ୍ଗ ! ହସିଲାବେଳେ ମନ୍ଦାର-ଲାଲ ଓଠ ଦୁଇଟିରୁ ସତେ ଅବା ଦୁଇଧାର ସଜରକ୍ତର ଝଲକ ଝରିଉଠେ । କଥା କହିବାରେ ବି ସେ ନିର୍ଦ୍ଦିଷ୍ଟ ଭଙ୍ଗୀ ଆୟତ୍ତ କରି ନେଇଛି । ମୁହଁ ନ ଦେଖି, ବେଶଭୂଷଣର ପରିପାଟୀରୁ ସହଜରେ ଅନୁମାନ କରିନେଇ ହେବ ଯେ, ସେହି ଝିଅଟି ପରମାସୁନ୍ଦରୀ ଚିତ୍ରଲେଖା !

 

ଚିତ୍ତରଞ୍ଜନର ମନେହେଲା, ଚିତ୍ରଲେଖାର ନାମୋଚ୍ଚାରଣ କରି ତୂଳି ଧରିଥିଲା ବୋଲି, ଚିତ୍ରପଟ ଖଣ୍ଡକ ଏତେ ଚମତ୍କାର ହୋଇପାରିଛି ।

 

ଶିଳ୍ପୀ ଚିତ୍ତରଞ୍ଜନ ସତରେ ସୁନ୍ଦରୀ ଚିତ୍ରାର ପ୍ରେମରେ ପଡ଼ି ଯାଇଥିଲା । ସେ ପ୍ରେମ ସମ୍ପୂର୍ଣ୍ଣ ଏକ ନୂତନ ପରିବେଶ ଭିତରେ ଜନ୍ମଲାଭ କରିଥିଲା । ନ ହେଲେ ତୂଳିର ଶିଳ୍ପ ଅପେକ୍ଷା ରକ୍ତମାଂସର ନାରୀକୁ ସେ ଏତେଗଭୀର ତଥା ନିବିଡ଼ଭାବରେ ଭଲପାଇ ପାରି ନ ଥାନ୍ତା !

 

ସେଦିନର ସେହି ପ୍ରଥମ ସାକ୍ଷାତ.....

 

ସେଦିନ କି ତିଥି ବା ବାର ଥିଲା, ହୁଏତ ଆଜି ଉଭୟଙ୍କର ମନେ ନ ଥିବ । କିନ୍ତୁ ଏକଥା ନିଶ୍ଚିତ ଯେ ପୂର୍ବାକାଶରେ ଅଦିନ ମେଘଘୋଟି ଆସୁଥିଲା । ଓଜନିଆ ପବନ ଦେହରେ ହାଲୁକା ଶୀତର ମୁଲାୟମ ସ୍ପର୍ଶ ମିଶିଥିଲା । କାମଧନ୍ଦା ନ ଥିଲେ, ଏଭଳି ପରିବେଶ ଭିତରେ ଅଳସ ନିଦ ଆସିବା ସ୍ଵାଭାବିକ ।

 

ଶିଳ୍ପୀ ବିଛଣାରେ ଶୋଇ ଶୋଇ କୌଣସି ଏକ ନୂତନ ସୃଷ୍ଟିର ମନ୍ତ୍ର ଖୋଜୁଥିଲା । ବର୍ଷାର ରିମ୍‍ଝିମ୍ ଶବ୍ଦ ଅଜାତ ସୃଷ୍ଟିର ପରିକଳ୍ପନାକୁ ରସମୟ ତଥା ଛନ୍ଦମୟ କରି ତୋଳୁଥିଲା । ମନୋଜ୍ଞ କବିତାର ରସୋତୀର୍ଣ୍ଣ ଭାବଚ୍ଛ୍ୱାସରେ ଆବଦ୍ଧ ହୋଇ କଳ୍ପଲୋକର କେଉଁ ଏକ ଅଜ୍ଞାତ ପୃଥିବୀରେ ସେ ବିଚରଣ କରି ବୁଲୁଥିଲା ।

 

ଠିକ୍ ଏତିକିବେଳେ ଦୁଆର ପାଖରେ ଖଟ୍‍ଖାଟ୍ ଆବାଜ ହେଲା । ଚିତ୍ତରଞ୍ଜନର କିନ୍ତୁ ବିଛଣା ଛଡ଼ିବାକୁ ମନ ନ ଥାଏ ।

 

ତା’ପରେ ଏମିତି ପରିସ୍ଥିତି ଆସିଲା, ଯଦ୍ୱାରା ସେ ଦୁଆର ଫିଟାଇବାକୁ ବାଧ୍ୟ ହେଲା । କିନ୍ତୁ ଏ କ’ଣ ଦେଖୁଛି ସତରେ !

 

ଦୁଆର ସେପଟେ ଛିଡ଼ା ହୋଇଛି ଏକ ଲାସ୍ୟମୟୀ ହାସ୍ୟମୟୀ, ରୂପସୀ ତରୁଣୀ । ସର୍ବାଧୁନିକ କେଶ ବିନ୍ୟାସରେ ରୁଚିମନ୍ତ ଶୈଳୀର-ସୁଶୋଭନ ପରିପ୍ରକାଶ । ଯୁଗ୍ମ ଭ୍ରୂଲତାର ତଟେ ତଟେ ସ୍ଵପ୍ନର ସରୁ ଖିଅଟିଏ ସତେ ଅବା ଲହଡ଼। ଭାଙ୍ଗୁଛି । ଗଣ୍ଡଦେଶରେ ପଲାସ ପୁଷ୍ପର ଚମତ୍କାରିତ । ଶଂଖ ଗ୍ରୀବାର ମସୃଣତା ଶୁଭ୍ରକାର୍ପାସଠାରୁ ଆହୁରି ବେଶି । ଶିଳ୍ପୀର ମନେହେଲା, ‘ମେଘରାଣୀର ସଭା ସାନ ଝିଅଟିଏ ତା’ ମନର ଚିନ୍ତା ସଙ୍ଗେ ତାଳ ଦେଇ ଟିକିଏ ପ୍ରେରଣା ଦେବ ବୋଲି ଚାଲିଆସିଛି ।’

 

ତୁମେ ? ଚିତ୍ତରଂଜନ ବିସ୍ମୟ ବିମୂଢ଼ ପାଲଟି ଯାଇଥିଲା ।

 

ମୁଁ ଚିତ୍ରଲେଖା ! ତରୁଣୀଟି ହସି ହସିକା ଉତ୍ତର ଦେଲା । ସଂଯୋଗ କଲା, ଅବସର ପ୍ରାପ୍ତ ସିଭିଲ୍ ସର୍ଜନଙ୍କ ଝିଅ । ଶୁଣିଲି, ଏଇଘରେ ଶିଳ୍ପୀ ଚିତ୍ତରଂଜନ ରୁହନ୍ତି ବୋଲି ! କ’ଣ ତାଙ୍କୁ ଦେଖାକରି ପାରିବି ?

 

ଚିତ୍ରଲେଖା ! ଚମତ୍କାର ନାଁଟିଏ । ନାଁକୁ ଜାଣି ଗଢ଼ଣ । ପ୍ରକୃତରେ ରଙ୍ଗମରା ସଜୀବ ନିଖୁଣ ଛବିଟିଏ । କି ସୁନ୍ଦର ଦେହ ମୁହଁ ! କେତେ ରୂପ, କେତେ ଯୌବନ ! କିଏ ସେ ଏଇ ସୁନ୍ଦର ସଜୀବ ଚିତ୍ରର ବିନ୍ଧାଣୀ ? ଦେଖିଲା ମାତ୍ରେ ମନ ପୂରିଉଠୁଛି । ନାରୀ ପୁଣି ଏତେ ସୁନ୍ଦର ହୋଇପାରେ ?

 

ସେହି ଝିଅଟିର ନାଁ ରୂପକୁ ନେଇ ଚିତ୍ତରଂଜନ ମନ ଭିତରେ ଏଣୁ ତେଣୁ ଗୁଡ଼ିଏ ଭାବିବାକୁ ଲାଗିଲା, ଭାବନାରେ ସେ ଏତେଦୂର ବ୍ୟସ୍ତ ଥିଲା ଯେ, ଚିତ୍ରଲେଖାର ପ୍ରଶ୍ନର ଉତ୍ତର ଦେବାକୁ ବି’ ଭୁଲିଗଲା ।

 

ଚତୁରୀ ଚିତ୍ରଲେଖା କିନ୍ତୁ ତା’ର ଏ ଅନ୍ୟମନସ୍କତା ଦେଖି ମନେ ମନେ ସ୍ଥିର କରିନେଲା ଯେ, ସେଇ ବୋଧହୁଏ ବିଖ୍ୟାତ ଶିଳ୍ପୀ ଚିତ୍ତରଂଜନ । ତଥାପି ନିଜ ଭାବନାର ସଭ୍ୟତା ବୁଝିବା ସକାଶେ ପୂର୍ବପ୍ରଶ୍ନର ପୁନରାବୃତ୍ତି କରିବାକୁ ଯାଇ କହିଲା, କହିଲେ ନାହିଁତ, ଚିତ୍ତରଂଜନଙ୍କ ସଙ୍ଗେ ସାକ୍ଷାତ କରିହେବ କି ନାହିଁ !

 

ହୃତ ସଂବିତ୍ ଫେରି ପାଇ ଚିତ୍ତରଂଜନ ତଟସ୍ଥକଣ୍ଠରେ ପ୍ରଶ୍ନକଲା, ଆପଣଙ୍କ ଉଦ୍ଦେଶ୍ୟଟା....

 

ବ୍ୟକ୍ତିଗତ ନିଶ୍ଚୟ । ଶିଳ୍ପୀ ସଙ୍ଗରେ ସାକ୍ଷାତ ହେଲେ କହିବି !

 

ତାହାହେଲେ କୁହନ୍ତୁ ! ଚିତ୍ତରଂଜନ ତା’ ଉତ୍ତରରେ ରହସ୍ୟ ସଂଯୋଗ କଲା ।

 

ଆପଣ କ’ଣ ବିଖ୍ୟାତ ଶିଳ୍ପୀ ଚିତ୍ତରଂଜନ ? ଆଗନ୍ତୁକା ବିସ୍ମୟରେ ଫାଟି ପଡ଼ୁଥିଲା ।

 

ଚିତ୍ତରଂଜନ ମୁଣ୍ଡହଲାଇ ସ୍ୱୀକୃତି ପ୍ରଦାନ କଲା ।

 

ନମସ୍କାର ! ଚିତ୍ରା ନିଜର ଚମ୍ପକ ଅଙ୍ଗୁଳୀସବୁ ଏକତ୍ରିତ କରି ଶିଳ୍ପୀ ଉଦ୍ଦେଶ୍ୟରେ ଭକ୍ତି ନିବେଦନ ଜ୍ଞାପନ କରୁ କରୁ ଭାବୁଥିଲା, ଏ ଶିଳ୍ପୀ ଜାତିଟା କେତେ ଅନ୍ୟମନସ୍କ ସତରେ ! ଟିକିଏ ପରେ ସଂଯୋଗ କଲା, ଆପଣଙ୍କ ପାଖରେ ମୋର ଜରୁରୀ କାମ....

 

ପ୍ରତି ନମସ୍କାର ଜଣାଇବାକୁ ଏକବାରେ ଭୁଲିଯାଇ ଚିତ୍ତରଂଜନ ସେହି ଅନିନ୍ଦ୍ୟ ରୂପବତୀକୁ ଆହ୍ଵାନ କଲା, ‘ବାହାରେ ଛିଡ଼ା ହେଲେ ଯେ ! ଆସନ୍ତୁ ନା ! ଭିତରକୁ ଆସନ୍ତୁ ।’

 

ଚିତ୍ତରଂଜନ ଓ ଚିତ୍ରଲେଖା ଆଗପଛ ହୋଇ ଚାଲୁଥିଲେ । ଉଭୟେ ନିର୍ବାକ, ନିଶ୍ଚୁପ ।

 

ଚିତ୍ତରଂଜନ ଚିତ୍ରଲେଖାକୁ ନିଜର ଅସଜଡ଼ା ବିଛଣା ଉପରେ ବସିବାକୁ ଅନୁରେଧ ଜଣାଇ ନିଜେ ମସିଣା ପକାଇ ତଳେ ବସିବାକୁ ଉଦ୍ୟତ ହେଲା ।

 

ଉଁହଁ .......ଆପଣ ବିଛଣାରେ ବସନ୍ତୁ । ମୁଁ ବରଂ ତଳେ ବସୁଛି । ବିଛଣାଟି ନିଜହାତରେ ସଜାଡ଼ିଦେଇ ଚିତ୍ରଲେଖା ଚିତ୍ତରଂଜନ ହାତରୁ ମସିଣାଟିକୁ ଛଡ଼ାଇ ଆଣି ନିଜେ ପକାଇଦେଲା ।

 

ନାଁ, ସେ ଅନ୍ୟାୟ ହେବ । ଚିତ୍ତରଂଜନ ମନ୍ତବ୍ୟ ଦେଲା ।

 

କାହିଁକି ? ଚିତ୍ରଲେଖା ନିଜର ସୁଗଭୀର ଭ୍ରୂଲତିକାକୁ ସାମାନ୍ୟ ସଂପ୍ରସାରିତ କରି ପ୍ରଶ୍ନକଲା ।

 

ଆପଣ ଯେ ମୋର ଅତିଥି ! କିନ୍ତୁ । ଚରମଦୁର୍ଭାଗ୍ୟ ଦେଖନ୍ତୁ, ବସିବାକୁ ଖଣ୍ଡେ ଚୌକି ସୁଦ୍ଧା ଯୋଗାଡ଼ କରିପାରିନାହିଁ । ଚିତ୍ତରଂଜନ ନିହାତି ଆପଣା ଲୋକପରି ଚିତ୍ରଲେଖା ଆଗରେ ନିଜ ଜୀବନର ସମସ୍ତ ଦୁରାବସ୍ଥା ଜଣାଇ ଦେଲା ।

 

ଚିତ୍ତରଂଜନର ଏ ସ୍ପଷ୍ଟବାଦୀତା ପ୍ରତି ଚିତ୍ରା ସମବେଦନା ଜ୍ଞାପନ କରିବା ଛଳରେ ପ୍ରକାଶ କଲା, ସେଥିରେ କ’ଣ ଅଛି ? ସୁବିଧା ଦେଖି କ’ଣ ଯୋଗାଡ଼ କରି ନେବେ ନାହଁ ? ତାହାହେଲେ ଆସନ୍ତୁ, ଉଭୟେ ସାଙ୍ଗହୋଇ ମସିଣାରେ ବସିବା !

 

ଚିତ୍ତରଂଜନ ଓ ଚିତ୍ରଲେଖା ପାଖକୁ ପାଖ ଲଗାଲଗି ହୋଇ ବସିଥିଲେ ମସିଣାରେ ।

 

ଚିତ୍ରାର ସୁପ୍ରସାଧିତ କେଶ ଅରଣ୍ୟରୁ ସୁରଭିତ ନିର୍ଯ୍ୟାସ ଆସି ଚିତ୍ତରଂଜନ ନାସାତଟରେ ପୁଲକର ବନ୍ୟା ସୃଷ୍ଟି କରୁଥାଏ ।

 

ହଠାତ୍ ଦଲକାଏ ହିମଶୀତଳ ପବନ ବୋହି ଦୁଆର କବାଟକୁ ଦରମୁକୁଳା କରିଦେଲା-। ସେହି ପବନରେ ଚିତ୍ରାର ପଣତ ଉଡ଼ିଆସି ଚିତ୍ତରଂଜନର ବେକଚାରିପଟେ ଗୁଡ଼ାଇ ହୋଇଗଲା ।

 

ଚିତ୍ରା ସଂକୁଚିତା ହୋଇ ତା’ର ରଙ୍ଗୀନ ପଣତଟାକୁ ଚିତ୍ତରଂଜନର ଗଳାତଟରୁ ବାହାରକରି ନେଉ ନେଉ ପ୍ରକାଶ କଲା, ମୁଁ ଦୁଃଖିତ !

 

କାହିଁକି ? ଚିତ୍ତରଂଜନ ପ୍ରଶ୍ନକଲା ।

 

ଏ ପବନଟା.......

 

ଖୁବ୍ ଦୁଷ୍ଟ ! ନୁହେଁ ଚିତ୍ରା ? ଚିତ୍ତରଂଜନ ହସି ହସିକା ପ୍ରଶ୍ନକଲା । ହଁ ସେଇଆ । ଚିତ୍ରା ସମର୍ଥନ କଲା ।

 

କବାଟ ବନ୍ଦ କରେଁ । ଚିତ୍ତରଂଜନ ପ୍ରସ୍ତାବ ଦେଲା ।

 

ଘର ଭିତରଟା ଯେ ଅନ୍ଧାର ହୋଇଯିବ ! ଚିତ୍ରା ଆଶଙ୍କା ପ୍ରକାଶ କଲା ।

 

ଚିତ୍ତରଂଜନ ସର୍ବପ୍ରଥମେ ଲଣ୍ଠନଟାକୁ ଜାଳିନେଇ ତା’ପରେ କବାଟ ବନ୍ଦ କଲା ।

 

ମୋତେ କ’ଣ କରିବାକୁ ହେବ କହିଲେ ? ଶିଳ୍ପୀ ଫେରିଆସି ପ୍ରଶ୍ନ କଲା ।

 

କ’ଣ ଆଉ କରିବେ ? ମୋରି ଛବିଟିଏ କରନ୍ତୁ । ଚିତ୍ରା ଅନୁରୋଧ କଲା ।

 

ଆପଣଙ୍କର ଛବି ?

 

ହଁ, କ’ଣ ହେଲାକି ?

 

କିଛି ନୁହେଁ ଯେ, ତେବେ : .......

 

ତେବେ କ’ଣ ? ଚିତ୍ରା ସମ୍ପୂର୍ଣ୍ଣ କଥାଟା ଶୁଣି ନେବାକୁ ଦାବି କଲା ।

 

ଆପଣଙ୍କ ଛବି ମୋ’ ହାତରେ ସୁନ୍ଦର ହୋଇପାରିବ ତ ? ଚିତ୍ତରଂଜନ ଅଶଙ୍କା ପ୍ରକାଶ କଲା ।

 

ଆପଣଙ୍କର ଅସଂଖ୍ୟ ଛବି ମୁଁ ଦେଖିଛି । ବେଶ୍, ଛବିଗୁଡ଼ିକ ଚମତ୍କାର । ଆପଣଙ୍କ ହାତରେ ମାତ୍ର ଗୋଟିଏ ଛବି ପ୍ରକାଶ ପାଇଥିଲେ, ମାଗାଜିନ୍‍ର ବିକ୍ରିସଂଖ୍ୟା ଆଶାତୀତଭାବରେ ବୃଦ୍ଧିପାଏ, ମୋ’ ଛବି କରିବାରେ ଆପଣ ଅମଙ୍ଗ କାହିଁକି ଯେ ?

 

ନାଁ ସେ କଥା ନୁହେଁ ଚିତ୍ରାଦେବୀ ! ତେବେ...ନିଜ ମନୋଭାବକୁ ଅସମାପ୍ତ ରଖି ଚିତ୍ତରଂଜନ ଚିତ୍ରଲେଖା ମୁହଁକୁ ଚାହିଁଲା । ଲଣ୍ଠନର ସମସ୍ତ ଆଲୋକ ସେଇଠି କେନ୍ଦ୍ରୀଭୂତ ହୋଇଛି-। ଗଳା ଓ ଗଣ୍ଡଦେଶରେ ଫଗୁରଙ୍ଗ ଚହଟି ଉଠିଛି । ଆଖି ଦୁଇଟିରେ ଅନାଗତ ଆଶଙ୍କାର ସଂକେତ । ଚିତ୍ରା ଅପୂର୍ବ ଦେଖାଯାଉଛି ।

 

‘ଚିତ୍ରା’ ପୁଣି ‘ଦେବୀ’ କ’ଣ ଯେ ? ମୋତେ ଖାଲି ଚିତ୍ରା ବୋଲି ଡାକିବେ । ଭାବିବେ, ମୁଁ ଆପଣଙ୍କର ଅତି ଆପଣାର ଭିତରୁ ଜଣେ କେହି.....

 

କ୍ଷମାକରିବେ ଚିତ୍ରାଦେବୀ ! ଆରେ, ଏଇତ ଭୁଲ୍‍ ହେଲା ! କ୍ଷମା କରିବ ଚିତ୍ରା । ଅସୁନ୍ଦରକୁ ସୁନ୍ଦର କରି ଆଙ୍କିବାରେ ମୋର କୃତ୍ତିତ୍ଵ ଥିଲେ ମଧ୍ୟ, ତୁମପରି ଏକ ମୂର୍ତ୍ତିମନ୍ତକଳାର ରୂପାଙ୍କନ......

 

ସେ ପ୍ରଶଂସା ଶୁଣି ଝାଉଁଳି ପଡ଼ୁଥିଲା ଚିତ୍ରା ! ସତରେ କ’ଣ ସେ ଏତେ ସୁନ୍ଦର ? ସତରେ ସେ କ’ଣ ମୂର୍ତ୍ତିମନ୍ତ କଳାର ପ୍ରତୀକ ? ନାଁ, ଇଏ ଶିଳ୍ପୀ ଚିତ୍ତରଂଜନର ଅତିଶୟୋକ୍ତି ମାତ୍ର-? ନିଜ ମୁହଁକୁ ନିଜେ ପରୀକ୍ଷା କରି ଦେଖିବାକୁ ଚିତ୍ରା ମନେ ମନେ ଇଚ୍ଛା ପ୍ରକାଶ କଲା ।

 

ଉଭୟେ କିଛିକ୍ଷଣ ସକାଶେ ନୀରବ ରହିଲେ ।

 

ଏହି ନୀରବତା ଭିତରେ ଯେତେଟା ସମ୍ଭବ ହୋଇପାରେ, ଚିତ୍ତରଂଜନ ମନଲଗାଇ ଚିତ୍ରଲେଖାର କମନୀୟ ରୂପଶ୍ରୀକୁ ଅତି ସତର୍କତା ସହକାରେ କଳାକାର ଆଖିରେ ଦେଖି ନେଉଥିଲା ।

 

ଚିତ୍ତରଂଜନର ହୃଦବୋଧ ହେଲା ଯେ, ଚିତ୍ରାର ଅଙ୍ଗ ଲତିକାରେ ରୂପବତୀ କନ୍ୟାର ସ୍ଵାଭାବିକ ପରିପ୍ରକାଶ ସମ୍ଭବ ହୋଇପାରିଛି । ଠିକ୍ ଯେଉଁଠି ଯେତିକି ରଙ୍ଗ, ଯେତିକି ମାଂସ ଆବଶ୍ୟକ, ଚିତ୍ରାର ଅବୟବରେ ଠିକ୍ ସେତିକି ରଙ୍ଗ, ସେତିକି ମାଂସହିଁ ରହିଛି । ତା’ ଆଖିରେ ତରୁଣୀ ସୁଲଭ ସମସ୍ତ ସମ୍ମୋହନର ଭାଷା ଠୁଳ ହୋଇଛି । ସତେବା କଳ୍ପନାର ରୂପ କବିତାଟିଏ ସଶରୀରେ ଆସି ସାମନାରେ ବସିଛି । ଶିଳ୍ପୀର ଉଦାରମନ ସେ ରୂପଲାବଣ୍ୟ ପାନକରି ବିମୁଗ୍ଧ ହେଲା ।

 

ଚିତ୍ରା ସଲ୍ଲଜ ବଦନ ଉତ୍ତୋଳନ କରି ଦେଖେ, ଚିତ୍ତରଂଜନ ଅନେକ ସମୟ ଧରି ନିର୍ବାକ ନିସ୍ପନ୍ଦ ଚକ୍ଷୁରେ ତାକୁଇ ଲକ୍ଷ୍ୟକରି ରିହିଛି । ସେ ଆହୁରି ଲଜ୍ଜିତା ହେଲା । ରହି ରହି କହିଲା, ମୁଁ ଯାଏଁ ଏଥର !

 

ସେଇ କେତୋଟି କଥା ଭିତରେ ଚିତ୍ରଲେଖାର ତରୁଣୀ ସୁଲଭ ସମସ୍ତ ସଂଭ୍ରମତା ଛପି ରହିଥିଲା ।

 

ସେ ଅନୁରୋଧ ଶୁଣି ଚିତ୍ତରଂଜନ ମନର ସମସ୍ତ ମୋହ ଫାଙ୍କଗଲା । ସେ ହୃତ ସଂବିତ୍ ଫେରିପାଇଲା ଯେମିତି ! ଆଉ କିଛି ଉତ୍ତର ଦେଇ ନ ପାରି ନୀରବ ରହିବା ଉଚିତ ମନେକଲା ।

 

ଚିତ୍ରା ଆପଣା ଇଚ୍ଛ।ରେ ଉଠି ଛିଡ଼ା ହେଲା । ଚିତ୍ରାକୁ ବଳେଇ ଦେବା ସକାଶେ ଚିତ୍ତରଂଜନ ବି ଦୁଆର ପର୍ଯ୍ୟନ୍ତ ଗଲା ।

 

ଦୁହେଁ ଦୁହଁଙ୍କଠାରୁ ବିଦାୟ ନେଲେ, ଅଥଚ କେହି କାହାକୁ ବିଦାୟକାଳୀନ ଶୁଭେଚ୍ଛା କିମ୍ବା ସଦିଚ୍ଛା ଜଣାଇ ପାରିଲେ ନାହିଁ ।

 

—ଦୁଇ—

 

ତା’ପରେ ?

 

ତା’ପରେ ପରେ ସବୁକଥା ଗତରେ ପଡ଼ି ଯାଇଥିଲା ।

 

ଚିତ୍ରଲେଖା ପରଦିନ ଠିକ୍ ସେହି ସନ୍ଧ୍ୟାବେଳେ ହିଁ ଆସିଥିଲା ଓ ଚିତ୍ରା ଆସିବ ବୋଲି ଚିତ୍ତରଂଜନ କୁଆଡ଼େ ନ ଯାଇ ବିଛଣାରେ ଶୋଇ ଶୋଇ ଅପେକ୍ଷା କରିଥିଲା । ନିଜର ଅଲକ୍ଷ୍ୟରେ ଅପରୂପା ଚିତ୍ରାର ପେନ୍‍ସିଲ୍‍ ସ୍କେଚଟିଏ ବି’ ଆଙ୍କି ନେଇଥିଲା ।

 

ଚିତ୍ରା ଆସି ନିହାତି ଆପଣାର ପରି ପ୍ରଶ୍ନକଲା, କାହାର ଛବି ଆଙ୍କୁଛ ?

 

ତୁମରି ! ଚିତ୍ତରଂଜନ ହସି ହସି ଉତ୍ତର ଦେଲା ଆଉ ସ୍କେଚ୍‍ଟିକୁ ଚିତ୍ରା ହାତକୁ ବଢ଼ାଇ ଦେଇ ପ୍ରଶ୍ନକଲା, ଚିହ୍ନିପାରୁଛ ତ ?

 

ଚିତ୍ରା ଦେଖିଲା, କାଗଜଫର୍ଦ୍ଦରେ କେତୋଟି ଅଙ୍କାବଙ୍କା ଗାର ! ତଥାପି ସେଇଟି ଏକ ସୁନିର୍ଦ୍ଦିଷ୍ଟ ଛବିର ଆତ୍ମକାହାଣୀ ପ୍ରକାଶ କରୁଛି । ସେ ଆନନ୍ଦ ଗଦ୍‍ଗଦ କଣ୍ଠରେ ଉତ୍ତର ଦେଲା, ବାଃରେ, ମୁଁ ନ ଥିଲେ ବି’ତ ମୋରି ଛବି ଆଙ୍କିପାରୁଛ ?

 

ତୁମେ ମୋର ମାନସପଟରେ ଯେ ଆଙ୍କି ହୋଇଯାଇଛ ଚିତ୍ରା !

 

କିଏ ଆଙ୍କିଲା ?

 

ତୁମେ ନିଜେ !

 

ସେ ପୁଣି କେମିତି ? ମୋତେ ମୋଟେ ହେଲେ ଛବି ଆଙ୍କି ଆସେ ନା । ତା’ ଛଡା ତୁମରି ମାନସପଟରେ ମୁଁ ଯାଇ ଛବି ଆଙ୍କିବି କେମିତିଯେ ? ଚିତ୍ରା ପ୍ରଶ୍ନକଲା ।

 

ତୁମର ଏ ନିମୀଳିତ ନୟନ, ପଲାଶ ଲୋହିତ ହସ, ଶଂଖ ଶୁଭ୍ର-ଗ୍ରୀବାର ମୃଦୁ ସଂଚାଳନ, ପୁଣି ଏ ନୟନମନୋହାରୀ କଥୋପକଥନ ଆପେ ଆପେ ଯାଇ ମୋରି ମାନସ-ପଟରେ ତୁମର ସହସ୍ରଭଙ୍ଗୀ ସମ୍ମିଳିତ ଅଜସ୍ର ଛବି ଆଙ୍କି ନେଉଛି ଚିତ୍ରା । ତୁମେ ଶିଳ୍ପୀ ନ ହେଲେ ବି’ ସାର୍ଥକ ଶିଳ୍ପର ଜନ୍ମଦାତ୍ରୀ । କବି ନ ହେଲେ ବି’ କବିତା !!

 

ବାସ୍, ସେତିକି ଥାଉ । ମୁଁ ଏଥର ଯାଏଁ....ଚିତ୍ରା ଲାଜୁରା କଣ୍ଠରେ ଅନୁରୋଧ କଲା ।

 

ଏତେ ଶୀଘ୍ର ?

 

ରାତି ପାହିଗଲେ ବି ତୁମେ କହିବ ଏତେ ଶୀଘ୍ର ! ନାଁ, ମୋତେ ଯିବାକୁହିଁ ହେବ ।

 

ଯିବାପାଇଁ ମୋଠୁ କେବେ ଅନୁମତି ଚାହିଁବନି ଚିତ୍ରା ! ‘ତୁମେ ଯାଅ’ ବୋଲି ମୁଁ କେବେହେଲେ କହିପାରିବିନି ।

 

ଚିତ୍ରା ଯେମିତି ଆସିଥାଏ, ସେମିତି ଫେରିଯାଏ ।

 

ଚିତ୍ରା କିନ୍ତୁ ପ୍ରତିଦିନ ଆସେ । ସେ ଯେଉଁ ରୂପଲାବଣ୍ୟର ଦୀପ ଜାଳିଦିଏ, ତାରି ଚାରିପାଖରେ ଘୂରି ବୁଲୁଥାଏ ଶିଳ୍ପୀ ଚିତ୍ତରଂଜନର ରୂପପାୟୀ ବାସ୍ତବ ମନଟା । ସେ ମନରେ ପତଙ୍ଗର ନିଶା ଭରିଥାଏ ।

 

—ତିନି—

 

ଚିତ୍ରା ଆସେ ଓ ଫେରିଯାଏ ।

 

ଚିତ୍ରା ନିତ୍ୟ ନୂତନ ବେଶଭୂଷଣ ହୋଇ ଚିତ୍ତରଂଜନର ରୂପପାୟୀ ମନଟାକୁ କାମନା-ଜର୍ଜର କରିଦେବାକୁ ପ୍ରତିଦିନ ଆସେ ।

 

ଚିତ୍ତରଂଜନ ମୋହିତ ହୁଏ । ସେ ତାକୁ ତାରି ଅଙ୍କିତ ଛବିର କେତେକାଂଶ ଦେଖାଇ ଆଶ୍ଚର୍ଯ୍ୟ ଚକିତ କରିଦିଏ ।

 

କେବେ ସରିବ ଏ ଛବି ? ଚିତ୍ରା ପ୍ରଶ୍ନକରେ ।

 

ଚିତ୍ତରଂଜନ କହିବାକୁ ଚାହେଁ, ତୁମର ସୁନ୍ଦର ଛବିଟିକୁ ସାରାଜୀବନ ଧରି ଆଙ୍କୁଥିବି ଚିତ୍ରା ! ସେ ଯେ ମୋ’ ଜୀବନର ଏକ ଚରମ ବିଳାସ । ତୁମର ଛବି ଆଙ୍କିବାକୁ ମୁଁ ଯେତେବେଳେ ତୁମରି ନାମର ଉଚ୍ଚାରଣ କରି ତୂଳିଧରେ, ସେତେବେଳେ ମୋ ମନରେ ଯେଉଁ ଆନନ୍ଦମିଶା ବିସ୍ମୟର ଜୁଆର ଖେଳିଯାଏ, ତା’ର ଗଭୀରତା ତୁମେ ନିଜହାତରେ ନିଜେ ମାପି ସ୍ଥିର କରିପାରିବନି ‘ଚିତ୍ରା’ ତଥାପି ସେ ତା’ର ଭାବର ଉଜାଣିକୁ ଅବଦମନ କରିରଖେ । ପ୍ରକାଶ୍ୟରେ କହେ, ତୁମେ କୁହ !!

 

ବାଃରେ, ଛବି କରିବ ତୁମେ, ଆଉ ସରିବା କଥା କହିବି ମୁଁ ? ତୁମେ କୁହନା । ? ଚିତ୍ରାର ମୋହିତକଣ୍ଠରେ ଦୁଷ୍ଟାମୀ ଭରିଥାଏ ।

 

କହିବି ଶୁଣିବ ? ଚିତ୍ତରଂଜନ ପ୍ରଶ୍ନକରେ ।

 

କୁହ ! ଚିତ୍ରାର ସରଳ ସହଜ ଉତ୍ତର ।

 

ଯେଉଁଦିନ ଆସିବ ନାହିଁ ! ଶିଳ୍ପୀ ଉତ୍ତର ଦିଏ ।

 

ଏ ଅଦ୍ଭୁତ ଉତ୍ତର ଶୁଣି ଚିତ୍ରା ସତରେ ଆଶ୍ଚର୍ଯ୍ୟ ହୋଇଯାଏ । କହେ, ଆଚ୍ଛା, କାଲି ଯଦି ନ ଆସେ ଛବିଟି କ’ଣ ସାରିଦେବ ?

 

କଥା ଯେ ଦେଇଛି । ଚିତ୍ତରଂଜନ ଉତ୍ତର ଦିଏ ।

 

ଏକ ନୟନାଭିରାମ ଅଭିନବ କଟାକ୍ଷହାଣି ଚିତ୍ରା ଚାଲିଯାଏ ।

 

ଚିତ୍ତରଂଜନ ବିଦାୟୀ ଚିତ୍ରାକୁ ଚାହେଁନା ! ମନେ ମନେ ଭାବେ, ସତରେ କ’ଣ ସେ ଆସିବ ନାହିଁ ? ନାନା, ଯେତେଦୂରେ ଥିଲେ, ବି’ ହୃଦୟର ଆକର୍ଷଣ ତାକୁ ପାଖେଇ ଆଣିବ । ଚିତ୍ରା ନ ଆସି କଦାପି ରହି ପାରିବ ନାହିଁ ।

 

ଦୁଆର ପାଖରୁ ଚିତ୍ରା ଚେତାଇ ଦିଏ, ଛବିଟା କିନ୍ତୁ ଅଧା ହେଇଛି, ଜାଣିଥା ! ସେମିତି ବିଛଣାରେ ବସି ବସି ଚିତ୍ତରଂଜନ ମୁଣ୍ଡ ହଲାଏ ।

 

—ଚାରି—

 

ପରଦିନର ସକାଳ ।

 

ସେଇଟି ଚିତ୍ରା ସଙ୍ଗରେ ସାକ୍ଷାତ ହେବାର ଦଶମ ଦିନର ସକାଳ ।

 

ସେ ଏକ ଶୁଭ୍ର ସତେଜ ସକାଳ । ବୃକ୍ଷର ପତ୍ରେ ପତ୍ରେ ନବ ସକାଳର ନୂତନ ଆଶା ଉଦ୍ଦୀପନା ନେସି ହୋଇଥିଲା । ପୃଥିବୀ ପୃଷ୍ଠରେ ମାନବଇତିହାସର ଯେଉଁ କଳଗୁଞ୍ଜନ ଦେଖା ଦେଇଥିଲା, ସେଇଟି ଆତ୍ମବିଶ୍ଵାସର ।

 

ଚିତ୍ରଶିଳ୍ପୀ ଚିତ୍ତରଂଜନ ଶୋଇ ଯାଇଥିଲା ।

 

ସେ ଏକ ନିଶ୍ଚିନ୍ତ ନିଦ୍ରା ! ପୂର୍ବଦନ ଅନେକ ରାତ୍ରି ପର୍ଯ୍ୟନ୍ତ ଉଜାଗର ରହିବାର ନିଶ୍ଚିତ ପ୍ରତିଫଳ । ନବପ୍ରଭାତର ହାଲୁକା କିରଣ ମଝିରେ ଶୋଇ ଶୋଇ ହୁଏତ ସେ ସୁନ୍ଦରୀ ଚିତ୍ରଲେଖାର ରେଶମୀ ସ୍ଵପ୍ନ ଦେଖୁଥିଲା । ସେ ସ୍ୱପ୍ନ କେତେ ସୁନ୍ଦର, କେତେ ସରସ ! ଜୀବନଟା ଯାକ ଏମିତି ଶୋଇ ଶୋଇ ଯଦି ସେ ଚିତ୍ରଲେଖାର ସ୍ୱପ୍ନରେ କଟାଇ ଦେଇପାରନ୍ତା । ତାହାହେଲେ ଜୀବନଟା କେତେ ସାର୍ଥକ ହୁଅନ୍ତା ନାହିଁ ସତରେ !

 

ଗତଦିନ ସଞ୍ଜବେଳେ ସତକୁ ସତ ଚିତ୍ରଲେଖା ଆସି ନ ଥିଲା ।

 

କିନ୍ତୁ ଚିତ୍ତରଂଜନର ଦୃଢ଼ଧାରଣା ଥିଲା, ଚିତ୍ରା ଆସିବ ନଶ୍ଚୟ ! ଯେତେ ବାଧାବନ୍ଧନ ଥିଲେ ବି ସେ ଆସି ମୁହଁମାରି ଯିବ । ପୃଥିବୀର କୌଣସି ପ୍ରତିରୋଧ ପ୍ରତି ସେ କର୍ଣ୍ଣପାତ କରିବ ନାହିଁ ।

 

ଆସିବା ସମୟ ଗତ ହେଲା । ତଥାପି ଚିତ୍ରା ଆସିଲା ନାହିଁ । ଶିଳ୍ପୀ ମନର ମାନଅଭିମାନ ସାଗର ଜୁଆର ସଦୃଶ ସତେଅବା ଆକାଶ ସ୍ପର୍ଶ କଲା । ତା’ପରେ ବୁଝିଲା, ଚିତ୍ରାର ତା’ ପ୍ରତି ସ୍ନେହସୋହାଗଥିଲା କେବଳ ମାତ୍ର ଚିତ୍ରପଟ ପାଇଁ । ଚିତ୍ରପଟ ପାଇବ ବୋଲି କୁହୁକର ଜାଲ ପାତିଥିଲା । ସେ କେବଳ ଶିଳ୍ପକୁ ଚିହ୍ନିଛି । ଶିଳ୍ପୀ ପ୍ରତି ତା’ ଅନ୍ତରରେ ଅନ୍ୟମାନଙ୍କ ପରି କୌଣସି ଦରଦ ନାହିଁ ।

 

ଅନେକ ରାତ୍ରି ପର୍ଯ୍ୟନ୍ତ ଉଜାଗର ରହି ସେ ଅସମ୍ପୂର୍ଣ୍ଣ ଚିତ୍ରପଟକୁ ସମ୍ପୂର୍ଣ୍ଣ କଲା ।

 

ଚିତ୍ରଲେଖା ପ୍ରତି ଉଦ୍ରେକ ହୋଇଥିବା ତା’ ମନର ଈର୍ଷାକୁ ଯଦି ଚିତ୍ର ଉପରେ ରଙ୍ଗ ପରି ବୋଳିଦିଆଯାଇ ପାରିଥାନ୍ତା, ତାହାହେଲେ ସେହି ଚିତ୍ରଟି ହେଇଥାନ୍ତା ବିଶ୍ଵଦରବାରର ଏକ ମସ୍ତବଡ଼ କଦର୍ଯ୍ୟ ତଥା ଅଭିଶପ୍ତ ଚିତ୍ରପଟ; କିନ୍ତୁ ଚିତ୍ତରଂଜନ ତାହା କଲାନାହିଁ । ଶିଳ୍ପ ପ୍ରତି ଅନ୍ୟାୟ ହେବ ଭାବି ସେ ଏତେବଡ଼ ଅନୀତି କରି ପାରିଲା ନାହିଁ । ଚିତ୍ରା ସ୍ଵାଭାବିକ ଭାବରେ ଯେମିତି ଦେଖାଯାଏ, ତାକୁ ସେ ଠିକ୍ ସେମିତ ଭାବରେହିଁ ରୂପ ଦେଲା ।

 

ରାତି ଅଧରେ ତା’ର ହଠାତ୍‍ ମନେପଡ଼ିଲା ଚିତ୍ରପଟର ସେହି ଅଙ୍କିତ ଆଖି ଦୁଇଟି କଥା-। ସଜଳ ଢଳଢଳ ଦୁଇଟି ସଲ୍ଲଜ ଆଖି । ଚିତ୍ତରଂଜନର ମନେହେଲା, ସେ ଆଖି ଚିତ୍ରଲେଖାର ନୁହେଁ । ସେ ଆଖି ଏତେ ସଲ୍ଲଜ ଅଥଚ ସରସ ହୋଇପାରେ ନା, ତାହାକଲେ ନିଶ୍ଚୟ ଅତିରଂଜନ ହେବ । ତେଣୁ ଆଖି ପଲକରେ ରଙ୍ଗବୋଳା ତୂଳିରେ ସାମାନ୍ୟ ଟିପଟିଏ ମାରି ଆଖି ଦୁଇଟିର ପରିପ୍ରକାଶକୁ ସେ ସମ୍ପୂର୍ଣ୍ଣରୂପେ ବଦଳାଇ ଦେବାର ସକ୍ଷମ ହେଲା ।

 

ଚିତ୍ରଲେଖାର ଆଖି ଚିତ୍ରପଟରେ ବେଶ୍ ଗମ୍ଭୀର ଅଥଚ ରହସ୍ୟମୟ ହୋଇଉଠିଲା ।

 

ଚିତ୍ତରଂଜନ ମନକୁ ମନ ବୋହେ ହସି ନେଲା । କହିଲା, ବେଶ୍ ହୋଇଛି । ଚିତ୍ରଲେଖା ରହସ୍ୟମୟୀ ନୁହେତ ଆଉ କ’ଣ ? ତାରି କାର୍ଯ୍ୟକଳାପରେ ସେକଥା ସାବ୍ୟସ୍ତ ହୋଇଯାଇଛି

 

କାହାର ଠକ୍ ଠକ୍ ଶବ୍ଦରେ ଚିତ୍ତରଂଜନର ଅବେଳ ନିଦ ଭାଙ୍ଗିଗଲା । ଖଟ ଉପରେ ସେମିତି ଶୋଇ ଶୋଇ ପ୍ରଶ୍ନକଲା, କିଏ ସେ ?

 

ମୁଁ ଚିତ୍ରଲେଖା ! କବାଟ ଖୋଲ ! ଚିତ୍ରା ଅନୁରୋଧ କଲା ।

 

ଚିତ୍ତରଂଜନ ଅନିଚ୍ଛାସତ୍ତ୍ୱେ ବିଛଣା ଛାଡ଼ି ଅଧୁଆ ମୁହଁରେ ଚିତ୍ରଲେଖାର ସମ୍ପୂର୍ଣ୍ଣ ଛବିଟିକୁ ନେଇ ଅଧାଖୋଲା କବାଟରେ ତା’ ହାତକୁ ବଢ଼ାଇଦେଲା ।

 

ଚିତ୍ରଲେଖା ଗଦ୍‍ଗଦ କଣ୍ଠରେ ପ୍ରକାଶକଲା, ମୁଁ ଆଜି ଖୁବ୍ ଖୁସି । ଛବିଟା ଯେ ସତରେ ସରି ଯାଇଛି । ସନ୍ଧ୍ୟାରେ ପରା ‘ସିଏ’ ଆସୁଛନ୍ତି । ଏ ଛବି ଦେଖି ମୋହିତ ହୋଇଯିବେ ।

 

ଚିତ୍ତରଂଜନ କିଛିହେଲେ କହୁ ନ ଥାଏ, ଭାବୁଥାଏ, ଚିତ୍ରା ଶୀଘ୍ର ଚାଲି ଯାଆନ୍ତାକି ? ସେ ଆଉ ଟିକିଏ ଶୋଇ ଯାଆନ୍ତା । ବାସ୍ତବ ଚିତ୍ରା ଅପେକ୍ଷା ସ୍ଵପ୍ନର ଚିତ୍ରା ଅଧିକ ଉପଭୋଗ୍ୟ ।

 

ଚିତ୍ରାକୁ ଚିତ୍ତରଂଜନ ଆଜି ଘର ଭିତରକୁ ଆସିବାକୁ ଅନୁରୋଧ ସୁଦ୍ଧା କଲା ନାହିଁ । କ’ଣ ଲାଭ ଭିତରକୁ ଡାକି ଯେ ? ତା’ ପାଇଁ ‘ସିଏ’ ସବୁ । ତାହାହେଲେ ଏତେଦିନ ଧରି ପ୍ରେମର ପ୍ରହେଳିକା ସୃଷ୍ଟି କରୁଥିଲା କାହିଁକି ?

 

ଚିତ୍ତରଂଜନ ଗୁମ୍‍ମାରି ଛିଡ଼ା ହୋଇଥିଲା, ଆଉ ଭାବୁଥିଲା, ସୁନ୍ଦରୀ ସ୍ତ୍ରୀ ବିଶ୍ଵାସଯୋଗ୍ୟ ନୁହେଁ ।

 

କିନ୍ତୁ ଏ କ’ଣ କଲ ଶିଳ୍ପୀ ? ଏ ମୁହଁତ ଏପରି ନ ଥିଲା ! ଗୋଟିଏ ରାତି ଭିତରେ କ’ଣ କେଉଁଠି ବଦଳି ଗଲାପରି ଲାଗୁଛି ଯେ ? ଚିତ୍ରଲେଖା ସେ ଛବି ଦେଖୁ ଦେଖୁ ହଠାତ୍ ପ୍ରଶ୍ନକଲା । ଭାଷା ତା’ର ବିସ୍ମୟରେ ବୁଡ଼ି ଯାଇଥାଏ । ମନେହେଲା, ସେଇଟି ପ୍ରଶ୍ନ ନୁହେଁ ଯେ, ସୁନ୍ଦରୀ ଚିତ୍ରଲେଖାର ମାନସିକ ଆର୍ତ୍ତନାଦ ।

 

ଠିକ୍ ତୁମରି ପରି ଚିତ୍ରା ! ସେ ମୁହଁ ବଦଳିଯାଇଛି ଗୋଟିଏ ରାତି ପରର ଚିତ୍ରଲେଖା ପରି । ଯାହା ସତ୍ୟ, ତାକୁହିଁ ମୁଁ ସ୍ୱରୂପ ଦେଲି । ଚିତ୍ତରଂଜନ ଉତ୍ତର ଦେଲା । ପୁଣି ସଂଯୋଗକଲା, ଭୁଲ୍‍ ଭାବିଲେ କ୍ଷମା ଦେବ ।

 

ଚିତ୍ରଲେଖା କିଛିହେଲେ କହିପାରିଲା ନାହିଁ । କିନ୍ତୁ ସେ ଠିକ୍ ଭାବରେ ବୁଝିଲା, ଶିଳ୍ପୀ ଚିତ୍ତରଂଜନର ଦୁଃଖ କେଉଁଠି; ଦରଦ କେଉଁଠି ଅତୀତର ବ୍ୟବହାର ପାଇଁ ମନେ ମନେ ସେ ଅନୁତାପ କଲା ।

 

ଉଭୟେ ଉଭୟଙ୍କୁ ମର୍ମେ ମର୍ମେ ବୁଝି ପାରୁଥିଲେ ।

 

ପାରିଶ୍ରମିକ କ’ଣ ଦେବି ? ଚିତ୍ରଲେଖା ଅନନ୍ୟୋପାୟ ହୋଇ ଭୟାର୍ଭକଣ୍ଠରେ ପ୍ରଶ୍ନକଲା ।

 

ପାରିଶ୍ରମିକ ତୁମଠୁ ନେବିନି ଚିତ୍ରା । ଅତୀତର ଯେଉଁ କେତୋଟି ଅବଶ ସନ୍ଧ୍ୟାକୁ ମୋରି ଆଗରେ ଛନ୍ଦ ଚପଳ କରି ତୋଳିଲ ଯେଉଁ କେତୋଟି ଅଳସ ମୁହୂର୍ତ୍ତକୁ କଳ୍ପନାର ରଙ୍ଗଦେଇ ମୋ’ ଆଗରେ ପରିବେଷଣ କଲ, ଯେଉଁ କେତୋଟି ଦିନ ତୁମର ଅଭିନୟ କାଳରେ ମୋତେ ବମୁଗ୍ଧ କରିଗଲ, ସେଇ ମୋର ପାରିଶ୍ରମିକ । ତାଠୁ ଅଧିକ କିଛି ପ୍ରାପ୍ୟ ନୁହେଁ ।

 

ତଥାପି.....ଚିତ୍ରଲେଖା ବିନୟ ସହକାରେ ପୁନର୍ବାର ପ୍ରଶ୍ନକଲା ।

 

ତଥାପି ଯଦି କିଛି ମୋର ପ୍ରାପ୍ୟ ଥାଏ ବୋଲି ଭାବୁଛ, ସେଇଟି ଏ ଦୀନ ଶିଳ୍ପୀର ତୁମ ଅନାଗତ ବିବାହୋତ୍ସବର ପ୍ରିତ୍ୟୁପହାର ।

 

ଚିତ୍ତରଂଜନ ନିଜର ସର୍ବଶେଷ କଥାପଦକ ଶୁଣାଇବା ପରେ ନିଜ ହାତରେ ଅଧାଖୋଲା କବାଟକୁ ବନ୍ଦ କରିଦେଲା ।

 

ରାଜମାର୍ଗରେ ଜନକୋଳାହଳ ଅସମ୍ଭବଭାବରେ ବୃଦ୍ଧି ପାଉଥାଏ ସେତେବେଳେ....

Image

 

ଭୁଲିନାହିଁ

 

ମୁଁ ମାଡ୍ରାସ୍‍ ମେଲ୍ ଧରିବି ବୋଲି ପାହାନ୍ତାପହରୁ ବ୍ରହ୍ମପୁର ଷ୍ଟେସନ୍ ପ୍ଲାଟ୍‍ଫର୍ମରେ ଅପେକ୍ଷା ମଗ୍ନ ଥିଲି ।

 

ରାତ୍ରିର ନିରନ୍ଧ୍ର ଅନ୍ଧକାର ଭିତରେ ମାଡ୍ରାସମେଲ୍ ଅଣ-ନିଶ୍ଵାସୀ ହୋଇ ଧାଉଁଥିଲା । ବ୍ରହ୍ମପୁର ଷ୍ଟେସନରେ ଛିଡ଼ାହେଲା ବେଳେ ସକାଳ ପାହିଲା । ପାସେଞ୍ଜରମାନଙ୍କ ଭିତରୁ କେହି କେହି ଚା’ ଖୋଜିବାକୁ କବାଟ ଖୋଲି ପଦାକୁ ଆସିଲେ । ଅନେକ ସମୟଧରି କମ୍ପାର୍ଟମେଣ୍ଟ୍‍ ଭିତରଟା ନିବୁଜ ହୋଇଥିଲା । ଖୋଲା ପବନର ସ୍ଵଚ୍ଛନ୍ଦ ଗତି ବାଧାପ୍ରାପ୍ତ ହୋଇଥିଲା । ଏଇନେ ପ୍ରଥମକରି ଯାତ୍ରୀମାନେ ମୁକ୍ତପବନର ସୁଆଦିଆ ସ୍ପର୍ଶ ପାଇଲେ । ସେମାନେ ଦୀର୍ଘ ନିଃଶ୍ଵାସ ନେଲେ ।

 

ଗାଡ଼ି ଛାଡ଼ିବାର ସଙ୍କେତ ପାଇ ହାତ ବାକ୍‍ସ ଧରି ଏହି ଖୋଲା ହୋଇଥିବା କମ୍ପାର୍ଟମେଣ୍ଟ୍‍ ଭିତରେ ପଶିଗଲି । ଯାତ୍ରୀମାନେ ଗୋଡ଼ହାତ ଲମ୍ବାଇ ବସିଥାନ୍ତି । ନୂଆଯାତ୍ରୀଟିଏ ଦେଖି ପରସ୍ପର ମୁହଁକୁ ଅନାଇଲେ । ତା’ପରେ ଏକ ସମୟରେ ମୋରି ଆଡ଼େ ଆଖି ବୁଲାଇ ଅଳ୍ପକ୍ଷଣ ପରେ ମୁହଁ ପୋତିଲେ ।

 

ସେମାନଙ୍କ ଚାହାଣିରେ ଭେଳା ଭେଳା ବିରକ୍ତି । ସତେ ଯେମିତି ତାଙ୍କ ଦଖଲରେ ଥିବା ଅଖଣ୍ଡ ସାମ୍ରାଜ୍ୟକୁ ବର୍ହିଶତ୍ରୁଟିଏ ଆକ୍ରମଣ କରିଛି । ତାଙ୍କର ଫିକାଶିଆ ମୁହଁରୁ ଆଶଙ୍କ। ଓ ପ୍ରତିବାଦର ସ୍ୱର ଶୁଭୁଥିଲା । ସେମାନେ ମୋତେ ଏକତ୍ର ଆକ୍ରମଣ କରିବାକୁ ଉପାୟ ସ୍ଥିର କରୁଥିଲେ ।

 

ମୋର ପ୍ରତି ଆକ୍ରମଣ ପାଇଁ ଇଚ୍ଛା ନ ଥିଲା । ଶାନ୍ତିକାମୀ ଧର୍ମଯାଜକ ପରି ମୁଁ ନୀରବ ରହିଲି । କ୍ରମେ ଉକ୍ତ କମ୍ପାଟମେଣ୍ଟ୍‍ର ସମସ୍ତ ସହଯାତ୍ରୀ ଆସି ଏକତ୍ରିତ ହେଲେ । ଭିତରପଟୁ କବାଟ ପଡ଼ିଗଲା । ସମସ୍ତ ସହଯାତ୍ରୀ ଶିକାରୀ ଆଖିରେ ପୁନର୍ବାର ମୋ ଆଡ଼କୁ ଅନାଇଲେ । ସେମାନଙ୍କ ସୁତୀକ୍ଷ୍ଣ ଆଖିରେ ଅଜସ ଶର ମୋ ଶରୀରରେ ବିଦ୍ଧହୋଇ ମୋତେ ରକ୍ତାକ୍ତ କରି ପକାଇଲା । ସେମାନେ ସ୍ଵଚ୍ଛନ୍ଦରେ ବସିଥିଲେ । ଇଚ୍ଛା କରିଥିଲେ ମୋ’ପରି ଯାତ୍ରୀକେଇଟିଙ୍କୁ ନିରାପଦରେ ସ୍ଥାନ ଦେଇ ପାରିଥାନ୍ତେ; କିନ୍ତୁ ସେମାନେ ତାହା କଲେ ନାହିଁ । ମୁଁ ମନେ ମନେ ଈଶ୍ୱରଙ୍କୁ ଡାକି ବିନମ୍ର ପ୍ରାର୍ଥନା କରୁ କରୁ କହିଲି, ଭଗବାନ ! ଏ ଅବୋଧ୍ୟ ସହଯାତ୍ରୀଙ୍କୁ କ୍ଷମାଦିଅ-

 

ମାଡ୍ରାସମେଲ୍ ପବନ ପରି ଚାଲୁଥିଲା । ମୁଁ ତଳେ ସୁଟକେଶ୍‍ ରଖି ବାହାର ଦୁନିଆକୁ ଚାହିଁଥିଲି । ଦୁଇ ପାଖରେ ଶ୍ୟାମଳ ଶସ୍ୟକ୍ଷେତ୍ର । ବତୀଖୁଣ୍ଟର ନମ୍ବରଗୁଡ଼ିକ ଗାଡ଼ିର କ୍ଷୀପ୍ରଗତି ଯୋଗୁ ପଢ଼ି ହୋଉ ନାହିଁ । ବିଲ, ହିଡ଼ରେ ଅନାମିକା ଫୁଲ ଫୁଟିଛି । ପବନରେ ସେ ଫୁଲର ମଧୁରଗନ୍ଧ ମିଶିଛି । ଗଛର ପତ୍ର ସବୁ ହଲି ଦୋହଲି ନାଚୁଛନ୍ତି । ଟ୍ରେନ୍‍ ବାହାରଟା ସୁନ୍ଦର ଦେଖାଯାଉଛି ।

 

କିନ୍ତୁ କମ୍ପାର୍ଟମେଣ୍ଟ୍‍ ଭିତରଟା ? ସେଇଠି ଅନେକ ଆଖିଠାର, ମୁହଁଠାର, ଅଶାନ୍ତି ଅଗ୍ନି ଖୋଳୁଛି ! ମୁଁ ସେ ଭୟାବହଦୃଶ୍ୟକୁ ସହ୍ୟ କରି ନ ପାରି ଆଉ ଥରେ ବାହାରକୁ ଚାହିଁଲି ।

 

ମଝିରେ ଦୁଇ ତିନୋଟି ଛୋଟିଆ ଷ୍ଟେସନ ପଛେଇ ଯାଇଥାଏ । ସାମନା ଷ୍ଟେସନରେ ଗାଡ଼ି ଛିଡ଼ା ହେବ । ଭଗବାନ ମୋ’ ପ୍ରାର୍ଥନା ଶୁଣିଲେ ସହଯାତ୍ରୀଙ୍କ କଣ୍ଠରେ ସରସ୍ଵତୀ ବିଜେ ହେଲେ । ଜଣେ ଆଦେଶ ଦେଲା ପରି କହିଲେ, ସୁଟକେଶ୍ ସେଇଠି ଥାଉ, ଆପଣ ଆସି ଏଇଠି ବସନ୍ତୁ ।

 

ପ୍ରତିବାଦ କରିବାର ଉପାୟ ନାହିଁ । ବିକଳ ଆଖିରେ ମୋ’ ସୁଟକେଶ୍‍ଟିକୁ ଚାହିଁ, ନର୍ଦ୍ଦେଶମୁତାବକ ନିର୍ଦ୍ଦିଷ୍ଟ ଆସନରେ ବସିଲି ।

 

ବସନ୍ତୁ, କିନ୍ତୁ ଆଉ କାହାରିକି ଡାକିବେ ନାହିଁ । ମୁଁ ବସି ପଡ଼ୁ, ପଡ଼ୁ ଦ୍ଵିତୀୟ ନିର୍ଦ୍ଦେଶ ଶୁଣିଲି । ମୁଣ୍ଡ ହଲାଇ ହଁ କଲି ।

 

ଟିକଟ୍‍ ଅଛି ତ ? ପାଖରେ ବସିଥିବା ଭଦ୍ରବ୍ୟକ୍ତି ପ୍ରଶ୍ନକଲେ ।

 

ମୁଁ ସେମାନଙ୍କ ମନ ଭିତରର ବ୍ୟଙ୍ଗବିଦ୍ରୂପ ମନୋଭାବକୁ ଦୂରେଇ ଦେବାରେ ସାହାଯ୍ୟ କରିପାରେ ବୋଲି, ପକେଟରୁ କାଢ଼ି ଟିକଟ୍‍ ଦେଖାଇଲି ।

 

ଆରେ, ଆପଣ ମାଡ୍ରାସ୍‍ ଯିବେ ? କେତେ ସମୟ ଛିଡ଼ା ହୋଇଥାନ୍ତେ ? ସହଯାତ୍ରୀ ବିସ୍ମୟ ପ୍ରକାଶ କଲେ ।

 

ମୁଁ ଉତ୍ତର ନ ଦେଇ ନୀରବ ରହିବା ଉଚିତ ମନେକଲି ।

 

ଜମାନା ବଦଳିଯାଇଛି ବାବୁ ! ଏ ଜମାନା ହେଲା ଜବରଦସ୍ତିର । ଜୋର ଯାହାର ମୁଲକ ତାହାର । ମହାତ୍ମାଙ୍କ ମୃତ୍ୟୁ ଏହାହିଁ ଶିକ୍ଷା ଦେଲା । ବିଶେଷ କରି ସରକାରୀ ରେଳଗାଡ଼ି ଯାତ୍ରୀ ପାଟି ନ ଫିଟାଇଲେ ସିଟ୍‍ ପାଇବା କଷ୍ଟକର । ଗାଡ଼ିରେ ଚଢ଼ିଲେ ଖୁବ୍‍ ପାଟି କରିବେ । ଦରକାର ପଡ଼ିଲେ ଧସ୍ତାଧସ୍ତି ବି’ ହେବେ । କମ୍ପାର୍ଟମେଣ୍ଟ୍‍ ଭିତରେ ପାଦ ପକାଇଲେ ସାଧୁସନ୍ଥ ବି’ ବଦଳି ଯାଆନ୍ତି । ମନଭିତରୁ ଦୟାମୟା ଏକାବେଳେ ବିଦାୟ ନିଏ । ଦେଖୁନାହାନ୍ତି ଯାତ୍ରୀ କେତେ, ଆଉ କମ୍ପାର୍ଟମେଣ୍ଟ୍‍ କେଇଟା ? ଗୁମ୍‍ମାରି ଛିଡ଼ାହେଲେ କେହି ଶୁଣିବେ ନାହିଁ ।

 

ଆପଣତ ଶେଷକୁ ଶୁଣିଲେ ! ମୁଁ ଉତ୍ତର ଦେଲି ।

 

ସେ ଠୋ ଠୋ ହୋଇ ହସିଲେ । କହିଲେ, ପ୍ରଥମେ ମୁଁ ଯେତେବେଳେ ଏ କମ୍ପାର୍ଟମେଣ୍ଟ୍‍ ଭିତରକୁ ପଶେ, କବାଟ ମୁହଁରୁ କେଇଜଣ ଯାତ୍ରୀ ମୋତେ ଠେଲି ଦେଇଥିଲେ । ମୁଁ ପାଟି କଲି ଧସ୍ତାଧସ୍ତ ବି’ କଲି । ଶେଷକୁ ସ୍ଥାନ ମିଳିଲା । ସେଇଠୁ ଜାଣିଲି, ଏ ଜମାନା ବଦଳି ଯାଇଛି । ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଯେଉଁମାନେ ମୋ’ ସଙ୍ଗରେ ଏତେ ଗଣ୍ଡଗୋଳ କଲେ, ପର ଷ୍ଟେସନରେ ଓହ୍ଲାଇଗଲେ । ଶେଷକୁ ଆମେ ବନ୍ଧୁ ହୋଇ ଯାଇଥିଲୁଁ । ଗଲାବେଳେ ନମସ୍କାର କରା କରି ବି ହେଲୁଁ । ମୋର ସେଇକଥା ସବୁ ମନେପଡ଼ିଲା । ଆଗର ଷ୍ଟେସନରେ ଓହ୍ଲାଇ ଯିବିନା, ନୂଆ ବନ୍ଧୁଟିଏ ପାଇବାକୁ ପାଖକୁ ଡାକିଲି ।

 

ମୁଁ ସେ ଭଦ୍ରଲୋକଙ୍କ ମୁହଁକୁ ଚାହିଁଲି । ଅବିଶ୍ଵାସ କଲାପରି ସେ ମୁହଁରେ କିଛି ନାହିଁ । ରେଲ ଯାତ୍ରାହିଁ ମଣିଷକୁ ବର୍ବର କରିଦିଏ । ମଦର ନିଶାପରି ଏ ବି ଏକପ୍ରକାର ମାତଳାମୀ । ରେଲଗାଡ଼ିରେ ପାଦଦେଲେ ସେ ମାତଳାମୀ ଆତ୍ମପ୍ରକାଶ କରେ । ମନେହୁଏ, ସମସ୍ତ ରେଲଗାଡ଼ିଟା ନିଜର ।

 

ତା’ପରେ ଆମେ ପରସ୍ପରର ବନ୍ଧୁ ହୋଇଗଲୁଁ । ରାଜନୀତି, ଅର୍ଥନୀତିଠାରୁ ଆରମ୍ଭ କରି ଫସଲ ଆଉ ବର୍ଷ କଥା ପଡ଼ିଲା । ସମସ୍ତେ ସମସ୍ତଙ୍କର ଦେଶର ପରିସ୍ଥିତି ନେଇ କଥାବାର୍ତ୍ତା କଲେ । ମନେହେଲା, ଆମେ ସମସ୍ତେ ମିଶି ଗୋଟିଏ ପରିବାରର ଅନ୍ତର୍ଭୁକ୍ତ ।

 

ସେ ଦିନ ମଞ୍ଜୁଷା ଷ୍ଟେସନରେ ମେଲ୍‍ ପହଞ୍ଚିବାକୁ ଘଣ୍ଟାଏ ଡେରି ହେଲା ।

 

ମଞ୍ଜୁଷା ମୋ ମନଭିତରେ ଜାତୀୟଭାବ ମିଶ୍ରିତ କ୍ଷୀଣ ଆଲୋକଟିଏ ଜାଳିଦେଲା । ମୁଁ ବିହ୍ଵଳ ହୋଇ ମଞ୍ଜୁଷା ଷ୍ଟେସନକୁ ଅନାଇଲି । ଏ ଗଛ ବୃକ୍ଷ, ଲୋକବାକ ସବୁ ପରିଚିତ ବୋଲି ମନେହେଲା । ପ୍ଲାଟ୍‍ଫର୍ମର ପାନଦୋକାନୀଠାରୁ ଆରମ୍ଭ କରି ଚା’ବିକାଳୀ, କେଣ୍ଟିନ୍‍ବାଲା ଓ ସୁଇପର ପର୍ଯ୍ୟନ୍ତ ସମସ୍ତେ ଓଡ଼ିଆରେ କଥାବାର୍ତ୍ତା କରୁଥିଲେ । କିଏ ତେଲୁଗୁରେ କିଛି ପଚାରିଲେ, ସେମାନେ ଓଡ଼ିଆରେ ତା’ର ଉତ୍ତର ଦେଉଥିଲେ । ମଞ୍ଜୁଷା ମାଟିପାଇଁ ଅଜାଣରେ ମୋ ହାତ ଦୁଇଟି ଯୋଡ଼ି ହୋଇଗଲା ।

 

ଭଦ୍ରଲୋକ ସେଇଠି ଓହ୍ଲାଇଗଲେ । ଆମେ ସମସ୍ତେ ମିଶି ତାଙ୍କୁ ବିଦାୟ ଜଣାଇଲୁଁ । ଟ୍ରେନରେ ଅଳ୍ପ ସମୟ ରହଣି ଭିତରେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ ।

 

କିନ୍ତୁ ହାୟ, ସେହି ସମ୍ମିଳନୀରେ ଯୋଗ ଦେଇଥିବା ଅସଂଖ୍ୟ କର୍ମୀ ଆଉ ଘରକୁ ଫେରିପାରିଲେ ନାହିଁ । ଇଂରେଜ ଫଉଜ ଚାହୁଁ ଚାହୁଁ କୁଆଡ଼ୁ ମାଡ଼ି ଆସି ସେହି ଅଞ୍ଚଳକୁ ଘେରାଉ କରିଦେଲେ । ନିରସ୍ତ୍ର ଜନତା ଉପରେ ବନ୍ଧୁକରୁ ଗୋଳାବର୍ଷଣ କରାଗଲା । କର୍ମୀମାନଙ୍କୁ ରକ୍ଷା କରିବାକୁ ଯାଇ ଆଦିବାସୀ ପରିବାର କେଇଟିର ସବୁ ସ୍ତ୍ରୀ ପୁରୁଷ ନିଶ୍ଚିହ୍ନ ହୋଇଗଲେ । ବର୍ବର ଇଂରେଜ ଫଉଜ ମଲା ମୁର୍ଦ୍ଦାର ଉପରେ ବି’ ଗୋଳାବୃଷ୍ଟି କଲେ ।

 

ଏଇ ପାହାଡ଼ର ପାଦଦେଶ ମଣିଷର ତାଜାରକ୍ତରେ ଲାଲ ପଡ଼ିଗଲା । ରକ୍ତର ସ୍ରୋତ ବୋହିଲା ସେ ଅଞ୍ଚଳକୁ ବୁଡ଼ାଇ ଦେଇ, ତିନ୍ତାଇ ଦେଇ !

 

ବନ୍ଧୁଜଣକ ଶେଷକୁ ଅତ୍ୟନ୍ତ ଉତ୍ତେଜିତ ହୋଇ ପଡ଼ିଥିଲେ । କହିଲେ, ସେହି ଦିନଠୁ ବନ୍ଧୁ, ଏ ଅଞ୍ଚଳର ମାଟି ଲାଲ ପଡ଼ିଯାଇଛି । ଏ ମାଟିରେ ମାନ୍ଦ୍ରାଜ ପ୍ରଦେଶର କେତୋଟି ଜାତୀୟ ବୀରଙ୍କ ରକ୍ତ ମିଶି ଏକାକାର ହୋଇଯାଇଛି । ଏ ମାଟି ମନେପକାଇ ଦିଏ, ସ୍ଵାଧୀନତା ସଂଗ୍ରାମର ଗୋଟିଏ ଗୌରବୋଜ୍ଜଳ ପରିଚ୍ଛେଦ ! ରକ୍ତାକ୍ତ ଅଧ୍ୟାୟ ସେମାନଙ୍କ ହତ୍ୟା ଦେଖି, ଦେଶପୁଅ ଶଙ୍କି ନ ଯାଇ, ପୁଣି ଥରେ ବିପ୍ଳବ ଓ ସଂଗ୍ରାମ କଲା । ଇଂରେଜ ସରକାର ସଙ୍ଗେ ଅସହଯୋଗ କରି ଶେଷରେ ଏତେ ବଡ଼ ଟାଣୁଆ ଜାତିଟାକୁ ଦେଶରୁ ବିଦାୟ ଦେଲା । ଜାତୀୟ ସରକାର ପ୍ରତିଷ୍ଠା ହେଲା । ଜାତୀୟ ପତାକା ଉଡ଼ିଲା ।

 

କିନ୍ତୁ ବନ୍ଧୁ, ସେହି ଇଂରାଜୀ ନାଆଁଟା ବଦଳି ନାହିଁ । ସେଦିନ ଇଂରେଜ ଆକ୍ରମଣ ବେଳେ ଏଇଠି ପାଞ୍ଚଟି ମାତ୍ର ଆଦିବାସୀ ପରିବାର ଥିଲେ । ସେହି ପରିବାର କେଇଟି ସଙ୍ଗେ ସମବେତ ଜାତୀୟ ନେତାଙ୍କୁ ମାରିଦେଇ ଇଂରେଜଜାତି ଏହି ପାହାଡ଼ ତଳେ ରକ୍ତର ସୁଅ ବୁହାଇ ଦେଲେ । ପାହାଡ଼ଟି ତାଜାରକ୍ତ ମାଖି ଲାଲିଆ ଦେଖା ଯାଉଥିଲା । ଇଂରେଜମାନେ ତା’ ନାଁ ରଖିଲେ ‘ରେଡ୍‍ହିଲସ୍’ । ରେଡ୍‍ହିଲସ୍ ପରି ଆତଙ୍ଗଦାୟକ ନାଁ ସେହି ରକ୍ତ ଓ ରକ୍ତମୁଖା ଇଂରେଜ ଜାତିରବର୍ବରୋଚିତ ଇତିହାସକୁହିଁ ବ୍ୟକ୍ତ କରେ ।

 

ଏହାହିଁ ରେଡ୍‍ହିଲସ୍‍ର କାହାଣୀ ! ଏକ ବର୍ବର ଶାସକର କାଳୀମାମୟ କାହାଣୀ ! ଆମ ଦେଶର ଅଶ୍ରୁଳ ମହାକାବ୍ୟ !

 

ଗାଡ଼ି ମାଡ୍ରାସ୍ ଷ୍ଟେସନରେ ପହୁଞ୍ଚିଲା ବେଳକୁ ବନ୍ଧୁଙ୍କର ରେଡ୍‍ହିଲସ୍‍ର କାହାଣୀ ବି’ ଶେଷ ହୋଇ ସାରିଥିଲା ।

 

—ଦୁଇ—

 

ଜନଗହଳ ମାଡ୍ରାସମେଲ୍‍ ଛାଡ଼ିବାକୁ ବସିଛି, ପୁଣି ଥରେ ସେହି ପରିଚିତ ଭଦ୍ରଲୋକ ଜଣକ ଖୋଜି ଖୋଜି ଆସି ଆମରି କମ୍ପାର୍ଟମେଣ୍ଟ୍‍ ପାଖରେ ପହଞ୍ଚିଲେ ।

 

ଆମେ ସମସ୍ତେ ଭାବିଲୁଁ, ସେ ନିଶ୍ଚୟ କିଛି ଛାଡ଼ି ଯାଇଥିଲେ । ଏଇନେ ନେବାକୁ ଆସିଛନ୍ତି । ଆମେ ସମସ୍ତେ ମିଶି କମ୍ପାର୍ଟମେଣ୍ଟ୍‍ର ତଳ ଉପର ଜାଗା ସବୁ ପରୀକ୍ଷା କରିନେଲୁଁ ।

 

କ’ଣ ଛାଡ଼ିଲେ ? ମୁଁ ପଚାରିଲି ।

 

ମୋ ସିଟ୍‍ ଖଣ୍ଡକ ! ସେ ହସି ହସି ଉତ୍ତର ଦେଲେ । ତା’ପରେ କମ୍ପାର୍ଟମେଣ୍ଟ୍‍ ଦୁଆର ଉପରେ ଛିଡ଼ାହୋଇ ବଡ଼ପାଟିରେ ‘ସର’ ‘ସର’ ବୋଲି ଡାକ ପକାଇଲେ । ତାଙ୍କ ପାଟି ଶୁଣି ଗୋଟିଏ ପନ୍ଦର ଷୋହଳ ବର୍ଷର ଝିଅ ବୃଦ୍ଧାଜଣଙ୍କର ହାତ ଧରି ସେହି ଡବା ପାଖକୁ ଆସିଲେ । ଏଥର ତାଙ୍କର ଉତ୍ତର ବୁଝିବାରେ ଅସୁବିଧା ହେଲା ନାହିଁ । ଭଦ୍ରଲୋକଙ୍କ ସିଟ୍‍ ଅବଧି ଖାଲିଥିଲା । ବୃଦ୍ଧାଜଣକ ସେଇଠି ବସିଲେ । ସର ନାମ୍ନୀ ଝିଅଟି ତାଙ୍କରି ପାଖରେ ଛିଡ଼ାହେଲା ।

 

ଗାଡ଼ି ଛାଡ଼ିବାର ସମୟ ହେଲା । ଭଦ୍ରବ୍ୟକ୍ତି ଜଣକ ତରତର ହୋଇ ଇଂରାଜୀରେ କହିଗଲେ, ଏମାନେ ବି’ ମାଡ୍ରାସ୍ ଯିବେ । ଏକୁଟିଆ ଲୋକ । ଆପଣଙ୍କ ଜିମାରେ ଛାଡ଼ି ଯାଉଛି ।

 

ମୋର ଉତ୍ତରକୁ ଅପେକ୍ଷା ନ କରି ନମସ୍କାରଟିଏ କରିଦେଇ ଚଳନ୍ତା ଗାଡ଼ିରୁ ସେ ଓହ୍ଲାଇଗଲେ ।

 

ମୁଁ ସେ ତରୁଣୀ ଓ ବୃଦ୍ଧାଙ୍କୁ ଆଉଥରେ ଦେଖି ନେଲି । ସେମାନଙ୍କ ମୁହଁର ଗଢ଼ଣରେ ସାଦୃଶ୍ୟ ଦେଖି ଅନୁମାନ କଲି ମାଁ ଝିଅ ହେବେ ନିଶ୍ଚୟ ।

 

ତରୁଣୀଟି ମାଁଙ୍କୁ ସିଟ୍ ଉପରେ ବସାଇଦେଇ ଝରକା ଫାଙ୍କରୁ ବାହାର ଦୁନିଆକୁ ଚାହିଁଥାଏ । ଟିକକ ପରେ ମୁହଁ ବୁଲାଇ ଆଖି ମନ୍ଥିବାକୁ ଲାଗିଲା । ଆଖିରେ କିଛି ପଡ଼ିଗଲନା କ’ଣ-? କମ୍ପାର୍ଟମେଣ୍ଟରେ ବସିଥିବା ପ୍ରତ୍ୟେକ ଯାତ୍ରୀ ସେ ତରୁଣୀଟି ପ୍ରତି ସହାନୁଭୂତି ପ୍ରକାଶ କରିବାକୁ ପ୍ରସ୍ତୁତ ଥିଲେ । ସେମାନଙ୍କ ମୁହଁରେ କେମିତ ଏକ ଦୟାରଚାହାଣି । ତରୁଣୀଟି ମୁହଁ ଫିଟାଇଥିଲେ ପ୍ରତ୍ୟେକେ ନିଜ ନିଜର ଆସ୍ଥାନରୁ ଉଠି ପଡ଼ିବାକୁ ଆଗ୍ରହ ପ୍ରକାଶ କରିଥାନ୍ତେ-। ସେମାନେ ଖାଲି କଥା ପଦକର ପ୍ରତୀକ୍ଷାରେ ଥିଲେ ।

 

‘ତୁ ଏଇଠିକି ଆ’ ସର !” ବୃଦ୍ଧା ସ୍ନେହରେ ଡାକିଲେ ।

 

‘କନ୍ତୁ ଜାଗା କାହିଁ ?’ ସର ପ୍ରଶ୍ନ କଲା ।

 

‘ଏଇ ଟିକକ ଜାଗାରେ ଯେକୌଣସି ମତେ ଚଳିଯିବ ।’ ଭଦ୍ରଲୋକ କ’ଣ ଭାବିବେ ? ସର ପୁନର୍ବାର ପଚାରିଲା ।

 

ସେମାନେ ତାହାହେଲେ ଓଡ଼ିଆ ! କମ୍ପାର୍ଟମେଣ୍ଟ୍‍ ଭିତରୁ ସବୁ ଓଡ଼ିଆଯାତ୍ରୀ ଓହ୍ଲାଇ ଯାଇଥାନ୍ତି । ଅବଶିଷ୍ଟ ସହଯାତ୍ରୀଙ୍କ ଭିତରୁ ଅଧିକାଂଶ ତେଲୁଗୁ । ତାଙ୍କ ଭିତରେ ଜଣେ ବଙ୍ଗାଳୀ ଓ ଆଉଜଣେ ହିନ୍ଦୁସ୍ଥାନୀ ଥିଲେ ।

 

ବଙ୍ଗାଳୀ ଭଦ୍ରବ୍ୟକ୍ତି ଯୁବକ । ସେ ସର ମୁହଁକୁ ଏକଲୟରେ ଅନାଇଁ ଥାଆନ୍ତି । ପରିସ୍ଥିତି ପ୍ରତି ଏକାବେଳକେ ଅସହଯୋଗୀ । କିଏ କ’ଣ ଭାବିବ, ସେପ୍ରତି ମୋଟେ ହେଲେ ଖିଆଲ ନାହିଁ । ହିନ୍ଦୁସ୍ଥାନୀ ଜଣକ ଯୌବନୋତ୍ତୀର୍ଣ୍ଣ । ପାଖରେ ସୁନ୍ଦରୀ ଯୁବତୀଟିଏ ଦେଖି ସେ ବି’ ସାମାନ୍ୟ ଇତଃସ୍ତତ ହୋଇଯାଉଥାନ୍ତି । ଅନ୍ୟମନସ୍କଭାବରେ ସିନେମାର ଏକ ଭାବଭରା ସଙ୍ଗୀତର ସ୍ୱର ସଂଯୋଗ କରୁଥାନ୍ତି ।

 

ମୁଁ ମୋର ବସିବା ସ୍ଥାନରୁ ଉଠିପଡ଼ି ସେହି ତରୁଣୀଟି ଉଦ୍ଦେଶ୍ୟରେ କହିଲି, ଆପଣ ବସନ୍ତୁ । ମୁଁ ଛିଡ଼ା ହେଉଛିଁ ।

 

ମୋ ମୁହଁରୁ ଓଡ଼ିଆ କଥା ଶୁଣି ତରୁଣୀ ଜଣକ ପ୍ରଥମେ ତଟସ୍ଥ ହୋଇପଡ଼ିଲେ । ତା’ପରେ ଆଗ୍ରହ ଆଖିରେ ମୋ ମୁହଁକୁ ଚାହିଁଲେ । ଆଖି ଦୁଇଟାରେ ଧନ୍ୟବାଦର ଭାଷା ଥିଲା ।

 

ମୁଁ ମୁଗ୍ଧ ହେଲି । ତରୁଣୀର ନୀରବ ଆଖିରେ ଅନେକ ଭାଷା । ପାଟି ଖୋଲିଲେ ସେ ଭାଷାର ଗୁରୁତ୍ଵ କମିଯାଏ । ଅଥଚ ନୀରବ ରହି ଅନେକ କଥା ସେ କହିପାରେ । ସେ ନୀରବତାର ଅନେକ ଅର୍ଥ ବି’ ହୋଇପାରେ !

 

ବୃଦ୍ଧାଜଣକ ମୋ ଉଦ୍ଦେଶ୍ୟରେ କହିଲେ, ତୁମେ କାହିଁକି ଛିଡ଼ାହେବ ପୁଅ ? ମାଡ୍ରାସ୍ ତ ପାଖରେ ନାହିଁ । ସାରାରାତି ପଡ଼ିଛି । ଟିକିଏ ଘୁଞ୍ଚି ବସ । ଏଇଠି ତିନିଜଣଙ୍କର ସ୍ଥାନ କରିଦେବା ।

 

ଶେଷରେ ବୃଦ୍ଧାଙ୍କ କଥାହିଁ ରହିଲା । ଆମ ଦୁହିଁଙ୍କ ମଝିରେ ସେହି ତରୁଣୀ ଜଣକ ବସିଲେ ।

ସେ ମୋ ଝିଅ ! ପୂରା ନାଁ ସରୋଜା । ‘ସର’ ବୋଲି ଆମେ ସମସ୍ତେ ଡାକୁଁ । ବୃଦ୍ଧା ସରୋଜାକୁ ଚିହ୍ନେଇ ଦେଇଥିଲେ । ପୁଣି ସେ ଯୋଗକଲେ, ତା’ ବାପା ମାନ୍ଦ୍ରାଜରେ ରହି ଚାକିରି କରନ୍ତି । ଆମକୁ ଗତ ଛୁଟିରେ ମଞ୍ଜୁଷାରେ ଛାଡ଼ି ଯାଇଥିଲେ । ତୁମ ସଙ୍ଗରେ ଦେଖା ହେଲା । ଖୁବ୍ ଭଲ ହୋଇଛି । ତୁମେ କ’ଣ ମାନ୍ଦ୍ରାଜରେ ଚାକିରି କର ପୁଅ ?

ମୁଁ ମନା କଲି । କହିଲି ସପ୍ତାହକ ସକାଶେ ବୁଲିବାକୁ ଯାଉଛିଁ ।

କଥାପ୍ରସଙ୍ଗରେ ସେ ଆମ ଘର ଖବର ସବୁ ପଚାରି ନେଲେ । ତା’ପରେ କହିଲେ, ମାନ୍ଦ୍ରାଜ ସହରରେ ଓଡ଼ିଆ ସଂଖ୍ୟା ଖୁବ୍ କମ୍ ପୁଅ । ସେଇଥି ପାଇଁ ଜାତି ପୁଅଟିଏ ଦେଖିଲେ ସରଗ ପାଇବା ପରି ଲାଗେ । ତୁମକୁ ଦେଖିଲେ ସର ବାପା ନିଶ୍ଚୟ ଖୁସି ହେବେ ।

ଆମେ ଦୁଃଖ ସୁଖ ହେଉଁ ହେଉଁ ଷ୍ଟେସନ ପରେ ଷ୍ଟେସନ ଅତିକ୍ରମ କରୁଥାଉଁ । ଏହାରି ଭିତରେ ପୁରୁଣାଯାତ୍ରୀ କେତେ ଓହ୍ଲାଇଗଲେଣି । ନୂଆଯାତ୍ରୀ ଆସି ଆସ୍ଥାନ ଜମାଇଛନ୍ତି । ବଙ୍ଗାଳୀ ଯୁବକ ସେତିକିବେଳୁ ସରୋଜା ଉପରୁ ଆଖି ନେଉନାହାନ୍ତି । ସତେକି ତା’ ଦେହରେ ପ୍ରତି ଅବୟବକୁ ଆଖି ଲଗାଇ ଶୋଷି ନେବେ । ସତେକି ତା’ ଭିତରେ ନିଜକୁ ବିଲୀନ କରିଦେବେ ।

ସରୋଜା ମଉନଥାଏ । ବେଳେବେଳେ ମୋ ମୁହଁକୁ ବଲବଲ କରି ଚାହେଁ । ଆଖିରେ ଆଖି ମିଶିଗଲେ ତଳକୁ ମୁହଁ ପୋତିଦିଏ ।

ସରୋଜା ଚମତ୍କାର ଝିଅଟିଏ । ଦେହରେ ଯୌବନ ଖୁନ୍ଦି ହୋଇଛି । ବାହୁର ଯେତିକି ଅଂଶ ଖୋଲା ରହିଛି, ସେଇଠି ଲାବଣ୍ୟ କଥା କହୁଛି । ଗୋଲିପୀ ଛକକନାର ବ୍ଲାଉସ୍ ଖଣ୍ଡେ ପିନ୍ଧିଛି । ଶାଢ଼ିଟି ଚକଲେଟ ରଙ୍ଗର କେଶ ପ୍ରସାଧନରେ ତୈଲଙ୍ଗ ରମଣୀର କୁଶଳ କଳା । ନାଗଫେଣୀଆ ବେଣୀର ରେଶମୀ ଦୋଳନରେ ଅପୂର୍ବ ଫୁଲକାମ । କଜ୍ଜଳଗାରଟି ଆଖିର ଶେଷାଂଶ ଯାଏ ଲମ୍ବି ଆସିଛି । ସରୋଜା ରୋମାଣ୍ଟିକ୍ ଦେଖାଯାଉଛି ।

ସରୋଜାକୁ ମୁଁ ବାରମ୍ବାର ଅନାଉଥିବାର ଦେଖି ବୃଦ୍ଧା କହିଲେ, ସେ ସବୁଦିନ ମଉନାବତୀ । ବହୁତ ଲାଜକରେ । ପେଟରେ ଭୋକଥାଇ ବି’ କୁଣିଆ ଘରକୁ ଗଲେ ଅଧେ ଖାଇ ଉଠି ଆସିବ ।

ସରୋଜା ମାଆଙ୍କର କଥା ଶୁଣି ଅଳ୍ପ ହସିଦେଲା । ତା’ର ହସିଲା ମୁହଁଟିକୁ ଲୁଚାଇବାକୁ ଦକ୍ଷିଣବାହୁ ଟେକିଦେଲା । କିନ୍ତୁ ଏ ଅବସ୍ଥାରେ ସରୋଜା ଅସମ୍ଭବଭାବେ ଅପୂର୍ବ ଜଣାପଡ଼ିଲା ।

ଶେଷବେଳକୁ ସେ ଅଳ୍ପ ଅଳ୍ପ କଥା କହୁଥିଲା । କଥାଗୁଡ଼ିକରୁ କୌଣସିଟି ସ୍ପଷ୍ଟ ନୁହେଁ । ଅଧା ଚପା, ଅଧା ଢୋକା, କହିବାକୁ ଇଚ୍ଛା କରି ବି’ ପ୍ରକାଶ କରିପାରୁନାହିଁ । ସହର ଝିଅର ମୁହଁରେ ପ୍ରଥମକରି ପଲ୍ଲୀବାଳାର ବ୍ରୀଡ଼ା ବିହ୍ଵଳତା ଦେଖିଲି । ସହର ଓ ପଲ୍ଲୀର ବିଚିତ୍ର ସମାବେଶ ଏହି ସରୋଜା ! ରୋମାଞ୍ଚକ ଆଉ ସୁନ୍ଦର !

ଗାଡ଼ି ବେଜୱାଡ଼ାରେ ପହଞ୍ଚିଲା ବେଳକୁ ଅଧାରାତି ହୋଇଯାଇଥାଏ । କୃଷ୍ଣାନଦୀର କଳେବର, ରାତିର ଭଅଁର କଳାଚାଦର ଭିତରେ ମୁହଁରଖି ଶୋଇ ପଡ଼ିଥିବ । କମ୍ପାର୍ଟମେଣ୍ଟ୍‍ର ସମସ୍ତଯାତ୍ରୀ ଶୋଇ ପଡ଼ିଥାନ୍ତି ।

ବୃଦ୍ଧା ଢୁଳେଇ ଢୁଳେଇ ବହୁପୂର୍ବରୁ ଝରକାଉପରେ ମୁଣ୍ଡରଖି ଶୋଇ ଯାଇଛନ୍ତି । ସରୋଜା ଆଖିରେ ନିଘୋଡ଼ ନିଦ । କଳାକଜଳ ଭିତରର ଢଳଢଳ ଡୋଳା ଦୁଇଟି ନିଦରେ ଟୁଳୁ ଟୁଳୁ ହେଲାଣି । ଆରାମରେ ଶୋଇବାକୁ ସ୍ଥାନ ନାହିଁ । ସେ ଢଳି ଢଳି ଆସି ମୋରି କୋଳରେ ମୁଣ୍ଡ ରଖିଲା ।

 

ତାର ରେଶମୀ କେଶଗୋଛାକ ଅତି କୋମଳ ଜଣା ପଡ଼ୁଥିଲା । କାନ୍ଧପାଖଟା ବି’ ଫୁଲପରି ନରମ ଲାଗୁଥାଏ । କବରୀର ମିଠାଗନ୍ଧ କାନ ପାଖରେ ମୋର ଶତ କଦମ୍ବର ଶିତ୍କାର ବାଢ଼ି ଦେଉଥାଏ । ନିଦ୍ରିତା ସରୋଜାର ପ୍ରଥମ ସ୍ପର୍ଶ ମୋ’ ଆଖିର ତନ୍ଦ୍ରାକୁ ନିମିଷକ ପାଇଁ ଛଡ଼ାଇ ନେଲା । ମୁଁ ଦେଖିଲି, ଲାଜକୁଳୀ ସରୋଜା ନିଦର ତାଡ଼ନାରେ ମୋରି କୋଳରେ ବାଧ୍ୟହୋଇ ଶୋଇଯାଇଛି । ନିଦ ଭାଙ୍ଗିଲେ ସେ ଆପେ ଆପେ ଲଜ୍ଜିତା ହେବ । ତା’ପରେ ନିଜକୁ ନିଜେ ସଂଯତକରି ବସିବ ।

 

ତଥାପି ସରୋଜାର ଏ ସ୍ପର୍ଶ କି ଲୋଭନୀୟ ! ମୁଁ ଆଖି ବୁଜି ମନେ ମନେ ତା’ର ନିବିଡ଼ ସ୍ପର୍ଶକୁ ଅନୁଭବ କରୁ କରୁ କେତେବେଳେ ଯେ ଶୋଇ ପଡ଼ିଲି, ତା’ର ଖିଆଲ ରହିଲା ନାହିଁ । ମୁଁ ଶୋଇଲା ଅବସ୍ଥାରେ ସୁନ୍ଦରୀ ସରୋଜାର ସ୍ଵପ୍ନହିଁ ଦେଖୁଥିଲିଁ । ସେ କୁହୁକ ହୋଇ ନାଚୁଥିଲା ।

 

—ତିନି—

 

ମାଡ୍ରାସ୍‍ ଷ୍ଟେସନରେ ଗାଡ଼ି ଅଟକିବା ପୂର୍ବରୁ କମ୍ପାର୍ଟମେଣ୍ଟ୍‍ର ସବୁ ଯାତ୍ରୀ ପ୍ରସ୍ତୁତ ହେଉଥିଲେ । ମୁଁ ମୋର ଛୋଟିଆ ସୁଟକେଶ୍‍ ଉପରେ ଆଖି ବୁଲାଇ ନିଶ୍ଚିନ୍ତରେ ବସିଥାଏ । ବୃଦ୍ଧାଜଣଙ୍କ ବେଡ଼ିଙ୍ଗପତ୍ର ସଜାଡ଼ୁଥାନ୍ତି ।

 

ସରୋଜା ୟା’ ଭିତରେ କେତେବେଳେ ମୁହଁ ଧୋଇ ବେଣୀ ସଜାଡ଼ି ନେଇଛି । ବ୍ଲାଉସ୍‍ ଆଉ ଶାଢ଼ି ପାଲଟି ପକାଇଛି । ବାଳୁତ ସୂର୍ଯ୍ୟର ପ୍ରଥମ କିରଣ ପଡ଼ିଛି ସରୋଜାର ପଦ୍ମପରି କୋମଳ ଆଉ ସୁନ୍ଦର ମୁହଁଟି ଉପରେ । ଆଖିରେ କଜ୍ଜଳ ଲଗାଇ, କପାଳ ଉପରେ ଲମ୍ବାଳିଆ କୁଙ୍କୁମ ଧାରେ ଦେଇଛି । ଏତେ ଗହଳି ସତ୍ତ୍ୱେ, ବେଶ ପରିଚର୍ଯ୍ୟା ସୁରୁଖୁରୁରେ ସାରିଦେଇ ତା’ ଆସ୍ଥାନ ଉପରେ ବସିଛି ।

 

କମ୍ପାର୍ଟମେଣ୍ଟ୍‍ର ସମସ୍ତ ଯାତ୍ରୀଙ୍କ ଚାହାଣି ତାରି ଉପରେ । ଡୋଳାଗୁଡ଼ିକ ବଙ୍କା ବଙ୍କା । ସେହି ବଙ୍କା ଡୋଳାଟିମାନଙ୍କରୁ ପ୍ରଶଂସାର ଭାଷା ଝିରି ଝିରି ହୋଇ ଝୁରୁଛି । ବିଭିନ୍ନ ଜାତି କି ଦେଶର ହେଲେ ବି’ ମଣିଷର ସୌନ୍ଦର୍ଯ୍ୟବୋଧ ସବୁକାଳେ ଏକ ।

 

ସରୋଜା କାହାକୁ ହେଲେ ଚାହୁଁ ନାହିଁ । ମଥାପୋତି ଶାଢ଼ିର ମୁହଁକୁ ସଜାଡ଼ୁଛି । ଆଉ କେତେବେଳେ ତାରି ଦକ୍ଷିଣହାତ ମଧ୍ୟମ ଅଙ୍ଗୁଳୀର ନୀଳ ପଥରବସା ମୁଦିଟିକୁ ଚାହିଁ ରହିଛି । ସେ ଚାହାଣିର କିଛି ଅର୍ଥ ହୁଏନା ସତେ ଯେମିତି ନିର୍ଲିପ୍ତ, ନିର୍ବିକଳ୍ପ ତପସ୍ଵିନୀ !

 

ମାଡ୍ରାସ୍ ସେଣ୍ଟ୍ରାଲରେ ଗାଡ଼ି ଅଟକିବାମାତ୍ରେ ସମସ୍ତେ ତରତରିଆ ହୋଇ ଓହ୍ଲାଇଗଲେ-। ବସିଲା ବେଳେ ଯେମିତି ଧସ୍ତାଧସ୍ତି, ଓହ୍ଲାଇଲାବେଳେ ସେମିତି ପାଟିତୁଣ୍ଡ । କମ୍ପାର୍ଟମେଣ୍ଟ୍‍ଟା ଖାଲି ପଡ଼ିଗଲା । ସେ ବୋଧହୁଏ ଅବୁଝା ମଣିଷର ପାଗଳବୁଦ୍ଧି ଦେଖି ନୀରବରେ ହସୁଥିଲା-

 

ସରୋଜା ଆଉ ମୁଁ ବୃଦ୍ଧାଙ୍କୁ ନିରାପଦରେ ଓହ୍ଲାଇବାକୁ ପଛରେ ରହିଗଲୁ । କୁଲି ଆସି ଜିନିଷପତ୍ର ନେଇ ଗେଟ୍‍ ପାରିହେଲା । ଲମ୍ବା ଓସାର ପ୍ଲାଟ୍‍ଫର୍ମ ଭିତରେ ପିମ୍ପୁଡ଼ି ପରି ଆମେ ସମସ୍ତେ ଲୁଚିଗଲୁ ।

 

ସରୋଜା ଆଉ ତା’ ମାଆ ଟ୍ୟାକ୍‍ସି ଭିତରକୁ ଉଠିଗଲେ । ମୁଁ କବାଟ ପାଖରେ ଛିଡ଼ା ହୋଇଥିବା ଦେଖି ବୃଦ୍ଧା ପଚାରିଲେ, ତୁମେ ଆଉ ଛିଡ଼ାହେଲ କାହିଁକି ପୁଅ ? ଭିତରକୁ ଆସ !

 

ମୁଁ ପେର୍‍ମିଟରେ ଯାଇ ଆଉ ଜଣେ ବନ୍ଧୁଙ୍କ ସଙ୍ଗରେ ରହିବା କଥା କହିବାରୁ, ସେ ଅଳ୍ପ ନାରାଜ ହେଲେ । ତା’ପରେ ତାଙ୍କ ଘର ଠିକଣାଟା ଦେଇ କହିଲେ, ସୁବିଧା ଦେଖି ନିଶ୍ଚୟ ଆସିବ ପୁଅ ! ନ ହେଲେ ମନ କଷ୍ଟ ହେବ ।

 

ଟ୍ୟାକ୍‍ସି ଚାଲିଗଲା । ମୁଁ ନୀରବରେ ସେ ଗତିଶୀଳ ଟ୍ୟାକ୍‍ସିକୁ ଚାହିଁଛି, ପେର୍‍ମିଟ୍‍ର ସେହି ପରିଚିତ ବନ୍ଧୁଙ୍କ ସଙ୍ଗରେ ଦେଖାହେଲା ।

 

ଆଃ ଏ ଯାତ୍ରାଟା କି ସଫଳ ଯାତ୍ରାଟାଏ ! ଟ୍ରେନ ଭିତରେ ବସିବା ପାଇଁ ସ୍ଥାନ ପାଇବାଠାରୁ ଆରମ୍ଭକରି, ସରୋଜା ଓ ତା’ ମାଆର ସାହଚର୍ଯ୍ୟ, ପୁଣି ମାଡ୍ରାସ୍‍ ସେଣ୍ଟ୍ରାଲରେ ଅଭିଳଷିତ ବନ୍ଧୁଙ୍କର ସାକ୍ଷାତ, ଏସମସ୍ତ ସଫଳ ଯାତ୍ରାର ଆଭିମୁଖ୍ୟ ନୁହେଁ ତ ଆଉ କ’ଣ ? ମାଡ୍ରାସ୍‍ କର୍ପୋରେସନର ପୋଲ ଡେଇଁ ରିକ୍ସା ଛୁଟିଛି । ‘ମୁର୍‍ମାର୍କେଟ’ ପଛରେ ପଡ଼ିଗଲା । ଦ୍ଵିତୀୟ ଟ୍ରାଫିକରେ ରିକ୍ସାବାଲା ମୋଡ଼ ବଦଳାଇଲା । ସାମନାରେ ମାଡ୍ରାସ୍‍ ହୋଟେଲ । ହୋଟେଲ ପିଣ୍ଡାରେ ପାନ ଦୋକାନ । ପାନ ଦୋକାନରେ ପାନ ସଙ୍ଗରେ ବହି, ମାଗାଜିନ୍ ବିକ୍ରି ହେଉଛି ।

 

‘କର୍ପୂର ମୁଦୁଲି ଷ୍ଟ୍ରଟ’ରେ ପହଞ୍ଚିବାକୁ ବେଶି ସମୟ ଲାଗିଲା ନାହିଁ । ସୁବିଧା ବସା ଖଣ୍ଡେ । ଭିତରେ ପାଇପ୍ ଆଉ କୂଅ ଅଛି । କୂଅ ନୁହେଁ ଯେ ପାଣିକୁଣ୍ଡ । ଦି’ହାତ ତଳେ ପାଣି । ପାଇପ ପାଣି ପରି ମିଠା ଆଉ ସଫା ।

 

ବନ୍ଧୁ ମୋତେ ବସାରେ ପହଞ୍ଚାଇ ଦେଇସାରିବା ପରେ ଖାଇବା ପିଇବାର ବ୍ୟବସ୍ଥା କରିଦେଇ ଅଫିସ ଚାଲିଗଲେ । ମୁଁ ନିଶ୍ଚିନ୍ତରେ ଶୋଇଗଲି । ଯାତ୍ରା କ୍ଳାନ୍ତିଜନୀତ ଶରୀର ପିଡ଼ାକୁ ନିଦ୍ରା ତା’ର ମଧୁର ହାତ ବଜାଇ ସୁସ୍ଥ କରିଦେଲା ।

 

ତହିଁ ଆରଦିନ ସମୟ ପାଇବା ମାତ୍ରେ ମୁଁ ସରୋଜା ଘରକୁ ଚାଲିଲି । ମାଡ୍ରାସ୍‍ ସହରରେ ନିର୍ଭୁଲ ଠିକଣା ଥିଲେ ଯେକୌଣସି ରିକ୍ସାବାଲା ବା ଟ୍ୟାକ୍‍ସିବାହକ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇ ଦେବେ ।

 

ସରୋଜାର ବାପା ବେଶ୍‍ ମିଳାପି ଲୋକ ଜଣେ । କଥାବାର୍ତ୍ତାରେ କିଣି ନେବେ । ଅନେକ ଦିନରୁ ମାନ୍ଦ୍ରାଜ ସହରରେ ଚାକିରି କଲେଣି । ମୁହେଁ ମୁହେଁ ଦ୍ଵିତୀୟ ମହାଯୁଦ୍ଧ ବେଳର କଥା ବଖାଣି ଗଲେ । ସ୍ଵାଧୀନତା ପରର କଥାତ ଏଇ କାଲିର କଥା !

 

ଟିପୟରେ ଦୁଇ କପ୍ ଚା’ ନେଇ ଯେଉଁ ତରୁଣୀଟି ପ୍ରବେଶ କଲେ ତାଙ୍କର ବେଶବାସ ଦେଖି ମୁଁ ତାଜୁବ୍ ହୋଇଗଲି । ସେହି ଏକାମୁହଁ, ଏକାଦେହ, ସେହି ବୟସ, ସେହି ରଙ୍ଗ । କିନ୍ତୁ ତା’ ମୁହଁରୁ ଲାଜଟିକକ ଛଡ଼ାଇ ନେଲା କିଏ ? ଆଖି ଚାହାଣିରୁ ପଲ୍ଲୀବାଳାର ବ୍ରୀଡ଼ା ସମ୍ଭ୍ରମତାକୁ ଅପହରଣ କଲା କିଏ ? ବେଶବାସରେ ସହରୀ ସଭ୍ୟତାର ଯାକଜମକ । ନିଜକୁ ନିଖାରି ନିଖାରି, ଦେଖାଇ ଦେବାର ଚେଷ୍ଟା ! ନିଜ ଯୌବନକୁ ଲୋକଲୋଚନ ସମ୍ମୁଖରେ ବିଜ୍ଞାପିତ କରିବାରେ ଅଦ୍ଭୁତ ଖିଆଲ !

 

ଏକୁଟିଆବେଳେ ସେ ଉପରେ ପଡ଼ି ଅନେକ କଥା କହିଲା । ମାଡ୍ରାସ୍‍ ସହର ସମ୍ବନ୍ଧରେ ଗୁଡ଼ାଏ ମନ୍ତବ୍ୟ ବାଢ଼ି ବସିଲା । ତା’ପରେ ପରେ କହିଲା, ଆପଣ ଏସହରକୁ ନୂତନ ଆସିଛନ୍ତି ବୋଧହୁଏ । ଆସନ୍ତୁ ମୋ’ ସଙ୍ଗରେ । ସମଗ୍ର ସହରଟା ଘଣ୍ଟାକେଇଟା ଭିତରେ ବୁଲାଇ ଦେଖାଇ ଦେବି ।

 

ମୁଁ ବାଧ୍ୟ ହୋଇ ତା’ ସଙ୍ଗରେ ସହର ବୁଲି ବାହାରିଲି । ସେ ବିଚ୍ ବତୀଘର, ମ୍ୟୁଜିଅମ୍, ଚିଡ଼ିଆଖାନା ଇତ୍ୟାଦି ବୁଲି ଆମେ ସବାଶେଷରେ କର୍ପୋରେସନ୍ ପଛରେ ଥିବା ମୁର୍‍ମାର୍କେଟରେ ପହଞ୍ଚିଲୁଁ । ପ୍ରକାର ପ୍ରକାର ଜିନିଷ । ବିଭିନ୍ନ ସାଜସଜ୍ଜା । ଓଡ଼ିଶା ଦୋକାନୀ ପରି ଅନୁଦାର ନୁହନ୍ତି । ଗୋଟିଏ କଥା ପଚାରିଲେ ସତରଟା ଜିନିଷ ଦେଖାଇବେ, ବାରକଥା କହିବେ । ଇଚ୍ଛା ନ ଥିଲେ ବି’ ଖରିଦଦାର ଖାଲି ହାତରେ ଫେରି ଆସିବାକୁ ଲାଜ କରିବ । ସେଇଠୁ ସାନବଡ଼ ଅନେକ ଜିନିଷ ସଂଗ୍ରହ କଲା ସେ ।

 

ରିକ୍ସା ଉପରେ ପାଖକୁ ପାଖ ଲାଗି ବସିଥାଏ । ଦେହରେ ଦେହ ବାଜୁଛି । ମୁହଁରେ ମୁହଁ ମିଶୁଛି । ସଡ଼କରେ ସ୍ତ୍ରୀ ପୁରୁଷ ହାତ ଧରା ଧରି ହୋଇ ନିଃସଙ୍କୋଚରେ ଚାଲୁଛନ୍ତି । ଆମେ ବି’ ସେମିତି ନିର୍ଦ୍ଵନ୍ଦ୍ୱରେ ଚାଲିଛୁଁ । ଘଣ୍ଟା କେଇଟା ପୂର୍ବରୁ ସେ ଯେଉଁ ଟିକକ ସଂକୋଚ ଥିଲା, ସେତିକି ଏହାରି ଭିତରେ କଟିଯାଇଛି । ସତେ ଯେମିତି ବହୁଦିନର ପରିଚିତା ସ୍ତ୍ରୀଟିଏ । ପିଲାଟି ଦନରୁ ସାଙ୍ଗ ହୋଇ ବୁଲି ଖେଳି ସମୟ କଟାଇ ଆସିଛୁଁ ।

 

ଏଇ ତରୁଣୀଟି ଟ୍ରେନ୍ ଉପରେ କେତେ ଲଜ୍ଜାଶୀଳା ଥିଲା ! ରାତି ଅଧରେ, ଆଖି ଦୁଇଟିରେ ନିଘୋଡ଼ ନିଦ ଘୋଟି ଆସୁଥିଲେ ବି’ କାଳେ ଦେହରେ ଦେହ ବାଜିଯିବ ବୋଲି ସତର୍କ ହୋଇ ବସିଥିଲା । ମାଡ୍ରାସମେଲ୍‍ର ସୁଦୀର୍ଘ ଯାତ୍ରାପଥଟା ଅକାରଣରେ କଟିଗଲା । ସେ ଯଦି ରାସ୍ତାଉପରେ ଏମିତି ସରଳ, ସହଜ ହୋଇଥାନ୍ତା, ତେବେ ମାଡ୍ରାସମେଲ୍‍ର ପର୍ଯ୍ୟଟନ କ୍ଳାନ୍ତିକର ଜଣା ପଡ଼ି ନ ଥାନ୍ତା ।

 

ଆମେ ଦୁହେଁ ଟ୍ରେନରେ ଲଗାଲଗି ହୋଇ ବସିଥିଲୁଁ । କିନ୍ତୁ ମନେ ହେଉଥିଲା, ଜଣେ ଅନ୍ୟଜଣଙ୍କର ଅନେକ ଦୂରରେ ! ପରସ୍ପରର ସାନିଧ୍ୟ, ଶାନ୍ତି ପରିବର୍ତ୍ତେ କ୍ଳାନ୍ତିହିଁ ଦେଉଥିଲା । ଆଜି ସେମିତି ରାସ୍ତା ଉପରେ ପ୍ରଗଳ୍‍ଭା ବାଳିକା ପରି କଥାବାର୍ତ୍ତା କରୁଛି, ଏହାର ଶତାଂଶରୁ ଏକାଂଶ ମନଦେଇ ଯଦି ଚାହିଁଥାନ୍ତା !

 

ଗାଡ଼ି ଉପରେ ଲଜ୍ଜାନମ୍ର ମୁଖମଣ୍ଡଳ ଦେଖି ଯେତିକି ଆଗ୍ରହ ହେଉଥିଲା, ଏଇନେ ସେ ଆଗ୍ରହ ମୋଟେ ନାହିଁ । କିଛି ପଚାରିବା ପୂର୍ବରୁ ସେ ଉତ୍ତର ଦେଇଛି । ହସିବା ପୂର୍ବରୁ ହସୁଛି । ଦେହ ଉପରେ ହାତ ରଖି ପଚାରୁଛି, ସହରଟା କେମିତି ଲାଗିଲା ? ପୁଣି ଥରେ ସୁବିଧା ଦେଖି ଆସିବେତ ? ଅନେକ ଦିନ ଛୁଟି ନେଇ ଆସିବେ । ସିନେମା, ଥିଏଟର, କ୍ଲବ କିଛି ଦେଖିବା । ଆପଣଙ୍କ ଉପସ୍ଥିତିର ସୁଯୋଗ ନେଇ ମୁଁ ବି ମଉଜ କରିବାର ସୁବିଧା ପାଇବି । ମାଆ ମନା କରିପାରିବ ନାହିଁ ।

 

ଆପଣଙ୍କ ବୁଲାବୁଲିଟାକୁ ମାଁ ପସନ୍ଦ କରନ୍ତି ନାହିଁ ତାହାହେଲେ ? ମୁଁ ପଚାରିଲି ।

 

ମୋଟେ ନୁହେଁ । ସେ କହେ, ମୁଁ ସଦାସର୍ବଦା ଘରେ ବସନ୍ତି । ବାହାରେ କେତେ ଆଲୋକ, କେତେ ଜୀବନ ଦେଖିଲେ; ଘର ଭିତରଟା ଅନ୍ଧାର । ଏଇ ଲୋକ ଗହଳିରେ ମିଶିଯିବାକୁ ମୋତେ ଆନନ୍ଦ ଲାଗେ । ଥରେ ଥରେ କଳ୍ପନା କରେଁ, ଘର ପରିବାର କିଛି ହେଲେ ନ ଥାନ୍ତା । ସମସ୍ତେ ସମସ୍ତଙ୍କ ସଙ୍ଗରେ ବାହାରେ ବୁଲୁଥାନ୍ତେ । ଇଚ୍ଛାହେଲେ ହୋଟେଲରେ ମୁଠାଏ ଖାଇ ନିଅନ୍ତେ । କ’ଣ ଭଲ ହୁଅନ୍ତା ନାହିଁ ?

 

ଅଦ୍ଭୁତ ଝିଅଟିଏ ସତରେ ! ମୁଁ ଏହି ଚପଳାତରୁଣୀର ମୁହଁ ଦେଖିଲି । ସେଇଠି ଅନେକ ସ୍ଵପ୍ନ, ଅନେକ ବିଳାସ । ଜୀବନର ନୂଆଣିଆ ସୁଆଦକୁ ପ୍ରଥମକରି ଚାଖି ନେଉଛି । ଅନାଗତ ଭବିଷ୍ୟତ ପାଇଁ ଟିକିଏ ହେଲେ ଚିନ୍ତା ନାହଁ । ବର୍ତ୍ତମାନଟା ସବୁ କିଛି । ଜୀବନମୟ ବର୍ତ୍ତମାନ । ତା’ର ବୟସ ପରି, ତା’ର ଯୌବନ ପରି ଛବିଳ । ସୁଷମାର ରଂଗୀନ ପରାଗ ସବୁ ଅବୟବରେ ତରଙ୍ଗ କାଟୁଛି ।

 

ତୁମେ ଅଦ୍ଭୁତ ଲୋକଟିଏ ଦେଖୁଛିଁ ! ଉତ୍ତର ଦେଉନା କାହିଁକି ? ଝିଅଟି ହଠାତ୍ ପ୍ରଶ୍ନ କଲା ।

 

ଭାବୁଛି, କେତେ ଶୀଘ୍ର ବଦଳିଗଲ ମୋ କଥାରେ ଉତ୍କଣ୍ଠା ଥିଲା ।

 

ତରୁଣୀଟି ନିଜ ଦେହକୁ ଖୋଜିଲାପରି ଚାହିଁ କହିଲା, ବଦଳି ଯାଇଛି ମୁଁ ? କାହିଁ କୁଆଡ଼େ ତ କିଛି ବଦଳି ନାହିଁ । ଏକା ମୁହଁ, ଏକା ଦେହ । ସେହି ଏକାପ୍ରକାର ବେଶ ବାସ । ବଦଳିଗଲି କୁଆଡ଼େ ?

 

ତୁମର ମନ ଭିତରଟା କ’ଣ ଦେଖିପାରୁଛ ? ମୁଁ ପୁନର୍ବାର ମନ୍ତବ୍ୟ କଲି ।

 

ମନଟାକୁ କିଏ କ’ଣ ଦେଖିପାରେ ? ସେ ପ୍ରଶ୍ନ କଲା ।

 

ମୁଁ ଏଇ ସ୍ପଷ୍ଟଭାବରେ ଦେଖି ପାରୁଛି । ଗୋଟିଏ ତରୁଣୀ ବିଭିନ୍ନ ପରସ୍ଥିତି ଭିତରେ କେମିତି ବଦଳି ଯାଏ ତାକୁ ଅଧ୍ୟାୟନ କରୁଛି ।

 

ଆହୁରି କିଛି ଅଧ୍ୟୟନ କରନ୍ତୁ, ସବାଶେଷକୁ ଗବେଷଣାମୂଳକ ପ୍ରବନ୍ଧଟିଏ ଲେଖି ଦେବେ । ବିଶ୍ୱବିଦ୍ୟାଳୟ ତରଫରୁ ଡକ୍ଟରେଟ୍ ଉପାଧିଟା ଥୁଆ । କିନ୍ତୁ ସେ ପ୍ରବନ୍ଧର ଉପାଦାନ କ’ଣ ରଖିବେ କହିଲେ ? ତରୁଣୀର ଦେହ ନା ମନ ?

 

ହୁଏତ ମନ !

 

କ’ଣ ମନସ୍ତତ୍ତ୍ୱ ପଢ଼ିଛନ୍ତି ?

 

ତୁମେ ତ ଏଇ ପଢ଼ାଇଦେଲ !

 

ଆରେ ଯା... । ମୁଁ ତ ସାଇନ୍‍ସ ପଢ଼ୁଛି । ଏକ୍‍ସଟ୍ରା ସବଜେକ୍ଟ ‘ବାଇଲୋଜୀ’ । ବାପା କହୁଥିଲେ ମୋତେ ଡାକ୍ତରାଣୀ କରିବେ । କିନ୍ତୁ ମାଆଙ୍କର ଇଚ୍ଛା କ’ଣ ଜାଣନ୍ତି ? ସେ ମୋତେ ବଡ଼ ଭଉଣୀ ସରୋଜା ପରି ଶାଶୁଘରକୁ ପଠାନ୍ତା । ବର୍ଷକୁ ଦି’ ଥର ଓଡ଼ିଶ। ଯାଇ ବୁଲି ଆସନ୍ତା । ମୋ ପୁଅଝିଅ ହେଲେ କାଖରେ ଜାକି ଗେଲ ଖାଆନ୍ତା !

 

ତାହାହେଲେ ଏକଣ ସରୋଜା ନୁହେଁ ? ମୁଁ କ’ଣ ତାକୁ ଚିହ୍ନି ପାରିଲି ନାହିଁ ? ଆଖି ମନ୍ଥି ମନ୍ଥି ଚାହିଁଲି ଠିକ୍ ଗୋଟିଏ ଭଙ୍ଗୀ ଓ ଗୋଟିଏ ଗଢ଼ଣ । ଜଣେ ଅନ୍ୟଜଣକର ପ୍ରତୀକ, ନହେଲେ ପ୍ରତିବିମ୍ବ ! କିନ୍ତୁ ପାର୍ଥକ୍ୟ ଭିତରେ ଏତିକି ଜଣେ ନିଜକୁ ଅପର ଆଗରେ ପ୍ରକାଶ କରିବାକୁ ଯେତିକି ଆଗ୍ରହୀ, ଆରଜଣକ ନିଜକୁ ଲୁଚାଇ ରଖିବାରେ ସେତିକି ବ୍ୟଗ୍ର !

 

କ’ଣ ଏତେ ଭାବୁଛନ୍ତି ? ଅଶ୍ଚର୍ଯ୍ୟ ହେଲାପରି ଅନେଇଲେ ଯେ ! ତରୁଣୀଟି ପ୍ରଶ୍ନକଲା-

 

ସରୋଜା ସଙ୍ଗରେ ଅପଣଙ୍କ ଅଦ୍ଭୁତ ସାମଞ୍ଜସ୍ୟ ଅଛି ! ଅପଣଙ୍କ ନାଁ ?

 

ମୋ ନାଁ ତନୁଜା ! ତରୁଣୀଟି ହସି ହସି ପ୍ରକାଶ କଲା । ତା’ପରେ ଯୋଗକଲା, ଅପରିଚିତ ଲୋକ ମୋତେ ଆଉ ସରୋଜାକୁ ଏକ ସଙ୍ଗରେ ଦେଖିଲେ ବାଉଳା ହୋଇଯାଏ । ଆପଣ ଚିହ୍ନି ପାରିଲେତ ?

 

ଉତ୍ତର ଦେଇ ନିର୍ବୋଧତା ପ୍ରକାଶ କରିବାର ଇଚ୍ଛା ନ ଥିଲା ।

 

ମୁଁ ସେଦିନ ବିଚିତ୍ର ଅନୁଭୂତିଟିଏ ନେଇ ବସାକୁ ଫେରିଲି । ମନକୁ ମନ ଘୋଷି ହେଉଥାଏଁ, ଦୁଇଟି ସୁନ୍ଦର ନାଆଁ । ତନୁଜା, ଅଉ ସରୋଜା ! ତନୁଜା ଆଉ ସରୋଜା ସମାନ ଦେଖାଗଲେ ବି’ ଏକାଭଳି ନୁହନ୍ତି । ଉଭୟଙ୍କ ମଝିରେ ପାଚେରି ଛିଡ଼ା ହୋଇଛି ।

 

ବଂଧୁଙ୍କ ଆଗରେ ସେ ସବୁ ପ୍ରକାଶ କଲାବେଳେ ସେ ଆଶ୍ଚର୍ଯ୍ୟ ହେଲେ । ମାନ୍ଦ୍ରାଜ ସହରର ପରିବେଶ, ସବୁ ଅସମ୍ଭବକୁ ସମ୍ଭବ କରିପାରିଛି । ସ୍ଵାଧୀନତାର ଚରମବିକାଶ ଘଟିଛି ଏଇ ମାନ୍ଦ୍ରାଜ ନଗରୀରେ ଆଉ ମାନ୍ଦ୍ରାଜ ଲଳନାର ଚାଲିଚଳନରେ । ସେ ପୁରୁଷର ସମକକ୍ଷ ହେବାକୁ ପ୍ରତିଜ୍ଞାବଦ୍ଧ ଯେମିତି ! ଚୁଲିମୁଣ୍ଡର ସଂସାର ତ୍ୟାଗ କରି ଡାକ୍ତରଖାନା, ସ୍କୁଲ, କଚେରୀ, ଦୋକାନ ଏମିତିକ ରେଲବାଇ ଅଫିସ ଭିତରେ ପଶି ନିଜ ଦକ୍ଷତାର ପରିଚୟ ଦେଉଛି, କିନ୍ତୁ ମାନ୍ଦ୍ରାଜ ସହର ଭିତରେ ପଶି ସୁଦୂର ଓଡ଼ିଶାର ଓଡ଼ିଆଣୀ ଝିଅମାନେ ଯେ ତନୁଜା ପରି ଏତେଦୂର ଆଗେଇ ଆସିପାରନ୍ତି, ସେକଥା ଯେକୌଣସି ଶ୍ରୋତାକୁ ଆଶ୍ଚର୍ଯ୍ୟ କରିଦେବା ସ୍ଵାଭାବିକ ।

 

ବଂଧୁଜଣକ ସେହି ଅଦ୍ଭୁତ ପରିବାର ସଙ୍ଗେ ପରିଚିତ ହେବାର ଆଗ୍ରହକୁ ଅବଦମନ କରିପାରିଲେ ନାହିଁ ।

 

—ଚାରି—

 

ଅଚାନକ ଭାବରେ ବଦଳି ଆଦେଶ ପାଇ ବଂଧୁ ମାନ୍ଦ୍ରାଜ ସହରରୁ ବିଦାୟ ନେଲେ । ତାଙ୍କୁ ତନୁଜାର ପରିବାର ସଙ୍ଗରେ ପରିଚୟ କରାଇ ଦେବାର ସୁଯୋଗ ମିଳିଲା ନାହିଁ ।

ଦିନ ଦୁଇଟି ପରେ ମୁଁ ମଧ୍ୟ ମାନ୍ଦ୍ରାଜରୁ ବିଦାୟ ନେବାର କଥା । ଶେଷ ଦିନଟି ମନପୂରାଇ ଏ କ୍ରମବର୍ଦ୍ଧମାନ ସହରକୁ ଦେଖି ନେଲି । ଇଲେକ୍ଟ୍ରିକ୍ ଟ୍ରେନରେ ଚଢ଼ି ଏରୋଡ୍ରାମ୍ ଦେଖିଯିବାର ଆକର୍ଷଣଟା ମୋ ପକ୍ଷରେ ଅତି ଅପରିହାର୍ଯ୍ୟ ହୋଇଉଠିଲା । ମୁଁ ଏରୋଡ୍ରାମ୍ ଗଲି । ସେ ଦିନ ରାସ୍ତାରେ ଭୀଷଣ ବର୍ଷା ହେଲା । ଅପେକ୍ଷାକୃତ ନୀରବ ନିଶ୍ଚଳ ଅଞ୍ଚଳ । ଯାନବାହନର ସୁବିଧା ସୁଯୋଗ ନାହିଁ । ମନେହେଲା ମାନ୍ଦ୍ରାଜ ସହରର ବହୁଦୂରରେ ଥିବା କୌଣସି ଏକ ପଲ୍ଲୀ ଅଞ୍ଚଳରେ ପରିଭ୍ରମଣ କରୁଛି ।

ଏରୋଡ୍ରାମ୍‍ ପଡ଼ିଆରେ ଛିଡ଼ା ହୋଇଛି, ଉଡ଼ାଜାହାଜଟିଏ ଆସି ଅବତରଣ କଲା । ଘନଘର୍ଘର ଶବ୍ଦରେ ସେ ଅଞ୍ଚଳଟା ଯାକ ଦୁଲୁକି ଉଠୁଥାଏ । ଆଗନ୍ତୁକ ଯାତ୍ରୀମାନଙ୍କୁ ଆତ୍ମୀୟସ୍ଵଜନମାନେ ପାଛୋଟି ନେଲେ । ମୁହୂର୍ତ୍ତକ ଭିତରେ ଏରୋଡ୍ରାମ୍‍ ପଡ଼ିଆର ଭିଡ଼ କମିଗଲା-। ଏହି ସମୟରେ ଅନ୍ୟ ଏକ ଉଡ଼ାଜାହାଜର ବିଦାୟ ଘଣ୍ଟି ବାଜି ଉଠୁଥାଏ । ଡାକବାଜୀ ଯନ୍ତ୍ରରେ ଜଣେ ସୂଚନା ଦେଲେ, ଯାତ୍ରୀମାନେ ପ୍ରସ୍ତୁତ ହୋଇଯାଅ ! ସାନ ଉଡ଼ାଜାହାଜଟିଏ ବହୁଦୂରରୁ ପେଟେଇ ପେଟେଇ ଆସି ନିର୍ଦ୍ଦିଷ୍ଟ ସ୍ଥାନରେ ଛିଡ଼ା ହେଲା । ସିଡ଼ିପତ୍ର ସବୁ ସଜଡ଼ା ସଜଡ଼ି ହେଉଥାଏ । ଇଂଜିନିୟର ଆସି ଇଂଜିନ୍ ପରୀକ୍ଷା କରିନେଲେ ।

ଗୋଟି ଗୋଟି ହୋଇ ଅନେକ ଯାତ୍ରୀ ଆଗପଛ ହୋଇ ଚାଲିଥାନ୍ତି । ଶେଷରେ ଧର୍ମଯାଜକଟିଏ ଉଡ଼ାଜାହାଜ ପାଖକୁ ଆଗେଇ ଆସିଲେ । ଚୂନକାନ୍ଥ ପରି ଦେହ । ଓଠ ଦୁଇଟିରେ ରକ୍ତମନ୍ଦାରର ରଙ୍ଗ ଲାଗିଛି । ଶହ ଶହ ହାତ ତାଙ୍କୁ ଅଭିବାଦନ ଜଣାଇବା ସକାଶେ ଉପରକୁ ଉଠିଲା । କେହି କେହି ଆନନ୍ଦରେ ହାତ ଟେକୁ ଟେକୁ କାନ୍ଦି ପକାଉଥାନ୍ତି । ବିଦେଶୀ ଧର୍ମଯାଜକ କିଛିଦିନ ପାଇଁ ଭାରତ ଭୂଇଁକୁ ଆସି ସ୍ନେହ ଓ ମମତାର ବନ୍ଧନ ଲଗାଇ ଦେଇଥିଲେ । ଏଇନେ ବିଦାୟ ନେଇ ଚାଲିଯାଉଛନ୍ତି ବୋଲି ଏତେ ଦୁଃଖ ଏତେ ଆନନ୍ଦ, ଏତେ ଅଭିବାଦନ ହୁଏତ ସକାଳ ପାହିଲେ ମାନ୍ଦ୍ରାଜ ସହରରୁ ବିଦାୟ ନେଇଗଲାବେଳେ ପାଖରେ ମୋର କେହି ନ ଥିବେ । ଏତେବଡ଼ ସହରରେ ମୋତେ କିଏ ଚିହ୍ନେ ? କାହିଁକି ବା କିଏ ଓଡ଼ିଶାର ଏକ ଅଖ୍ୟାତ, ଅପରିଚିତ ବ୍ୟକ୍ତିକୁ ବିଦାୟ ସମ୍ବର୍ଦ୍ଧନା ଜଣାଇବ ?

ମୋର ବିଦାୟ ନେଇ ଚାଲି ଯାଇଥିବା ବଂଧୁଙ୍କ କଥା ମନେପଡ଼ିଲା । ମନେହେଲା, ଏତେବଡ଼ ମାନ୍ଦ୍ରାଜ ସହର ଭିତରେ ମୁଁ କେଡ଼େ ନଗଣ୍ୟ, ନିକାଞ୍ଚନ ! ସେ ଥିଲେ ଅନ୍ତତଃ ଷ୍ଟେସନ ପାଖକୁ ଯାଇ....

ତନୁଜା ଓ ସରୋଜାର ପରିବାର ଭିତରକୁ ମନ ଟାଣି ହୋଇଗଲା । ସେ ସମସ୍ତଙ୍କ ନକଟରୁ ବିଦାୟନେଇ ଆସିବା ମୋର କର୍ତ୍ତବ୍ୟ ବୋଲି ମନେକଲି ।

ତନୁଜାର ମାଆ ଖୁବ୍ ଖୁସି ହେଲେ । ପାଖରେ ବସାଇ ଅନେକ ଦୁଃଖ ସୁଖ ହେଲେ । ତନୁଜାର ବାପାଙ୍କ ସଙ୍ଗରେ ଯେଉଁ କଥାବାର୍ତ୍ତା ହେଲି, ତହିଁରେ ଓଡ଼ିଶାର ଅବ୍ୟବସ୍ଥିତ ପରିସ୍ଥିତି, ରାଜନୀତିବିଦ୍ୟାର ହଟଚମଟ ଖେଳର ପରିମାଣଟାହିଁ ଅଧିକ ଥିଲା । ସେଦିନ ତନୁଜା ଘରେ ବସି ଭୋଜନ କରିବାକୁ ପଡ଼ିଲା ! ଅନେକ ଦିନ ପରେ ଓଡ଼ିଆ ପରିବାରର ବଡ଼ିମିଶା ସୁସ୍ଵାଦୁ ଶାଗ ଖରଡ଼ା, ବାରପରିବା ମିଶା ତରକାରୀର ମିଠା ଚାଖିଲି ! ମନେହେଲା; ଓଡ଼ିଆ ଜାତିର ପ୍ରକୃତି ଇଏ-। ଯେତେ ଦୂରରେ ରହିଲେ ବି’ ସଂସ୍କୃତିଟାକୁ ସଙ୍ଗରେ ନେଇ ଯାଇଥାନ୍ତି । ଘରକରଣାରେ ବଡ଼ି ଆଉ ଆଚାର ଏକ ଅପରିହାର୍ଯ୍ୟ ସରଞ୍ଜାମ ।

ରାତିରେ ମୁଁ ବିଦାୟ ନେଇ ଆସିଲାବେଳେ, ତନୁଜାର ମାଆ କାନ୍ଦି ପକାଇଲେ । ତନୁଜାର ସ୍ନେହୀ ବାପା, ଚିଠି ପତ୍ର ମାଧ୍ୟମରେ ଏ ପରିଚୟକୁ ଚିର ସବୁଜ ରଖିବାକୁ ପରାମର୍ଶ ଦେଲେ । ଆଉ ସରୋଜା ? ସେ କମକରା ରୁମାଲଟିଏ ଆଣି ହାତକୁ ବଢ଼ାଇଦେଇ ନମସ୍କାର କଲା । ତନୁଜା କହିଲା, ଗାଡ଼ିବେଳେ ସେ ମୋର ବସା ପାଖରେ ପହଞ୍ଚି ଷ୍ଟେସନ ପର୍ଯ୍ୟନ୍ତ ବଳେଇ ଦେଇଯିବ ।

ଫେରିବା ବାଟରେ ଦେଖିଲି ରୁମାଲରେ ଲେଖା ଅଛି, ‘ଭୁଲିବେ ନାହିଁ, ସରୋଜା ।’ ଗୋଟିଏ ଲଜ୍ଜାଶୀଳ ଓଡ଼ିଆବୋହୂର ପ୍ରାଣରେ ଯେଉଁ ସ୍ପନ୍ଦନ ଖେଳି ଯାଇଥିଲା ତା’ର ସୁସ୍ଥ ସବଳ ପରିପ୍ରକାଶ । ସରୋଜାର ଅକ୍ଷର ବେଶ୍ ଗୋଲ ଗୋଲ । ମୋତେ ବିଦାୟ ଦେଲାବେଳେ ସୀମନ୍ତରେ ସିନ୍ଦୂର ଲଗାଇଥିଲା । ତା’ର ବଧୂରୂପ ଦେଖି ଭକ୍ତି ହେଲା ।

ସତକୁ ସତ ତହିଁ ଆରଦିନ ତନୁଜା ଆସି ମୋର ବସାରେ ହାଜର । ମୋ’ ସାଙ୍ଗରେ ମିଶି ପୋଷାକ ପତ୍ର ସଜାଡ଼ିବାରେ ସାହାଯ୍ୟ ବି’ କଲା । ଏଣୁ ତେଣୁ ଗୁଡ଼ାଏ ପ୍ରଶ୍ନ କରୁଥାଏ । କିନ୍ତୁ ମନେହେଲା, ତା’ର କଥାଗୁଡ଼ିକ ସରୁ, ସରୁ । ଉତ୍ତରଟି ମାନ ସେମିତି ମପାଚୁପା । ସେ କେମିତି ମଳିନ ଦେଖା ଯାଉଥାଏ ।

ଆମେ ସଙ୍ଗ ହୋଇ ଟ୍ୟାକ୍‍ସିରେ ବସି ପୂର୍ବପରିଚିତ “ମାଡ୍ରାସ୍ ସେଣ୍ଟ୍ରାଲରେ ପହଞ୍ଚିଲୁଁ । ରିଜର୍ଭ ଟିକେଟ୍‍ ଆଗରୁ ଆଣି ସାରିଥାଏଁ । ସେଇଥିପାଇଁ ଅପଦସ୍ତ ହେବାକୁ ପଡ଼ିଲା ନାହିଁ ।

ତନୁଜା ମୋତେ ଅପେକ୍ଷା କରିବାକୁ କହି ପାଖ ଦୋକାନରୁ ଦାମୀ ସିଗାରେଟ୍ କେଶ୍‍ଟିଏ କିଣି ଆଣିଲା । ପର୍ସ ଖୋଲି ତା’ ଭିତରେ ସିଗାରେଟ୍‍ ପୂରାଇ ମୋ’ ହାତକୁ ବଢ଼େଇ ଦେଉ ଦେଉ କହିଲା, ହଜାଇବେ ନାହିଁ ।

ମୋ ମନ ଭିତରେ ରୁଦ୍ଧ ଆବେଗଟିଏ ଚପା ପଡ଼ିଯାଇଥାଏ । ମୁଁ କାନ୍ଦିବାକୁ ଚାହୁଁଥିଲି, କିନ୍ତୁ ତାକୁ ଦମନ କରି, ହସି ହସି କହିଲି, ଚିଠି ଦେବ ତନୁଜା ! ନିଶ୍ଚୟ ଚିଠି ଦେବ ।

ତନୁଜା ରହି ରହି କହିଲା, ଯଦି କିଛି ଦୋଷ କରିଥାଏଁ କ୍ଷମା ଦେବ । ବିଦେଶରେ ରହି, ରହି ମନ ବିରକ୍ତ ଲାଗିଗଲାଣି । ଓଡ଼ିଶା ଅନେକ ଦୂର । ବାପାଙ୍କର ଚାକିରି ହେତୁ ମାନ୍ଦ୍ରାଜ ଛାଡ଼ି ହେଉନାହିଁ । ଓଡ଼ିଶାର କାହାକୁ ଦେଖିଲେ ମୁଁ ଆନନ୍ଦରେ ପାଗଳ ହୋଇଯାଏ । କେତେବେଳେ ଯେ କ’ଣ କହିଦିଏଁ ତା’ର ହିସାବ ନ ଥାଏ । ଆପଣଙ୍କୁ ଯଦି କିଛି କହି ଦେଇଥାଏଁ, ମନରେ କିଛି ଭାବିବେ ନାହିଁ । ଛୋଟ ଭଉଣୀର ଚପଳତା ଭାବି କ୍ଷମାଦେବେ ।

ତନୁଜାର ଶେଷକଥା କେଇପଦ ଆଜି ବି’ କାନରେ ପିଟି ହେଉଛି । କ୍ରନ୍ଦନ ବୋଳା କଥା । କେତେ ଆପଣାର କଥା ସତରେ ! ତା’ କଥାରେ ପ୍ରବାସୀ ଓଡ଼ିଆର ଅନ୍ତର୍ଦାହ ମିଶିଥିଲା ।

ଟ୍ରେନ୍ ଛାଡ଼ି ଦେଲା । ମୁଁ ଶେଷ ପର୍ଯ୍ୟନ୍ତ ତନୁଜାକୁ ଅନେଇଥାଏଁ । ସେ ହାତରେ ରୁମାଲ ଧରି ମୋତେ ବିଦାୟ ଜଣାଉଥାଏ । ଆଖିରେ ବୋଧହୁଏ ଲୁହ ବି’ ଥିଲା । ଶେଷରେ ଅଦୃଶ୍ୟ ହୋଇଗଲା ।

ମୁଁ ନିଜ ଆଖିରୁ ଲୁହତକ ପୋଛି ନେବାକୁ ପକେଟ୍‍ରୁ ରୁମାଲ ବାହାରକଲି । ତହିଁରେ ସରୋଜାର ମନର କଥାପଦକ ଅତି ସୁନ୍ଦର ଭାବରେ ଲେଖା ହୋଇଛି, ‘ଭୁଲବେ ନାହିଁ’ ।

ମାଡ୍ରାସ୍‍ର ସ୍ମୃତି କାଳକ୍ରମେ ମଳିନ ହୋଇଯାଇପାରେ; କିନ୍ତୁ ତନୁଜା ଓ ସରୋଜାର ସ୍ମୃତି ଚିର ସବୁଜ ହୋଇ ରହିସିବ ।

ତନୁଜା ଓ ସରୋଜା ! ଦୁଇଟି ଭଉଣୀ । ଗୋଟିଏ ବୀଣାରେ ଦୁଇ ତା’ର ! ମୂର୍ଚ୍ଛନାରେ ପ୍ରାଣର ସନ୍ଦେଶ ମିଶିଛି । କିନ୍ତୁ କେତେ ପୃଥକ୍ ! ମୁଁ ଆଜି ବି’ ସେ ସ୍ମୃତି ଭୁଲି ନାହିଁ ।

Image

 

ଆଦିମ ମନ

 

ଅବିବାହିତ ଅଧ୍ୟାପକ ଅମରେନ୍ଦ୍ରଙ୍କ ଜୀବନ-ସାଗରରେ ଭଟ୍ଟା ଆସିଥିଲା ।

 

ଏଇ ଜୀବନ, ଏଇ ପୃଥିବୀ ! ନିତାନ୍ତ ଗତାନୁଗତିକ । ନୂତନତା ନାହିଁ । ଋତୁ ପର୍ଯ୍ୟାୟକ୍ରମେ ଜୀବନ ଓ ପୃଥିବୀର ରଙ୍ଗ ବଦଳିଯାଏ । ବସନ୍ତର ଆଗମନରେ ସେ ହୁଏ ମଞ୍ଜୁଳ, ପ୍ରାଣବନ୍ତ । ପୁଣି ଶୀତ ଆସେ । ଶୀତ ସଙ୍ଗେ ଆସେ ଜଡ଼ତା । ପୃଥିବୀକୁ ସ୍ଥବିର କରିଦିଏ । ପ୍ରାଣକୁ ନିସ୍ପନ୍ଦ କରିଦିଏ । ଅଧ୍ୟାପକ ଅମରେନ୍ଦ୍ର ଜୀବନ ପ୍ରତି ବିତସ୍ପୁହ ହୋଇ ମନକୁ ମନ ଭାବି ଯାଉଥିଲେ ।

 

ଅବିବାହିତର ଅମରେନ୍ଦ୍ର । ଜୀବନ ତାଙ୍କର ମରୁନଦୀ ପରି ନିଃସଙ୍ଗ । ବିସ୍ତୀର୍ଣ୍ଣ ବାଲୁକା ପ୍ରାନ୍ତର ରୂପୀ ଅନନ୍ତ ବସୁଧାରେ ନିର୍ଜନ ଭୂପୃଷ୍ଠରେ ସେ ଏକାକୀ ଚାଲିଛନ୍ତି । ଜୀବନର ସହସ୍ର ଅନୁଭୂତିକୁ କାହାରି ଆଗରେ ବାଢ଼ି ତା’ର ବିଭିନ୍ନ ଦିଗକୁ ଆଲୋଚନା କରିବାର ଅବକାଶ ନାହିଁ । ଜୀବନ ଦର୍ଶନ ପ୍ରତି ଅଦ୍ଭୁତ ଖିଆଲ ତାଙ୍କର । ସେ ଭାବି ସ୍ଥିର କରିଛନ୍ତି, ଜୀବନର ଆବିର୍ଭାବଟା ଆକସ୍ମିକ । ତାରି ଉପରେ ଯେଉଁ ସାମୟିକ ଘାତ ପ୍ରତିଘାତ ଦେଖାଦିଏ, ତା’ ବି ସେମିତି ଆକସ୍ମିକ-। ଏ ଜୀବନଯାତ୍ରାରେ ଗୁରୁତ୍ଵ ଦେବାଭଳି କୌଣସି ଅଂଶ ନାହିଁ । ଆଜି ଯାହାଅଛି, କାଲି ତାହା ନିରୁଦ୍ଦିଷ୍ଟ ହୋଇ ଯାଇପାରେ । ଅଚିର ଯାତ୍ରାର ସାମୟିକ ଘାତ ପ୍ରତିଘାତକୁ ନେଇ ଭାବନା କରିବା ବୃଥା ।

 

ଅଧ୍ୟାପକ ଅମରେନ୍ଦ୍ର କାର୍ଯ୍ୟନିର୍ଘଣ୍ଟ ଅନୁସାରେ କ୍ଲାସକୁ ଯାଇ ଅଧ୍ୟାପନା କରନ୍ତି । ଶକ୍ତି ମୁତାବକ ଦର୍ଶନଶାସ୍ତ୍ରର ନଗୂଢ଼ ତଥ୍ୟକୁ ପ୍ରାଞ୍ଜଳ କରିବାକୁ ଚେଷ୍ଟା କରନ୍ତି । ସେ ତଥ୍ୟର କେତେକ ଅଂଶ ସଙ୍ଗେ ତାଙ୍କର ବ୍ୟକ୍ତିଗତ ମତ ବେଖାପ ଜଣାପଡ଼ୁଥିଲେ ବି’ ସେଇଠି ସେ ଅଟକି ଯାଆନ୍ତି ନାହିଁ । ନିଜ ମତକୁ ବିଶ୍ଳେଷଣ କରି ପତ୍ରପତ୍ରିକାକୁ ଲେଖା ପଠାନ୍ତି, ସଭା ସମିତିରେ ସେ ସବୁ ସୁସ୍ପଷ୍ଟ କରିଦେବା ସକାଶେ ବକ୍ତୃତା ଦିଅନ୍ତି । ଅମରେନ୍ଦ୍ରଙ୍କ ବକ୍ତୃତା ଶୁଣିବାକୁ କଲେଜ ହଲରେ ଅସମ୍ଭବ ଭିଡ଼ ହୁଏ । ଛାତ୍ରଛାତ୍ରୀମାନଙ୍କଠାରୁ ଆରମ୍ଭ କରି ଅଭିଭାବକ ତଥା ଅଧ୍ୟାପକ ଅଧ୍ୟାପିକାମାନେ ବି’ ସଭାଗୃହରେ ସମବେତ ହୁଅନ୍ତି ।

ଅମରେନ୍ଦ୍ରଙ୍କ ଯୁକ୍ତି ବଡ଼ ବଳିଷ୍ଠ । ତାଙ୍କର ବିଶ୍ଳେଷଣ ପ୍ରଣାଳୀରେ ନୂତନତା ଅଛି । କି ସୁନ୍ଦରଭାବରେ ସେ ସମସ୍ୟା ଓ ତା’ର ସମାଧାନକୁ ଜନମୁଖରେ ବାଢ଼ିଥୁଅନ୍ତି ସତରେ !!

ଅଧ୍ୟାପିକା କ୍ଷଣପ୍ରଭା ହଠାତ୍ କୁମାର ଅମରେନ୍ଦ୍ରଙ୍କ ନିଃସଙ୍ଗ ପ୍ରକୋଷ୍ଠକୁ ଦେଖା କରିବା ସକାଶେ ଆସିଲା ।

ଅମରେନ୍ଦ୍ରଙ୍କ ପ୍ରକୋଷ୍ଠ ଏଇମାତ୍ର ପ୍ରଥମ ମହିଳାର ପଦସ୍ପର୍ଶ ଲାଭକଲା। ଚଉକାନ୍ଥ ଘେରା ବାୟୁମଣ୍ଡଳ ଯୌବନୋତ୍ତୀର୍ଣ୍ଣ ନାରୀର ଚାପା ଚାପା ନିଃଶ୍ଵାସରେ ଗରିଷ୍ଠ ହୋଇଉଠିଲା । ପ୍ରକୋଷ୍ଠର ଚଟାଣଟି ସେମିତି ନାରୀର କୋମଳ ପଦସ୍ପର୍ଶ ପାଇ ପୁଲକିତ ହୋଇଉଠିଲା ।

ରାତ୍ରିର ପ୍ରଥମ ପ୍ରହରରେ ଛୋଟ ଛୋଟ ତାରା ମିଟି ମିଟି କରି ଚାହୁଁଥିଲେ । ହୁଏତ ଅବିବାହିତ ଅମରେନ୍ଦ୍ରର ମାନସିକ ଅବସ୍ଥାକୁ ଅତି ଆଗ୍ରହରେ ଅନେଇଥିଲେ । ଚନ୍ଦ୍ର ଆହୁରି ଉଇଁ ନାହିଁ । ସେ ଉଇଁଥିଲେ ଅମରେନ୍ଦ୍ରର ଇତଃସ୍ତତ ଅବସ୍ଥାକୁ ଦେଖି ହସିଥାନ୍ତା । କହିଥାନ୍ତା, “ଏ କ’ଣ ଅମରେନ୍ଦ୍ର ! ଆଜି ତୁମେ ବିବ୍ରତ ହୋଇଉଠୁଛ ଯେ ! ସାଧାରଣ ନାରୀର ସାମାନ୍ୟ ଉପସ୍ଥିତରେ ଏମିତି କ’ଣ ଶକ୍ତି ଅଛି, ଯାହା ତୁମକୁ ଶିହରଣର ପ୍ଳାବନରେ ବୁଡ଼ାଇ ଦେଉଛି ?

ଅମରେନ୍ଦ୍ର ବିସ୍ମଯ ବିସ୍ଫାରିତ ଚାହାଣିରେ କ୍ଷଣପ୍ରଭାର ଅବୟବ ପ୍ରତି ଲକ୍ଷ୍ୟ କଲେ । କ୍ଷଣପ୍ରଭା ଆଜି ଅଦ୍ଭୁତ ଭାବେ ବେଶ ହୋଇଛି । ସାଦା କାଗଜ ପରି ସେତା ମୁହଁରେ ଗୋଲାପୀ ପାଉଡ଼ର ଲଗାଇ ବୟସର କାନିକୁ ତା’ ଭିତରେ ଲୁଚାଇ ରଖିଛି । ଓଠ ଦି’ ଧାରକ ଲିପ୍‍ଷ୍ଟିକ୍‍ର ହାଲୁକା ପ୍ରଲେପରେ ସୁଶୋଭନ ଦେଖାଯାଉଛି । ଚକିତ ଆଖିର କଡ଼େ କଡ଼େ ସୁରଭିତ ସୁରମାର କୃଷ୍ଣଜ୍ୟୋତି ତାକୁ ଅପୂର୍ବ କରି ତୋଳିଛି । ଶାଢ଼ିର ରଙ୍ଗ, ବ୍ଲାଉସ୍‍ ରଙ୍ଗ ସଙ୍ଗେ ପ୍ରାୟ ସମାନ । ବ୍ଲାଉସ୍‍ର ବାହୁ ପାଖର କୁମ୍ଭ, ଶାଢ଼ି ଧଡ଼ିର କୁମ୍ଭ ସଙ୍ଗେ ସମାନ ।

କ୍ଷଣପ୍ରଭାକୁ ନୂତନ କରି କୌଣସି ଅପରିଚିତ ଆଗନ୍ତୁକ ଯଦି ଦେଖେ, ସେ ଭାବିବ, ଷଣପ୍ରଭା ଏଇମାତ୍ର ସତର ବର୍ଷ ବୟସରେ ପାଦ ଦେଲା । ତା’ ଓଠରେ ଷୋଡ଼ଶୀ ତରୁଣୀର ଅର୍ଥଭରା ହସ । ଚାହାଣିରେ ମହୁଭରା କଟାକ୍ଷ ।

ଅମରେନ୍ଦ୍ର ସ୍ତବ୍ଧ ହେଲେ । ସେ କ୍ଷଣପ୍ରଭାକୁ, ପୁରୁଷ ବନ୍ଧୁପରି ସମ୍ଭାଷଣଜ୍ଞାପନ କରିପାରିଲେ ନାହିଁ ।

କ୍ଷଣପ୍ରଭା କ୍ଷୁବ୍‍ଧା ହେଲା । ସେ ହୃଦୟଙ୍ଗମ କଲା ଯେ ତା’ର ଆସିବାଦ୍ଵାରା ନିଃସଙ୍ଗ ଅମରେନ୍ଦ୍ର କୌଣସି ଆନନ୍ଦ ପାଇପାରିନି’ । ବରଂ ସେ ଆସି ତା’ର ନିକାଞ୍ଚନ ଜୀବନକୁ ବିକ୍ଷିସ୍ତ କରିଦେଇଛି ।

ନିଜ ନାରୀତ୍ଵ ପ୍ରତି ପୁରୁଷର ଅବମାନନା କୌଣସି ନାରୀ ସହ୍ୟ କରି ପାରେନା’ । ଆତ୍ମାଭିମାନରେ ସେ ଫାଟି ଯାଉଥିଲା । ଇଚ୍ଛାକଲ, ସେହି ନିରୋଳା ପ୍ରକୋଷ୍ଠରୁ ଫେରିଯିବ । ନିଜ ବିଛଣାରେ ବସି ମନକୁ ମନ କାନ୍ଦିବ । ତାହାହିଁ ହେବ ତା’ର ଅଜାତିତ ବନ୍ଧୁତାର ଶାସ୍ତି ।

 

କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, କ୍ଷଣପ୍ରଭା ଫେରିଯାଇ ପାରିଲା ନାହିଁ । ନାରୀତ୍ଵର ଅବମାନନାକୁ ନୀରବରେ ସହ୍ୟ କରିନେଲା । ଭାବିଲା ଅଭିମାନର ଦିନ ଆଉ ନାହିଁ । ଏ ବୟସରେ ସେ ସବୁ ଶୋଭା ପାଇବ ନାହିଁ । ଅନେକ ଦିନ ତଳେ ବିନାକାରଣରେ ବି ସେ ଅଭିମାନ କରୁଥିଲା । ବିନାକାରଣରେ ପରିଚିତ ଦେବବ୍ରତ ସଙ୍ଗରେ କଳି କରିବାକୁ ଭଲ ଲାଗୁଥିଲା । ଦେବବ୍ରତର ଆତ୍ମସମର୍ପଣ ପ୍ରବୃତ୍ତି ଦେଖି ତାଳି ମାରି ହସୁଥିଲା । ବିଚାରା ଦେବବ୍ରତ ! ଅନେକ ଆଶା ନେଇ ବାରମ୍ବାର ତା’ର ଦ୍ଵାରସ୍ଥ ହେଉଥିଲା । ନିଜର ମାନସମ୍ମାନ ଆଉ ପୌରୁଷକୁ ତାରି ହାତରେ ସ୍ଵେଚ୍ଛାକ୍ରମେ ଅର୍ପଣକରି କହୁଥିଲା । ତୁମେଇ କୁହ ପ୍ରଭା ! ତୁମକୁ ନ ଦେଖିଲେ ମୋତେ ଏଡ଼େବଡ଼ ଦୁନିଆ କାହିଁକି ତୁଚ୍ଛ ଲାଗେ ? ତୁମ ବିନା ସତେ କ’ଣ ଏ ଜୀବନରେ ମୁଁ ଏକୁଟିଆ ରହିପାରିବି ?

 

ଦେବବ୍ରତ ଗରୀବ ପିତାମାତାର ସନ୍ତାନ ଥିଲ । ଗରୀବ ଯୁବକର ପ୍ରେମକୁ କ୍ଷଣପ୍ରଭା ତୁଚ୍ଛ ମନେକଲା । ସତେ ଯେମିତି ଯୁବକ ଗରୀବ ହେଲେ, ଧନୀ ଗୃହସ୍ଥର କନ୍ୟାକୁ ଭଲ ପାଇପାରେନି’ । ତା’ ପ୍ରେମରେ ଆକୃଷ୍ଟ ହେବାଭଳି କୌଣସି ବସ୍ତୁ ନାହିଁ ।

 

ସେହି ଭୁଲ୍‍ ଧାରଣା ନେଇ କ୍ଷଣପ୍ରଭା ପଥଚ୍ୟୁତା ହେଲା । ନୈସର୍ଗିକ ପ୍ରେମକୁ ସମ୍ପଦର ତରାଜୁରେ ଓଜନକରି ଏତିକି ମାତ୍ର ଶିକ୍ଷା ପାଇଲା ଯେ, କୌଣସି ତରୁଣୀ ନିଜ ମନ ଅନୁସାରେ ସାଥି ଖୋଜି ପାଇନାହିଁ । କୌଣସି ବ୍ୟକ୍ତି ଏ ସଂସାରରେ ସ୍ଵୟଂ ସମ୍ପୂର୍ଣ୍ଣ ନୁହେଁ । ପ୍ରତ୍ୟେକଙ୍କର କିଛି ନା କିଛି ଅଭାବ ରିହିଛି । ସେ ଅଭାବଟା ବେଳେବେଳେ ଗୁଣରତ’ ବେଳେବେଳେ ଧନର । ପୁଣି କାହାରିର ଧନ ଆଉ ଗୁଣ ଥାଇବି’ ମାନ ନାହିଁ ।

 

କ୍ଷଣପ୍ରଭା ଅମରେନ୍ଦ୍ରର ଅନ୍ୟମନସ୍କ ଭାବକୁ ବଦଳାଇ ଦେବାଲାଗି ଚେଷ୍ଟାକରି, ବିନା ଆହ୍ଵାନରେ, ବିନା ସମ୍ଭାଷଣରେ ତାଙ୍କରି ବସିଥିବା ଚେୟାର ପାଖକୁ ଆଗେଇଗଲା । ସେ ପ୍ରଥମେ ନିଜ ପକ୍ଷରୁ ଅମରେନ୍ଦ୍ରଙ୍କୁ ଶୁଭରାତ୍ରି ଜଣାଇ, କୁଶଳ ଜିଜ୍ଞାସା କଲା ।

 

ଅମରେନ୍ଦ୍ର ଆତ୍ମସଚେତନ ହୋଇଆସୁଥିଲେ । କ୍ଷଣପ୍ରଭା ଯାହାହେଲେ ବି’ ସହକର୍ମୀ । ସ୍ତ୍ରୀ ବୋଲି କ’ଣ ସାମାନ୍ୟ ଭଦ୍ରତାର ସୀମାଲଙ୍ଘନ କରିବା ଶୋଭନୀୟ ହେବ । ସେ କ୍ଷଣପ୍ରଭାକୁ ଆସନ ଦେଇ ପଚାରିଲେ, କ’ଣ କାମ ଥିଲା ?

 

ଇଏତ ଅମରେନ୍ଦ୍ରର ପ୍ରଶ୍ନ ନୁହେଁ, ଚାବୁକଟିଏ । ସତେ ଯେମିତି ସେ ପ୍ରଶ୍ନଛଳରେ କହୁଛନ୍ତି, ତୁମକୁ କ’ଣ ଲଜ୍ଜା ଲାଗୁନି ପ୍ରଭା ? ନାରୀ ହୋଇ ଅବିବାହିତ ପୁରୁଷର ଦ୍ୱାରସ୍ଥ ହୋଇଛ ?

 

କ୍ଷଣପ୍ରଭାର ମନେହେଲା ଦେବବ୍ରତର ଅଭିଯୋଗ ଅମରେନ୍ଦ୍ରର ମୁହଁରେ ଭାଷା ପାଇଛି-। ଏଇନେ ବିବାହିତ ଦେବବ୍ରତର ଦ୍ଵାରସ୍ଥ ହେଲେ ସେବି’ ଏକ ସଂଶୟଭରା ଆଖିରେ ଚାହିଁ ପ୍ରଶ୍ନ କରିବ, ବୁଝିବାକୁ ଏତେ ଡେରିକଲ ପ୍ରଭା ? ତୁମେ ଯେଉଁ ଦେବବ୍ରତକୁ ଖେଳନା ଭାବି ଗୋଡ଼ରେ ଆଡ଼େଇ ଦେଇଥିଲ, ସେ ଦେଦବ୍ରତ ଆଉ ନାହିଁ । ମୁଁ ଏଇନେ ସରକାରଙ୍କ ବିଶ୍ୱସ୍ତ କର୍ମଚାରୀ । ସମାଜରେ ମୋର ମାନ ଆଉ ପ୍ରତିପତ୍ତି ଅଛି ! ସର୍ବୋପରି ମୁଁ ବିବାହିତ । ତୁମ ଅପେକ୍ଷା ମୋ’ ସ୍ତ୍ରୀ ମୋ’ ଆଖିରେ ଆହୁରି ସୁନ୍ଦର । ସନ୍ତାନର ପିତା ହେବାର ସୌଭଗ୍ୟ ମୁଁ ପାଇଛି । ତୁମର ସ୍ନେହ ଆଉ ଆକର୍ଷଣ ମୋ ଆଗରେ ଆଜି ମୂଲ୍ୟହୀନ । ତୁମକୁ ଦିନେ ବୟସର ଉଜାଣିରେ ଭାସିଯାଇ ଭଲ ପାଇଥିଲି ବୋଲି ଅନୁତପ୍ତ । ଫେରିଯାଅ, ଭୁଲରେ ସୁଦ୍ଧା ଜୀବନରେ କେବେ ମୋରି ନୀଡ଼ର ଶାନ୍ତି ଆଉ ପବିତ୍ରତାକୁ କ୍ଷୁଣ୍ଣ କରିବାକୁ ଆସିବ ନାହିଁ ।

 

କ୍ଷଣପ୍ରଭାର ସାହସ ଭାଙ୍ଗି ଯାଇଛି । ପକ୍ଷହରା ପକ୍ଷୀ ପରି ସେ ବିପର୍ଯ୍ୟସ୍ତ । ତା’ର ଆହତ ଆତ୍ମାରେ କ୍ରନ୍ଦନର ସ୍ପର୍ଶ ଅଛି । ତା’ କଣ୍ଠରେ ଅନୁତପ୍ତ ପ୍ରାଣର ଅନ୍ତର୍ଦ୍ୱନ୍ଦ୍ୱ ମିଶିଛି । କହିଲା, ବିନାକାରଣରେ କ’ଣ ତୁମ୍ଭର ଦ୍ଵାରସ୍ଥ ହେବା ଅନୁଚିତ ହୋଇଛି ଅମରେନ୍ଦ୍ର ବାବୁ ?

 

ଅନୁଚିତ କି ଉଚିତ କଥା କହୁନାହିଁ । ତୁମେ ଆସିଛ ବୋଲି ମୁଁ କ୍ଷୁବ୍ଧ ନୁହେଁ । ମୋର କହିବାର ଉଦ୍ଦେଶ୍ୟ, ଯଦି କିଛି କାମଥାଏ, ଶୀଘ୍ର ଶେଷ କରିଦେବି । ରାତ୍ରି ଘନେଇ ଆସୁଛି କିନା ? ଅମରେନ୍ଦ୍ର, ଉତ୍ତର ଦେଲେ ।

 

କ୍ଷଣପ୍ରଭା ଆଶ୍ଚର୍ଯ୍ୟ ଆଖିରେ ଅମରେନ୍ଦ୍ରକୁ ଅନାଇଲା । ସେ କ’ଣ ପୁରୁଷ ନୁହେଁ ? ତା’ ହୃଦୟରେ ନିଃସଙ୍ଗଜୀବନର କରୁଣ ଆହ୍ଵାନ ବାଜିନାହିଁ । ଅନ୍ୟ ପୁରୁଷ ହୋଇଥିଲେ, ଘନରାତ୍ରିର ଅନ୍ଧକାର ଭିତରେ ନାରୀର ପଦପାତକୁ ସ୍ଵାଗତ କରନ୍ତା । ମିଠା ମିଠା କଥାକହି ନାରୀର ଭୀରୁ ମନରେ ଚମକ ଦିଅନ୍ତା । ତା’ପରେ ଅନୁନୟ ହୋଇ କହନ୍ତା, ତୁମେ ଆସିଛ ପ୍ରଭା ? ମୋର ଏତିକି ଭାଗ୍ୟ, ଆସ ପ୍ରଭା, ଆହୁରି ପାଖେଇ ଆସ । ଆମେ ଲଗାଲଗି ହୋଇ ବସି ଏ ନୀରବ ରାତ୍ରିକୁ ଅନୁଭବ କରିବା । କବାଟ ବନ୍ଦ କରି ଆମ ମନର ଉତ୍ତେଜନା ସଙ୍ଗେ ଖେଳ ଖେଳିବା । ନିଃସଙ୍ଗ ଜୀବନ ପରସ୍ପରର ସାହଚର୍ଯ୍ୟ ଲାଭକରି ଚକିତ ହେବ । ଏ ନୀରବ ରାତ୍ରିର ଘନଅନ୍ଧାର ଭିତରେ ଆମର ଏ ଦୁର୍ବଳ ଅଧ୍ୟାୟଟି ଆତ୍ମଗୋପନ କରିନେବା । ଜୀବନରେ କାହାକୁ କେତେଦେଲେ ବା ଗ୍ରହଣ କଲେ ତା’ର ହିସାବ ରଖିବା ନାହିଁ । ଆମେ ମୁଗ୍ଧ ହୋଇ ପରସ୍ପରର ମନ ଆଉ ପ୍ରାଣକୁ ଅନୁଭବ କରିବା । ବାସ୍ ସେତିକି । ରାଜି ଅଛତ ?

 

କିନ୍ତୁ ଅମରେନ୍ଦ୍ର ସେ ସବୁ କିଛି ଚାହୁଁନାହାନ୍ତି । ସେ କ’ଣ ଜୀବନରେ କୌଣସି ତରୁଣୀକୁ ଭଲପାଇ ପ୍ରତାରିତ ହୋଇଛନ୍ତି ? ହୋଇପାରେ, ଜୀବନର ଚଲାପଥରେ କୌଣସି ଏକ ରୂପସୀ ସଙ୍ଗେ ସେ ଚୁକ୍ତିବଦ୍ଧ ହୋଇଥିବା ସେହି ତରୁଣୀ ବ୍ୟତୀତ ଆଉ କାହାସଙ୍ଗେ ମଧୁର ଆଳାପ କରି ପ୍ରତିଜ୍ଞାଭଗ୍ନ କରିବାକୁ ଚାହୁଁ ନ ଥିବେ !

 

କାମ କିଛି ନାହିଁ । ଖାଲି ଆସିଥିଲି ଆପଣଙ୍କ ସଙ୍ଗରେ କିଛି ସମୟ କଥାବାର୍ତ୍ତାକରି ଯିବା ପାଇଁ ! କ୍ଷଣପ୍ରଭାର କଣ୍ଠ ଥରି ଉଠିଥିଲା । ନିଜକୁ ଅସହାୟ ମନେକରୁଥିଲା । ତା’ର କ୍ଷୀଣ କଣ୍ଠସ୍ଵରରେ ଆହତ ଆତ୍ମାର ସ୍ଵର ମିଶିଥିଲା ।

 

ତୁମେ ଭୁଲ୍‍ ଲୋକଟିଏ ବାଛିଲ କ୍ଷଣପ୍ରଭା ! ମୋ ଜୀବନ କାହାଣୀ ବଡ଼ ନୀରସ । ତାକୁ ବ୍ୟକ୍ତକରି ଅପରକୁ ଆନନ୍ଦ ଦେବାର କୌଣସି ଉପାଦାନ ନାହିଁ । ତୁମେ ଯଦି ମୋ’ ସଙ୍ଗରେ କଥାବାର୍ତ୍ତା କରି ଆନନ୍ଦ ଲାଭ କରିବାକୁ ଆସିଥାଅ, ତାହାହେଲେ ନିରାଶ ହେବ । ଅମରେନ୍ଦ୍ର ଉତ୍ତର ଦେଲେ ।

 

ତାହାହେଲେ ସେ କାହାଣୀ କ’ଣ ଏକାବେଳକେ ଦୁଃଖପୂର୍ଣ୍ଣ ? କ୍ଷଣପ୍ରଭା ପ୍ରଶ୍ନ କଲା ।

 

ଖୁବ୍ ଦୁଃଖପୂର୍ଣ୍ଣ । ଅମରେନ୍ଦ୍ର ଉତ୍ତର ଦେଲେ ।

 

ଦୁଃଖ କଥାଟାକୁ ବ୍ୟକ୍ତ କରିଦେଲେ, ଦୁଃଖର ପରମାଣଟା ହ୍ରାସ ହୋଇଯାଏ ଅମରେନ୍ଦ୍ର ବାବୁ । ଦୁଃଖର ଭାଗୀଦାର ଥିଲେ ତାହା ଦୁର୍ବିସହ ଜଣାପଡ଼େ ନାହିଁ ।

 

କିନ୍ତୁ ମୋ ଦୁଃଖରୁ କାହାକୁ ଭାଗ ଦେବାକୁ ଚାହେଁନା । ମୋ ଦୁଃଖକୁ ମୁଁ ନିଜେହିଁ ବହନ କରିବାକୁ ସମର୍ଥ । ସେ ଯେତେ ବଡ଼ ଦୁର୍ବିସହ ହେଉ ପଛକେ, ମନେପକାଇବି ନାହିଁ । ଅମରେନ୍ଦ୍ର ସଂଯୋଗ କଲେ ।

 

କିନ୍ତୁ କାହିଁକି ? କ୍ଷଣପ୍ରଭା ପ୍ରଶ୍ନକଲା ।

 

ଅମରେନ୍ଦ୍ର କ୍ଷଣପ୍ରଭା ମୁହଁକୁ ସତର୍କଦୃଷ୍ଟିରେ ଅନାଇଲେ, କ’ଣ ଚାହେଁ କ୍ଷଣପ୍ରଭା ? ଅନଧିକାର ଚର୍ଚ୍ଚା କରିବାର ସାହସ ଦେଲା କିଏ ସେ ? କାହିଁକି ସେ ନିର୍ଭିକଭାବରେ ଉତ୍ତର ମାଗୁଛି ? କ’ଣ ତା’ର ଉଦ୍ଦେଶ୍ୟ ?

 

ଅମରେନ୍ଦ୍ର ନିଜର ଅତୀତକୁ ମନେପକାଇବାକୁ ଚେଷ୍ଟା କଲେ । ଅତୀତରେ ଏମିତି କୌଣସି ଘଟଣା ଘଟି ନାହିଁ, ଯଦ୍ଦ୍ୱାରା କ୍ଷଣପ୍ରଭା ତାଙ୍କ ଦୁର୍ବଳତା ଦେଖି ନେଇଛି । ଆଖି ଉଠାଇ କେବେ ତା’ର କବରୀର ରଙ୍ଗକୁ ଦିଖିନାହାନ୍ତି କି ତା’ର ବ୍ଲାଉସ୍‍ କନାକୁ ପ୍ରଶଂସା କରି ନାହାନ୍ତି । ତେବେ କାହିଁକି ଏ ଆଯାଚିତ ଅଗ୍ରହ ? ସେ ତ କେବେହେଲେ ତା’ ପ୍ରତି ଆଗ୍ରହୀ ନ ଥିଲେ ! ସେ ବୟସ ଆଉ ନାହିଁ କ୍ଷଣପ୍ରଭା । ଜୀବନର କୌଣସି ଠିକଣା ନାହିଁ । ତା’ର ସ୍ଥାୟିତ୍ଵ ନେଇ କେହି ନିର୍ଦ୍ଦିଷ୍ଟ କଥା କହିପାରିବେ ନାହିଁ । ମୋର ଜଣେ ବଂଧୁ ଥିଲେ, ବିବାହ କରିବାର ମାସ କେଇଟା ପରେ ଆଖି ବୁଜିଲେ । ବିଧବା ସ୍ତ୍ରୀର କାନ୍ଦ ଯିଏ ଶୁଣିଛି, ସେ ବିବାହ କରିବାକୁ ଇଚ୍ଛା ପ୍ରକାଶକରି ପାରିବ ନାହିଁ । ଆଉ ବର୍ଷ କେଇଟା ନିଜ କଥା ନିଜେ ବୁଝି କଟେଇଦେଇ ପାରିଲେ, କାମ ସରିଲା-। ଅମରେନ୍ଦ୍ର, ଉତ୍ତର ଦେଲେ ।

 

ଦର୍ଶନ ଅଧ୍ୟାପକ ଅମରେନ୍ଦ୍ରଙ୍କର ଅଦ୍ଭୁତ ଯୁକ୍ତି ! ଜୀବନରେ ମୃତ୍ୟୁ ଅବଶ୍ୟମ୍ଭାବୀ ବୋଲି କ’ଣ ମଣିଷ ବଞ୍ଚିଥିବା ପର୍ଯ୍ୟନ୍ତ ଉପଭୋଗ କରିବ ନାହିଁ ? ବିବାହ କରି ନିଜର ରଙ୍ଗୀନ କଳ୍ପନାକୁ ରୂପ ଦେବ ନାହିଁ ?

 

ବଂଧୁର ଅକାଳ ମୃତ୍ୟୁ ଦେଖି ଅମରେନ୍ଦ୍ର ଏ ଜୀବନ ପ୍ରତି ବିତସ୍ପୃହ ହୋଇଯାଇଛନ୍ତି । ନିଜ ମନର ଅସଂଖ୍ୟ କଳ୍ପନାକୁ ଅବଦମନ କରି ନିରର୍ଥକ ଜୀବନ-ଦର୍ଶନର ଯୁକ୍ତି ବାଢ଼ୁଛନ୍ତି ।

 

କ୍ଷଣପ୍ରଭା ହସୁଥିଲା । ଅମରେନ୍ଦ୍ରର ଜ୍ଞାନ ଆଉ ଗାରିମାକୁ ଉପହାସ କରି ସେ ହସୁଥିଲା । ସେ ହସ କହୁଥିଲା, ତୁମେ କି ନିର୍ବୋଧ ଅମରେନ୍ଦ୍ର ? ଅଧ୍ୟାପନା ଅଉ ଅଧ୍ୟୟନ ଦୁଇଟି ପୃଥକ୍ ବିଷୟ । ସେ ଦୁଇଟିକୁ ଏକତ୍ରିତ କରି ତୁମେ ବିରାଟ ଭୁଲ୍‍ କରି ବସୁଛ ! ଏ ସଂସାରରେ ଅଧ୍ୟୟନ କରିବାରେ ଯେମିତି ବିରାଟ କ୍ଷେତ୍ର ରହିଛି, ଅଧ୍ୟାପନାର ସେମିତି ଅନ୍ତ ନାହିଁ । ହେଲେ ମଧ୍ୟ ମଣିଷଭାବେ, ସେ ଅନେକ କିଛି ବୁଝିଛି । ବହୁତ କିଛି ଶିଖିଛି । ଯାହା ବୁଝିଛି, ତାହାହିଁ ବିଶ୍ଵର ଶେଷ ସୀମାରେଖା; କିନ୍ତୁ ସେ କଥା କ’ଣ ସତ ?

 

ଏହି ଦୁର୍ବୋଧ୍ୟ ଅମରେନ୍ଦ୍ରଙ୍କୁ ବୁଝେଇହେବ ନାହିଁ । ତାଙ୍କର ମନର ନିଶ୍ଚିତ ଉପସଂହାରକୁ ବି’ ବଦଳାଇ ହେବ ନାହିଁ । କ୍ଷଣପ୍ରଭା ଦୀର୍ଘ ନିଃଶ୍ୱାସ ଛାଡ଼ିଲା । ସେ ଆସନ ଛାଡ଼ି ଛିଡ଼ା ହେଲା ।

 

ଅମରେନ୍ଦ୍ର, ଆପତ୍ତି କଲେ ନାହିଁ । ସେ ଆଦର କରି ଆଉ କିଛି ସମୟ ବସିବାକୁ ଅନୁରୋଧ କଲେ ନାହିଁ ।

 

କ୍ଷଣପ୍ରଭା ଫେରିଆସିଲା । ଫେରି ଆସୁ ଆସୁ ଫାଟକ ପାଖରୁ ଲେଉଟି ଦେଖିଲା, ଅମରେନ୍ଦ୍ର ବଳେଇ ଦେବାକୁ ତା’ ସାଙ୍ଗରେ ଆସି ନାହାନ୍ତି । କ୍ଷଣପ୍ରଭାର ମନର ଉଲ୍ଲାସ ଭାଙ୍ଗିଗଲା-

 

କଳାବଉଦର ପେଟ ଚିରି ଉଙ୍କିମାରୁଥଲା ଚତୁର୍ଥୀର ଚନ୍ଦ୍ର । ଚତୁର୍ଥୀର ଦୁର୍ବଳ ଚନ୍ଦ୍ର ଦେହରେ ବି’ ଉଚ୍ଛ୍ଵାସ ଥିଲା । ତାରି ଦେହରେ ସ୍ନିଗ୍‍ଧ, ଶୀତଳ ଜ୍ୟୋତ୍ସ୍ନା ପୃଥିବୀକୁ କମନୀୟ କରି ତୋଳିଥଲା । ଜମାଟ ବନ୍ଧା ଅନ୍ଧକାର ତରଳି ତରଳି ଯାଉଥିଲା ।

 

କ୍ଷଣପ୍ରଭା ଜ୍ୟୋତ୍ସ୍ନା ଉପରେ ପଡ଼ିଥିବା ନିଜ ଦେହର ଛାୟାକୁ ଅନାଇଲା । ତା’ ମନ ଭିତରର ସବୁ ସମ୍ମୋହନ ତରଳ ଜ୍ୟୋତ୍ସ୍ନା ପରି ତରଳି ଯାଇଥିଲା ।

 

ଏ ସମୟରେ ଅମରେନ୍ଦ୍ରର କବାଟ ବନ୍ଦ କରିବା ଶବ୍ଦ ହେଲା ।

 

କ୍ଷଣପ୍ରଭାର ମନେ ହେଲା, ଅମରେନ୍ଦ୍ର କବାଟରେ ଆଘାତ ଦେଇ ନାହାନ୍ତି ଯେ, ତାରି ଛାତିତଳର ଛୋଟିଆ ମନଟାକୁ ଚାପୁଡ଼ା ମାରିଛନ୍ତି ।

 

—ଦୁଇ—

 

ଆଉଦିନେ––

ବିଷଣ୍ଣ ଗୋଧୂଳୀ ଲଗ୍ନ ।

କର୍ମକ୍ଳାନ୍ତ ଅମରେନ୍ଦ୍ର ଅସୁସ୍ତି ବୋଧକଲେ । ସ୍ଵାସ୍ଥ୍ୟ ପ୍ରତି ତାଙ୍କର କେବେହେଲେ କିଛି ଭାବନା ନ ଥାଏ । ପ୍ରତ୍ୟୁଷରୁ ଉଠି ବ୍ୟାୟାମ କରିବା ଓ ସନ୍ଧ୍ୟା ପୂର୍ବରୁ ଖୋଲାପବନରେ ଘେରାଏ ବୁଲି ଆସିବା ତାଙ୍କର ନିତ୍ୟନୈମିତ୍ତିକ ପ୍ରବୃତ୍ତି । ନିୟମରେ ଚଳୁଥିବାରୁ ସ୍ୱାସ୍ଥ୍ୟହାନିର ଆଶଙ୍କା ପ୍ରାୟ ନ ଥାଏ । ସେ ବେଶ୍ ହୃଷ୍ଟପୁଷ୍ଟ ଥିଲେ ।

ସହସା କ୍ଳାନ୍ତି ଆସି ତାଙ୍କୁ ଅବସନ୍ନ କରିପକାଇଛି । ମନର ସ୍ଵାଭାବିକ ସ୍ଫୁର୍ତ୍ତି ନାହିଁକି ମୁହଁର ସେ ଅପୂର୍ବ ତେଜ ନାହିଁ । ସତେଅବା ଜୀବନ ତରୀଟି ଅନୁକୂଳ ପବନରେ ଭାସି ଯାଉ ଯାଉ ବିପରୀତମୁଖୀ ସ୍ରୋତର ସମ୍ମୁଖୀନ ହୋଇଛି । ସେ ଦିନ ଅମରେନ୍ଦ୍ରଙ୍କୁ ହଠାତ୍ ଜ୍ଵର ହେଲା । ସେ କ୍ଳାନ୍ତ ଓ ଅବସନ୍ନ ହୋଇପଡ଼ିଲେ ! ଏକାକୀ ବିଛଣାଟା ଉପରେ ପଡ଼ି ରହିବାକୁ ଇଚ୍ଛା ହେଉନାହିଁ । ତେଣେ ସାନ୍ଧ୍ୟଭ୍ରମଣ ସକାଶେ ସୁଦ୍ଧା ସ୍ପୃହା ନାହିଁ । ସଡ଼କର ଜନକୋଳାହଳକୁ କାନପାତି ଶୁଣିଲେ-। କେତେ ଲୋକ, କେତେ ପ୍ରକାର କଥା ଭାଷା ହୋଇ ଚାଲି ଯାଉଛନ୍ତି । ଆବାଳବୃଦ୍ଧବନିତାଙ୍କର ଶୋଭାଯାତ୍ରା ଚାଲିଛି ଯେମିତି ! ଶିଶୁର ଅଭିଯୋଗଭରା କ୍ରନ୍ଦନ ସଙ୍ଗେ ଯୁବକ ଯୁବତୀଙ୍କର ମନଭୁଲାଣିଆ ରୋମାଞ୍ଚକ କଥାବାର୍ତ୍ତା ଶୁଭୁଛି । ସେମାନେ ସମସ୍ତେ ସୁସ୍ଥ । ସମସ୍ତଙ୍କର ଆନନ୍ଦ ଅଛି । ଜୀବନକୁ ମନଭରି ଉପଭୋଗ କରୁଛନ୍ତି ।

ଅମରେନ୍ଦ୍ର ବାହାର ଦୁନିଆର ହସ ଉଚ୍ଛଳ ଶ୍ରୀକୁ ବରଦାସ୍ତ କରିପାରିଲେ ନାହିଁ । ବାରମ୍ବାର ଥର୍ମୋମିଟର ନେଇ କାଖରେ ରଖିଲେ । ତା’ର ଉତ୍ତାପ ସୂଚନାରେ ଅସନ୍ତୋଷ ପ୍ରକାଶ କରି, ଝାଡ଼ି ନେଇ ପୁଣି ଜିଭ ତଳେ ଥୋଇଲେ । ଘଣ୍ଟାର ମିନିଟ ଆଉ ସେକେଣ୍ଡ କଣ୍ଟା ଜଗି ଜଗି ପୁଣି ଥରେ ତାପମାତ୍ରା ଦେଖିଲେ । ଦେହରେ ଭୀଷଣ ଉତ୍ତାପ ଅଛି । ପାରଦ ଆସି ଶହେ ତିନି ପାଖରେ ପହୁଞ୍ଚିଛି । ଏ ଉତ୍ତାପରେ ଚଲାବୁଲା କରିବା ବିପଜ୍ଜନକ ।

ଅମରେନ୍ଦ୍ର ଶୋଇଗଲେ । ସନ୍ଧ୍ୟାନିଦ ଆପଣା ଛାଏଁ ରାତି ସାଢ଼େ ନ’ଟାକୁ ଭାଙ୍ଗିଗଲା ! ସଡ଼କ ନିର୍ଜନ ହୋଇଯାଇଛି । ପଡ଼ିଶା ଘରର ପାଟିତୁଣ୍ଡ ଶୁଭୁଛି । ପଡ଼ୋଶୀ ଜଣକ ନୂଆ ଚାକିରି କରୁଛନ୍ତି । ପାଖରେ ତାଙ୍କର ନବାଗତ ପତ୍ନୀ । ବୋଧହୁଏ ହାରମୋନିଅମ୍ ପାଖରେ ବସିଯାଇ ସ୍ଵାମୀଙ୍କର ଫରମାସୀ ସଙ୍ଗୀତ ଗାଉଛନ୍ତି । ସ୍ୱାମୀଙ୍କୁ ସନ୍ତୁଷ୍ଟ କରିବା ସକାଶେ ପ୍ରତିଜ୍ଞା ବଦ୍ଧ ।

ଆଃ, କି ସୁନ୍ଦର କଣ୍ଠସ୍ୱର !

ଅମରେନ୍ଦ୍ର ବାବୁଙ୍କୁ ସେ ସଙ୍ଗୀତ ଖୁବ୍ ସୁନ୍ଦର ଲାଗିଲା ! ତହିଁରେ ସେ ମୁଗ୍ଧ ହୋଇପଡ଼ିଲେ । ତରୁଣୀଟି ସୁଗାୟିକ। ବୋଧହୁଏ । ନିପୁଣ ସହକାରେ ସଙ୍ଗୀତର ପ୍ରତ୍ୟେକ ଭାବକୁ ଛନ୍ଦ ଭିତର ଦେଇ ପ୍ରକାଶ କରି ପାରୁଛନ୍ତି ।

ସଙ୍ଗୀତ ବନ୍ଦ ହେଲା ।

ଆଃ, ଏତେ ଶୀଘ୍ର ସେଇଟି ଶେଷ ହୋଇଗଲା । ଖୁବ୍ ସଂକ୍ଷିପ୍ତ ସଙ୍ଗୀତଟିଏ ବୋଧହୁଏ-। ଏମିତି ସଙ୍ଗୀତ ଏତେ ଶୀଘ୍ର ଶେଷ କରିଦେବା କବି ପକ୍ଷରେ ଅନୁଚିତ ହୋଇଛି । ଆଉ ଟିକିଏ ବଢ଼ାଇ ଦେଇଥିଲେ କ’ଣ ବା’ କ୍ଷତି ହୋଇଯାଇଥାନ୍ତା ? ନା, ଏମାନଙ୍କୁ ପାରି ହେବନି-

ସେ ତରୁଣୀ ଜଣକ କି ସୁନ୍ଦରଭାବରେ ତାକୁ ଗାଉଥଲେ ସତରେ !

ଇଚ୍ଛା ହେଉଛି, ତାଙ୍କ ବସାକୁ ଯାଇ ଆଉ ଥରେ ଗାଇବାକୁ ଅନୁରୋଧ କରନ୍ତେ । କିନ୍ତୁ କ’ଣ ଭାବିବେ ସେମାନେ ? ଛିଃ, କି ଅସୁନ୍ଦର କଥାଟିଏ ଭାବୁଛନ୍ତି !

ତରୁଣୀଟି ସୁନ୍ଦରୀ ହୋଇଥିବେ ନିଶ୍ଚୟ । ଅସୁନ୍ଦରୀ ସ୍ତ୍ରୀର କଣ୍ଠସ୍ଵର କ’ଣ ଏଡ଼େ ନରମ ହୋଇପାରେ ? ଗାଇଲାବେଳେ ତାଙ୍କର ସୁନ୍ଦର ଓଠ ଦୁଇଟି ଗୋଲାପ ଫୁଲର ଶିରୀ ବାଢ଼ି ଦେଉଥିବ । କାକକୃଷ୍ଣ କବରୀର ଦୋଳାୟମାନ୍ ପୁଷ୍ପସ୍ତବକ ପିଠି ଉପରେ ଆସ୍ତେ ଆସ୍ତେ ଦୋହଲି ଯାଉଥିବ । ଡୋଳା ଦୁଇଟିରେ ଅପୂର୍ବ ଭଙ୍ଗୀବାଢ଼ି ସେ ମୁଗ୍ଧ ପ୍ରେମିକଙ୍କୁ ବିହ୍ଵଳ କରି ତୋଳି ଥିବେ ।

କିନ୍ତୁ ଏ ସବୁ ସେ କାହିଁକି ଭାବୁଛନ୍ତି? ସେ କ’ଣ ଉନ୍ମାଦଗ୍ରସ୍ତ ? ପର ସ୍ତ୍ରୀର ଆଲୋଚନାକରିବା ନୀତିଗର୍ହିତ କଥା । ତାହା ଅପରୁଚିର ପରିଚାୟକ !

ଯୁବକ ଯୁବତୀ ହସୁଛନ୍ତି । ଏ ହସ ସଙ୍ଗୀତଠାରୁ ବି’ ଆହୁରି ମଧୁର । ଜଣେ ଯୁବତୀ ସ୍ତ୍ରୀ ଯୁବକ ଆଗରେ ପୁଣି ଏତେ ମନଖୋଲା ହସ ହସି ପାରେ ? ଲଜ୍ଜା ନାହିଁକି ସମ୍ଭ୍ରମ ନାହିଁ । ବୁକୁଥରାଇ ହସୁଛି । ହସରେ ନିଜ ମନ ଭିତରଟାକୁ ଖୋଲି ଦେଉଛି ଯେମିତି !

ଏହାପୂର୍ବରୁ ଜୀବନରେ ଗୋଟିଏ ତରୁଣୀ କଣ୍ଠରେ ଏମିତି ମନଖୋଲା ହସ ଶୁଣିବାର ମନେନାହିଁ । ଏହାହିଁ ବୋଧହୁଏ ପ୍ରଥମ । ସେମାନେ ହୁଏତ ପ୍ରତିଦିନ ଏମିତି ହସୁଥିଲେ । ନୀରବ ସନ୍ଧ୍ୟାକୁ ହସ ଓ ସଙ୍ଗୀତ ମାଧ୍ୟମରେ ଉପଭୋଗ କରୁଥିଲେ, ଜୀବନର ଆନନ୍ଦକୁ ସଙ୍ଗୀତ ଭିତରେ ବାଢ଼ି ଦେଇ ସେମାନେ ମିଳିମିଶି ପାନ କରନ୍ତି । ସେ ସନ୍ଧ୍ୟାବେଳେ ବସାରେ ରହନ୍ତି ନାହିଁ ବୋଲି ଏ ହସର ଆସ୍ଵାଦ ପାଇ ନାହାନ୍ତି ।

ତାହାହେଲେ ବିବାହିତ ଜୀବନ କ’ଣ ଦାୟିତ୍ଵପୂର୍ଣ୍ଣ ନୁହେଁ ? ଏତେ ଦାୟିତ୍ଵ ଭିତରେ ପୁଣି ଆନନ୍ଦଲାଭ କରିବାର ଏଡ଼େ ବଡ଼ ସୁଯୋଗ ରହିଛି ?

କିନ୍ତୁ ଦାୟିତ୍ଵ ପୁଣିତ’ ରହିଛି । ଆଜିର ହସ କାଲିକି ଆଉ ନ ଥିବ । ଅଦିନିଆ କୁଆପଥର ପରି ଧୂଳି ସଙ୍ଗରେ ମିଳେଇ ଯିବ ।

ଏଇ, ସହର ସିନେମା ଭାଙ୍ଗିଲା । ଦ୍ଵିତୀୟ ସୋ’ର ବିଜ୍ଞାପନ ବାଢ଼ୁଛି ଗ୍ରାମଫୋନ ରେକର୍ଡ଼ ।

ରେକଡ଼ିଂ କରିବାକୁ ଆଉ କ’ଣ ଅଲଗା ଗୀତ ମିଳିଲା ନାହିଁ । ସେହି ପ୍ରେମ-ପୂର୍ଣ୍ଣ ସଙ୍ଗୀତ । ଏଇଆକୁ ଶୁଣିବାପାଇଁ ରାସ୍ତାକଡ଼ରେ କେତେ ଭୀଡ଼ । କଲେଜ ଟୋକାଙ୍କଠୁ ଆରମ୍ଭ କରି ଅଫିସ କିରାନୀ ପର୍ଯ୍ୟନ୍ତ ଧାଡ଼ିବାନ୍ଧି ଛିଡ଼ା ହୋଇଥାନ୍ତି । କ’ଣ ପାଆନ୍ତି ସେମାନେ କେଜାଣି !

ଗୋଟିଏ ସୁନ୍ଦରୀ ତରୁଣୀର କଣ୍ଠ ଶୁଭୁଛି । ତା’ କଣ୍ଠରେ କେତେ ଅଳସ, କେତେ ଆହ୍ଵାନ ! ହୁଏତ ସାଥି ପ୍ରେମିକକୁ ମୋହାଚ୍ଛନ୍ନ କରିବାକୁ ଜାଲ ପାତିଛି । ପ୍ରତିଟି ଶବ୍ଦ, ପ୍ରତିଟି ବାକ୍ୟରେ ନିଜକୁ ଦାନ କରିବାର ଇଙ୍ଗିତ । ମିଳନମୁଖୀ ରେକର୍ଡ଼ଟିଏ । ହେଉପଛକେ କୃତ୍ରିମ; କିନ୍ତୁ କି ରସୋଚ୍ଛଳ ।

ଅମରେନ୍ଦ୍ରଙ୍କ ମନ ଭିତରର ପୁରୁଷ ଚେଇଁ ବସିଛି । ଏତେଦିନ ଯାଏ ସେ ଶୋଇ ଯାଇଥିଲା । ଏଇମାତ୍ର ତା’ର ପହିଲି ନିଦ ଭାଙ୍ଗିଛି ! ଆଖି ମଳିମଳି ଚଉଦିଗକୁ ଚାହିଁଯାଉଛି; କିନ୍ତୁ କେଉଁଠି କିଛି ନାହିଁ । ସବୁ ଅଂଶ ଖୋଲା ମେଲା !

କାନ୍ଥରେ ସ୍ଵାମୀ ବିବେକାନନ୍ଦ ହସୁଛନ୍ତି । ମର୍ଫି ରେଡ଼ିଓ କମ୍ପାନୀ ପକ୍ଷରୁ ପ୍ରକାଶିତ ବାଳକ ଚିତ୍ର ଅଙ୍କିତ କେଲେଣ୍ଡର ମୁହଁରୁ ବି’ ହସ ଶୁଭୁଛି । ସମସ୍ତେ ଯେମିତି ତାଙ୍କୁ ବିଦ୍ରୂପ କରୁଛନ୍ତି-। କହୁଛନ୍ତି, ଇଏ ଜୀବନ ନୁହେଁ ଅମରେନ୍ଦ୍ର ! ମୃତ୍ୟୁ !!

ମୃତ୍ୟୁ ? କି ଶୀତଳ ନାଁଟିଏ ! ଭାବିଲେ ଡର ମାଡ଼ୁଛି । କ୍ଳାନ୍ତ ଅବୟବ ଶିଥିଳ ହୋଇଉଠୁଛି । ଏତେ ଦିନଧରି ସେ ଯାହାକୁ ଜୀବନ ବୋଲି ଭାବିଥିଲେ, ସେ କ’ଣ କେବଳ କ୍ଳାନ୍ତି-? ନିଃସଙ୍ଗ ଜୀବନ ହାହାକାର କରିଉଠୁଛି ।

ନା, ତାଙ୍କର ଏହି ନିଃସଙ୍ଗ ଜୀବନରେ ସହାୟତା କରିବାକୁ ସାଥିଟିଏ ଦରକାର । ଏ କ୍ଳାନ୍ତିକୁ ଓ ଆଳସ୍ୟକୁ ବ୍ୟକ୍ତକରି ସେ ଟିକିଏ ଆରାମ ପାଇବାକୁ ଚାହାନ୍ତି । ଏମିତି ଅସୁସ୍ଥ ସମୟରେ ସାମାନ୍ୟ ବାକ୍ୟାଳାପ କରିବାର ସୁଯୋଗ ହେଲେତ ମିଳବ !

କିନ୍ତୁ..... । ନା, ଥାଉ । ଏକୁଟିଆ ଜୀବନରେ ସ୍ୱାଚ୍ଛନ୍ଦ୍ୟ ଅଛି । ବିନା ଦାୟିତ୍ଵରେ ଉପଭୋଗ କରିବାକୁ ସମୟ ମିଳେ । ସେ ପ୍ରତିବନ୍ଧନ ଚାହାନ୍ତି ନାହିଁ । ନିଜ ରାସ୍ତାରେ ନିଜେ ଚାଲିବେ । ନିଜର ଅନୁଗମନ କରୁଥିବା ସହଯୋଗୀ ସାଥିର ସାନ୍ନିଧ୍ୟ ତାଙ୍କର କାମ୍ୟ ନୁହେଁ ।

ତଥାପି....

 

—ତିନି—

 

ବିଗତ ସପ୍ତାହକ ଯାକ ଜ୍ଵର ଯନ୍ତ୍ରଣା ଭୋଗ କରିବା ପରେ ଅମରେନ୍ଦ୍ର ଆଜି ଟିକିଏ ସୁସ୍ଥିବୋଧ କରୁଛନ୍ତି । ଏବେ ବି’ ସେ ଶଯ୍ୟାଶାୟୀ । ସ୍ୱାସ୍ଥ୍ୟ ଅଧେ ହୋଇଯାଇଛି । ମାନସିକକ୍ଳାନ୍ତି ଭୋଗ କରୁଛନ୍ତି । ସତେ ଅବା ଏ ଅଦିନ ରୋଗ ତାଙ୍କ ପ୍ରାଣର ସ୍ୱଚ୍ଛଳଗତିକୁ ଅପହରଣ କରି ଆସିଥିଲା । ସେତକ ସଙ୍ଗରେ ନେଇ ସେ ଚାଲିଯାଇଛି ।

 

ଆହା, ବିଚାରୀ କ୍ଷଣପ୍ରଭା ତାଙ୍କର କେତେ ସେବା ନ କରିଛି ! ସହକର୍ମୀ ଅଧ୍ୟାପକମାନେ ଆସି ସହାନୁଭୂତିସୂଚକ କେଇପଦ ପ୍ରବୋଧନା ଶୁଣାଇ ଯାଇଥିଲେ ବି’ ହାତଲଗାଇ କିଛି କଲେ ନାହିଁ । ବକ୍ତୃତା ମୁଗ୍ଧ ଛାତ୍ର ଛାତ୍ରୀ ତଥା ଅଭିଭାବକବୃନ୍ଦ କୌଣସି ସାହାଯ୍ୟରେ ଲାଗିଲେ ନାହିଁ; କିନ୍ତୁ ଏକା କ୍ଷଣପ୍ରଭା ସମସ୍ତ ଦାୟିତ୍ଵ ତୁଲାଇଲା । ନିଜ ବସାରୁ ଚାକର ପୂଜାରୀ ସମେତ ସମସ୍ତ ଗୃହୋପକରଣ ନେଇ ଆସି ତାଙ୍କରି ବସାଘରେ ପଡ଼ିରହିଲା । କୌଣସି ବାରଣ ମାନି ନାହିଁ କି କୌଣସି କଥା ଶୁଣି ନାହିଁ । କର୍ତ୍ତବ୍ୟପରାୟଣା ଗୃହବଧୂ ସଦୃଶ ନିଜର ଦାୟିତ୍ଵ ତୁଲାଇ ନେଇଛି ।

 

ତାର ହାତଟି କି ନରମ ! କପାଳ ଉପରେ ଟିପ ଦେଲେ ଦେହସାରା ସଲ ସଲ ଲାଗେ-। ଆରାମରେ ନିଦ ଲାଗିଯାଏ । କଥା କହେ ଲହୁଣୀ ପରି । ତାଗିଦ୍‍ କରି କିଛି ନିର୍ଦ୍ଦେଶ ଦେଉ ଦେଉ କଥା ମଝିରେ ହସିଦିଏ । ତା’ ନରମ ହସଖଣ୍ଡକ ମିଠା ଲାଗେ ।

 

କ୍ଷଣପ୍ରଭାଟି ବାସ୍ତବିକ ଚମତ୍କାର ମଣିଷ । ସହଜ, ସରଳ ସାବଲୀଳ । ତା’ର ଆଖି ଖୋଜେ ଟିକିଏ ସ୍ନେହ । ଟିକିଏ ମିଠା କଥା । ସେତକ ପାଇଲେ ଖୁସି ହୁଏ । ଦି’ ଗୁଣ ଆନନ୍ଦରେ କାମରେ ଲାଗିପଡ଼େ । କାମ କରୁ କରୁ କଣେଇ ଚାହିଁଥାଏ । ଆଖିରେ ଆଖି ମିଶିଗଲେ ଅଳ୍ପ ହସି ଦିଏ । ଚାକର ପୂଜାରୀ ଥିଲେ ବି’ ଆପେ ପାଣି ଗରମକରି ଟେବୁଲ୍ ଉପରେ ଥୁଏ । କୃତଜ୍ଞତା ଜଣାଇଲେ ନରମି ଯାଇ ଆଖି ତଳକୁ କରିଦିଏ ।

 

ଅମରେନ୍ଦ୍ରଙ୍କ ମନ ଭିତରେ କ୍ଷଣପ୍ରଭା ଲୁଚୁକାଳି ଖେଳୁଛି । ସେ ଆଜି ପ୍ରଥମକରି ଉପଲବ୍ଧି କରୁଛନ୍ତି, ପ୍ରଥମ ସାକ୍ଷାତ ବେଳେ ତା’ ସହିତ ଅସହଯୋଗ କରି ଭୁଲ୍‍ କରିଛନ୍ତି । ଏଥିପାଇଁ ସେ ଅନୁତପ୍ତ ।

 

କିନ୍ତୁ ଅସହଯୋଗର ପ୍ରତି ଉତ୍ତର କ’ଣ ସେବା ଶୁଶ୍ରୂଷା ? କ୍ଷଣପ୍ରଭା କେଉଁ ସ୍ଵାର୍ଥ ଆଶାରେ ଏକ ନିଃସଙ୍ଗ ରୋଗୀର ଦାୟିତ୍ଵ ନେଇଛି । କିନ୍ତୁ ସେଥିପାଇଁ ସେ ଅନୁତପ୍ତା ନୁହେଁ । ବରଂ ଆନନ୍ଦିତା ।

 

କ୍ଷଣପ୍ରଭା ପାଇଁ ମନ ଭିତରେ ଅସମ୍ଭବ କୌତୂହଳ । ସତେ ଯେମିତି କ୍ଷଣପ୍ରଭାକୁ ଏବେ ନୂଆକରି ଦେଖିଲେ ! ଖାଲି କ୍ଷଣପ୍ରଭା ତ’ ନୁହେଁ, ନାରୀ ଜାତିକୁ ଏଇ ପ୍ରଥମକରି ଆବିଷ୍କାର କଲେ ।

 

ନାରୀଜାତିର ଜାତକ କ’ଣ ପୁରୁଷର ସେବା କରିବା ? ଅପମାନ ପାଇବି’ ପ୍ରତିଶୋଧ ନ ନେଇ ଉପକାର ସାଧନ କରିବା ? କେତେ ସହିଷ୍ଣୁ, ଜାତିଟା ସତରେ ? ଏତେ ସୁନ୍ଦର ଜାତିଟାକୁ ପୁରୁଷ ପୁଣି କଳଙ୍କର କାଳିମା ଦିଏ ? ତା’ ବିରୁଦ୍ଧରେ ଗରଳ ଉଦ୍‍ଗୀରଣ କରି କହେ, ସେ ବିଶ୍ଵାସଘାତୀନି ଅସହିଷ୍ଣୁ ।

 

ନାରୀର ଅନୁପସ୍ଥିତିରେ ପୁରୁଷର ଜୀବନ ଶ୍ରୀହୀନ ହୋଇପଡ଼ନ୍ତା । ତୁଠ ଭିତରେ ପଥରଟିଏ ଥିଲେ ସେ ଯେମିତି ତୁଠର ସୌନ୍ଦର୍ଯ୍ୟ ବଢ଼ାଇ ଦିଏ, ପୁରୁଷ ମେଳରେ ସ୍ତ୍ରୀଟିଏ ଥିଲେ ସେମିତି ସୁନ୍ଦର ଦିଶେ ।

 

ନାରୀ ବିନା ପୁରୁଷର ଜୀବନ ନୀରସ । ନାରୀ ଦାନ କରେ, ପୁରୁଷ ଗ୍ରହଣ କରେ । ନାରୀର ଦାନ କରିବାରେ ତୃପ୍ତି ଅଛି, ଆଉ ପୁରୁଷର ଗ୍ରହଣ କରିବାରେ ଆନନ୍ଦ ଅଛି ।

 

କ୍ଷଣପ୍ରଭା ଦେଇଛି, ଆଉ ସେ କ୍ଷଣପ୍ରଭାର ଦାନକୁ ଆନନ୍ଦରେ ଗ୍ରହଣ କରିଛନ୍ତି । ତାରି ଏହି ସେବା ସ୍ମୃତି ଜୀବନ କାଳ ଭିତରେ ଭୁଲିବାର ନୁହେଁ ।

 

ସେ କ୍ଷଣପ୍ରଭାର ଆଗମନକୁ ଅପେକ୍ଷା କଲେ ।

 

ଆଜି ଜୀବନଟା କେମିତି ଉଦାସ ମନେ ହେଉଛି ।

 

ତାର କାରଣ କ’ଣ କ୍ଷଣପ୍ରଭାର ଅନୁପସ୍ଥିତ ?

 

—ଚାରି—

 

କ୍ଷଣପ୍ରଭା ମୁହଁରେ ହସ ଭରିଛି । ସେ ହସିଲେ କି ସୁନ୍ଦର ଦେଖାଯାଏ । ତା’ ଆଖିରେ ସେମିତି ଅନିର୍ଦ୍ଦିଷ୍ଟ ଚାହାଣି ।

କେମିତି ଲାଗୁଛି ? କ୍ଷଣପ୍ରଭାର ଅମରେନ୍ଦ୍ର ପ୍ରତି ପ୍ରଥମ ପ୍ରଶ୍ନ ।

ଖୁବ୍ ଖରାପ ।

ମାନେ ? ଦେହରେ କ’ଣ ପୁଣି ଜର ?

ଦେହରେ ନୁହେଁ, ମନରେ ।

କଥାଟା କ’ଣ ଶୁଣେ ?

ତୁମ ପାଇଁ ବଞ୍ଚିଗଲି ପ୍ରଭା ! ମୋର ଏ ଅଚଳ ଇଞ୍ଜିନକୁ ଧୋଇ-ପୋଛି ସଜାଡ଼ି ଦେଲ-। ନ ହେଲେ ଆଜିର ନୂତନ ସୂର୍ଯ୍ୟକୁ ଦେଖିବାର ଅବକାଶ ମିଳି ନ ଥାନ୍ତା । ଅଥଚ ଦିନେ ମୁଁ ତୁମ ପ୍ରତି ଖରାପ ବ୍ୟବହାର କରିଥିଲି ।

ସେ କଥା ମନେପକାଇ ଦୁଃଖ କରୁଛ ? କିନ୍ତୁ ବିଶ୍ୱାସ କରିବନି, ସେ ସବୁ ମୁଁ ଭୁଲି ଯାଇଛି ।

ମନେ ପକାଇଲେ ମୋତେ ଦୁଃଖ ଲାଗେ ।

ଭୁଲି ଯାଅନା ଅମରେନ୍ଦ୍ର ବାବୁ । ଖୁବ୍ ଭଲ ହେବ ।

କୁହ, କ୍ଷମା ଦେଇଛି ବୋଲି । ଅମରେନ୍ଦ୍ରଙ୍କ କଣ୍ଠରେ ଆକୁଳ ମିନତି ।

କ୍ଷମା ଦେବାର ଶକ୍ତି ମୋର ନାହିଁ । କ୍ଷମା ଦିଏ ପୁରୁଷ । ସ୍ତ୍ରୀ ଜାତିଟା ଭୁଲ୍‍ କରେ ।

ଉପହାସ କରୁଛ ପ୍ରଭା ?

ସେ କଥା ମନରେ କାହିଁକି ଭାବୁଛ ଯେ ! ଉପହାସ ଏ ବୟସରେ ଶୋଭପାଏନା । ତୁମର ସହାନୁଭୂତି ଚାହେଁ । ସେଇଥିପାଇଁ ଆଗରୁ ସ୍ତ୍ରୀଜାତିଟାର ଦୁର୍ବଳତାକୁ ପ୍ରକାଶ କରିଗଲି । ମୁଁ ବି ଜୀବନରେ ଭୁଲ୍‍ କରିଛି । ମୁଁ କାହିଁକି, କୌଣସି ସ୍ତ୍ରୀର ନିର୍ଭୁଲ ଜୀବନଯାପନ ଏକାନ୍ତ ଅସମ୍ଭବ । ପୁରୁଷ ସବୁବେଳେ ତାଙ୍କୁ କ୍ଷମା ଦିଏ ।

ତୁମେ କ’ଣ କହୁଛ ?

ଶୁଣିବାକୁ ଚାହୁଁଛି । କହିବାକୁ କିଛି ନାହିଁ ।

ତୁମେ ଭାବପ୍ରବଣ ହୋଇଉଠିଛ ପ୍ରଭା !

କିଛି ନୂତନତା ଦେଖୁଛ ?

ନାଁ ତ, ଆଗରୁ ଯେମିତି ଥିଲା ଠିକ୍ ସେମିତି, ସେଦିନ ଅପମାନ ପାଇବି’ ଜବାବ ନ ଦେଇ ଫେରିଗଲ । ଆଜି ଯେତେବେଳେ କ୍ଷମା ମାଗୁଛି, ତୁମେ ତୁମରି ଭୁଲ୍‍କଥା କହୁଛ । ସବୁବେଳେ ତୁମେ ତୁମର ଉଦାରତାର ପ୍ରମାଣ ଦେଇଆସିବ । ଆଜିବି’ ତା’ର ବ୍ୟତିକ୍ରମ ନାହିଁ ।

କ୍ଷଣପ୍ରଭା ହସିଲା । ହସି ହସି ଅମରେନ୍ଦ୍ରଙ୍କ ହାତଧରି ବିଛଣାରେ ଶୁଆଇ ଦେଲା । ମୁହୂର୍ତ୍ତ କେଇଟି ପରେ ମୁହଁ ହାତ ଧୋଇ ନେଇ ବିଛଣା ପାଖକୁ ଆସିଲା । ତା’ ମନରେ ପର ଲାଗିଛି ଯେମିତ । କହିଲା, ମୋର ବଦଳି ହୋଇଯାଉଛି ଅମରେନ୍ଦ୍ରବାବୁ ! ମନେ ରଖିଥିବ ।

ଅମରେନ୍ଦ୍ର ବିଛଣାରୁ ଆଶ୍ଚର୍ଯ୍ୟ ହୋଇ ଉଠିବସିଲେ । କ୍ଷଣପ୍ରଭାର ଯେ ବଦଳି ହୋଇଯାଇପାରେ, ଏକଥା ସେ କଳ୍ପନାରେ ସୁଦ୍ଧା ଭବିପାରି ନ ଥିଲେ ।

କ୍ଷଣପ୍ରଭା ବିନା ତାଙ୍କ ସଂସାରଟା ପୁଣିଥରେ ମରୁନଦୀରେ ପରିଣତ ହୋଇଯିବ । ଜୀବମାନବର ସଙ୍କେତ ନାହିଁ । ଆଖି ପାଇବା ଯାଏ ବାଲି । ଗଦା ଗଦା ବାଲି । ମରୁନଦୀର ଶଯ୍ୟାଧାରରେ ଏଇ କ୍ଷଣପ୍ରଭାହିଁ ଆସି ପାଦ ପକାଇଥିଲା । ସ୍ନାନ କରିବା ପୂର୍ବରୁ ଫେରିଯାଉଛି ।

କଣ ଭାବୁଛ ? କ୍ଷଣପ୍ରଭା ପଚାରିଲା ।

ଏଇ ତୁମରି କଥା । ଅମରେନ୍ଦ୍ର ଉତ୍ତର ଦେଲା ।

ତାହାହେଲେ ତ ଅପୂର୍ବ ଭାଗ୍ୟ ଦେଖୁଛି । ତୁମେ ଯେ ମୋ କଥା ଦିନେ ଭାବିବ, ଏ ଧାରଣ ମୋଟେ ନ ଥିଲା । ମୋ’ପାଇଁ ଦୁନିଆରେ ଭାବିବା ପାଇଁ କେହି ନ ଥିଲେ । ନିମିଷକ ପାଇଁ ହେଲେ ବି' ତୁମେ ଯେ ମୋକଥା ଭାବିଲ, ଏଇଥିପାଇଁ ମୁଁ ଆନନ୍ଦିତା । ଖାଲି ଆନନ୍ଦିତା ନୁହେଁ, ଜୀବନରେ ଏହା ଏକ ଗର୍ବର କାରଣ ହୋଇ ରହିବ । ଏ ପରିବର୍ତ୍ତନ ଆଦେଶକୁ ଅଭିଶାପ ଛଳରେ ଆଶୀର୍ବାଦ ବୋଲି ସ୍ଥିର କଲି ।

ତୁମ କଥା ଜୀବନରେ କେବେ ଭୁଲିପାରିବ ନାହିଁ ପ୍ରଭା । ମୋ ହୃଦୟରେ ବିଶେଷ ଅଂଶଟିଏ ଅପୂରଣ ହୋଇ ରହିଥିଲା । ସେହି ଖାଲି ଜାଗାଟିକୁ ତୁନେଇଁ ପ୍ରଥମେ ହାତ ବଢ଼ାଇ ଦେଖାଇ ଦେଇଛ । ଅନେକ ଡେରିରେ ବୁଝିଲି, ନାରୀର ବିନା ସାହଚର୍ଯ୍ୟରେ ପୁରୁଷ ଜୀବନରେ ସାର୍ଥକତା ଆସେନା’ ।

ପୁରୁଷ ଏକାକୀ ଚଳିବାର ଧୈର୍ଯ୍ୟ ଶିଖିଛି । ସ୍ତ୍ରୀର କିନ୍ତୁ ପଦେ ପଦେ ବିଚ୍ୟୁତିର ସମ୍ଭାବନା ରହିଛି । ସ୍ତ୍ରୀ ଆଶ୍ରିତା, ପୁରୁଷ ଆଶ୍ରୟଦାତା । ପୁରୁଷହିଁ ସ୍ତ୍ରୀର ଅବଲମ୍ବନ । ଆପଣ ପୁଣି ଥରେ ସ୍ଵାସ୍ଥ୍ୟ ଲାଭ କରନ୍ତୁ, ଏହାହିଁ କାମନା କରୁଛି । କ୍ଷଣପ୍ରଭା ଉତ୍ତର ଦେଲା ।

କିନ୍ତୁ ମୁଁ କ’ଣ ଚାହେଁ ଜାଣ ?

କ-ଅଣ ?

ଚିରଦିନ ପାଇଁ ଶଯ୍ୟାଶାୟୀ ହୋଇ ରହିଥାନ୍ତି । ତୁମେ ପାଖରେ ବସି ମିଠା ମିଠା କଥା କହନ୍ତ । ଆମେ ପାଖକୁ ପାଖ ଲାଗି ବସି ଦୁଃଖ ସୁଖ ହୁଅନ୍ତେ । ତୁମେ ହସିଲେ ମୁଁ ହସନ୍ତି, ତୁମେ କାନ୍ଦିଲେ ମୁଁ କାନ୍ଦନ୍ତି ।

ବାସ୍, ବାସ୍, ସେତିକି କହିଥା । ପ୍ରଥମେ ସୁସ୍ଥ ହୁଅ, ତା’ପରେ ଏ ଅଲଣାକଥା ଶୁଣାଇବ ।

ତାହାହେଲେ କଥାଦିଅ ପ୍ରଭା, ମୋତେ ଛାଡ଼ି କୁଆଡ଼େ ଯିବନାହିଁ ।

ନା, ବାବା, ନା । ହେଲା ଏଥର ?

ପାଖକୁ ଆସିଲ ପ୍ରଭା ! ଆହୁରି ପାଖେଇ ଆସ !! ତୁମ ମୁହଁର ରଙ୍ଗକୁ ଟିକିଏ ଭଲକରି ଦେଖିନିଏଁ । ...ତୁମର ଏ ହାଲୁକା ହସ ଖଣ୍ଡକ ସୁରଭିତ ପାରିଜାତର କଥା କହୁଛି । ତୁମେ ଖୁବ୍ ସୁନ୍ଦର ପ୍ରଭା ! ବହୁତ ସୁନ୍ଦର !

ପ୍ରଭା ଲାଜରେ ଭିଡ଼ମୋଡ଼ି ହେଉଥାଏ ।

Image

 

Unknown

ବ୍ୟତିକ୍ରମ

 

ଅନେକ ଦିନ ତଳେ... । ଭାରତ ସେତେବେଳେ ପରାଧୀନ ଥିଲା ।

 

ସହରକୁ ନୂଆ ଅଫିସର ଜଣେ ଆସିଲେ । ଗୋରା ଅଫିସର । ନୂଆ ହୋଇ ବିଦେଶରୁ ଆସିଛନ୍ତି । ତାଙ୍କୁ ସ୍ଵାଗତ ଜଣାଇବା ସକାଶେ ସମଗ୍ର ସହର ପ୍ରସ୍ତୁତ ହେଲା । ସହରର ପ୍ରଧାନ ପ୍ରଧାନ ଛକରେ ଆତ୍ମତୋରଣ ସଜା ହେଲା । ଇଂରେଜ ଅଫିସରଙ୍କ ଦୀର୍ଘାୟୁ କାମନାକରି ସ୍ୱାଗତିକା ଲେଖାଗଲା ।

 

ଇଂରେଜ ଅଫିସର ଇଂରେଜ ଜାତିର ପ୍ରତୀକ । ଇଂରେଜ ଜାତିର ଗୌରବ ନେଇ ସହରକୁ ଆସୁଛନ୍ତି । ଭାରତ ଶାସକର ସମସ୍ତ ସମ୍ମାନ, ସବୁ ଗର୍ବ ତାଙ୍କ ହାତରେ । ବିଟ୍ରେନ ରାଣୀଙ୍କ ସ୍ଵତନ୍ତ୍ର ଆଶୀର୍ବାଦ ପାଇଛନ୍ତି ସେ ।

 

ନୂତନ ଅଫିସରଙ୍କୁ ସନ୍ତୁଷ୍ଟ କରିବାକୁ ସମସ୍ତେ ସଚେଷ୍ଟ । ଉଦ୍‍ବିଗ୍ନ ସହକାରେ ଅନେଇ ରହିଛନ୍ତି ତାଙ୍କ ଆଗମନକୁ । ସୁନ୍ଦର, ସୁବାସିତ ଫୁଲତୋଡ଼ାର ସୁବନ୍ଦୋବସ୍ତ ହୋଇସାରିଛି । ପାଖ ସହରରୁ ଗୋରା ସାହେବମାନେ ନୂଆ ଅଫିସରଙ୍କ ସଙ୍ଗେ ପରିଚିତ ହେବାକୁ ଆସି ଜମାହେଲେ । ନିଜ ଦେଶ ଓ ପରିବାର କଥା ବୁଝିବେ । ଏଭିତରେ ଇଂଲଣ୍ଡରୁ କିଏ କେଉଁଠି ଆସି ରହିଲେଣି ତାଲିକା କରିନେବେ । ଅବସର ସମୟରେ ଏକତ୍ରିତହୋଇ ଆଳାପ ଆଲେଚନା କରିବାକୁ ଖୋରାକ ମିଳିଯିବ ।

 

ସହର ସୁସଜ୍ଜିତ ହେଲା । ଅଭିନନ୍ଦନର ସମଗ୍ର ଜିନିଷ ପ୍ରସ୍ତୁତ ହେଲା । ଦେଶୀ ଅଫିସରମାନେ ବେଦେଶୀ ପୋଷାକରେ ଅଭ୍ୟସ୍ତ ହେବାପାଇଁ ଅଭ୍ୟାସ କରି ଶିଖିଲେ । ଏଇ ବେଶପୋଷାକରେ ଅନ୍ତତଃ ନୂଆ ଅଫିସରଙ୍କ ମନରେ ଧାରଣା ଜନ୍ମାଇ ହେବ ଯେ ସେମାନେ ଇଂରେଜ ଜାତିକୁ ସମ୍ମାନ କରନ୍ତି । ଇଂରେଜ ଜାତିର ସଂସ୍କୃତି ଉପରେ ସେମାନଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି । ଏତକ ବିଶ୍ଵାସ ଜନ୍ମାଇଦେବାରେ କୃତକାର୍ଯ୍ୟ ହେଲେ, ଚାକିରିରେ ଉନ୍ନତି ଅଛି । ଏତେବଡ଼ ସୁଯୋଗକୁ ଜାଣିଶୁଣି କ’ଣ କେହି ଅବହେଳା କରିପାରେ ?

 

ନୂଆ ଅଫିସରଙ୍କୁ ବେଣ୍ଡବାଜା ବଜାଇ ସ୍ଵାଗତ କରାଗଲା । ତାଙ୍କର ସମ୍ମାନ ଉଦ୍ଦେଶ୍ୟରେ ତୋପ ଫୁଟିଲା । କ୍ଲବ ଘରେ ନାଚତାମସାର ଆୟୋଜନ ହେଲା ।

 

ନୂଆ ଅଫିସରଙ୍କ ଆଖିରେ ଭାରତର ସବୁ ଜିନିଷ ନୂଆ । ଏ ଦେଶର ସ୍ତ୍ରୀ ପୁରୁଷ, ସେମାନଙ୍କ ବେଶଭୂଷଣ ଖୁବ୍ ଚମତ୍କାର ଲାଗୁଥାଏ । ସେ ଆନନ୍ଦ ଓ ଗର୍ବରେ ଫାଟି ପଡ଼ୁଥାନ୍ତି । ସେ ଆଗ୍ରହରେ ଆସି ସମସ୍ତ ଭାରତୀୟ ଅଫିସରଙ୍କ ସଙ୍ଗେ କରମର୍ଦ୍ଦନ କଲେ । ହସି ହସି ଭଲମନ୍ଦ ପଚାରିଲେ । ସମସ୍ତେ ଅନୁଭବ କଲେ, ନୂଆ ଅଫିସର ଜଣକ ଅନ୍ୟାନ୍ୟ ସାହେବଙ୍କଠାରୁ ଅନେକ ପୃଥକ୍ । ଗର୍ବ ନାହିଁ କି ଅଭିମାନ ନାହିଁ । ନଜ ପଦବୀର ବିପୁଳ କ୍ଷମତା ତାଙ୍କ ଉଦାର ହୃଦୟରେ କୌଣସି ପ୍ରତିଫଳନ ସୃଷ୍ଟିକରି ନାହିଁ । ଭାରତୀୟ ଅଫିସରମାନେ ଆଶ୍ଵସ୍ତହେଲେ; କିନ୍ତୁ ଗୋରାଲୋକଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଗଲା । ସେମାନେ ନବାଗତ ଅଫିସରଙ୍କ ମନଖୋଲାଭାବକୁ ସମର୍ଥନ କରିପାରୁ ନ ଥିଲେ । ଯେତେହେଲେ ଭାରତ ପରାଧୀନ ରାଜ୍ୟ । ଭାରତର ପ୍ରଜାବର୍ଗ ବ୍ରିଟିଶ୍ ସାମ୍ରାଜ୍ୟର ପଦାନତ ପ୍ରଜା । ଶାସକ ଓ ଶାସିତଙ୍କ, ଭିତରେ ଏକ ଉଲ୍ଲେଖଯୋଗ୍ୟ ବ୍ୟବଧାନ ରହିବ ହିଁ ରହିବ ।

 

କିନ୍ତୁ ନବାଗତ ଅଫିସରଙ୍କ ପତ୍ନୀଙ୍କ ଆଖିରେ ବ୍ୟାକୁଳତା ପ୍ରକାଶ ପାଉଥିଲା । ବିଳାସ ଭୂମି ଇଂଲଣ୍ଡକୁ ଛାଡ଼ି ଆସିବାପାଇଁ ସେ ପ୍ରସ୍ତୁତ ନ ଥିଲେ । ଆତ୍ମୀୟ ପରିଜନ, ସାଙ୍ଗସୁଖଙ୍କ ସ୍ନେହୀ ମୁହଁଗୁଡ଼ିକ ଆଖିଆଗରେ ଭାସି ଉଠୁଥିଲା । ମାତୃଭୂମିର ମୋହ ତାଙ୍କ ହୃଦୟରେ କାରୁଣ୍ୟବୋଳି ଦେଇଥିଲା ।

 

ଇଂଲଣ୍ଡ ଓ ଭାରତ ! ଗୋଟିଏ ଶାସକର ଦେଶ ହେଲେ ଅନ୍ୟଟି ଶାସିତର ରାଜ୍ୟ ! ଗୋଟିଏ ଭୂଇଁରେ ଅତ୍ୟାଧୁନିକ ବିଳାସର ସାଜ ସଜ୍ଜା । ଅନ୍ୟଟିରେ ସେହି ଆଦିମ ମାଟି ଆଉ ଫସଲ । ଲୋକଙ୍କ ମୁହଁରେ ସୁଖସ୍ଵାଚ୍ଛନ୍ଦ୍ୟର ବିକାଶ ନାହିଁ । ଆଖି କୋଣେକୋଣେ ଆତଙ୍କ ଓ ବ୍ୟାକୁଳତାର ଇଙ୍ଗିତ ।

 

ଅଫିସରଙ୍କ ତନ୍ଵୀ ସ୍ତ୍ରୀ ଏହି ସମବେତ ନରନାରୀଙ୍କୁ ଘୃଣା, ଅଭିଶାପ ଭରା ଆଖିରେ ଥରେ ଅନାଇ ମୁଣ୍ଡ ପୋତିଦେଲେ । ସେ ସ୍ଵାମୀଙ୍କ ପଛେ ପଛେ ପ୍ରାଣହୀନା ପ୍ରତିମାପରି ଚାଲୁଥିଲେ ।

 

ଆଗରେ ପରିଚିତ କଣ୍ଠ ଶୁଭୁଛି । କଣ୍ଠସ୍ଵରରେ ବେପରୁଆ ମନୋଭବ । ସାହେବାଣୀ ଆଖି ଉଠାଇ ସମଗୋତ୍ରୀ ସ୍ତ୍ରୀପୁରୁଷଙ୍କୁ ଚାହିଁଲେ । ବିଷାଦଗ୍ରସ୍ତ ମୁଖମଣ୍ଡଳର ସମସ୍ତ ଗ୍ଳାନି, ସବୁ ଦୁଃଖ ଦୂରେଇ ଗଲା । ଶିରା-ପ୍ରଶିରାରେ ତଡ଼ିତ୍‍ ପ୍ରବାହ ଖେଳିଗଲା । ସେ ଉତ୍ସାହ ସହକାରେ ଆସି ଆପଣାର ଲୋକଙ୍କ ସଙ୍ଗରେ ମିଶିଗଲେ । ଚୁମ୍ବନ ଓ କରମର୍ଦ୍ଦନ ଉଭୟ ଗୋଷ୍ଠୀର ଲୋକଙ୍କୁ ଏକାକାର କରିଦେଲା । ଭାରତ ପୁଣି ଥରେ ସୁନ୍ଦର ଦେଖାଗଲା ।

 

ନବାଗତ ଅଫିସର, ଅଫିସ ଦାୟିତ୍ଵନେଇ ବ୍ୟସ୍ତଥିଲାବେଳେ, ତରୁଣୀ ସ୍ତ୍ରୀ ଓ ଆପଣାର ଲୋକଙ୍କ ସଙ୍ଗରେ ହସଖୁସିରେ ବ୍ୟସ୍ତଥିଲେ ।

 

—ଦୁଇ—

 

ଅଫିସରଙ୍କ ଅନେକ ସୁନାମ ସହରରେ । କୌଣସି ବିଷୟରେ ନିଷ୍ପତ୍ତି ଦେବାପୂର୍ବରୁ ସେ ବିଷୟଟିକୁ ବୁଝିବିଚାରି ହୃଦୟଙ୍ଗମ କରନ୍ତି । କାହାରିଦ୍ଵାରା ପ୍ରଭାବିତ ହୁଅନ୍ତି ନାହିଁ କି କାହାରି କଥା ଶୁଣନ୍ତି ନାହିଁ । ତାଙ୍କ ନିଷ୍ପତ୍ତିରେ କୌଣସି ଦୁର୍ବଳତା ନ ଥାଏ । ଧନୀ, ଗରିବ ସମସ୍ତଙ୍କ ସକାଶେ ସମାନ ନିୟମ । ସେ ନିୟମ ଦୋଷୀକୁ ଦଣ୍ଡଦେବାରେ କୌଣସି ଭୁଲ୍‍ କରେ ନାହିଁ ।

 

ଗୋରାସାହେବର ବିଚାରାଳୟରେ ଇଏ ଏକ ସମ୍ପୂର୍ଣ୍ଣ ନୂଆ ଘଟଣା । ସହରରେ ହଇଚଇ ପଡ଼ି ଯାଇଛି । କୌଣସି ଲୋକ ଅଫିସରଙ୍କ ମୁହଁକୁ ଯାଇ ପ୍ରକାଶ୍ୟରେ ବା’ ଗୋପନରେ ପ୍ରଭାବ ବିସ୍ତାର କରିବାକୁ ଭୟ କରୁଛନ୍ତି । ତାଙ୍କ ବ୍ୟକ୍ତିତ୍ଵ ଆଗରେ ନଇଁ ଯାଉଛନ୍ତି ସମସ୍ତେ ।

 

ଏହି ସହରରେ ଆଗରୁ ଯେ ଗୋରା ଅଫିସର ନ ଥିଲେ ଏମିତି କଥା ନୁହେଁ । ଗୋରା ଅଫିସର ବିଚାରାଳୟରେ ବସି କେସ୍ ବିଚାର କଲାବେଳେ ସେ ବିଚାରଣାର ଭଲମନ୍ଦ କଥା ଆଗରୁ ଜଣା ପଡ଼ିଯାଉଥିଲା । ଧନୀ ଲୋକେ ବାର ପ୍ରକାର ଭୁଲ୍‍ କରିବି’ ଛାତି ଫୁଲାଇ ନିର୍ଭୟରେ ଯା’ ଆସ କରିପାରୁଥିଲେ । ଟଙ୍କା ଯାହାର, ନ୍ୟାୟ ତାହାର ନିୟମରେ ସବୁ ଚାଲୁଥିଲା । ମଦ୍ୟପୀ, ବିଳାସୀ ଅଫିସର ଆଖିବୁଜି ରାୟ ଲେଖୁଥିଲେ । ଲୋକଙ୍କର ଧାରଣା ହୋଇଯାଇଥିଲା ଯେ, ନ୍ୟାୟ ବି’ ଏକ ବ୍ୟବସାୟ । ଟଙ୍କା ଖଟାଇଲେ ଲାଭହୁଏ, ନ୍ୟାୟ ମିଳେ ।

 

କିନ୍ତୁ ସ୍ତ୍ରୀ ତାଙ୍କର ଗୋରାଲୋକଙ୍କ ସକାଶେ ଉଦ୍ଦିଷ୍ଟ ସ୍ୱତନ୍ତ୍ର କ୍ଲବରେ ନିଜକୁ ଗୋଟାପଣେ ବୁଡ଼ାଇ ରଖିଥିଲେ । ନାନା ଆମୋଦପ୍ରମୋଦର ପୃଷ୍ଠପୋଷକତା କରି ଶସ୍ତା ସୁନାମ ଅର୍ଜନ କରିବାର ପକ୍ଷପାତୀ ଥିଲେ । ଭାରତ ଭିତରେ ଛୋଟ ଲଣ୍ଡନ ସହରଟିଏ ଗଢ଼ିନେବାକୁ ଆପ୍ରାଣ ଚେଷ୍ଟା କରୁଥାନ୍ତି । ଲଣ୍ଡନ ସହରର ସମସ୍ତ ବିଳାସକୁ କ୍ଲବ ଘର ଭିତରେ ଠୁଳ କରି ନେଇଥା’ନ୍ତି । ରେକର୍ଡ଼ ବଜାଇ ସହଯୋଗୀ ସଭ୍ୟଙ୍କ ସଙ୍ଗରେ ଏକତ୍ର ବଲ୍‍ଡାନ୍‍ସ କରିବାଠାରୁ ଆରମ୍ଭକରି ମଦ୍ୟପାନ କରି ବିଭୋଳ ହେବା, ପରପୁରୁଷ ସଙ୍ଗରେ ହସି ଖେଳି ସମୟ ଅତିବାହିତ କରିବା ତାଙ୍କର ଏକ ଦୈନନ୍ଦିନ କାର୍ଯ୍ୟକ୍ରମରେ ପରିଣତ ହେଲା । ସମସ୍ତ ସଭ୍ୟ କ୍ରମେ ନିର୍ବିବାଦରେ ଗ୍ରହଣ କରିନେଲେ ଯେ, ନବାଗତ ଅଫିସରଙ୍କ ସୁନ୍ଦରୀ ସ୍ତ୍ରୀ ହିଁ କ୍ଲବ ଘରର ଆତ୍ମା । ତାଙ୍କ ଅନୁପସ୍ଥିତିରେ ସମସ୍ତ କାର୍ଯ୍ୟପ୍ରଣାଳୀ ନିର୍ଜୀବ ଓ ନୀରସ ମନେ ହେଉଥିଲା, ଅବିବାହିତ ତରୁଣକୁଳ ଘଣ୍ଟା ଘଣ୍ଟା ଧରି ତାଙ୍କୁ ଅପେକ୍ଷା କରି ରହୁଥିଲେ ।

 

ସୁଦୂର ବିଦେଶରେ ଗୋଟିଏ ଗୋରାତରୁଣୀର ସାନ୍ନିଧ୍ୟ ଅବିବାହିତ ଗୋରାତରୁଣର ସର୍ବଶ୍ରେଷ୍ଠ ଆକର୍ଷଣ ଥିଲା । ତାଙ୍କ କଅଁଳ ଓଠର ଚଞ୍ଚଳ ଚୁମ୍ବନଟିଏ ବା ଗଭୀର ଆଖିର ଅର୍ଥଭରା କଟାକ୍ଷଟିଏ ତା’ ଜୀବନର ସର୍ବଶ୍ରେଷ୍ଠ ପ୍ରାପ୍ତି ଥିଲା ।

 

ଭାରତୀୟ ଗଣିକାମାନଙ୍କ ଶସ୍ତ। ନାଚ ଆଉ ସେମାନଙ୍କୁ ଆକୃଷ୍ଟ କରିପାରଲା ନାହିଁ । ସେମାନେ ପୁଣିଥରେ ନିଜ ଭିତରେ ନୂତନ ଅନୁଭୂତିର ସିତ୍କାର ଅନୁଭବ କଲେ ।

 

କିନ୍ତୁ ସେହି ନବାଗତ ଅଫିସର ? ସେ ସ୍ଵଜାତୀୟ ବନ୍ଧୁମହଲରୁ ଯେତିକି ଦୂରେଇ ଗଲେ, ତାଙ୍କ ପତ୍ନୀ ସେମାନଙ୍କ ପାଖକୁ ସେତିକି ପାଖେଇ ଆସିଲେ ।

 

ପତି–ପତ୍ନୀର ସମ୍ପର୍କ କ୍ଷୁଣ୍ଣ ହେବାକୁ ଆରମ୍ଭ ହେଲା ।

 

—ତିନି—

 

କ୍ଳାନ୍ତି ଅଫିସର ଘରକୁ ଫେରି ଦେଖନ୍ତି, ଘରେ ପତ୍ନୀ ନାହିଁ । ମନ ତାଙ୍କର ହତାଶାରେ ଭାଙ୍ଗିଯାଏ । ପଚାରି ବୁଝନ୍ତି, ପତ୍ନୀ କ୍ଲବ ଘରକୁ ଚାଲି ଯାଇଛନ୍ତି ।

 

ଦିନେ ସେ ପତ୍ନୀଙ୍କୁ ଖୋଜିବା ପାଇଁ କ୍ଲବ ଘରକୁ ବାହାରିଲେ, ସେଇଠି ଗୋଟିଏ ନାରୀକୁ ବେଢ଼ିଯାଇ, ଦଶପନ୍ଦରଜଣ ମାତାଲ ଯୁବକ ଆଶ୍ଳିଳ ନୃତ୍ୟଭଙ୍ଗୀରେ ଛିଡ଼ା ହୋଇଛନ୍ତି । କ୍ଲବରେ ଦ୍ଵିତୀୟ ସ୍ତ୍ରୀଲୋକ କେହି ନାହିଁ । ସମସ୍ତ ତରୁଣଙ୍କ କ୍ଷୁଧିତ ଆଖି ସେହି ଏକମାତ୍ର ତରୁଣୀର ଶରୀର-ବେଳାଭୂମିରେ ବିବସ୍ତ୍ର ବିହାର କରୁଛି ।

 

ତରୁଣ ଅଫିସର ନିଜ ସ୍ତ୍ରୀକୁ ଚିହ୍ନିପାରି ବିଷଣ୍ଣ ବଦନରେ ଲେଉଟିଆସିଲେ । ସନ୍ଧ୍ୟା ପରେ ବି’ ସ୍ତ୍ରୀ ଫେରିଲେ ନାହିଁ । ସେଦିନ ଫେରିଲାବେଳକୁ ତାଙ୍କର ଅନେକ ଡେରି ହେଲା । ସ୍ତ୍ରୀଙ୍କୁ ପଚାରି ସେ ଯେଉଁ ଉତ୍ତର ପାଇଲେ, ତାଗିଦ୍ କରିବାକୁ ଆଉ ଆଗେଇ ପାରିଲେ ନାହିଁ ।

 

ବିଦେଶରେ କିଏ ଅଛି ଯେ କାହାଆଗରେ ଫେରାଦ କରିବେ ? ସହଜେ ସମସ୍ତଙ୍କ ଆଖି ମୁଷ୍ଟିମେୟ ଗୋରାଲୋକଙ୍କ ଉପରେ, ପାରିବାରିକ ଜୀବନରେ ସାମାନ୍ୟ ବ୍ୟତିକ୍ରମ ହେଲେବି’ ସାରା ସହର ଚର୍ଚ୍ଚା କରିବ ସେ ବ୍ୟତିକ୍ରମକୁ । ପୁଣି ନିଜର ତ’ ପଦମର୍ଯ୍ୟାଦା ରହିଛି ! ପୁରୁଷକାରକୁ ଜବତ କରି ସେ ନିଜ କାମ କରିଯାଉଥାନ୍ତି ।

 

ଦିନେ ଅଫିସରୁ ଫେରି ଦେଖିଲେ, ଘରେ ସ୍ତ୍ରୀ ନାହିଁ । ସହରରେ ବି’ ତାଙ୍କର ଦେଖା ମିଳିଲା ନାହିଁ । ସ୍ତ୍ରୀଙ୍କ ସଙ୍ଗରେ ନିଜ ଦେଶର ଜଣେ ତରୁଣ ଅଫିସର ମଧ୍ୟ ଅନ୍ତର୍ଦ୍ଧାନ ହୋଇଛନ୍ତି । ଘଟଣାଟା ଆଉ ଅଛପା ରହିଲା ନାହିଁ । ଦୁଇଦିନ ପରେ ସ୍ତ୍ରୀଙ୍କ ପାଖରୁ ଆଉ ଖଣ୍ଡେ ଚିଠି ପାଇଲେ-। ଲେଖାଥିଲା ମୁଁ ଇଂଲଣ୍ଡକୁ ଚାଲିଗଲି । ତୁମେ ଆଉ ମୋତେ ଖୋଜିବ ନାହିଁ । ଘରେ ପହଞ୍ଚି ଛାଡ଼ପତ୍ରର କାଗଜପତ୍ର ପଠାଇଦେବି ।

 

—ଚାରି—

 

ଅଫିସରଙ୍କ ମନରୁ ସ୍ତ୍ରୀ କଥା କାଳକ୍ରମେ ପଶୋରିଗଲା ।

 

ସେ ନିଜ କର୍ତ୍ତବ୍ୟରେ ବ୍ୟସ୍ତରହି ନିଜକୁବି’ ଭୁଲିଗଲେ । ଭାରତୀୟ ପ୍ରକୃତିର ଶୋଭାସମ୍ପଦ, ଜନସାଧାରଣଙ୍କ ଦେବସୁଲଭ ଆଚାର ବ୍ୟବହାର ତାଙ୍କୁ ମୋହ ମୁଗ୍ଧ କଲା । କଳାଗୋରା ବ୍ୟବଧାନକୁ ପଦାଘାତ କରି ସହରର ସମସ୍ତଙ୍କ ସଙ୍ଗେ ମିଶି ସେମାନଙ୍କ ସାଧାରଣ ସୁଖଦୁଃଖକୁ ଆପଣାର କରିନେଲେ । ଅନେକ ଲୋକ, ଅନେକ ସମସ୍ୟା ନେଇ ତାଙ୍କ ନିକଟକୁ ଆସୁଥିଲେ । ଯଥାଶକ୍ତି ସମସ୍ୟାର ସମାଧାନ କରି, ସମସ୍ତଙ୍କୁ ଅଶ୍ଵାସନା ଦେଇ ସେ ଫେରାଇ ଦେଉଥିଲେ ।

 

ସହରର ସମସ୍ତେ ଭାବିଲେ, ଗୋରା ଅଫିସର ଜଣକ ମଣିଷରୂପୀ ଦେବତା ଜଣେ । ବିଦେଶରୁ ଆଶୀର୍ବାଦ ନେଇ ଭାରତର ମଙ୍ଗଳ ସାଧନ ପାଇଁ ଆସିଛନ୍ତି ।

 

ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଆବାଲ୍ୟବୃଦ୍ଧବନିତାଙ୍କର ସେ ହେଲେ ପରମ ସ୍ନେହାସ୍ପଦ ।

 

ଭାରତୀୟ ପ୍ରଜାର ମଙ୍ଗଳ ସକାଶେ ନିଜକୁ ନିୟୋଜିତ କରିପାରିଲେ, ସେ ଅଶେଷ ଆନନ୍ଦ ଲାଭ କରୁଥିଲେ । ଭାରତର ପୂଜ୍ୟ ଗ୍ରନ୍ଥ ‘ଗୀତା’ ତାଙ୍କ ଜୀବନଧାରାକୁ ବିଶେଷ ରୂପେ ପ୍ରଭାବିତ କଲା । ନିଜ ବାସଭବନକୁ ଗୀତାଚର୍ଚ୍ଚା ଆଶ୍ରମରେ ପରିଣତ କରି ବିଭିନ୍ନ ଯୁକ୍ତି ଓ ମିମାଂସାକୁ ଆଗ୍ରହରେ ଅନୁଧ୍ୟାନ କରୁଥିଲେ । କ୍ରମେ ସେ ସନ୍ନ୍ୟାସ ଧର୍ମ ଗ୍ରହଣ କଲେ । ଚାକିରି ଦରମାର ଉଦ୍‍ବୃତ୍ତ ଆୟକୁ ଦୁଃଖୀ ଦରିଦ୍ରଙ୍କ ସେବାରେ ଖଟାଇ ଦେଲେ । କେବଳ ତାଙ୍କର ଦର୍ଶନ ଲାଭ ସକାଶେ ଦୂରଦୂରାନ୍ତରୁ ନିତିଦିନ ସକାଳେ ତାଙ୍କ ବାସଭବନ ସମ୍ମୁଖରେ ଅଜସ୍ରଲୋକ ସମାବେଶ ହେବାକୁ ଲାଗିଲେ । ସମବେତ ଜନତାକୁ ଶୁଦ୍ଧ ଭାରତୀୟ ଭାଷାରେ ଉପଦେଶ ଦେଇ ସେ ବିଦାୟ କରୁଥିଲେ ।

 

କ୍ରମେ ସହରରେ ତାଙ୍କର ଲୋକପ୍ରିୟତା ଆଶ୍ଚର୍ଯ୍ୟଭାବରେ ବୃଦ୍ଧି ପାଇବାକୁ ଲାଗିଲା । ଗୋରାସହକର୍ମୀମାନେ ଅଭିସନ୍ଧିମୂଳକ କୁତ୍ସାରଟନା କରି ତାଙ୍କ ଜନପ୍ରିୟତାକୁ ଯେତିକି ହ୍ରାସ କରିବାକୁ ଚେଷ୍ଟା କଲେବି’ ପରୀକ୍ଷିତ ସୁନା ପରି, ଜନପ୍ରିୟତା ଉତ୍ତରୋତ୍ତର ବୃଦ୍ଧିପାଇବାକୁ ଲାଗିଲା-। ଦରିଆପାରିର କର୍ଣ୍ଣଧାରଙ୍କ କାନକୁ ରିପୋଟ୍ ଗଲା । ଅତି ଅଳ୍ପଦିନ ମଧ୍ୟରେ ଇଂଲଣ୍ଡନରୁ ସେ ଡାକରାପାଇ ଭାରତ ଛାଡ଼ିଲେ ।

 

ଭାରତ ଛାଡ଼ିଲାବେଳେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବାକୁ ଯେଉଁ ସଭା ହେଲା, ସେ ସେହି ସମ୍ବର୍ଦ୍ଧନାର ଉତ୍ତର ଦେବାକୁ ଯାଇ କାନ୍ଦି ପକାଇଥିଲେ । ଭାରତ ପ୍ରତି ଅପୂର୍ବମମତା ସୃଷ୍ଟିହୋଇଥବାର ଏହା ଏକ ନର୍ଭୁଲ ପ୍ରମାଣ । କହିଥିଲେ, ସରଳ ଶାନ୍ତ ଭାରତବାସୀ ଦେବତା ତୁଲ୍ୟ । ପ୍ରେମ ଓ ଶାନ୍ତିହିଁ ସେମାନଙ୍କ ଜୀବନର ମୂଳମନ୍ତ୍ର । ଇଂରେଜ ଜାତି ଲଜ୍ଜିତ ହୋଇ ନିଜର ଭୁଲ୍‍ ସ୍ୱୀକାର କରିବା ସଙ୍ଗେ ସଙ୍ଗେ ଏ ରାଜ୍ୟ ଛାଡ଼ି ଚାଲିଯିବାକୁ ବାଧ୍ୟ ହେବ । ସେଦିନ ସୁଦୂର ନୁହେଁ ।

 

ଶେଷରେ କହିଲେ, ଇଂରେଜ ଜାତିକୁ କଦାପି ବିଶ୍ଵାସ କରିବ ନାହିଁ । ମିଥ୍ୟା ଓ ପ୍ରବଞ୍ଚନା ସେମାନଙ୍କ ରକ୍ତର ପ୍ରଥମ ସୃଷ୍ଟି । ଆଜ ମୁଁ ଲଜ୍ଜିତ ଏଇଥିପାଇଁଯେ, ମୁଁ ଇଂରେଜ ଜାତିରେ ଜନ୍ମ ହୋଇଛି । ଏ ଗୋରାଦେହ ଯଦି କଳା ହୋଇଥାନ୍ତା ଓ ଭାରତର ଦେବଭୂମିରେ ଜନ୍ମ ହୋଇଥାନ୍ତି, ତାହାହେଲେ ମୋପକ୍ଷରେ ସେ ହୋଇଥାନ୍ତା ସବୁଠୁ ଗୌରବର ବିଷୟ ।

 

ସେଇ ଯେ ସେ ଭାରତ ଛାଡ଼ି ଚାଲିଗଲେ, ଆଉ କେବେହେଲେ ଭାରତକୁ ଫେରିଆସିଲେ ନାହିଁ ।

 

ତାଙ୍କ ସ୍ଥାନ ପୂରଣ ପାଇଁ ନୂତନ ନିଯୁକ୍ତିପାଇ ଦରିଆପାରିରୁ ଆସିଥିବା ନୂତନ ଅଫିସରଙ୍କ ମୁହଁରୁ ଶୁଣିବାକୁ ମିଳିଲା, ଭୂତପୂର୍ବ ଗୋରା ଅଫିସରଙ୍କୁ ସରକାରୀ ଚାକିରିରୁ ବାଧ୍ୟତାମୂଳକ ଅବ୍ୟାହତି ଦିଆଯାଇଛି । କାରଣ ସେ କଳାଲୋକଙ୍କ ସଙ୍ଗେ ମିଶି ଇଂଲଣ୍ଡ ରାଣୀଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲେ !!

Image

 

ମୃତ୍ୟୁ

 

ଜମିଦାରଙ୍କ ଜୀବନର ଶେଷ ଦିବସ ।

 

ଗାଁର ସମସ୍ତେ ଜାଣିପାରିଲେ, ଜମିଦାର ଜୀବନାନନ୍ଦଙ୍କ ମୃତ୍ୟୁ ଆଗେଇ ଆସୁଛି । ଜୀବନକାଳ ଭିତରେ ଉପାର୍ଜ୍ଜନ ଧନସମ୍ପତ୍ତି, ମାନ-ସମ୍ମାନ କିଛି ହେଲେ ଆଉ ତାଙ୍କୁ ଅଟକାଇ ରଖିପାରିବ ନାହିଁ । ବିଶ୍ଵସ୍ତ ଚାକର-ନୌକର ଆଖିରୁ ଲୁହ ପୋଛିବାକୁ ଲାଗିଲେ । ପୁତ୍ର ବିଶ୍ୱମ୍ବର ଓ ବିଜୟାନନ୍ଦ ପଥର ପରି ଚାହିଁ ରହିଲେ । ଘରେ ମାଇପୀମାନଙ୍କ ଭିତରେ କାନ୍ଦ ବୋବାଳି । ଛୋଟ ଛୋଟ ନାତି ନାତୁଣୀ ବିସ୍ମୟଆଖିରେ ଅନେଇ ରହିଛନ୍ତି । ସେମାନେ ଜୀବନର କୌଣସି ରହସ୍ୟ ଦେଖିନାହାନ୍ତି । ଜୀବନର ଆବିର୍ଭାବ ଓ ବିଦାୟ ଉଭୟଟି ଗୋଟିଏ ଗୋଟିଏ ପ୍ରହେଳିକା ।

 

ଜୀବନାନନ୍ଦଙ୍କ ସ୍ତ୍ରୀ, ବିଦାୟମୁଖୀ ସ୍ଵାମୀଙ୍କର ପାଦତଳେ ବସି ନିଥର ଆଖିରେ ଅନେଇଛନ୍ତି । ଏତେଦିନର ବନ୍ଧନ ସତେ କ’ଣ ମୁହୂର୍ତ୍ତକ ଭିତରେ ଛିନ୍ନ ହୋଇଯିବ ? ତାଙ୍କ ହୃଦୟର ସ୍ନେହମମତା ପାଇଁ ମୃତ୍ୟୁ ପାଖରେ କ’ଣ ଏତିକି ଟିକିଏ ଦୟା ନାହିଁ ? ସେ ମନେ ମନେ ଭଗବାନଙ୍କ ପାଖରେ ଗୁହାରି କରୁଛନ୍ତି । ଏତେବଡ଼ ବିପଦରେ ଯଦି ଉଦ୍ଧାର କରିବାର କୌଣସି ଶକ୍ତି କାହାପାଖରେ ଥାଏ, ସେ ଈଶ୍ୱରଙ୍କ ବ୍ୟତୀତ ଆଉ କେହି ନୁହେଁ ।

 

ଅନେକଦିନ ତଳେ ସେ ମନ ଆନନ୍ଦରେ ଜୀବନାନନ୍ଦଙ୍କ ହାତ ଧରିଥିଲେ । ଜୀବନାନନ୍ଦଙ୍କ ପ୍ରେମ ଓ ଶ୍ରଦ୍ଧା ତାଙ୍କୁ ଗୋଟାପଣେ ବାନ୍ଧିରଖିଥିଲା । ସାଙ୍ଗହୋଇ ଜୀବନର ବିଭିନ୍ନ ଅନୁଭୂତିର ସଂସ୍ପର୍ଶରେ ଆସିଛନ୍ତି । ସୁଖ ଆଉ ଦୁଃଖକୁ ଚାରୋଟି ହାତବଢ଼ାଇ ଗ୍ରହଣ କରି ନେଇଛନ୍ତି । ସୁଖରେ ଆତ୍ମବିଭୋର ହୋଇ ହସିଛନ୍ତି । ପ୍ରାପ୍ତିପାଇଁ ଆନନ୍ଦ ପ୍ରକାଶ କରିଛନ୍ତି । ପୁଣି ଦୁଃଖରେ, ପରସ୍ପରକୁ ଲୁଚାଇ, ଆଖିରୁ ଲୁହ ପୋଛିଛନ୍ତି । ଦେଖାହେଲେ ଆଶ୍ୱାସନା ଦେଇ ମନ ଭୁଲାଇବାକୁ ଚେଷ୍ଟା କରିଛନ୍ତି ।

 

ମୋଟ ଉପରେ ଅତୀତଟି ଥିଲା ସୁଖ ଓ ଶାନ୍ତିର ପ୍ରତୀକ । ନିରାଶ ହେବାର ଅବକାଶ ନାହିଁ । ଅନୁତାପ କରିବାର କାରଣ ନାହିଁ ।

 

ସତେ କ’ଣ ଜୀବନାନନ୍ଦ ଆଖି ଖୋଲି ଆଉଥରେ ଚାହିଁବେ ନାହିଁ ? ଓଠଖୋଲି ହସିବେ ନାହିଁ ? ଅବଶିଷ୍ଟ ଦିନପାଇଁ ତାଙ୍କୁ କ’ଣ ଏକୁଟିଆ ରଖି ଚାଲିଯିବେ ? ବହୁ କଷ୍ଟ ଉପାର୍ଜିତ ଏ ବିରାଟ ଜମିଦାରୀ କାହାର ହେବ ? କ’ଣ ପାଇଁ ସେ ଏତେ ପରିଶ୍ରମ କରିଥିଲେ । ଏ ପରିବାର କାହାର ହେବ ?

 

ଏଇ ଜୀବନାନନ୍ଦ ଚାଲିଗଲେ ବୋଧହୁଏ । ଅଙ୍ଗପ୍ରତ୍ୟଙ୍ଗ ଅବଶ ହୋଇଯାଉଛି । କଡ଼ ଲେଉଟାଇବାର ଆଉ ଶକ୍ତି ନାହିଁ । ମୁହଁରେ ଆଉ ଦିପ୍ତି ନାହିଁ । ବଡ଼ ଦୁର୍ବଳ !

 

ବିଶ୍ୱମ୍ବର ଓ ବିଜୟାନନ୍ଦ ପାଟିରେ ଦି’ଢୋକ ଗଙ୍ଗାଜଳ ଦେଲେ । ଜୀବନାନନ୍ଦ ଅଜ୍ଞାନ ଅବସ୍ଥାରେ ସେତକ ଢୋକି ନେଲେ । ସମର୍ଥାବସ୍ଥାରେ ଅତି ସ୍ନେହରେ ପାଳନ କରିଥିଲେ ଏଇ ପୁତ୍ରଦ୍ୱୟଙ୍କୁ । ଅକ୍ଳାନ୍ତ ପରିଶ୍ରମ କରି ସମ୍ପତ୍ତି ଅର୍ଜ୍ଜନ କରିଯାଇଛନ୍ତି । ସାମାନ୍ୟ ଚେଷ୍ଟାରେ ଦୁଇତିନୋଟି ପେଟପାଇଁ ଆଧାର ସଂଗ୍ରହକରି ପାରିଥାନ୍ତେ । କିନ୍ତୁ ଉତ୍ତରାଧିକାରୀଙ୍କ ସ୍ଵଚ୍ଛଳତା ପାଇଁ ଉତ୍ତର ଜୀବନର ସ୍ଵଚ୍ଛନ୍ଦ ପାଇଁ ସେ ପରିଶ୍ରମ କରିଥିଲେ । ଜୀବନାନନ୍ଦଙ୍କ ପରେ ତାଙ୍କର ପ୍ରତିନିଧିତ୍ଵ କରିବେ ବିଶ୍ଵମ୍ବର ଓ ବିଜୟାନନ୍ଦ । ଗଙ୍ଗାଜଳ ଦେଇ ଦାୟିତ୍ଵ ମୁକ୍ତହେଲେ । ସେମାନେ ମନେ ମନେ ଭାବୁଥିବେ, “ତୁମେ ଆମକୁ ଅନେକ ସ୍ନେହ କରିଥଲ ବାପା, ଆମପାଇଁ ଅନେକ ରଖି ଯାଇଛ । ତାରି ପ୍ରତିବଦଳରେ ତୁମ୍ଭର ଉତ୍ତର ଆତ୍ମାର ସଦ୍‍ଗତି ସକାଶେ, ତୃଷିତ ପିପାସାର ଶାନ୍ତି ସକାଶେ, ଦ’ଢୋକ ଗଙ୍ଗାଜଳ ଦେଲୁଁ । ଆମକୁ ଦାୟମୁକ୍ତ କର ।’’

 

ଜୀବନାନନ୍ଦଙ୍କ ସମୟ ଆଖର ହୋଇ ଆସୁଛି । ପାଖରେ ଛିଡ଼ାହୋଇ ଜୁଳୁ ଜୁଳୁ ହୋଇ ଚାହୁଁଥିବା ଛୋଟ ଛୋଟ ନାତି ନାତୁଣୀମାନେ ତାଙ୍କ ପାଟିରେ ଟୋପେ ଟୋପେ ତୁଳସୀ ପାଣି ପକାଉଛନ୍ତି । ସେମାନଙ୍କୁ ଆଖିରେ ଅସଂଖ୍ୟ ପ୍ରଶ୍ନ । ସତେ କ’ଣ ସେ ସବୁଦିନ ପାଇଁ ଶୋଇଯିବେ-? ତାଙ୍କ ପାଖରେ ବସି ଖୁସି ଗପ କରିବେ ନାହିଁ ? ତାଙ୍କ ସଙ୍ଗରେ ଖେଳିବେ ନାହିଁ ।

 

ଆତ୍ମୀୟ ବନ୍ଧୁମାନେ ଜଣ ଜଣ ହୋଇ ଆସି, ଅନ୍ତିମଦର୍ଶନ କରି ଫେରିଯାଉଛନ୍ତି । ଫେରିଗଲା ବେଳେ କିଏ ଭାବନାମଗ୍ନ ଦେଖାଯାଉଛି ତ, କିଏ ପ୍ରକାଶ୍ୟରେ ଆଖିରୁ ଲୁହ ପୋଛି ନେଉଛି । ବନ୍ଧୁ ଜୀବନାନନ୍ଦ ଚାଲିଯାଉଛନ୍ତି । ବୟସ ବଳେଇ ଯାଇ ନ ଥିଲା । ଲୋକ ତ ପୁଣି ବିଶାଶହେ ବର୍ଷ ବଞ୍ଚୁଛନ୍ତି । ଶହେ ନ ପୁରୁଣୁ ସେ ଚାଲିଯିବେ । ବୟସରେ ସମାନସ୍କନ୍ଧ ହେବେ । ସଙ୍ଗ ହୋଇ ଖେଳିବା ବୁଲିବାଠାରୁ, ମଜାମଜଲିସ୍ କରିବା ପର୍ଯ୍ୟନ୍ତ ସବୁ ମନେପଡ଼ୁଛି । ସବୁ ଘଟଣା ହେଇ କାଲିପରି ମନେହେଉଛି ।

 

ମୃତ୍ୟୁକୁ ବିଶ୍ୱାସ ନାହିଁ । ଜୀବନ ସଙ୍ଗେ ସବୁବେଳେ ଅସହଯୋଗୀ । ସୁବିଧା ପାଇବାମାତ୍ରେ ଭୁଲାଇ ଦେଇ ନିଜ ପାଖକୁ ଡାକି ନିଏ । କାହାରି କଥା ଶୁଣିବାକୁ ପ୍ରସ୍ତୁତ ନୁହେଁ ।

 

କିଏ ଜାଣେ, କାହାର ଆୟୁଷ କେତେବେଳେ ସରଯିବ ! ହୁଏତ ମୃତ୍ୟୁ ଆସି ଏଇ ମୁହୂର୍ତ୍ତରେ ନିଜ ସାମନାରେ ଛିଡ଼ା ହେବ । ଏଁ….ମୃତ୍ୟୁ ଆସିବାର ସମ୍ଭାବନା ଅଛି ତାହାହେଲେ ? ମୃତ୍ୟୁ ପାଖରୁ ଦୂରେଇ ରହିବା ଭଲ । ଯେତେଦିନ ପର୍ଯ୍ୟନ୍ତ ଜୀବନ ଅଛି, ହସିଲା ଲୋକର ମୁହଁ ଚାହିଁବା ଭଲ । ଜୀବନ ପାଖରେ ଥିଲେ ମୃତ୍ୟୁକୁ ଭୁଲିଯାଇ ହେବ ।

 

ଅନ୍ତିମ-ଦର୍ଶନ ଅଭିଳାଷୀ ନରନାରୀଙ୍କ ମନ ଭିତରେ ଅସଂଖ୍ୟ ଭାବନା । କିଏ କ୍ଳାନ୍ତହୋଇ ବସି ପଡ଼ୁଛି ତ, କିଏ ଅସ୍ପଷ୍ଟ ଆର୍ତ୍ତନାଦ କରି ଘୁଞ୍ଚି ଯାଉଛି । କିନ୍ତୁ ସେ ବୁଝିପାରୁନି, ଜୀବନ ଆଉ ମୃତ୍ୟୁ କେତେ ପାଖାପାଖି ! ଗୋଟିକର ବନ୍ଧୁ ଆଉ ଜଣେ । ଜଣେ କ୍ଳାନ୍ତ ଆଉ ଅବଶ ହେଲେ, ଅନ୍ୟ ଜଣକ ପାଖକୁ ଆସି ନିଜ ଦାୟିତ୍ଵ ତୁଲାଇ ନିଏ । ଜଣେ ଆଉ ଜଣକର ଖବର ରଖେ । ଜଣେ ଅନ୍ୟ ଜଣକର ଚଉଦିଗରେ ବୁଲେ । ଜଣକର ଶେଷ ଯେଉଁଠି ଅନ୍ୟ ଜଣକର ଆରମ୍ଭ ସେଇଠି ।

 

ଜୀବନାନନ୍ଦ ଦୀର୍ଘନିଃଶ୍ଵାସ ନେଉଛନ୍ତି । କବିରାଜ, ଡାକ୍ତରଙ୍କ ହାତ ବନ୍ଦ ହୋଇଗଲାଣି-। ଶେଷ ମୁହୂର୍ତ୍ତର ସୂଚନା ଇଏ । ଆଖି ଆଗରେ କେତେ ମୃତ୍ୟୁ ଦେଖିଛନ୍ତି । ମୃତ୍ୟୁ ସଙ୍ଗେ ସୁପରିଚିତ ସେମାନେ । ନାଡ଼ୀର ଗତି କ୍ଷୀଣ ହୋଇଆସେ ହୃଦସ୍ପନ୍ଦନ ଧୀମେଇ ଯାଏ । ଦେହରୁ କ୍ଳାନ୍ତ ଓହ୍ଲାଇଯାଏ । ଆଖିର ଚାହାଣି କେମିତିକା ବକଟାଳ ଦେଖାଯାଏ । ଜଣାପଡ଼େ, ମୃତ୍ୟୁ ହାତଠାରି ଡାକୁଛି । ଜୀବନ ଅସ୍ୱୀକାର କରି ପାରୁ ନାହିଁ ।

 

ମୃତ୍ୟୁମୁଖୀ ମୁହଁର ଭାଷା ଅନ୍ୟ ପ୍ରକାର । ଡୋଳା ଦୁଇଟି ଡରୁଆ ଡରୁଆ । ନିର୍ବାକ ମୁହଁରେ ସତେ ଯେମିତି ସେ ମୃତ୍ୟୁର ମୁହଁ ଦେଖୁଥାଏ । ଘନଅନ୍ଧକାର ଭିତରେ କିମ୍ଭୂତ-କିମାକାର ମୁହଁ । ଦେହରେ ଜଡ଼ତା ପଶିଯାଏ । ସେ ଚିତ୍କାର କରିବାକୁ ଚାହେଁ । କିନ୍ତୁ ଜିଭରୁ କଥା ବାହାରେ ନାହିଁ । ସେ ବୁଝିପାରେ, ନିଜେ ଅକର୍ମଣ୍ୟ ହୋଇଯାଇଛି । ତା’ଦେଇ ଆଉ କିଛି ହେବ ନାହିଁ । ମୃତ୍ୟୁ ଭୟରେ ସେ ପାଷାଣ ପାଲଟିଯାଏ । ମନ ଭିତରେ ଅଗଣନ ତୃଷ୍ଣା । ସବୁ ଭାବନା ପୂର୍ଣ୍ଣ ହୋଇପାରି ନାହିଁ । ସବୁ ଆଶା ସଫଳ ହୋଇପାରି ନାହିଁ । ଆଉ କିଛିଦିନ ବଞ୍ଚିଥିଲେ ଅନେକଟା କାମ ଶେଷ ହୋଇ ପାରିଥାନ୍ତା । ଦିନ ସବୁ ଅକାରଣଟାରେ ଚାଲିଗଲା । ଆଗରୁ ସତର୍କ ହୋଇ ହେଲା ନାହିଁ ।

 

ଏତେ ସ୍ନେହ, ଏତେ ଶ୍ରଦ୍ଧାକୁ ଛାଡ଼ି ଚାଲିଯିବ ? ସତେ କ’ଣ ଆଉ ଏ ଦୁନିଆକୁ ଉପଭୋଗ କରି ହେବ ନାହିଁ ? ପତ୍ନୀ, ପୁତ୍ର, ପରିବାର ବେଷ୍ଟିତ ବାସଗୃହରେ ଆଉ ଦନଟେ ପାଇଁ ରହିବାର ଅଧିକାର ନାହିଁ ? ତା’ହେଲେ ଏ ଜୀବନଟା କ’ଣ ପ୍ରହେଳିକା ? ଏକ ଜାଗ୍ରତ ସ୍ଵପ୍ନ ?? ମୃତ୍ୟୁଯାତ୍ରୀ ଅଧୀର ହୋଇପଡ଼େ । ଭୟରେ, କ୍ଳାନ୍ତରେ ସେ ଆଖି ବୁଜିବାକୁ ଇଚ୍ଛା କରେ । କିନ୍ତୁ ତା’ ଇଚ୍ଛାର କ’ଣ କିଛି ପ୍ରତିବିଧାନ ଅଛି ? ଆଖି ଆଉ ଖୋଲେ ନାହିଁ । ଅନ୍ତିମ ନିଦରେ ସେ ଶୋଇଯାଏ ।

 

ଜୀବନାନନ୍ଦ ମୃତ୍ୟୁ ପୂର୍ବରୁ ହଠାତ୍ ଆଶ୍ଚର୍ଯ୍ୟଜନକଭାବରେ ସତେଜ ଦେଖାଗଲେ । ଅବଶ ଓଠରୁ ଠକ୍ ଠକ୍ ହୋଇ କଥା ବାହାରୁଛି । ସମସ୍ତଙ୍କୁ ସେ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଛନ୍ତି-। ହାତଠାରି, ମୁଖଭଙ୍ଗୀ କରି ସମସ୍ତଙ୍କୁ ପ୍ରବୋଧନା ଦେଉଛନ୍ତି । ତାଙ୍କ ଆଗରେ ପୁଣି ସ୍ନେହ ଓ ଶ୍ରଦ୍ଧା ପାଳିତ ପରିବାର କାନ୍ଦିବେ ? ନା, ତାଙ୍କର କିଛି ହେବ ନାହଁ । ସେ ଅବଶ୍ୟ ବଞ୍ଚିବେ-। ଏମାନେ ଅଧୈର୍ଯ୍ୟ ହେଉଛନ୍ତି କାହିଁକି ?

 

ମୃତ୍ୟୁ-ପଥୁକୀର ଜୀବନ ପ୍ରତି ଅସୀମ ଆକର୍ଷଣ ! ପରିବାର ପ୍ରତି ଅତ୍ୟନ୍ତ ସହାନୁଭୂତି-। ରକ୍ତଦେଇ ପରିବାର ଗଢ଼ିଥିଲା । ଜୀବନକୁ କ୍ଷୟ କରି ସନ୍ତାନର ସ୍ୱାଚ୍ଛନ୍ଦ୍ୟ ଦେଖୁଥିଲା-। ଏ ତ ବଜାର ଦାଣ୍ଡର କିଣାବିକା ବେଶ ପୋଷାକ ନୁହେଁ ? ମମତାର ସ୍ମାରକକୁ ଭୁଲିଯିବା କ’ଣ ଏଡ଼େ ସହଜ ?

 

ଜୀବନାନନ୍ଦଙ୍କ ସ୍ତ୍ରୀ ଆସି ମୁହଁ ସାମନାରେ ବସିଲେ । କପାଳରେ ହାତ ଦେଇ ସ୍ନେହମମତା ବାଢ଼ୁଛନ୍ତି । ଛାତି ଭିତରେ ନୂଆ ଆଶାଟିଏ ଝଲସି ଉଠୁଛି । ଏଇ, ସେ ଭଲ ହୋଇଯିବେ ପରା ! ପୁଣି ଥରେ ତାଙ୍କର ହସଖୁସିର ସଂସାର ଫେରି ଆସିବ । ଏଥର ଜୀବନକୁ ମନ ପୂରାଇ ଉପଭୋଗ କରିବେ । ସ୍ଵାମୀଙ୍କର କେତେ ଇଚ୍ଛା ଆଡ଼େଇ ଦେଇଛନ୍ତି । କେତେ ଅନୁରୋଧ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥର କୌଣସି ପ୍ରସ୍ତାବ ଅସ୍ୱୀକାର କରିବେନି । ତାଙ୍କର କୌଣସି ଇଚ୍ଛାର ପ୍ରତିବନ୍ଧକ ହେବେ ନାହିଁ ।

 

କିନ୍ତୁ କି ନିର୍ବୋଧ ଇଚ୍ଛା ତାଙ୍କର ? ଦୀପ ଜଳିଯିବା ପୂର୍ବରୁ ଦପ୍ ଦପ୍ ହୋଇ ଜଳଉଠୁଛି-। ଆର ମୁହୂର୍ତ୍ତରେ ନିଭିଯିବ । ଦୀପରୁ ତେଲ ଶେଷ ହୋଇଯାଇଛି । ଦେହର ଉତ୍ତାପ ସରିଯାଇଛି-। ହିମ-କାକର ଶରୀର ଭିତରେ ଉଷ୍ଣକାମୀ ସୂକ୍ଷ୍ମ ଜୀବନ କ’ଣ ଅଟକି ରହେ ?

 

ଡାକ୍ତର, ବୈଦ୍ୟ ଚାଲିଗଲେ ।

 

ବିଶ୍ଵମ୍ବର ଓ ବିଜୟାନନ୍ଦ ବୁଝିନେଲେ, ପିତାଙ୍କର ଶେଷ ମୁହୂର୍ତ୍ତ ସମାଗତ । ସେମାନେ ଛୋଟ ଛୋଟ ପିଲମାନଙ୍କୁ ଶଯ୍ୟା ପଡ଼ିଥିବା ଘରୁ ଦୂରେଇ ଦେଲେ । ମୃତ୍ୟୁ ଦେଖିଲେ ଡରିବେ ଯେ !

 

ବିଶ୍ଵସ୍ତ ଚାକର ନୌକର ନିର୍ଦ୍ଦେଶ ପାଇ ଶେଷକୃତ୍ୟର ଯୋଗାଡ଼ କରିବାକୁ ଚାଲିଗଲେ-। ଘରେ ବୋହୂମାନେ ଟୁପ୍‍ଟାପ୍‍ ହେଉଛନ୍ତି । କାନ୍ଦିବାର ଉପକ୍ରମ କଲେଣି ବୋଧହୁଏ-। ବାହୁନି ହୋଇ କହିବେ, ଶ୍ଵଶୁର ତାଙ୍କର କେମିତି ଦେବତା ତୁଲ୍ୟ ଥିଲେ । ପରିବାରର ସୁଖ ସୁବିଧା ପ୍ରତି କେମିତି ସଜାଗ ଥିଲେ !!

 

ଜୀବନାନନ୍ଦଙ୍କ ଆଖିରେ କେମିତି ଏକ ଅସ୍ୱାଭାବିକ ଦୃଷ୍ଟିଭଙ୍ଗୀ । ନିକମା ଜୀବନ, ଆଉ ଜଡ଼ବତ୍ ମୃତ୍ୟୁ ଦୁଇଟିରୁ ଗୋଟାକୁ ପାଇବାର ପ୍ରତିଶ୍ରୁତି ଦେଲେ, ହୁଏତ ସେ ନିକିମା ଜୀବନକୁ ହିଁ ଚାହାଁନ୍ତେ । ହେଉ ପଛକେ ଅଥର୍ବ, କିନ୍ତୁ ଜୁଳୁ ଜୁଳୁ କରି ଅନାଉ ଥାଆନ୍ତେ । କିଛିକରି ନ ପାରିଲେ ବି’ ଜୀବନ ପୂର୍ଣ୍ଣ ଦୁନିଆରେ ଟିକିଏ ସ୍ଥାନ ମାଡ଼ି ବସିବାର ସୌଭଗ୍ୟ ମିଳନ୍ତା । ତା’ପରେ ସେ ଲୋକଙ୍କର ଆନନ୍ଦ ପାଇଁ ଯଥାସମ୍ଭବ ଦାନ କରନ୍ତେ । ସମସ୍ତଙ୍କର ଆନନ୍ଦପାଇଁ ନିଜକୁ ଉତ୍ସର୍ଗ କରି ଦିଅନ୍ତେ ।

 

ଏସବୁ ସତ୍ତ୍ୱେ, ମୃତ୍ୟୁ ଛାଡ଼ିଗଲା ନାହିଁ । ସେ କଳା ହାତ ବଢ଼ାଇ ଜୀବନାନନ୍ଦଙ୍କୁ ଭିଡ଼ି ଧରୁଥିଲା ।

 

ଜୀବନାନନ୍ଦ ଆକୁଳ ଆଖିରେ ସମସ୍ତଙ୍କ ମୁହଁକୁ ଟିକିଏ ଟିକିଏ ଚାହିଁ ନେଲେ । ଶେଷ ଦର୍ଶନ ସିଏ । ଆଉ ଥରେ ଏ ଦୁନିଆକୁ ଏଇ ଦେହ ଧରି ଚାହିଁବାର ଅବକାଶ ନାହିଁ । ଏ ଚାହାଣିର ଅର୍ଥ ଅଲଗା । ଜୀବନ କାଳର ପ୍ରତିଷ୍ଠା ଆଉ ସମ୍ମାନ ଭିତରୁ ସେ ଚାହାଣି ବାହାରୁଛି । ବୟସ ଓ ଅଭିଜ୍ଞତାର ସ୍ଵାକ୍ଷର ବସିଛି ।

 

କିନ୍ତୁ ନାଁ, ସେ ଆଉ ହୋଇପାରେ ନାଁ । ଜୀବନାନନ୍ଦ କ୍ଳାନ୍ତ । ଜୀବନ ତାଙ୍କୁ ଶ୍ରାନ୍ତ, ଅଥର୍ବ କରି ଦେଇଛି । ତାଙ୍କର ପାଣ୍ଡୁର ଚକ୍ଷୁ ଯୁଗଳରୁ ଦୁଇଧାର ଲୁହ ବୋହିପଡ଼ିଲା । ପତ୍ନୀଙ୍କ ପ୍ରସାରିତ ବାହୁ ଉପରେ ତାଙ୍କ ଜୀବନର ଯବନିକା ପତନ ହେଲା । ସେ ଅନ୍ତିମ ନିଦ୍ରା ଗଲେ ।

 

ବିଶ୍ଵମ୍ବର ଓ ବିଜୟାନନ୍ଦ ପିତାଙ୍କର ଚକ୍ଷୁ ଯୁଗଳକୁ ବନ୍ଦ କରି ଦେଲେ, ସେ ଶାନ୍ତିରେ ଶୋଇ ଯାଅନ୍ତୁ ! ଚିତାନଳର ଭୀଷଣ ଦୃଶ୍ୟ ଆଖିରେ ନ ପଡ଼ୁ ! ସବୁ ସ୍ମୃତି ଭଲ ହୋଇଯାଉ !

 

ଜମିଦାରୀର ଦୃଢ଼ ଖମ୍ବଟିଏ ଢଳି ପଡ଼ିଲା । ସାରା ଜମିଦାରୀ ଉପରେ ଯେଉଁ ଦୁଇଟି ସତର୍କ ଆଖି ଚକର କାଟୁଥିଲା, ସେ ଆଖି ଦୁଇଟି ଚିରଦିନ ପାଇଁ ବନ୍ଦ ହୋଇଗଲା । ପୁଅମାନେ ନୀରବରେ ଆଖି ପୋଛିଲେ । ଘରେ କାନ୍ଦ ବୋବାଳି ଶୁଭିଲା । ସମୁଦାୟ ପରିବେଶ ଦୁଃଖ ଆଉ କ୍ରନ୍ଦନରେ ଉଛୁଳି ଉଠିଲା ।

 

ଜମିଦାରଙ୍କ ସ୍ତ୍ରୀ ବାଳୁତ ଶିଶୁପରି କକର୍ଥନା ହୋଇ କାନ୍ଦୁଛନ୍ତି । ଏତେଦିନ ଯାଏ ଯେଉଁ ଘରଟି ଭିତରେ ରହି ଆଦେଶ କରି ନିଜର ମୁରବୀପଣିଆକୁ ଜାହିର କରି ରଖିଥିଲେ, ସେ ଘର ପ୍ରଥମ କରି ତାଙ୍କର ବିକଳ କାନ୍ଦ ଶୁଣୁଛି । ସ୍ଵାମୀଙ୍କର ଛାତି ଉପରେ ମୁଣ୍ଡ ରଖି ସେ ଅବୋଧ୍ୟ ନାରୀ ପରି କାନ୍ଦୁଛନ୍ତି । ମସ୍ତକର ଜୁଡ଼ା ଫିଟି ଯାଇଛି । ଅଙ୍ଗବାସ ବିପର୍ଯ୍ୟସ୍ତ । କାହାରି ପ୍ରତି ନଜର ନାହିଁ । ମୃତ ସ୍ଵାମୀଙ୍କର ମୁଦ୍ରିତ ଚକ୍ଷୁ ଉପରେ ଦୃଷ୍ଟି ରଖି ମୁଣ୍ଡ କୋଡ଼ି ହେଉଛନ୍ତି । ଅତୀତକୁ ମନେପକାଇ ବାହୁନି ହେଉଛନ୍ତି । ସୁଖର ଦିନ ଶେଷ ହେଲା । ଏଥର ସାଥିହରା ପକ୍ଷୀପରି ଶୂନ୍ୟ ଅକାଶରେ ବୁଲିବେ । ଦୁଃଖ ଆସିଲେ ଚିବୁକରେ ହାତରଖି କେହି ଆଶ୍ଵାସନା ଦେବ ନାହିଁ । ସୁଖ ଆସିଲେ, ଆଖିରେ ଆଖି ଯୋଖି କେହି ଛଳଛଳ ହୋଇ ହସିବ ନାହିଁ । ତାଙ୍କ ପାଇଁ ଦୁନଆଟା ଶୂନ୍ୟ ହେଲା, ନାରୀ ଜନମର ସବୁ ସରାଗ ସରିଗଲା । ଏଥର ସେ ଏକାକିନୀ !

 

ମଢ଼ାଭାଇମାନେ ଅପେକ୍ଷା କରିଛନ୍ତି । ସ୍ତ୍ରୀଲୋକେ ଆସି ବିଧବା ପତ୍ନୀଙ୍କୁ ଆଡ଼େଇ ନେଇଗଲେ । ପାଖ ଘରେ ରାମାୟଣ ବସିଥିଲା । ବ୍ରାହ୍ମଣ ରାମାୟଣ ପାଠ ବନ୍ଦ କରି ଦେଇଛି ।

 

ଦାଣ୍ଡରେ ଫୁଲ ବିମାନ ସଜା ହୋଇଛି । ଏ ଘରେ ମୁର୍ଦ୍ଦାରର ସ୍ଥାନ ନାହିଁ ।

 

ଗୋଟିଏ ଜୀବନ ଦୀପ ଲିଭିଗଲା । ଷଡ଼ଋତୁର ସମସ୍ତ ଅନୁଭୂତି ଯେଉଁ ପାତ୍ରଟି ଭିତରେ ଏକତ୍ରିତ ହୋଇଥଲା, ସେ ପାତ୍ର ଭାଙ୍ଗିଗଲା । ସଂସାରର ବିଚିତ୍ର ଲୀଳାଖେଳା ଭିତରୁ ସହସ୍ରଘଟଣା ସଙ୍ଗରେ ଯାହାର ସମ୍ୟକ୍ ଧାରଣା ଥିଲା, ଦୁନିଆରେ ସେ ଆଉ ରହିଲା ନାହିଁ । ଏତେ ବଡ଼ ଦୁନିଆଟି ତା’ ପାଇଁ ଅକାରଣ । ଆଉ କେବେହେଲେ ସେ ହସିବ ନାହିଁକି କାନ୍ଦିବ ନାହିଁ-

 

ଭଗବାନ ମୃତ ମଣିଷର ଆତ୍ମାକୁ ଶାନ୍ତିରେ ରଖନ୍ତୁ !

 

ପତ୍ନୀଙ୍କର ଜ୍ଞାନ ଫେରିଲା ପରେ ମୃତ ସ୍ଵାମୀଙ୍କର ମଙ୍ଗଳପାଇଁ ବ୍ରାହ୍ମଣ ହାତରେ ଦାନ କରିବାକୁ ଚାହିଁଲେ, ଆଗରୁ ଗୋ, ତମ୍ବା ଦାନ ସରିଥିଲା । ତଥାପି ସେତିକିରେ ତାଙ୍କର ତୃପ୍ତି ନାହିଁ । ସ୍ଵାମୀ ବିରାଟ ଜମିଦାର ଥିଲେ । ହାତରେ ଅନେକ ଅର୍ଥ ଉପାର୍ଜନ କରଯାଇଛନ୍ତି । ତାଙ୍କ ପରେ ଏ ଧନ ସମ୍ପତ୍ତି ହେବ କ’ଣ ?

 

ବିଶ୍ଵମ୍ବର ଓ ବିଜୟାନନ୍ଦ ବିସ୍ମୟ ସହକାରେ ସଦ୍ୟ ବିଧବା ମାଆଙ୍କୁ ଜୁଳୁ ଜୁଳୁ କରି ଚାହିଁଛନ୍ତି । ତାଙ୍କ ଆଖିରେ ଅସଂଖ୍ୟ ସାଂସାରିକ ପ୍ରଶ୍ନ । ମାଆ ଆଉ ପାଗଳ ହୋଇଯାଇ ନାହାନ୍ତି ତ ?

 

ମାଆ ଯେତେବେଳେ ନିଜ ଦେହର ଅଳଙ୍କାର କାଢ଼ି ବ୍ରାହ୍ମଣ ହାତରେ ଟେକି ଦେବାକୁ ଚାହିଁଲେ, ସେମାନଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା ।

 

ଏ କ’ଣ କରୁଛ ମାଆ ? ବିଶ୍ଵମ୍ବର ପ୍ରଶ୍ନ କଲେ ।

 

ତୁମର ତ ପୁଣି ପରିବାର ଅଛନ୍ତି ! ବିଜୟାନନ୍ଦ ଚେତେଇ ଦେଲେ ।

 

ବିଧବା ମାଆ ଆଶ୍ଚର୍ଯ୍ୟ ଆଖିରେ ଚାହିଁଲେ ନିଜ ଗର୍ଭର ସନ୍ତାନଦ୍ୱୟଙ୍କୁ । ସେମାନେ ତାଙ୍କୁ ପ୍ରଶ୍ନ କରୁଛନ୍ତି । ତାଙ୍କ ଦାୟିତ୍ଵ ବିଷୟରେ ଚେତାଇ ଦେଉଛନ୍ତି । ଏଥର ଏପରି ଅନେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିବ । ସେ ନାଲିସ୍ କରିବାକୁ ମୃତ ପତିଙ୍କ ଆଡ଼କୁ ଅନାଇଁଲେ ।

 

କିନ୍ତୁ ଜୀବନାନନ୍ଦ ଆଉ ନାହାନ୍ତି । ତାଙ୍କୁ ଦାଣ୍ଡକୁ ନିଆ ହେଲାଣି । ଦାଣ୍ଡରେ ଗହଳି ଶୁଭୁଛି । ମୃତ ଦେହକୁ ଶେଷ ସମ୍ମାନ ପ୍ରଦର୍ଶନ କରିବା ସକାଶେ ବାଦ୍ୟର ବନ୍ଦୋବସ୍ତ କରାଯାଇଛି-। କାହା ଆଗରେ ସେ ଆଉ ଅଭିଯୋଗ କରିବେ ? ପେଟର ପୁଅମାନେ ତାଙ୍କ ଇଚ୍ଛାକୁ ସମ୍ମାନ ଦେଉନାହାନ୍ତି । ସେମାନେ ପ୍ରତିବାଦ କରୁଛନ୍ତି । ନିଜ ରକ୍ତ ଆଜି ପ୍ରତିବାଦ କରୁଛି । ଯାହାକୁ ଦାୟିତ୍ଵବୋଧ ଶିଖାଇ ମଣିଷ କରିଥିଲେ, ସେମାନେ ଆଜି ତାଙ୍କର ଦାୟିତ୍ଵ ସମ୍ବନ୍ଧରେ ମନ୍ତବ୍ୟ ଦେଉଛନ୍ତି ।

 

ପୁଅ ଦୁଇଟି ଅସମର୍ଥ ନୁହନ୍ତି । ଜଣେ ଓକିଲ ହୋଇଛି । ଆଉ ଜଣେ ଜମିଦାରୀ ସମ୍ବନ୍ଧରେ ପ୍ରତ୍ୟକ୍ଷ ଜ୍ଞାନ ହାସଲ କରୁଛି ।

 

ବଞ୍ଚିବାକୁ ହେଲେ ନିଜ ଇଚ୍ଛାକୁ ଉତ୍ସର୍ଗ କରିଦେଇ ବଞ୍ଚିବାକୁ ହେବ । ଏଇ ପରିବାରର ନିର୍ଦ୍ଦେଶ ମାନି ଚଳିବାକୁ ହେବ ।

 

ବୁଢ଼ୀ ଶେଷକୁ ପଦିଏ ଉତ୍ତର ଦେଲେ । କହିଲେ, ‘ମୁଁ ଭୁଲ୍ କରୁଥିଲିରେ ! ପରିବାର ଅଛି; କିନ୍ତୁ ସେ ନାହାନ୍ତି ।’

Image

 

ଭ୍ରମଣ ଡାଇରୀରୁ

ରେଡ୍‍ହିଲ୍‍ସ୍‍ର କାହାଣୀ

(ଗଳ୍ପ)

 

ସୂର୍ଯ୍ୟୋଦୟ ପୂର୍ବରୁ ଆମେ ତିରୁପତି ଛାଡ଼ି ଆସିଲୁ । ଦେବ ସ୍ଥାନ ତିରୁପତି ତା’ର ସମସ୍ତ ଶୋଭା-ବୈଭବ ନେଇ ବହୁପଛରେ ରହିଗଲା । ଦକ୍ଷିଣ ଭାରତର ଜୀବନ ଦର୍ଶନକୁ ନିୟନ୍ତ୍ରିତ କରୁଥବା ତିରୁପତି ଆମଠୁ ଏବେ ଅନେକ ଦୂରରେ !

 

କିନ୍ତୁ ଦେବଭୂମିର ଚର୍ଚ୍ଚା ଗତିଶୀଳ ମୋଟର ଭିତରେ ବି ଚାଲିଛି । ଯାତ୍ରୀ ତା’ର ହୃଦୟ ଭିତରେ ‘ଗୋବନ୍ଦ’ର ସ୍ପର୍ଶ ପାଉଛି । ତା’ର ବଶ୍ୱାସ, ତିରୁପତିର ସ୍ମୃତିଗାନରେ ମୋକ୍ଷ ଅଛି ।

 

ତୀର୍ଥଯାତ୍ରୀର ସବୁଦିନକୁ ମନେ ରହେ ତିରୁପତି । ସୁବର୍ଣ୍ଣ ମନ୍ଦିରର ଭେଙ୍କଟା ସ୍ଵାମୀ ଦର୍ଶନ ଇହଜନ୍ମର ମୋକ୍ଷ ମନ୍ତ୍ର । ବଶାଳକାୟ ତିରୁପତି ପାହାଡ଼ର ସାତୋଟି ସ୍ତର, ସାତୋଟି ଦେବତାର ଲୀଳା କ୍ଷେତ୍ର । ପାହାଡ଼ର ଜଟିଳ ରାସ୍ତା ସବୁ ଅତିକ୍ରମ କରି ଗଲାବେଳେ ଦେବଦର୍ଶନକାମୀ ଅଗଣନ ସ୍ତ୍ରୀ-ପୁରୁଷ ବସ୍ ଭିତରେ ସ୍ତବ ଆବୃତ୍ତି କରନ୍ତି । ଭକ୍ତି ଭାବାପନ୍ନ ଯାତ୍ରୀର ଆଖିରେ ଆନନ୍ଦାଶ୍ରୁ ଭରି ଉଠେ ।

 

କିନ୍ତୁ ଏଇନେ ଖାଲି ମାନ୍ଦ୍ରାଜ ସହର କଥା ଚର୍ଚ୍ଚା ହେଉଛି । ମାନ୍ଦ୍ରାଜ ସହର ପାଖେଇ ଆସିଲାଣି । ବସ୍ ଯାତ୍ରୀମାନେ ପରସ୍ପର ମଧ୍ୟରେ ଘର ଠିକଣା ଆଦାନ ପ୍ରଦାନ ହେଉଛନ୍ତି । ସହର ଭିତରେ ପଶିଲେ ଚିହ୍ନାଲୋକଙ୍କ ଘର ଖୋଜି ମିଳେ ନାହିଁ । ଏଡ଼େ ବଡ଼ ସହରରେ କିଏ କାହାକୁ ଚିହ୍ନୁଛି ? ସହରଠାରୁ ଦୂରରେ ରହିଲେ, ମାନ୍ଦ୍ରାଜ ସହରବାସୀ ପରସ୍ପରର ସାନ୍ନିଧ୍ୟ ଲାଭକରି ଖୁସି ହୁଅନ୍ତି । ଗୋଟିଏ ସହରର ଅଧିବାସୀରୂପେ ପାଖେଇ ଆସନ୍ତି । ସମ୍ବନ୍ଧ ଓ ସୌହାର୍ଦ୍ଦ ବୃଦ୍ଧି ପାଏ ।

 

ବସ୍ କଣ୍ଡକ୍ଟର ରେଡ୍ ହିଲ୍‍ସ୍ ଯାତ୍ରୀଙ୍କ ନିକଟରୁ ବସ୍ ଟିକେଟ୍ ସବୁ ସଂଗ୍ରହ କଲେ ।

 

ମନ୍ଦ୍ରାଜ ସହର ମାତ୍ର ବାର ମାଇଲ !

 

‘ରେଡ୍ ହିଲ୍‍ସ୍’ ନା’ଟା ଶୁଣି ମନ ଭିତରେ ଚାଞ୍ଚଲ୍ୟ ସୃଷ୍ଟି ହେଲା । ଏଇ ନା’ଟା ମୋ କାନକୁ କେମିତି ଅବାଗିଆ ଜଣାପଡ଼ିଲା । ମାନ୍ଦ୍ରାଜବାସୀଙ୍କୁ ଆଉ କ’ଣ କିଛି ନାଁ ମିଳିଲା ନାହିଁ ଯେ ଇଂରାଜୀ ନା’ଟିଏ ଦେଲେ ?

 

ରେଡ୍ ହିଲ୍‍ସ୍ ଗୋଟିଏ ଲାଲିଆ ପାହାଡ଼ ହୋଇଥିବ । ରେଡ୍ ହିଲ୍‍ସ୍‍ର ଓଡ଼ିଆ ଅନୁବାଦଟା ତ ସେଇଆ ! ମୁଁ ସେଇ କଥାଟାକୁ ପରିଷ୍କାରଭାବରେ ବୁଝି ନେବାକୁ ସହଯାତ୍ରୀ ଜଣକୁ ପଚାରି ଦେଲି !

 

ସହଯାତ୍ରୀ ଜଣକ ମାନ୍ଦ୍ରାଜର ସ୍ଥାୟୀ ବାସିନ୍ଦା ! ସେ ମୋ କଥା ଶୁଣି ଅଳ୍ପ ହସିଲେ । ଉତ୍ତର ଦେବା ପୂର୍ବରୁ ପ୍ରଶ୍ନକଲେ, ଆପଣ କ’ଣ ବିଦେଶରୁ ଆସିଛନ୍ତ ?

 

ଏହି ‘ବଦେଶୀ’ଶବ୍ଦର ଅର୍ଥକୁ ବ୍ୟାଖ୍ୟା କରି ମୁଁ ବୁଝିପରିଲି ସେ ସହଯାତ୍ରୀ ଜଣକ ଅସାବଧାନତା ହେତୁ ଇଂରାଜୀ ଶବ୍ଦର ଭୁଲ୍‍ ପ୍ରୟୋଗ କରିଛନ୍ତି । ତାଙ୍କୁ କହିଲି; ମୁଁ ଭାରତର ! ମୋ ଘର ଓଡ଼ିଶାରେ ।

 

ଓଡ଼ିଶା ! ଓଡ଼ିଶା କେଉଁଠି ?

 

ହୀରାକୁଦ ବନ୍ଧ ପାଖରେ । ମୁଁ ମଧ୍ୟ ଅଦ୍ଭୁତ ଉତ୍ତରଟିଏ ଦେଲି । ହୀରାକୁଦ ବନ୍ଧ ।

 

ମୁଁ ବୁଝିଲି, ସେ ତଥାପି କିଛି ହେଲେ ବୁଝି ନାହାନ୍ତି । ସଂଯୋଗ କଲି ଜଗନ୍ନାଥ ଧାମ, ପୁରୀ ପାଖରେ ।

 

ମୋର ମନେହେଲ ଓଡ଼ିଶା’ର ଅର୍ଥ ଜଣାଇବାକୁ ଯାଇ ମୁଁ ଆଉ ଏକ ଅପେକ୍ଷାକୃତ ଜଟିଳ ଶବ୍ଦର ସାହାଯ୍ୟ ନେଇଛି । ତାକୁ ସରଳ କରିବାକୁ ଯାଇ କହିଲି, ଜଗନ୍ନାଥ ଦେଶ, ପୁରୀ ଦେଶ !

 

‘ଓଃ, ଆପଣ ପ୍ରକୃତରେ ଭାଗ୍ୟବାନ ।’ ଭଦ୍ରବ୍ୟକ୍ତିଙ୍କ ମନ୍ତବ୍ୟରୁ ସେ ଏଥର ମୋର ‘ଓଡ଼ିଶା’ ଅର୍ଥ ବୁଝିପାରିଛନ୍ତି ବୋଲି ମନେ ହେଲା । ସେ ମୋ ମୁହଁକୁ ବାରମ୍ବାର ଚାହିଁବାକୁ ଲାଗିଲେ । ତା’ପରେ ଅବୋଧ୍ୟ-ଭାଷାରେ କେତେ କ’ଣ କହିବାକୁ ଲାଗିଲେ । ବୋଧହୁଏ ତାମିଲରେ କିଛି ପଚାରୁଥିଲେ ।

 

ପାଖରେ ଜଣେ ଭଦ୍ରଲୋକ ଇଂରାଜୀ କାଗଜ ପଢ଼ୁଥିବାର ଦେଖିଲି । ଟିକିଏ ନଇଁପଡ଼ି ତାଙ୍କ ହାତରେ ଆଙ୍ଗୁଠି ବଜାଇ କହିଲି, କ୍ଷମା କରିବେ ! ଏ ମହାଶୟ କ’ଣ କହୁଛନ୍ତି, ମୁଁ କିଛି ବୁଝିପାରୁନି । ଆପଣ ସେ କଥା ତାଙ୍କୁ କହିଦେବେ କି ?

 

ଭଦ୍ରଲୋକ ଜଣକ ଅଳ୍ପ ହସି କହିଲେ, ତାମିଲରେ ସେ ଜଗନ୍ନାଥ ଦେଉଳ କଥା ପଚାରୁଛନ୍ତି । ପଚାରୁଛନ୍ତି, ଦେଉଳ କେମିତି ଅଛି । ତା’ ଭିତରକୁ ଖ୍ରୀଷ୍ଟିୟାନ୍‍ମାନଙ୍କୁ ଛାଡ଼ୁଛନ୍ତି କି ନାହିଁ ?

 

ମୋତେ ବି’ ଅଳ୍ପ ହସ ମାଡ଼ିଲା । ପ୍ରଥମବ୍ୟକ୍ତି ଜଣକ ନିଶ୍ଚୟ ଖ୍ରୀଷ୍ଟିୟାନ୍ ସମ୍ପ୍ରଦାୟର ହୋଇଥିବେ ଅଥଚ କେତୋଟି ମାମୁଲି ଇଂରାଜୀ କଥା ବ୍ୟତୀତ ଆଉ କିଛି ଜାଣନ୍ତି ନାହିଁ । ଜଗନ୍ନାଥ ଦେଉଳ ସମ୍ବନ୍ଧରେ ଆଗ୍ରହୀ । ତେଣୁ ମୋତେ ଦେଉଳ କଥା ପଚାରୁଥିଲେ, ସେ ତାମିଲ୍ ଭାଷାରେ ପଚାରିଥିବାରୁ ମୁଁ ମୋଟେ ଜବାବ ଦେଇପାରିଲି ନାହିଁ । ଦ୍ଵିତୀୟ ଭଦ୍ରବ୍ୟକ୍ତିଙ୍କ ମାଧ୍ୟମରେ ଉତ୍ତର ଦେଲି, ଜଗନ୍ନାଥ ଦେଉଳ ଖୁବ୍ ଭଲ ଅଛି । ଖ୍ରୀଷ୍ଟିୟାନ୍‍ମାନେ ହିନ୍ଦୁ ଧର୍ମକୁ ପ୍ରବର୍ତ୍ତିତ ହେଲେ ତା’ ଭିତରକୁ ପଶି ଜଗନ୍ନାଥ ଦର୍ଶନ କରିପାରିବେ ।

 

ରେଡ୍ ହିଲ୍‍ସ୍‍ର ମୋଟର ଷ୍ଟାଣ୍ଡ୍‍ ଆସି ହାବୁଡ଼ି ଗଲା । ତାମିଲ୍‍ ଭଦ୍ରବ୍ୟକ୍ତି ଏଥର ଓହ୍ଲାଇ ପଡ଼ିଲେ । ଗଲାବେଳେ କହିଲେ, ମୁଁ ଅବଶ୍ୟ ଜଗନ୍ନାଥ ଦର୍ଶନ କରିବି ।’

 

ମୁଁ ଆଉ ଅନ୍ୟ ଯାତ୍ରୀଜଣକ ପାଖାପାଖି ବସି କଥାବାର୍ତ୍ତା କଲୁଁ । ଅଳ୍ପ ସମୟ ଭିତରେ ଆମର ବନ୍ଧୁତା ବି’ ବେଶ୍ ଜମି ଉଠିଲା । ଆମେ ଆମର ବ୍ୟକ୍ତିଗତ ଠିକଣା ସବୁ ଦିଆନିଆ ହେଲୁଁ-। ଅଳ୍ପ ଟିକକ ପରେ ମାଡ୍ରାସ୍‍ ସହର ପଡ଼ିବ । ଯିଏ ଯାହାର ଗନ୍ତବ୍ୟପଥରେ ଚାଲିଯିବୁ । ତା’ପରେ ଏ ଜୀବନସାରା ହୁଏତ ଦେଖା ସାକ୍ଷାତ ହୋଇପାରିବ ନାହିଁ । ଏହାହିଁ ପ୍ରଥମ ଓ ଶେଷ ସାକ୍ଷାତ । ଠିକଣା ଥିଲେ ଚିଠି ଦିଆନିଆ କଲାବେଳେ ମାଡ୍ରାସ୍‍ ଯାତ୍ରା କଥା ମନେ ପଡ଼ିବ । ଅତୀତର କେଇଟି ବୋହିଯାଇଥିବା ସ୍ମୃତିକୁ ବାନ୍ଧି ରଖିବାରେ ସକ୍ଷମ ହେବୁ

 

ମୁଁ ତାଙ୍କୁ ‘ରେଡ୍ ହିଲ୍‍ସ୍’ ନା’ର ଯଥାର୍ଥତା ସମ୍ବନ୍ଧରେ ପ୍ରଶ୍ନକଲି ।

ବସ୍‍ ଚାଲିଥିଲା । ରେଡ୍ ହିଲ୍‍ସ୍ ସହରର ଛାତି ଉପରେ, ଆମେ ବସରେ ଚଢ଼ି ଆସୁ ଆସୁ ଏହି ଆଧୁନିକ ଉନ୍ନତ ସହରକୁ ଉପଭୋଗ କରୁଥିଲୁଁ । ପରିଷ୍କାର, ଓସାରିଆ ରାସ୍ତା । ରାସ୍ତା ଦୁଇକଡ଼େ ଦୁଇଧାଡ଼ି ବଡ଼ ବଡ଼ ଦୋକାନ । ହୋଟଲମାନଙ୍କରେ ଅନେକ ଭିଡ଼ । ମଝିରେ ମଝିରେ ସିନେମା ପୋଷ୍ଟର ମରା ହୋଇଛି । ସ୍କୁଲହତା ଭିତରେ ବିଭିନ୍ନ ବୟସର ବାଳକ ବାଳିକାମାନେ ଗତାଗତ କରୁଛନ୍ତି । ମାନ୍ଦ୍ରାଜ ମହାନଗରୀ ଯେ ଖୁବ୍ ନିକଟରେ, ରେଡ୍ ହିଲ୍‍ସ୍ ସହରର ସାଜସଜ୍ଜାରୁ ସେତକ ଅକ୍ଳେଶରେ ବୁଝିହେବ । ରେଡ୍ ହିଲ୍‍ସରେ ମାନ୍ଦ୍ରାଜର ପ୍ରତ୍ୟେକ୍ଷ ପ୍ରଭାବ ପଡ଼ିଛି ।

ସହର କଡ଼ରେ କରି ବିରାଟ ସରୋବରଟିଏ ଦୃଷ୍ଟିଗୋଚର ହେଲା । ବଂଧୁ ଜଣକ ବୁଝାଇ ଦେଲେ, ଏଇଟି ମଧୁର ଜଳ ହ୍ରଦ । ସୁଦୀର୍ଘ ବାରମାଇଲ ଦୂରବର୍ତ୍ତୀ ଏ ହ୍ରଦରୁ ମାନ୍ଦ୍ରାଜ ସହରକୁ ଜଳଯୋଗାଣ ହୁଏ ।

ରାସ୍ତାକଡ଼ରେ ସୁରମ୍ୟ ପାର୍କ । ତାରି ଭିତରେ ଜାତିଜାତିକା ଫୁଲ ଗଛ । ସିମେଣ୍ଟ ଚଟାଣ ଉପରେ ବସି ପିଲାମାନେ ତାସ ଖେଳୁଛନ୍ତି । ସେମାନଙ୍କ ଭିତରେ ପାଟିତୁଣ୍ଡ ଚାଲିଛି । ମୁଁ ଏସବୁ ଆଗ୍ରହ ଆଖିରେ ଅନାଇଥାଏ ।

ଓଡ଼ିଶା ପରି ଉର୍ବର ବିଲ । ରବିଚାଷରେ ଠାଏ ଠାଏ ସବୁଜ ଦିଶୁଛି । କୃଷକ ଧାନ ବୋଝାଇ ଶଗଡ଼ରେ ଗୀତ ଗାଇ ଗାଇ ଫେରୁଛି । କୃଷକ କନ୍ୟା ବିଲହିଡ଼ ଉପରେ ବସି ଫସଲ ଜଗିଛି ।

ବଂଧୁଜଣକ ହାତଠାରି ଦେଖାଇ ଦେଲେ ଗୋଟିଏ ପର୍ବତ ! କହିଲେ ଏଇଟି ରେଡ୍ ହିଲ୍‍ସ୍ । ଏହାରି ନା’ ଅନୁସାରେ ସହରର ନାଁ ହେଇଛି ‘ରେଡ୍ ହିଲ୍‍ସ୍’ । ପାହାଡ଼ର ମାଟି ବି’ ଲାଲ ଦିଶେ ! ଏ ଅଞ୍ଚଳର ମାଟି ଟିକିଏ ଲାଲ ।

ମୁଁ ବୁଝିଲା ପରି ମୁଣ୍ଡ ହଲାଇଲି ।

କିନ୍ତୁ ଏ ମାଟି ଲାଲ ହେଲା କେମିତି ଜାଣନ୍ତି ?

ସେ ମୋ ଉତ୍ତରକୁ ଅପେକ୍ଷା ନ କରି କହିବାକୁ ଲାଗିଲେ, ମୁଁ କହୁଛି , ଶୁଣନ୍ତୁ । ସେ ଅନେକ ଦିନ ତଳର କଥା । ଲୋକେ କହନ୍ତି, ମାନ୍ଦ୍ରାଜ ସହର ସେବେ ଏତେଗୁଡ଼ିଏ ବଢ଼ିଯାଇ ନ ଥିଲା । ଇଂରେଜ ଆଗମନ ପରେ ମାନ୍ଦ୍ରାଜ ସହରର ଗୁରୁତ୍ୱ ବଢ଼ିବାକୁ ଲାଗିଲା । ଲୋକ ବଢ଼ିଲେ, ବ୍ୟବସାୟ ବଢ଼ିଲା । ପୃଥିବୀର ବଭିନ୍ନ ପ୍ରାନ୍ତରୁ ବହୁ ଲୋକ ଆସି ସହରକୁ ନଗରୀରେ ପରିଣତ କଲେ । ଖ୍ରୀଷ୍ଟିୟାନ୍ ଧର୍ମଯାଜକ ଆସିଲେ କାଖରେ ବାଇବେଲ୍ ଧରି । ମିଶନ୍ ମାଧ୍ୟମରେ ଧର୍ମ ପ୍ରଚାର କରିବାକୁ ଲାଗିଲେ । ହିନ୍ଦୁମାନଙ୍କୁ ଧନ ଓ ଚାକିରିର ମୋହ ଦେଖାଇ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କଲେ । ନିଷ୍ପେଷିତ ନିରକ୍ଷର ଜନତା ଜୀବନ ବିକଳରେ ଧର୍ମ ତ୍ୟାଗୀ ହେଲେ । ଦମନ, ଶୋଷଣ ନୀତିରେ ବି କେତେକଙ୍କୁ ‘ଡୁବନ୍’ କରାଇ ଯୀଶୁ ଦର୍ଶନ କରାଗଲା । ଲୋକେ ସ୍ଵଧର୍ମର ଆକର୍ଷଣ, ଆତ୍ମୀୟଙ୍କ ବାରଣ ନ ମାନି ବିଧର୍ମୀ ହେଲେ ।

ଇଂରେଜ ରାଜତ୍ଵ କ୍ରମେ ପ୍ରସାର ଲାଭ କରୁଥାଏ । ସାମ୍ରାଜ୍ୟବାଦୀ ଇଂରେଜ ଜାତି ପକ୍ଷରେ ମାହେନ୍ଦ୍ର ଯୋଗ ପଡ଼ିଥାଏ । ଲୋକେ ଆସୁରିକ ବଳ ସଙ୍ଗେ ମୁକାବିଲା କରିବାକୁ ଅକ୍ଷମ ହେଲେ ।

କିନ୍ତୁ ମାନ୍ଦ୍ରାଜ ସହରର କେଇଜଣ ଜାତୀୟ ବୀର ସେହି ଶାସନର ସମ୍ମୁଖୀନ ହେବା ସକାଶେ ଉପାୟ ଚିନ୍ତାକରିବାକୁ ଏକତ୍ରିତ ହେଲେ ଏଇ ପାହାଡ଼ର ପାଦତଳେ । ସେତେବେଳେ ଏ ସହର ବିଜୁଳି ଆଲୁଅର ମୁହଁ ଦେଖି ନ ଥିଲା । ଏହା ମାନ୍ଦ୍ରାଜ ସହରଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଥିଲା । ରେଲ୍‍ଗାଡ଼ିର କଳ୍ପନା ବି’ ଲୋକଙ୍କ ମନ ଭିତରକୁ ପଶି ନ ଥାଏ । ଏହି ପାହାଡ଼ ତଳେ ଏତେବଡ଼ ଜନବସତି ନ ଥିଲା । ଦୁଇ ତିନୋଟି ଆଦିବାସୀ ଶ୍ରେଣୀୟ ପରିବାର ଉର୍ବର ମାଟିରେ ଫସଲ କରି ଜୀବିକା ନର୍ବାହ କରୁଥାନ୍ତି । ଇଂରେଜ ଶାସନ, ଭାରତରେ ଆତଙ୍କର ଜୁଆର ସୃଷ୍ଟି କରି ସାରିଥିଲେ ହେଁ, ସେ ସମ୍ବନ୍ଧରେ ଏଡ଼ିକି ଟିକିଏ ଧାରଣା ବି’ ସେମାନଙ୍କର ନଥିଲା । ସବୁବେଳେ ସେମାନେ ସ୍ଵାଧୀନ ଥିଲେ । ବାହୁବଳରେ ଫସଲ କରି ପେଟ ପୋଷୁଥିଲେ । ନିଜର ପରିଶ୍ରମ ବ୍ୟତୀତ ଆଉ କାହାରିର ଶକ୍ତି ସାମର୍ଥ୍ୟ ଉପରେ ସେମାନଙ୍କ ବିଶ୍ଵାସ ନ ଥିଲା ।

 

ମାନ୍ଦ୍ରାଜର ଏହି କେତେଜଣ ଜାତୀୟବୀରଙ୍କ ମୁହଁରୁ ଇଂରେଜ-ଦମନ-କଥା ଶୁଣି ସେମାନେ ରାଗରେ ଲାଲ ପଡ଼ିଗଲେ । ସ୍ତ୍ରୀମାନେ ଅଣ୍ଟାରେ ପଣତ ଭିଡ଼ି ଘର ବାହାର ଜଗିଲେ । ଭିତରେ ଭିତରେ ମନ୍ତ୍ରଣା ଚାଲିଲା । ଏହି ଅଖ୍ୟାତ, ଅପରିଚିତ ଟାଙ୍ଗରା ପାହାଡ଼ଟି ମାଡ୍ରାସ୍‍ ରାଜନୀତିରେ ଗୁରୁତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କଲା । ନିଃସ୍ଵାର୍ଥପର କର୍ମୀମାନଙ୍କର ସେ ହେଲା ତୀର୍ଥ ମାଟି ।

 

ଇଂରେଜ ଗୋଇନ୍ଦା ସେ କଥାକୁ ବିଶ୍ୱାସ କଲାନାହିଁ ପ୍ରଥମେ; କିନ୍ତୁ ଯେତେବେଳେ ଜଣାଶୁଣା ମହଲରେ ଏହାର ପ୍ରକାଶ୍ୟ ଆଲୋଚନା ହେଲା, ସେତେବେଳେ ଇଂରେଜ ଦପ୍ତର ଆତଙ୍କରେ ଶିହରି ଉଠିଲା । ଇଂରେଜ ଫଉଜ ଦିନେ ଅତର୍କିତଭାବରେ ଆକ୍ରମଣ କଲେ ପାହାଡ଼ତଳର ଅନାଖ୍ୟାତ ଜନବସତିକୁ ।

 

ଆଦିବାସୀ ରମଣୀମାନେ ତୀବ୍ର ପ୍ରତିବାଦ କଲେ, କାଖରେ ପିଲା ଧରି କୁଡ଼ିଆ ଘର ସାମନାରେ ବସି କାହାରିକୁ ହେଲେ ଘର ଭିତରକୁ ଛାଡ଼ିଲେ ନାହିଁ । ଗୃହସ୍ଥମାନେ ଧରାପଡ଼ି ବନ୍ଧା ହେବା ଭୟରେ ଆଉ ନୀଡ଼କୁ ଫେରିଲେ ନାହିଁ ।

 

ଇଂରେଜ ଫଉଜ ପେରିଗଲା । କିନ୍ତୁ ସେ ଫେରିଗଲା ଅନେକ ଗୁପ୍ତତଥ୍ୟର ରହସ୍ୟ ଉଦ୍‍ଘାଟନ କରି ।

 

ସରଳ, ସହଜ କୁଟୀର ବାସୀମାନେ ଭାବିଲେ, ଶତ୍ରୁ ଆଉ ଫେରିବ ନାହିଁ । ସେମାନଙ୍କ କୁଟୀରକୁ ପୁଣିଥରେ ସ୍ଵାଭାବିକ ଜୀବନ ପ୍ରବାହ ଫେରିଆସିଲା । ସମାନେ ମନ ଖୁସିରେ ଗୀତ ଗାଇ ଫସଲ କଲେ, ଜମି ଚଷିଲେ । ସ୍ତ୍ରୀମାନେ ଗାଈ ଚରାଇବାକୁ ବିଲକୁ ଗଲେ ।

 

ଜ୍ୟୋତ୍ସ୍ନା ରାତିରେ ଏକତ୍ରିତ ହୋଇ ହାତ ଧରାଧରି ହୋଇ ନାଚିଲେ । କିନ୍ତୁ ନାଚ ସଙ୍ଗରେ ସେମାନେ ଯେଉଁ ଗୀତ ଗାଇଲେ ତା’ର ଭାବାର୍ଥ ହେଲା, ଡକାୟତ ମୁହଁରେ ଲାଜ ନାହିଁ ବୋଲି କାନ୍ଥ ଡେଇଁ ଚୋରି କରେ । ହେ ବିଦେଶୀ ଇଂରେଜ ଜାତି, ତୁମେ ଡକାୟତ ନୁହତ ଆଉ କ’ଣ ? କିନ୍ତୁ ଆମେ ଛାଡ଼ିବା ନାହିଁ । ରକ୍ତ ଦେଇ ଆମର ସ୍ଵାଧୀନତାକୁ ବଞ୍ଚାଇ ରଖିବୁ ।

 

ରାଜନୈତିକ ନେତାମାନେ ପରସ୍ଥିତି ପ୍ରତି ସଜାଗ ହୋଇ ସେ ସ୍ଥାନ ପରିତ୍ୟାଗ କଲେ-। ସବୁଦିନ ପାଇଁ ସେମାନେ ସେ ସ୍ଥାନ ପରିତ୍ୟାଗ କରିଥିଲେ ଅବସ୍ଥା ଅନ୍ୟ ରକମର ହୋଇଥାନ୍ତା-। ଏ ସହରର ନାଆଁଟା ବି’ ବଦଳି ଯାଇଥାନ୍ତା !

 

କିନ୍ତୁ ବିଧିର ବିଧାନ ଅନ୍ୟପ୍ରକାର । ସେହି ଅଖ୍ୟାତ ପଲ୍ଲୀର ଦରଦୀ ଗୃହସ୍ଥର ନିମନ୍ତ୍ରଣ ପାଇ ପୁଣିଥରେ କେଇଜଣ ନେତା ଶ୍ରେଣୀୟ କର୍ମୀ ଆସି ପରିଚିତ କୁଟୀରରେ ଏକଟ୍ରିତ ହେଲେ । ପ୍ରସ୍ତାବ ହେଲା, ମାସର ଏକ ନିର୍ଦ୍ଦିଷ୍ଟ ଦିବସରେ ସେଇଠି ସବୁ ସ୍ତରର ନେତା ଓ କର୍ମୀମାନଙ୍କ ସମ୍ମିଳନୀ ହେବ । ସମ୍ମିଳନୀରେ ପରବର୍ତ୍ତୀ କାର୍ଯ୍ୟ ପନ୍ଥାକୁ ବିଚାର କରାଯାଇ ନିୟନ୍ତ୍ରିତ କରାଯିବ । ସମଗ୍ର ମାନ୍ଦ୍ରାଜ ପ୍ରଦେଶକୁ ସେହି ଅନୁସାରେ ନିର୍ଦ୍ଦେଶ ଦିଆଯିବ ।

 

ମାସିକ ସମ୍ମିଳନୀ ଦିନ ପାଖେଇ ଆସିଲା । ପ୍ରଦେଶର ସବୁ କର୍ମୀ ଏକତ୍ରିତ ହେଲେ । ପ୍ରସ୍ତାବମାନ ଆଗତ କରାଯାଇ ଆଲୋଚିତ ହେଲା । ସମସ୍ତଙ୍କର ଧାରଣା ହେଲା, ଏ ସମ୍ମିଳନୀଟି ସବୁଠି ସଫଳ ହୋଇଛି । ଏତେ କର୍ମୀ, ଏତେ ନେତା କୌଣସି ସମ୍ମିଳନୀରେ ଇତି ପୂର୍ବରୁ ଏକାଠି ହୋଇ ନ ଥିଲେ ।

 

ସମ୍ମିଳନୀର ସଫଳତା ଦେଖି ଦେଶପ୍ରେମୀ ନେତାମାନେ ମୁଗ୍‍ଧ ବିଭୋର ହୋଇ ଉଠିଥାନ୍ତି । ଜୀବନ ପଣକରି ଇଂରେଜ ଶାସକକୁ ଭାରତ ଭୂଇଁରୁ ଚିରଦିନ ସକାଶେ ବିତାଡ଼ିତ କରିବାର ଆଗ୍ନେୟ ଶପଥ ଗ୍ରହଣ କରିଥାନ୍ତି । ପର୍ଯ୍ୟାୟକ୍ରମେ ଫଳପ୍ରଦ ଯୋଜନାର ବିଚାର ଆଲୋଚନା ଚାଲିଥାଏ । ଭାରତବର୍ଷକୁ ସ୍ୱାଧୀନ କରିବା ସକାଶେ ଯେଉଁ ପ୍ରସ୍ତୁତି ଓ ଆୟୋଜନର ଆବଶ୍ୟକତା ରହିଛି, ସେମାନଙ୍କ ସେହି ତେଜୋଦୀପ୍ତ ମୁଖମଣ୍ଡଳ ଓ ସ୍ଥିର ଗମ୍ଭୀର ଭାବଭଙ୍ଗୀ ସେହି ଆବଶ୍ୟକତାକୁ ପୂରଣ କରିଥାଏ ।

 

ପାହାଡ଼ ତଳର ସେହି ସରଳ, ଉଦାର, ସ୍ଵଳ୍ପ ଶିକ୍ଷିତ ଅଧିବାସୀମାନେ ମଧ ହୃଦୟଙ୍ଗମ କଲେ ଯେ, ସେମାନଙ୍କ ପ୍ରିୟ ଦେଶ ଭାରତ ଅଚିରେ ମୁକ୍ତିଲାଭ କରିବ । ଦେଶ ମାତାର କପୋଳରୁ ପରାଧୀନ-କଳଙ୍କଟିକା ଲିଭିଯିବ । ଭାରତବାସୀ ବିଶ୍ଵ ସମକ୍ଷରେ ଘୋଷଣା କରିବେ, ସେମାନେ ମୁକ୍ତ ହୋଇଛନ୍ତି । ନୀଳ ଆକାଶର ପକ୍ଷୀ ତୁଲ୍ୟ ସେମାନଙ୍କ ଦେହରେ ସ୍ଵାଧୀନତାର ପକ୍ଷୀ ଉଠିଛି ।

 

କିନ୍ତୁ–

 

ମଣିଷର ସବୁ ଇଚ୍ଛା ସର୍ବଦା ପୂରଣ ହୁଏ ନାହିଁ । ଯୋଜନାବଦ୍ଧ କାର୍ଯ୍ୟକ୍ରମ ମଧ୍ୟ ବେଳେବେଳେ ଓଲଟପାଲଟ ହୋଇଯାଏ ।

 

(ଦାର୍ଶନୀକ କହେ, ସେସବୁ ଅଦୃଶ୍ୟ ଦେବତାର ଇଚ୍ଛା । ସେହି ଇଚ୍ଛା, ମାଧ୍ୟମରେ ସେ ମଣିଷର ପ୍ରତିଜ୍ଞାକୁ ପରୀକ୍ଷା କରେ ମାତ୍ର ! ପାରିଉଠିଲେ ପ୍ରାପ୍ତି ହୁଏ ରାଜସିଂହାସନ । ନ ହେଲେ ସର୍ବହରାର ଭିକ୍ଷାଥାଳୀ ହୋଇଥିବ !! )

 

ଦିବସ ଯାଇ ପାହାଡ଼ ତଳର ସେହି ସ୍ୱଳ୍ପ ଜନବସତିକୁ ରାତ୍ରି ଓହ୍ଲାଇ ଆସିଲା । ନାୟିକା ରାତ୍ରିର କଳାପଣତ ତଳେ ଦିବସର ଆଲୋକ ହଜିଗଲା ।

 

ମଶାଲ ଆଗରେ ପୁଣି ଥରେ ରାତ୍ରି ବୈଠକ ବସିଲା ।

 

ଇତିପୂର୍ବରୁ ଭାରତକୁ ସ୍ୱାଧୀନ କରିବାର ଅଗ୍ନେୟ ଶପଥ ଗ୍ରହଣ କରାଯାଇଥିଲା; କିନ୍ତୁ ପ୍ରସ୍ତାବ ଗ୍ରହଣରେ ତ କାର୍ଯ୍ୟସିଦ୍ଧି ହୁଏ ନାହିଁ ! ତାକୁ କାର୍ଯ୍ୟକାରୀ କରିବାକୁ ଜୀବନମୂର୍ଚ୍ଛା ସଂଗ୍ରାମ ଦରକାର । ପ୍ରସ୍ତାବ କେମିତି କାର୍ଯ୍ୟକାରୀ ହେବ, ତାକୁଇ କେନ୍ଦ୍ରକରି ଅଲୋଚନା ହେଉଥାଏ । ବଛା ବଛା ନେତା ଓ କର୍ମୀମାନେ ନିଜନିଜର ମନ୍ତବ୍ୟ ପ୍ରଦାନ କରୁଥାନ୍ତି ।

 

ଆଉ ଠିକ୍ ଏତିକିବେଳେ—

 

ମନ୍ତ୍ରଣାକକ୍ଷର ବାହାରେ ରକ୍ତପିପାସୁ ଇଂରେଜ-ସମରବାହିନୀର ତୋପ କମାଣ ଗର୍ଜି ଉଠିଲା । ରକ୍ତାକ୍ତ ଜନତାର ହାହାକାର ଶବ୍ଦରେ ପୃଥିବୀ ପ୍ରକମ୍ପିତ ହେଲା । ପାହାଡ଼ ତଳର ସେହି ସ୍ଵାଧୀନକାମୀ ସ୍ଵଳ୍ପ ଅଧିବାସୀଙ୍କ ସମେତ ମନ୍ତ୍ରଣାରତ ସଂଗ୍ରାମ-ସାରଥୀମନେ ଗୋଟିଗୋଟି ହୋଇ ତଳେ ଲୋଟିପଡ଼ିଲେ । ଇଂରେଜ ଶାସକର ନିର୍ମମ ନିର୍ଦ୍ଦେଶ କାହାରିକୁ ହେଲେ ରକ୍ଷା କଲାନାହିଁ । ଅନେକ ବର୍ଷର ପ୍ରସ୍ତୁତି ପରେ ଗଢ଼ି ଉଠିଥିବା ଏତେବଡ଼ ସଂଗ୍ରାମ ପ୍ରସ୍ତୁତି, ମାତ୍ର କେଇ ମିନିଟ୍ ଭିତରେ ଉଜୁଡ଼ିଗଲା । ଏତେବଡ଼ ଜାତିର, ଏଡ଼ିକି ବିରାଟ ଇଚ୍ଛାକୁ ଦମନ କରିବା ସକାଶେ ମାତ୍ର କେଇଟି ତୋପ କମାଣ ଇତିହାସର ଏକ ନିର୍ମମ ନିଷ୍ଠୁର ଅଧ୍ୟାୟ ସୃଷ୍ଟି କଲା ।

 

ନିମିଷକ ଭିତରେ ସବୁ କିଛି ନିଃଶେଷ ହୋଇଗଲା ।

 

ମନ-ସରୋବରରେ ଫୁଟି ଉଠୁଥିବା ସର୍ବପ୍ରଥମ ସ୍ୱାଧୀନ ଫୁଲ ମଉଳିଗଲା ।

 

ହତ୍ୟାକାରୀ ଇଂରେଜବାହିନୀ ସେ ମୃତ୍ୟୁର କରାଳ ବିଭୀଷିକା ଦେଖି ବିଜୟଉନ୍ମାଦରେ କିଳିକିଳା ହସ ହସୁଥିଲା । ସେ ହସି ହସି ଲେଉଟିଗଲା ମାନ୍ଦ୍ରାଜ ସହରକୁ ।

 

ମୃତ ମଣିଷର ତାଜାରକ୍ତ ଧାର ଧାର ହୋଇ ବୋହି ଚାଲିଥାଏ ।

 

ସେ ରକ୍ତର ଚିହ୍ନ ଖୁବ୍ ଗାଢ଼, ଖୁବ୍ ରଙ୍ଗିନ୍ ! ସେ ଯେ ଗୋଟିଏ ଦେଶ, ଗୋଟିଏ ଜାତିର ସ୍ଵାଧୀନ-ମାନସର ରକ୍ତ ! ସେ ରକ୍ତରେ ପାହାଡ଼ର ପାଦଦେଶ ରକ୍ତାକ୍ତ ହୋଇଉଠିଲା । ପାହାଡ଼ର ପାଦଦେଶରେ ଥିବା ପ୍ରତିଟି ଧୂଳିକଣା, ପ୍ରତିଟି ପ୍ରସ୍ତର ଫଳକ ରଙ୍ଗିନ୍ ହୋଇଗଲେ ।

 

ପାହାଡ଼ର ପାଦଦେଶକୁ ଲମ୍ବିଯାଇଥିବା ଅଣଓସାରିଆ ପଥର ପଥିକମାନେ ଦେଖିଲେ, ଗୋଟିଏ ରାତି ଭିତରେ ସେ ସ୍ଥାନର ରଙ୍ଗ ବଦଳି ଯାଇଛି ।

 

ଏହି ରକ୍ତାକ୍ତ ଘଟଣାର ବିପୁଳ ବିଜ୍ଞାପନ ସକାଶେ ଇଂରେଜ କଳ କର୍ମ-ତତ୍ପର ହୋଇଉଠିଲା । କାରଣ, ଇଂରେଜ ଶାସକ ମନେକଲା ଯେ, ଏହି ସମ୍ବାଦ ପରିବେଷଣ କରିବା ଫଳରେ ଶାନ୍ତିପ୍ରିୟ ଭାରତ ଅଧିବାସୀ ଆଉ ମୁକ୍ତିର ନାମ ଉଚ୍ଚାରଣ କରିବେ ନାହିଁ । ସେମାନେ ଭୀତତ୍ରସ୍ତ ହୋଇ ଇଂରେଜ ଶାସନରେ ଆନୁଗତ୍ୟ ପ୍ରକାଶ କରିବେ ।

 

ସେହି ବର୍ବର ଇଂରେଜ ଜାତିର ପଦଲେହନକାରୀମାନେ ହିଁ ଅଜ୍ଞାତ, ଅନାଖ୍ୟାତ ତଥା ପରିତ୍ୟକ୍ତ ପାହାଡ଼ର ରକ୍ତାକ୍ତ ପରିବେଶକୁ ଲକ୍ଷ୍ୟ କରି ସ୍ଥାନର ନାମ ରଖିଲେ ‘ରେଡ୍ ହିଲ୍‍ସ୍’ ।

 

ଏଇଠି ରେଡ୍ ହିଲ୍‍ସ୍‍ର କାହାଣୀ ସମାପ୍ତ ହେଲା !

 

ବନ୍ଧୁ ଏ କାହାଣୀ ଶୁଣାଇବା ପରେ ଅଳ୍ପ ଦମ୍ ନେଲେ । କିନ୍ତୁ ତାହା ସାମୟିକ । ସେ ରୁମାଲରେ ମୁହଁ ପୋଛି ବିଶ୍ରାମ ନେବା ଭଙ୍ଗୀରେ ରାସ୍ତାଧାରକୁ ଲକ୍ଷ୍ୟ କରିବାକୁ ଲାଗିଲେ ଓ ତତ୍‍କ୍ଷଣାତ୍‍ ମୁହଁ ଫେରାଇ କହିଲେ, ଏ ଦେଶ ଗୋଟିଏ ଲୋକ କିମ୍ବା ଗୋଟିଏ ଦିନର ଚେଷ୍ଟାରେ ସ୍ଵାଧୀନ ହୋଇନାହିଁ । ଏହା ପଛରେ ଯୁଗଯୁଗର ଚେଷ୍ଟା ଓ କୋଟି କୋଟି ଜନତାର ରକ୍ତ ଓ ସ୍ଵେଦର ଦାନ ରହିଛି ।

 

ସେମାନେ, ଯେଉଁମାନେ ଆତ୍ମବଳି ଦେଇ ଆମକୁ ସ୍ଵାଧୀନତାର ପୀୟୂଷ ଆସ୍ଵାଦନ କରାଇଲେ, ସେମାନେ ହିଁ ଆମର ନମସ୍ୟ ।

 

ସେମାନେ, ଯେଉଁମାନେ ନିଜର ବ୍ୟକ୍ତିଗତ ସଂସାରର ସୁଖ ସୌଭାଗ୍ୟକୁ ଜଳାଞ୍ଜଳୀ ଦେଇ ଆମକୁ ମୁକ୍ତ ଓ ସ୍ଵାଧୀନ କଲେ, ସେମାନେ ହିଁ ଆମର ବରେଣ୍ୟ ।

 

ସେଦିନର ସଂଗ୍ରାମ ଆଗରେ ଆମର ଆଜିକାର କର୍ମ କିଛି ନୁହେଁ ।

 

ଏଇ ନିର୍ବାକ, ମୌନ ‘ରେଡ୍ ହିଲ୍‍ସ୍’ ତାହା ହିଁ ଆଜି ସ୍ମରଣ କରାଇଦିଏ ।

 

ଦୂରରେ ମାଡ୍ରାସ୍‍ ସହରର ‘ୱାଟର ଟାୱାର୍‍’ ଦେଖା ଯାଉଥାଏ । ରେଡ୍ ହିଲ୍‍ସ୍‍ର ଧୂମ୍ରାଭ ଅସ୍ତିତ୍ଵ ବଳୟ ଭିତରେ ହଜି ହଜି ଯାଉଥାଏ ।

 

ମୁଁ ବସ୍‍ ଭିତରେ ବସି ସେହି ରେଡ୍ ହିଲ୍‍ସ୍‍ର ସ୍ମୃତି ଇତିହାସକୁ ନମସ୍କାର ଜ୍ଞାପନ କଲି-। ଭାବିଲି, ମାଡ୍ରାସ୍‍ ଭ୍ରମଣ ସାର୍ଥକ ହେଲା । ରେଡ୍ ହିଲ୍‍ସ୍‍ର କାହାଣୀ ସବୁଦିନ ପାଇଁ ମନେ ରହିବ-

 

ଆହୁରି ମଧ୍ୟ ମନେ ରହିବେ ମୋର ସେହି ସ୍ୱଳ୍ପ ମୁହୂର୍ତ୍ତର ପରିଚିତ ବନ୍ଧୁ, ଯିଏ ମୋତେ ରାସ୍ତାଧାରରେ କାହାଣୀ ଶୁଣାଇ ମୁଗ୍ଧ ଚକିତ କଲେ ।

Image